ARTICLE AD BOX
ଭୁବନେଶ୍ବର: ଆଜି ସାରା ରାଜ୍ୟରେ ଭକ୍ତି ଓ ଉତ୍ସାହର ପରିବେଶ। ଧୂପ, ଦୀପ ଓ ମନ୍ତ୍ରଧ୍ୱନିରେ ମୁଖରିତ ହୋଉଛି ପୂଜାମଣ୍ଡପ। ମଣ୍ଡପରେ ବିରାଜିଛନ୍ତି ବିଘ୍ନରାଜ ଶ୍ରୀଗଣେଶ। ବିଘ୍ନବିନାଶକଙ୍କ ଆଶୀର୍ବାଦ ପାଇଁ ସକାଳୁ ସକାଳୁ ମନ୍ଦିର ଓ ପୂଜାମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଛି। ଶ୍ରଦ୍ଧା ଓ ଭକ୍ତିରେ ଗଣପତିଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ।ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ପୂଜାକୁ ନେଇ ଦେଖାଦେଇଛି ଉତ୍ସାହ। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମଣ୍ଡପ ଓ ତୋରଣ ନିର୍ମାଣ କରାଯାଇଛି। ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ପୂଜାମଣ୍ଡପ। କେଉଁଠି ପାରମ୍ପରିକ ଢାଞ୍ଚାରେ ମଣ୍ଡପ ସଜାଯାଇଛି ତ ଆଉ କେଉଁଠି ନିଆରା ଥିମ୍ରେ ସଜାଯାଇଛି ।
ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା
ପୂଜାମଣ୍ଡପରେ ବିଧିବିଧାନ ଅନୁସାରେ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଛି। ପୁରୋହିତଙ୍କ ମନ୍ତ୍ରପାଠରେ ପରିବେଶ ଆଧ୍ୟାତ୍ମିକ ହୋଇଉଠିଛି। ଭକ୍ତମାନେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରି ବିଘ୍ନରାଜଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ବିଶ୍ୱାସ ରହିଛି, ଭଗବାନ ଗଣେଶ ବିଘ୍ନବିନାଶକ। ଯେକୌଣସି ଶୁଭକାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଏ।
ଆଜି ଦିନ ଠାରୁ ଛୁଆମାନେ ବିଦ୍ୟା ଆରମ୍ଭ କରନ୍ତି ଯାହାକୁ 'ଖଡ଼ିଛୁଆଁ' ବୋଲି କୁହାଯାଏ। ତେଣୁ ଛାତ୍ରଛାତ୍ରୀ ଶିକ୍ଷାରେ ସଫଳତା, ବ୍ୟବସାୟୀ ବ୍ୟବସାୟରେ ଉନ୍ନତି ଏବଂ ପରିବାରର ସୁଖଶାନ୍ତି ପାଇଁ ଗଣପତିଙ୍କ ନିକଟରେ ପ୍ରାର୍ଥନା କରନ୍ତି। ପୂଜାକୁ ନେଇ ସବୁଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ। ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ୍ ଓ ସାହିରେ ଆୟୋଜିତ ହୋଇଛି ଗଣେଶ ପୂଜା। ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ପୂଜାକୁ ନେଇ ଛୋଟଠାରୁ ବଡ଼ ସମସ୍ତେ ଏକାଠି ହୋଇ ଉତ୍ସବର ଆନନ୍ଦ ନେଉଛନ୍ତି। ବିଘ୍ନରାଜଙ୍କ ଆରାଧନାରେ ଆଜି ଭକ୍ତିମୟ ହୋଇଉଠିଛି ସାରା ରାଜ୍ୟ।

3 days ago
4


