floods in Balasore: ବାଲେଶ୍ବରକୁ ବନ୍ୟା କରୁଛି କଲବଲ: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା, ସତର୍କ ସଙ୍କେତ ଡେଇଁଲା ଜଳକା, ବୁଢ଼ାବଳଙ୍ଗ

2 weeks ago 4
ARTICLE AD BOX

ବାଲେଶ୍ୱର/ବାଲିଆପାଳ: ବାଲେଶ୍ବର ଜିଲ୍ଲାବାସୀଙ୍କୁ ବନ୍ୟା କରୁଛି କଲବଲ। ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷର ତୃତୀୟ ବନ୍ୟା ଭୟାବହ ରୂପ ନେଉଛି। ରାଜଘାଟରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜଳକା ଓ ବୁଢ଼ାବଳଙ୍ଗ ନଦୀ ମଧ୍ୟ ସତର୍କ ସଙ୍କେତ ଉପରେ ରହିଛି। ଏହାର ପ୍ରଭାବରେ ଜିଲ୍ଲାର ୫ ବ୍ଲକ୍‌ ଓ ୪୧ ପଞ୍ଚାୟତ ଅଧୀନ ୨୧୪ ଗାଁ ପ୍ରଭାବିତ ହୋଇଛି। ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲିଆପାଳ ଓ ରେମୁଣା ବ୍ଲକ୍‌ରେ ବନ୍ୟାର ପ୍ରଭାବ ସବୁଠୁ ଅଧିକ ରହିଛି। ଏହି ୫ଟି ବ୍ଲକ୍‌ରେ ୧ ଲକ୍ଷ ୪୭ ହଜାର ୭୪୭ ଜଣ ପ୍ରଭାବିତ ହୋଇଥିବା ବେଳେ ୩୫ ହଜାର ୭୪୦ ଜଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ ପ୍ରାୟ ୨୦ ହଜାର ୨୨୮ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ୪୪ ହଜାର ୪୯୦ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ୪ଟି ମେଡିକାଲ୍‌ ଟିମ୍‌, ୩ଟି ପ୍ରାଣୀ ଚିକିତ୍ସା ଦଳ, ୪ଟି ଏନ୍‌ଡିଆର୍‌ଏଫ୍‌, ୫ଟି ଓଡ୍ରାଫ୍‌ ଓ ୯ଟି ଅଗ୍ନିଶମ ବାହିନୀ ଟିମ୍‌କୁ ମୁତୟନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍‌ର ଦାୟିତ୍ୱ ଦିଆଯାଇଛି ଏବଂ ଜିଲ୍ଲାପାଳ ନିଜେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତେବେ କେତେକ ସ୍ଥାନରେ ରିଲିଫ୍‌ ସାମଗ୍ରୀ ଠିକ୍‌ ସମୟରେ ପହଞ୍ଚୁ ନଥିବା ଅଭିଯୋଗ ଆସିଥିବାରୁ ଏଥିପ୍ରତି ପ୍ରଶାସନ ଅଧିକ ତତ୍ପର ହେବାକୁ ଦାବି ହୋଇଛି। ରାଜଘାଟଠାରେ ସୁବର୍ଣ୍ଣରେଖାର ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଆଜି ସକାଳ ୫ଟାରେ ଜଳସ୍ତର ୧୧.୫୨ ମିଟର ଥିଲା। ଯାହା ସନ୍ଧ୍ୟା ୬ଟା ସୁଦ୍ଧା ବଢ଼ି ୧୧.୬୭ ମିଟରରେ ପହଞ୍ଚିଛି।

