Green campus certificate: ଲୋକଭବନକୁ ଦେଶର ପ୍ରଥମ ସବୁଜ କ୍ୟାମ୍ପସ ପ୍ରମାଣପତ୍ର: ସବୁଜ କ୍ୟାମ୍ପସ୍‌ ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ରାଜ୍ୟପାଳଙ୍କ ଆହ୍ବାନ

2 weeks ago 5
ARTICLE AD BOX

ଭୁବନେଶ୍ବର: ଲୋକଭବନକୁ ଇଣ୍ଡିଆନ ଗ୍ରିନ୍‌ ବିଲ୍‌ଡିଂ କାଉନ୍‌ସିଲ୍‌ (ଆଇଜିବିସି) ପକ୍ଷରୁ ପ୍ଲାଟିନମ୍‌ ସବୁଜ କ୍ୟାମ୍ପସ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, ଜୈବବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ବଚ୍ଛ ଗମନାଗମନ ସୁବିଧା ପାଇଁ ୧୦୦ରୁ ୮୮ ସ୍କୋର୍‌ ମିଳିଛି। ଭବନର ୮୦ ପ୍ରତିଶତ ସ୍ଥାନରେ ସବୁଜିମା ରହିଛି ଓ ସେଥିରେ ୭୨ ପ୍ରଜାତିର ୨୩୭୪ ବୃକ୍ଷ ରହିଛି। ଆଜି ଲୋକ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି ଯେ ଏହା ହେଉଛି ଦେଶର ପ୍ରଥମ ଲୋକଭବନ ଯାହାକୁ ଆଇଜିବିସିର ସର୍ବୋଚ୍ଚ ପ୍ରମାଣପତ୍ର ମିଳିଛି। 

ଆଗାମୀ ନୂଆଦିଲ୍ଲୀ ଗସ୍ତ ବେଳେ ଏହି ପ୍ରମାଣପତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‌ଦେଖାଇବେ ବୋଲି ସେ କହିଛନ୍ତି। ଉପସ୍ଥିତ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ସେ ସବୁଜ କ୍ୟାମ୍ପସ ପାଇଁ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ଏଭଳି ଗ୍ରିନ୍‌ ସାର୍ଟିଫିକେସନ ହାସଲ ଦିଗରେ କାମ କରିବାକୁ ସେ କହିଛନ୍ତି। ରାଜ୍ୟପାଳ କହିଛନ୍ତି, ପୁରୀ ଲୋକଭବନରେ ୧୦୦ କିଲୋୱାଟ୍‌ ରୁଫ୍‌ଟପ୍‌ ସୋଲାର୍‌ ସ୍ଥାପନ ଯୋଜନା ରହିଛି। ୫୦ କିଲୋୱାଟ୍‌ କ୍ଷମତାକୁ କୋଠା ଉପରେ ଓ ଅବଶିଷ୍ଟ ୫୦ କିଲୋୱାଟ୍‌କୁ ପାର୍କିଂ ଅଞ୍ଚଳରେ ସ୍ଥାପନ କରାଯିବ। ଉନ୍ନତ ଜଳ ପରିଚାଳନା ଜରିଆରେ ଲୋକଭବନ ଜଳ ଆହରଣକୁ ୩୫% ହ୍ରାସ କରିପାରିଛି। ବିଦ୍ୟୁତ୍‌ ବ୍ୟବହାର କମ୍‌ କରିବା ପାଇଁ ଏଲ୍‌ଇଡି ଲାଇଟ୍ ଓ ସ୍ମାର୍ଟ ସମୟ ଆଧାରିତ ବ୍ୟବସ୍ଥା ବ୍ୟବହାର କରାଯାଇଛି।

ଏହାର ସମସ୍ତ ଗାଡ଼ି ହେଉଛି ଇଭି। ବର୍ଜ୍ୟବସ୍ତୁ ପୃଥକୀକରଣ ବ୍ୟବସ୍ଥା ସହିତ କିଚେନ ଗାର୍ଡେନ୍‌ ଓ ଔଷଧୀୟ ଉଦ୍ୟାନ ମଧ୍ୟ ରହିଛି। ଉନ୍ନତ ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା ସହିତ ଧୂମପାନ ନିଷେଧ ଜୋନ୍‌ ରହିଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗର ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା, ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁ ଓ ଆଇଜିବିସି ଅଧ୍ୟକ୍ଷ ସି ଶେଖର ରେଡ୍ଡି ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.