ARTICLE AD BOX
ଗୌରାଙ୍ଗ ଚରଣ ପରିଡ଼ା
୧୯୩୫ ମସିହା ଏପ୍ରିଲ ୨୦ରୁ ୨୩ ତାରିଖ, ଚାରି ଦିନ ଧରି ଅଖିଳ ଭାରତୀୟ ହିନ୍ଦୀ ସାହିତ୍ୟ ସମ୍ମିଳନୀ ଇନ୍ଦୋରଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକ ହିନ୍ଦୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ବି ଥିଲା। ନିଜ ନିଜର କବିତା ଆବୃତ୍ତି ପାଇଁ ପ୍ରତିଷ୍ଠିତ ହିନ୍ଦୀ କବିମାନେ ଏଠି ଉପସ୍ଥିତ ଥିଲେ। ଏଥିରେ ଅଧ୍ୟକ୍ଷତା କରିବାକୁ ସମ୍ମିଳନୀର ପୂର୍ବ ଦିନ ଗାନ୍ଧୀଜୀ ଇନ୍ଦୋରରେ ପହଞ୍ଚି ଯାଇଥିଲେ।
ଜଣେ କବି ଗାନ୍ଧୀଜୀଙ୍କୁ ସାକ୍ଷାତ୍ କରି ଅଭିଯୋଗ କଲେ, ‘‘ବାପୁ, ସମ୍ମିଳନୀରେ କବିତା ପଢ଼ିବାକୁ ‘ମଧୁଶାଳା’ କବିତାର ଯୁବକବି ହରିବଂଶ ରାୟ ବଚ୍ଚନ ଆସିଛନ୍ତି। ସେ ତାଙ୍କର ବହୁଚର୍ଚ୍ଚିତ ‘ମଧୁଶାଳା’ କବିତା ପାଠ କରିବେ। ‘ମଧୁଶାଳା’ କବିତାରେ ସେ ମଦ୍ୟପାନର ମହିମାଗାନ କରିଛନ୍ତି। ଏଥିରେ ସୁରା, ସାକୀ, ମଦିରା, ପ୍ୟାଲା, ମଧୁଶାଳା ପରି ଶବ୍ଦ ଅଛି। ହରିବଂଶ ଏଇ କବିତାକୁ ଗତ ଦୁଇ ବର୍ଷ ତଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପ୍ରଥମେ ପାଠ କରିଥିଲେ। ଏ କବିତା ଶୁଣିବାକୁ ଯୁବକମାନେ ବେଶୀ ଆଗ୍ରହୀ। ଯୁବକମାନଙ୍କୁ କଳୁଷିତ କରିଦେବା ପରି ଏ କବିତା। ଆପଣ ନିଶା ନିବାରଣ ଅଭିଯାନରେ ଅଛନ୍ତି। ଆପଣଙ୍କ ଉପସ୍ଥିତିରେ ମଧୁଶାଳା କବିତାର ଆବୃତ୍ତି ଅନୁଚିତ ହେବ। ଆପଣ ତେଣୁ ହରିବଂଶ ରାୟଙ୍କୁ ଏ କବିତା ନ ପଢ଼ିବାକୁ କହିଦିଅନ୍ତୁ।’’
ଗାନ୍ଧୀଜୀ ଉତ୍ତର ଦେଲେ, ‘‘ମୁଁ କୌଣସି ସୃଜନଶୀଳ ଲେଖାକୁ ନ ପଢ଼ି, ନ ବୁଝି ମନା କରିଦିଏନି। ହରିବଂଶଙ୍କୁ କୁହ, ସେ ଆଜି ରାତିରେ ମୋତେ ଦେଖା କରିବେ।’’
ହରିବଂଶ ତାଙ୍କ ଆତ୍ମକଥା ‘କ୍ୟା ଭୁଲୁଁ, କ୍ୟା ୟାଦ୍ କରୁଁ’ରେ ଲେଖିଛନ୍ତି, ‘‘ବାପୁଙ୍କୁ ଦେଖା କରିବା ପୂର୍ବରୁ ମୋ ମନରେ ବେଶୀ ଭୟ ଥିଲା, କାଳେ ‘ମଧୁଶାଳା’ କବିତା ଶୁଣି ବାପୁ ମୋ ଉପରେ ବିରକ୍ତ ହେବେ, କବିତା ନ ପଢ଼ିବାକୁ କହିବେ। ବାପୁଙ୍କ ଏ ବାରଣ ମୋ କାବ୍ୟିକ ଜୀବନ ଉପରେ ନିଶ୍ଚୟ ପ୍ରତିକୂଳ ପ୍ରଭାବ ପକାଇବ।’’