୫ ବ୍ଲକ୍‌ର ୪୧ ପଞ୍ଚାୟତ ପ୍ରଭାବିତ
୩୫ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର
କଦଳୀଗଛ ଭେଳାରେ ପାର ହେଉଛନ୍ତି
ପାନୀୟଜଳ ସଙ୍କଟ, ରନ୍ଧାଖାଦ୍ୟ ମିଳୁନି

adgdgadgaadg

ବାଲିଆପାଳ ବ୍ଲକ୍‌ର ୧୦ଟି ପଞ୍ଚାୟତର ୫୦ରୁ ଅଧିକ ଗ୍ରାମ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ସଡ଼କ ପଥରେ ଏ ସମସ୍ତ ଗ୍ରାମକୁ ଯୋଗାଯୋଗ ଠପ୍ ହୋଇଯାଇଛି। ସେହିପରି ‌ଭୋଗରାଇ ବ୍ଲକ୍‌ର ୨୦ ପଞ୍ଚାୟତର ୧୧୩ ଗାଁରେ ଏବଂ ଜଳେଶ୍ବର ବ୍ଲକ୍‌ର ୧୭ ପଞ୍ଚାୟତର ୬୦ ଗାଁରେ ବନ୍ୟାଜଳ ପଶିଛି। ବାଲିଆପାଳ ବ୍ଲକ୍‌ର ବିଷ୍ଣୁପୁର, ନୟାବାଲି, ଇକଡ଼ପାଳ, ରସଲପୁର, ରାଉତୁରାପୁର, ଜାମକୁଣ୍ଡା ପଞ୍ଚାୟତର ତାଳପଦା, କୁହ୍ଲାଚଡ଼, ଲଖପାଳ, ପାଳଜାମକୁଣ୍ଡା ଓ କାଳରୁଇ, ବାଲିଆପାଳ ପଞ୍ଚାୟତର ତଳବାଲିଆପାଳ, ସୁଙ୍ଗମୁହଁ, କୁଦମାନସିଂହ, ଆଠବାଟିଆ ଓ ଚଡ଼ କୁଦମାନସିଂହ, ମଧୁପୁରା ପଞ୍ଚାୟତର ଚଡ଼ବସ୍ତ କାଳରୁଇ ଓ ଚୌଧୁରୀକୁଦ, ଅସ୍ତି ପଞ୍ଚାୟତର ପାଳଚମ୍ପେଇ, ସର୍ଦ୍ଦାରସାହି, ଚଡ଼ବଢ଼ାପାଳ, ସୂର୍ଯ୍ୟାପୁର, କଣ୍ଟାବଣି, ଡାଳୁଆ-୨ ଓ ପାରଦୀପା, ନିଖିରା ପଞ୍ଚାୟତର ପାଳପଡ଼ା ଓ ଚଡ଼ପାଳପଡ଼ା, କୁମାରୀ ପଞ୍ଚାୟତର ନୂଆସାହି ଓ ଝଲଝଲିଆ ଗ୍ରାମ ଜଳବନ୍ଦି ଅବସ୍ଥାରେ ଅଛି। ସ୍ଥାନେସ୍ଥାନେ ରାସ୍ତା ଉପରେ ୫/୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଅନେକ ସ୍ଥାନରେ ଲୋକେ କଦଳୀଗଛ ଭେଳାରେ ବନ୍ୟାଜଳ ପାର ହେଉଛନ୍ତି। ସେହିପରି ଅନେକ ଗ୍ରାମରେ ନଳକୂପଗୁଡ଼ିକ ବନ୍ୟାଜଳରେ ବୁଡ଼ି ଯାଇଥିବାରୁ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।  ମାତ୍ର ୫ରୁ ୧୦ ପ୍ରତିଶତ ବନ୍ୟା ପ୍ରଭାବିତଙ୍କୁ ହିଁ ରନ୍ଧାଖାଦ୍ୟ ମିଳିଛି। ଲୋକେ ମୁଢ଼ି ଓ ଚୁଡ଼ା ଖାଇ ୩ ଦିନ ହେଲା ଅଛନ୍ତି। ଆଜି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବସ୍ତା ବିଧାୟିକା ସୁବାସିନୀ ଜେନା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ତଙ୍କ ପାଖରେ ଖାଦ୍ୟ ଓ ପାନୀୟଜଳ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.