Gun: ଗାଁଗାଁରେ ବଢୁଛି ଦେଶୀ ବନ୍ଧୁକ ବ୍ୟବହାର: ବନ୍ଧୁକ ଧରି ବୁଲୁଛନ୍ତି ଶିକାରୀ

3 weeks ago 11
ARTICLE AD BOX

ଦଶପଲ୍ଲା: ଦଶପଲ୍ଲା ବ୍ଲକର ବଣ ଜଙ୍ଗଲ ଘେରା ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ବଢୁଛି ଚୋରା ଦେଶୀ ବନ୍ଧୁକର ବ୍ୟବହାର। କିଏ କଥା କଥାକେ ବନ୍ଧୁକ ଉଠାଇ ଭୟ ଦେଖାଉଛି ତ ପୁଣି କିଏ ଶିକାର କରିବା କାର୍ଯ୍ୟରେ ବ୍ୟବହାର କରୁଛି। ବିଭିନ୍ନ ସମୟରେ ପୁଲିସ ଓ ବନବିଭାଗ ପକ୍ଷରୁ ଚୋରା ବନ୍ଧୁକ ଜବତ କରାଯାଉଥିବା ବେଳେ ଏହି ବନ୍ଧୁକ କାରବାର ବା ବନ୍ଧୁକ ପ୍ରସ୍ତୁତ କରୁଥିବା ମୁଖ୍ୟ କାର୍ପଟଦାର ନିକଟରେ ପ୍ରଶାସନ ପହଞ୍ଚିବାରେ ସକ୍ଷମ ହୋଇ ପାରୁନି। ବିଭିନ୍ନ ସମୟରେ ନାମକୁ ମାତ୍ର ବନ୍ଧୁକ ଜବତ କରି କାମସାରି ଦିଆଯାଉଥିବା ବେଳେ ଏବେ ବନ୍ଧୁକ କାରବାର ସାଙ୍ଗକୁ ଗାଁଗାଁରେ ବନ୍ଧୁକ ବ୍ୟବହାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଯାହାକି ଖୋଲମଖୋଲା ଭାବେ ଶିକାରୀ ମାନେ କାନ୍ଧରେ ବନ୍ଧୁକ ପକାଇ ଜଙ୍ଗଲରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଦଶପଲ୍ଲା ବନାଞ୍ଚଳର ବାଣିଗୋଛା ସେକ୍ସନ ଅଧୀନସ୍ଥ ଜଙ୍ଗଲରେ।

ATM Loot: ଏଟିଏମ ଲୁଟ୍ ପରେ ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

ବଡ଼କଥା ହେଉଛି ଆଦିବାସୀ ବହୁଳ ଗାଁ ମାନଙ୍କରେ ପ୍ରଚୁର ପରିମାଣରେ ଚୋରା ଦେଶୀ ବନ୍ଧୁକ ଭରି ରହିଛି। ଲୋକମାନେ ଏସବୁ ବନ୍ଧୁକକୁ ଅତି ଚତୁରତାର ସହିତ ଘରମଞ୍ଚା, ପାଳଭାଡ଼ି ଓ ଜଙ୍ଗଲ ଭିତରେ ଲୁଚାଇ ରଖୁଛନ୍ତି। ସଞ୍ଜ ନଇଁଲେ କିଏ ଶିକାର ପାଇଁ ବାହାରୁଛି ତ ପୁଣି କିଏ ଗାଁରେ ବନ୍ଧୁକ ଦେଖାଇ ଆତଙ୍କ ରଚୁଛି। ଏହାଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାସହ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଆଦିବାସୀ ମାନେ ମାଂସ ପାଇଁ ଜଙ୍ଗଲରୁ ବାର୍ହା ଓ କୁଟୁରା ଆଦି ଶିକାର କରି ଖାଉଛନ୍ତି। ଅନେକ ମଧ୍ୟ ରାତାରାତି କୋଟିପତି ହେବା ଲୋଭରେ ହାତୀ, ବାଘ, ବଜ୍ରକାପ୍ତା ଭଳି ଦୁର୍ଲଭ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଯାହାକି ଗତ ଦୁଇବର୍ଷ ତଳେ ଚଡ଼େୟାପଲ୍ଲୀ, କଳସାଖମଣ ଆଦି ଅଞ୍ଚଳର ଶିକାରୀଙ୍କୁ ଏସ୍‌ଟିଏଫ୍, ପୁଲିସ ଓ ବନବିଭାଗ ଗିରଫ କରିଛି। ସେମାନଙ୍କ ଠାରୁ ଦେଶୀ ବନ୍ଧୁକ ସମେତ ବାଘଛାଲ, ବାଘ ନଖ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ଆଦି ଜବତ କରିଛି।

୧୧ଟି ଦେଶୀ ବନ୍ଧୁକ ଜବତ

ହେଲେ ଗିରଫଦାରୀଙ୍କ ସଂଖ୍ୟା ବଢ଼ିଛି ସିନା ଶିକାରୀମାନେ କେଉଁଠାରୁ ବନ୍ଧୁକ ଆଣୁଛନ୍ତି ଓ କେଉଁଠାରେ ପ୍ରସ୍ତୁତ ହେଉଛି ତାର କୈାଣସି ଟେର୍ ପାଇବା ପାଇଁ ଚେଷ୍ଟା କରାଯାଉନି। ଫଳରେ ଏବେ ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ପ୍ରଚୁର ଭାବରେ ବନ୍ଧୁକ ରହିଥିବା ଅଭିଯୋଗ ହେଉଛି। ବାଣିଗୋଛା ପୁଲିସ ଗତ ଦୁଇବର୍ଷ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୧ଟି ଦେଶୀ ବନ୍ଧୁକ ଜବତ କରିଥିବା ବଳେ ଦଶପଲ୍ଲା ପୁଲିସ ଓ ବନବିଭାଗ ମଧ୍ୟ ଅନେକ ବନ୍ଧୁକ ଜବତ କରିଛି। ଧରପଗଡ଼କୁ ନେଇ କିଛିଦିନ ଶିକାରୀ ମାନେ ଚୁପ୍ ବସିଥିବା ବେଳେ ଏବେ ଖୋଲମଖୋଲା ଭାବେ କାନ୍ଧରେ ଦେଶୀ ବନ୍ଧୁକ ପକାଇ ଜଙ୍ଗଲରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛୁଛି। ଯାହାର ପ୍ରମାଣ ‘ସମ୍ବାଦ’ ହାତରେ ଲାଗିଛି। ହେଲେ ଏବେ ଗାଁଗାଁରେ ଚୋରା ବନ୍ଧୁକ ଭରି ରହିଥିବା ବେଳେ ଏଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦଷ୍ଟି ଦେବାକୁ ଦାବି ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.