ହରିବଂଶ ପୁଣି ଲେଖିଛନ୍ତି, ‘‘ରାତି ବାରଟା ବାଜି ଯାଇଥିଲେ ବି ବାପୁ ମୋତେ ଅପେକ୍ଷା କରିଥିଲେ। ଦେଖିଲା ମାତ୍ରେ କହିଲେ, ‘ତୁମେ କବିତା ଆଣିଛ? ପଢ଼’। ମୁଁ ପଙ୍କ୍ତି ପରେ ପଙ୍କ୍ତି କବିତା ପଢ଼ି ଶୁଣେଇଲି। ମଧୁଶାଳା, ପ୍ୟାଲାରେ କିପରି ଧର୍ମ, ଜାତିର ପରିଚୟ ମଗା ଯାଏନି, ଏଥିରେ ପ୍ରତୀକାତ୍ମକ ଉଲ୍ଲେଖ ଥିଲା। ମଧୁଶାଳା କବିତା ମଦ୍ୟପାନ ବିରୁଦ୍ଧରେ ମୋର ଏକ ବ୍ୟଙ୍ଗ ରଚନା ଥିଲା।’’
କବିତା ଶୁଣି ସାରି ଗାନ୍ଧୀଜୀ କହିଲେ, ‘‘ଏ କବିତାରେ କିଛି ଆପତ୍ତିଜନକ କଥା ନାହିଁ।’’
ଇନ୍ଦୋର ଘଟଣା ପରେ ଗାନ୍ଧୀଜୀ ସାହିତ୍ୟିକମାନଙ୍କୁ ନିଶା ନିବାରଣ ପାଇଁ ଲେଖା ଲେଖିବାକୁ ଅନୁରୋଧ କରିଥିଲେ। କେବଳ ଆଇନ ନୁହେଁ, ମଦ ଓ ନିଶା ବିରୁଦ୍ଧରେ ନିରନ୍ତର ଅଭିଯାନ ପାଇଁ ସାହିତ୍ୟିକଙ୍କ ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ, ଗାନ୍ଧୀ ସ୍ପଷ୍ଟ କରିଦେଲେ। ୧୯୩୬ ମସିହା ଅକ୍ଟୋବର ୩୧ରେ ଅନୁଷ୍ଠିତ ଗୁଜୁରାଟୀ ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବରେ ଉପସ୍ଥିତ କବି, ଔପନ୍ୟାସିକ, ଚିତ୍ରକରଙ୍କୁ ସମ୍ବୋଧିତ କରି ଗାନ୍ଧୀଜୀଙ୍କ ବକ୍ତବ୍ୟ ଥିଲା, ‘‘ସାହିତ୍ୟରେ ହିଁ ସମାଜରେ ସଂସ୍କାର ଆଣିହେବ। ଆପଣମାନଙ୍କ ଲେଖା କେବଳ ସଂଭ୍ରାନ୍ତ ଶ୍ରେଣୀ ପାଇଁ ନ ହେଉ। ଏଥିରେ ସାଧାରଣ ଲୋକଙ୍କ ଜୀବନ ସୁଧାରିବା କଥା ରହୁ। ମଦ, ଅସ୍ପୃଶ୍ୟତା ବିରୁଦ୍ଧରେ ହେଉ। ଏହା ହିଁ ମୋ ମତରେ ଜୀବନ୍ତ ସାହିତ୍ୟ। ଆପଣମାନେ ନରସିଂହ ରାଓ ଭୋଳାନାଥ ଦିବତିଆ ପରି ସଂସ୍କାରଧର୍ମୀ କବିତା ଲେଖନ୍ତୁ।’’
୧୯୩୭ ମସିହା ଏପ୍ରିଲ ୨୪ ତାରିଖରେ ମଦ ବିରୁଦ୍ଧରେ ରାଜକୋଟର ଗ୍ରାମାଞ୍ଚଳରେ କାମ କରୁଥିବା ଜଣେ ସ୍ବେଚ୍ଛାସେବୀ ଭଉଣୀଙ୍କଠାରୁ ଗାନ୍ଧୀଜୀ ଏକ ଚିଠି ପାଇଲେ। ଭଉଣୀ ଜଣକ ଲେଖିଥିଲେ, ‘‘ବାପୁ, ଗାଁର ଅବସ୍ଥା ଭଲ ନାହିଁ। ପୁରୁଷମାନେ ମଦ ପିଉଛନ୍ତି। ଘରେ ଦାରିଦ୍ର୍ୟ ବଢୁଛି। ସାମାଜିକ ସମସ୍ୟା ଦେଖାଦେଉଛି। ମହିଳାମାନେ ବିରୋଧ କଲେ ନିର୍ଯାତନାର ଶିକାର ହେଉଛନ୍ତି। ଘର ଏକ ଯୁଦ୍ଧ ପଡ଼ିଅାଟିଏ ହୋଇଯାଉଛି। ପୁରୁଷମାନେ ମଦ ପିଇବେ, ମହିଳାମାନେ କଷ୍ଟ ସହିବେ କାହିଁକି? ଆପଣ ରାଜକୋଟର ରାଜା ‘ଠାକୋର ସାହେବ’ଙ୍କୁ ମଦ ବନ୍ଦ ପାଇଁ କହନ୍ତୁ। ଆପଣ ‘ହରିଜନ’, ‘ନବଜୀବନ’ରେ ଏ ସମ୍ପର୍କରେ ଆହୁରି ଅଧିକ ଲେଖା ଲେଖନ୍ତୁ।’’
