ARTICLE AD BOX
କଟକ: ଗ୍ୟାଙ୍କଷ୍ଟର୍ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଜେଲ୍ରୁ ମୁକୁଳିବାର ବାଟ ସଫା ହେବାରେ ଲାଗିଛି। ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଥିବା ବିଏନ୍ଏନ୍ଏସ୍ର ଧାରା ୧୨୯ (ପୂର୍ବର ସିଆର୍ପିସିର ଧାରା ୧୧୦) ଅନୁସାରେ ରୁଜୁ ମାମଲାରେ ଉଭୟଙ୍କୁ କଟକ ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତରୁ ଆଶ୍ବସ୍ତି ମିଳିଛି।
କଟକ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଧାରା ୧୨୯ ମାମଲାରେ ୨୦୨୬ ଜୁଲାଇ ୨୭ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଉଭୟ ଦାୟର କରିଥିବା ପୃଥକ୍ ଆବେଦନକୁ ଅତିରିକ୍ତ ଦୌରା ଜଜ୍ ଅଦାଲତ ଗ୍ରହଣ କରିଛନ୍ତି। ବିଏନ୍ଏସ୍ଏସ୍ର ଧାରା ୧୩୦, ୧୩୩ ଓ ୧୩୫(୩)ରେ ଥିବା ବ୍ୟବସ୍ଥା ପାଳନ କରି ପିଆର୍(ପୁଲିସ ରିପୋର୍ଟ)ର କପି ସୁଶୀଲ ଓ ସୁଶାନ୍ତଙ୍କୁ ପ୍ରଦାନ କରିବାକୁ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ଅତିରିକ୍ତ ଦୌରା ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସୁଶୀଲ ଓ ସୁଶାନ୍ତଙ୍କୁ ଆଇନ ଅନୁସାରେ ସର୍ତ୍ତାରୋପ କରି ଛାଡ଼ିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମର୍କତନଗର ଥାନା ଆଇଆଇସିଙ୍କ ପିଆର୍ ଆଧାରରେ ଧାରା ୧୨୯ ମାମଲାରେ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଜୁଲାଇ ୨୭ର ନିର୍ଦ୍ଦେଶ ପ୍ରଦାନ କରିଥିଲେ।
PV Sindhu: ବିଡବ୍ଲ୍ୟୁଏଫ୍ ମାନ୍ୟତା: ଷଷ୍ଠକୁ ଉଠିଲେ ସିନ୍ଧୁ
ସୁଶାନ୍ତ ଓ ସୁଶୀଲ ଆସାମାଜିକ, ସେମାନଙ୍କ ପୁରୁଣା ଆପରାଧିକ ମାମଲା ରହିଛି, ଉଭୟ ଚାଉଳିଆଗଞ୍ଜ ଥାନାରେ ୨୦୧୬ରେ ଆଇପିସିର ଦଫା ୩୮୭, ୧୨୦(ବି), ୩୪, ଆର୍ମସ ଆକ୍ଟର ଧାରା ୨୫(୧-ଏଏ), ୨୭ ଓ ମର୍କତନଗର ଥାନାରେ ୨୦୨୦ରେ ଆଇପିସିର ଦଫା ୩୮୭, ୧୨୦-ବି, ଆର୍ମସ ଆକ୍ଟର ଧାରା ୨୫(୧-ଏ),୨୫(୧-ଏଏ),୨୫(୧-ବି)ରେ ରୁଜୁ ମାମଲାରେ ଜେଲ୍ରେ ଅଛନ୍ତି ବୋଲି ଦର୍ଶାଯାଇଥିଲା। ଉଭୟଙ୍କୁ ଅଭାସୀ ମାଧ୍ୟମରେ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ପିଆରକୁ ପଢ଼ି ଶୁଣାଇବା ସହ ବୁଝାଇ ଦିଆଯାଇଥିଲା। ଅଗଷ୍ଟ ୭ରେ ମାମଲାରେ କାରଣ ଦର୍ଶାଇ ଜବାବ ଦାଖଲ କରିବାକୁ କୁହାଯାଇଥିଲା। ଏହାପରେ ବିଭିନ୍ନ ତାରିଖକୁ ମାମଲା ଘୁଞ୍ଚି ଚାଲିଥିଲା। ବଣ୍ଡ୍ ଦେବାକୁ ଅନୁମତି ଲୋଡ଼ି ମାମଲାରେ ଛାଡ଼ ପାଇବାକୁ ଉଭୟଙ୍କ ତରଫରୁ ଆବେଦନ ମଧ୍ୟ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ୨୦୨୬ ସେପ୍ଟେମ୍ବର ୭ରେ ଚାଉଳିଆଗଞ୍ଜ ଓ ମର୍କତନଗର ଥାନା ମାମଲାରେ ସୁଶୀଲ ଓ ସୁଶାନ୍ତଙ୍କୁ ଜାମିନରେ ଛାଡ଼ିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଧାରା ୧୨୯ ମାମଲା ସେମାନଙ୍କ ଜେଲ୍ରୁ ମୁକୁଳିବା ବାଟରେ ବାଧା ସୃଷ୍ଟି କରିଥିଲା।
ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନ୍ସ୍ୟୁରାନ୍ସର ନୂଆ ପେନ୍ସନ୍ ପ୍ଲାନ୍
ସୂଚନାଯୋଗ୍ୟ ଯେ ଦୀପୁ ଓ ଓମ୍ ହତ୍ୟା ଘଟଣା ସମେତ ୪ଟି ଦୌରା ଅଦାଲତ ମାମଲାରେ ଏବଂ ୧୨ଟି ମାଜିଷ୍ଟ୍ରେଟ ଅଦାଲତରେ ବିଚାରଯୋଗ୍ୟ ମାମଲାରେ ଉଭୟ ନିର୍ଦ୍ଦୋଷ ହୋଇ ସାରିଛନ୍ତି। ସୁପ୍ରିମକୋର୍ଟ ଦୁଇଟି ମାମଲାରେ ଉଭୟଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅବଶିଷ୍ଟ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ମିଳିସାରିଛି। ଧାରା ୧୨୯ ମାମଲାରେ ଉଭୟଙ୍କ ଆବେଦନକୁ ଅତିରିକ୍ତ ଦୌରା ଜଜ୍ ଅଦାଲତ ଗ୍ରହଣ କରିବା ପରେ ଜେଲ୍ରୁ ମୁକୁଳିବାର ସମ୍ଭାବନା ଦେଖା ଦେଇଛି। ଉଭୟଙ୍କ ତରଫରୁ ଆଇନଜୀବୀ ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

1 week ago
2


