Health: ‘ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି ଏମ୍ସ ଭୁବନେଶ୍ବର’

2 weeks ago 11
ARTICLE AD BOX

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା, ମେଡିକାଲ୍ ଶିକ୍ଷା, ଗବେଷଣା, ଡିଜିଟାଲ୍ ନବସୃଜନ ଏବଂ ରୋଗୀ ସେବାରେ ଆଉ ଏକ ଉଲ୍ଲେଖନୀୟ ସଫଳତାର ବର୍ଷ ପୂର୍ତ୍ତି ସହିତ ଆଜି ଏମ୍ସ ଭୁବନେଶ୍ୱର ଏହାର ୧୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଏମ୍ସ ନାଗପୁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ପ୍ରଶାନ୍ତ ପି. ଯୋଶୀ ମୁଖ୍ୟ ଅତିଥି ଏବଂ ଏମ୍ସ ଭୋପାଳ ଅଧ୍ୟକ୍ଷ ତଥା ଏମ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଡ. ଯୋଶୀ ଏକ ତୁଳନାତ୍ମକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସମଗ୍ର ଭାରତର ଏକ ପ୍ରମୁଖ ଉତ୍କର୍ଷ କେନ୍ଦ୍ର ଭାବେ ଏମ୍ସ ଭୁବନେଶ୍ୱରର ଦ୍ରୁତ ରୂପାନ୍ତରକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଦେଶର ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି, ଯାହାର ସଫଳତା ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ସମର୍ପିତ ଦଳଗତ କାର୍ଯ୍ୟ ଏବଂ ଗୁଣାତ୍ମକ ରୋଗୀ ସେବା ପ୍ରତି ଅଟଳ ପ୍ରତିବଦ୍ଧତାକୁ ଶ୍ରେୟ ଦେଇଛି।

ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି ଅବସରରେ ସମ୍ପୂର୍ଣ୍ଣ ଏମ୍ସ ପରିବାରକୁ ଅଭିନନ୍ଦନ ଜଣାଇଥିଲେ। ସମ୍ମାନିତ ଅତିଥି ଡ. ଅଶୋକ କୁମାର ମହାପାତ୍ର ପ୍ରତିଷ୍ଠାନର ଉଲ୍ଲେଖନୀୟ ଯାତ୍ରା ଏବଂ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ବର୍ଷ ବର୍ଷ ଧରି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରଶଂସା କରିବା ସହିତ, ଏହି ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ନିରନ୍ତର କଠିନ ପରିଶ୍ରମ, ନବସୃଜନ ଏବଂ ସମର୍ପଣ ମନୋଭାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। 

ଏହି ଉତ୍ସବରେ ଡିନ୍ (ଏକାଡେମିକ୍) ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିନ୍ (ପରୀକ୍ଷା) ଡ. ମନସ୍ୱିନୀ ମଙ୍ଗରାଜ, ଡିନ୍ (ଗବେଷଣା) ଡ. ବୈଜୟନ୍ତୀମାଳା ମିଶ୍ର ଏବଂ ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର ପ୍ରମୁଖ ମଞ୍ଚାସୀନ ଥିଲେ। 

ବର୍ତ୍ତମାନ ସମୟରେ, ଏମ୍ସ ଭୁବନେଶ୍ୱର ଭାରତର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ପ୍ରତିଦିନ ପ୍ରାୟ ସାଢ଼େ ପାଞ୍ଚ ହଜାରରୁ ଅଧିକ ରୋଗୀ ଓପିଡି ପରାମର୍ଶ ପାଇଁ ଏହି ହସ୍ପିଟାଲକୁ ଆସୁଛନ୍ତି। ଗତ ବର୍ଷକ ମଧ୍ୟରେ, ଏହି ଜାତୀୟ ପ୍ରତିଷ୍ଠାନ ଏକ ବ୍ୟାପକ ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମର ସଫଳ ପ୍ରତିଷ୍ଠା ଏବଂ ଏକ ଅତ୍ୟାଧୁନିକ ସର୍ଜିକାଲ୍ ରୋବୋଟିକ୍ ସିଷ୍ଟମ୍ ଆରମ୍ଭ କରି ଏକ ଶହରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର ସଫଳତାର ସହିତ ସମାପ୍ତ କରିଛି। 

WhatsApp Image 2026-07-15 at 18.59.50

ଏହାର ବର୍ଦ୍ଧିତ ଜାତୀୟ ପ୍ରତିଷ୍ଠାକୁ ପ୍ରତିଫଳିତ କରି, ଏମ୍ସ ଭୁବନେଶ୍ୱରକୁ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ଇଣ୍ଡିଆ ଟୁଡେ-ଏମ୍ଡିଆର୍ଏ ସର୍ଭେ ୨୦୨୬ରେ ଦ୍ୱିତୀୟ ସର୍ବାଧିକ ଉନ୍ନତ ମେଡିକାଲ କଲେଜ ଭାବରେ ମଧ୍ୟ ସ୍ୱୀକୃତି ଦିଆଯାଇଛି, ଯାହା ଚିକିତ୍ସା ଶିକ୍ଷା, ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଗବେଷଣାରେ ଏହାର ଦ୍ରୁତ ପ୍ରଗତିକୁ ପ୍ରମାଣିତ କରିଛି।

୧୪ତମ ପ୍ରତିଷ୍ଠା ଦିବସ ଅବସରରେ ପୂର୍ବାହ୍ନରେ, ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ବରେ ବିଶିଷ୍ଟ ବ୍ୟକ୍ତିମାନେ ଭାରତରତ୍ନ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟଯେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ ରେ ଏମ୍ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଏବଂ ଏହି ଅନୁଷ୍ଠାନ ୨୦୧୨ ରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୧୪ ରେ ରୋଗୀସେବା ଆରମ୍ଭ ହୋଇଥିଲା। ଏମ୍ସ ଭୁବନେଶ୍ୱର ହେଉଛି ଦେଶର ଏକମାତ୍ର ଏମ୍ସ ଯାହା ଶ୍ରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.