ଗାନ୍ଧୀଜୀ ଉତ୍ତର ଦେଇ ଲେଖିଲେ, ‘‘ମୁଁ ତ ମଦ୍ୟପାନ ବିରୁଦ୍ଧରେ ଅନେକ ଲେଖା ଲେଖି ସାରିଛି। କିନ୍ତୁ ମଦ ପିଉଥିବା କେତେ ଜଣ ମୋ ଲେଖା ପଢ଼ନ୍ତି, ମୁଁ ଜାଣେ ନାହିଁ। ତଥାପି ମୁଁ ଲେଖିବି। ଭାଷଣରେ କହିବି।’’
ଗାନ୍ଧୀଜୀ ଲେଖିଲେ, ‘‘ମଦ ପ୍ରସାରରେ ତିନି ଜଣ ଅଂଶୀଦାର ଅଛନ୍ତି। ପ୍ରଥମ ହେଉଛି ରାଷ୍ଟ୍ରକୁ ପ୍ରତିନିଧିତ୍ୱ କରୁଥିବା ସରକାର। ସରକାର ମଦ ବନ୍ଦ କରିବେନି କାରଣ ସେ ଟିକସ ପାଉଛନ୍ତି। କିନ୍ତୁ ମଦ୍ୟପାନର କୁଅଭ୍ୟାସ ବଢ଼ିଗଲେ, ରାଜ୍ୟ ଯେ ନଷ୍ଟ ହୋଇଯିବ, ସରକାର ବୁଝୁଥିଲେ ବି କିଛି ପ୍ରତିକାର କରିବାକୁ ଅନିଚ୍ଛୁକ। ରାଷ୍ଟ୍ରକୁ ଧ୍ବଂସ କରିବାକୁ ବାହ୍ୟ ଶକ୍ତି ଦରକାର ନାହିଁ, କେବଳ ମଦ୍ୟପାନ ଓ ନିଶା ସେବନ ଯଥେଷ୍ଟ।’’
ଗାନ୍ଧୀ ତାଙ୍କ ଲେଖାରେ ପୁଣି ଉଲ୍ଲେଖ କରିଥିଲେ, ‘‘ଦ୍ବିତୀୟ ଅଂଶୀଦାର ହେଉଛନ୍ତି ମଦ ବ୍ୟବସାୟୀ। ମୁଁ ମଦ ବ୍ୟବସାୟୀଙ୍କୁ ମଦ ବେପାର ବନ୍ଦ କରିବାକୁ ଅନୁରୋଧ କରିସାରିଛି। କହିଛି, ସେମାନଙ୍କର ବ୍ୟବସାୟ କରିବାର ଦକ୍ଷତା ଅଛି। ଅନ୍ୟ ବ୍ୟବସାୟ ସେମାନେ କରିପାରନ୍ତେ। ସେମାନେ କିନ୍ତୁ ମଦ ବେପାରରୁ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି।’’
ଗାନ୍ଧୀଜୀ ତୃତୀୟ ଅଂଶୀଦାର ସମ୍ପର୍କରେ ଆଶାବାଦୀ ହୋଇ ଲେଖିଲେ, ‘‘ମଦ ପିଉଥିବା ବ୍ୟକ୍ତି ମଦ ପ୍ରସାରର ତୃତୀୟ ଲାଭାର୍ଥୀ। ସେ କେବଳ ମଦ ପିଏନି, ରାଷ୍ଟ୍ର ଓ ବ୍ୟବସାୟୀଙ୍କର ପରୀକ୍ଷଣର ପ୍ରାଣୀ ହୋଇଥାଏ। ସାଧାରଣ ଲୋକ ତେଣୁ ମଦ ନ ପିଇଲେ ସମସ୍ତ ପରୀକ୍ଷଣ ବନ୍ଦ ହୋଇଯିବ। କେବଳ ଗୋଟିଏ ଶପଥ ମାତ୍ର ଦରକାର।’’
ଗାନ୍ଧୀଙ୍କ ଏକ ନିବେଦନ ବି ଥିଲା ବୈଜ୍ଞାନିକମାନଙ୍କୁ। ଗାନ୍ଧୀଜୀ ଲେଖିଥିଲେ- ଅନେକ କହୁଛନ୍ତି, ମଦ ଅଭ୍ୟାସ ଛାଡ଼ି ହେଉନି। ମୋର ବୈଜ୍ଞାନିକଙ୍କୁ ନିବେଦନ ହେଲା, ସେମାନେ ମଦାଭ୍ୟାସକୁ ରୋଗ ଭାବେ ଗ୍ରହଣ କରି ଏବଂ ଗବେଷଣା କରି ଉପଚାର ନିମନ୍ତେ ଔଷଧ ବାହାର କରନ୍ତୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮

19 minutes ago
1


