ARTICLE AD BOX
ଦଶରଥପୁର: ବୈତରଣୀ ଓ ଶାଖା କାଣୀ ନଦୀର ବନ୍ୟାରେ ଦଶରଥପୁର ବ୍ଲକର ଗାଁଠୁ ଛକ ଓ ବଜାର ରାସ୍ତାରେ ପାଣି, ମନ୍ଦିରରେ ପାଣି। ଘର ଭିତରେ ଭାସୁଛି ଜିନିଷପତ୍ର। ଲୋକେ ଖାଇବା ପିଇବା ଠାରୁ ଶୋଇବା ପର୍ଯ୍ୟନ୍ତ ହୀନସ୍ତା ହେଉଛନ୍ତି। ଏହି ସମୟରେ କେବଳ ପାଣିର ବିପତ୍ତି ନୁହେଁ ବରଂ ଅନେକ ଅଦୃଶ୍ୟ ବିପଦମଧ୍ୟ ବନ୍ୟା ବିପନ୍ନଙ୍କ ଜୀବନ ପ୍ରତି ବିପତ୍ତି ଆଣି ଦେଇଛି। ସେଥିମଧ୍ୟରୁ ସବୁଠୁ ବଡ଼ ବିପତ୍ତି ହେଉଛି ବିଷାକ୍ତ ସାପ ଏବଂ ଅନ୍ୟାନ୍ୟ ବିଷାକ୍ତ ସରୀସୃପଙ୍କ ଆଗମନ। ବନ୍ୟା ଜଳ ନଦୀ ବନ୍ଧ, ବିଲବାଡ଼ି ଅତିକ୍ରମ କରି ସରୀସୃପମାନଙ୍କ ବାସସ୍ଥଳୀ ଅଥବା ଗାତକୁ ବୁଡାଇ ଦେଇଛି। ସେଥିପାଇଁ ସେମାନେ ନିଜ ବାସସ୍ଥାନରୁ ବାହାରି ଶୁଖିଲା ସ୍ଥାନ ଖୋଜୁଛନ୍ତି। ଲୋକଙ୍କ ଘର, ବାସସ୍ଥାନ, ଗୁହାଳରେ ଆଶ୍ରୟ ନେବାକୁ ଧାଇଁ ଆସୁଛନ୍ତି। ଯାହାକୁ ନେଇ କେବଳ ଦିନ ନୁହଁ ରାତିରେ ମଧ୍ୟ ଶୋଇବାକୁ ଭୟ ଲାଗୁଛି ବୋଲି ତରପଦା ପଞ୍ଚାୟତ ଡୋଭାବିଲ ନିକଟ ବୈତରଣୀ ନଦୀ ବନ୍ଧ କଡରେ ପିଲା ଛୁଆ ଧରି ପାଲ ଟାଙ୍ଗି ଆଶ୍ରୟ ନେଇଥିବା ଚୈତନ୍ୟ ଦଳେଇ, ଜଗନ୍ନାଥ ଦଳେଇ ଓ ନବୀନ ଦଳେଇ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ୫ ଦିନ ମଧ୍ୟରେ ୭୬ ଜଣରୁ ଅଧିକ ମଙ୍ଗଳପୁର ମେଡିକାଲରେ ଚିକିତ୍ସା ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅମ୍ରିତା ପ୍ରିତମ ମଲ୍ଲ ସୂଚନା ଦେଇଛନ୍ତି। ଅଜଣା ଜନ୍ତୁ ୩୭ ଏବଂ ସାପ ୧୧ ଜଣଙ୍କୁ କାମୁଡି ଥିବା ସୂଚନା ରହିଛି। ଜୁଲାଇ ୨୯ ତାରିଖରେ ୪, ଜୁଲାଇ ୩୦ ତାରିଖରେ ୨୩, ଏବଂ ଜୁଲାଇ ୩୧ ତାରିଖରେ ୨୧ ଜଣ, ୧ ଅଗଷ୍ଟରେ ୧୪ ଜଣ ଏବଂ ୨ ଅଗଷ୍ଟରେ ୧୪ ଜଣଙ୍କୁ ମେଡିକାଲ ପକ୍ଷରୁ ଚିକିତ୍ସା କରାଯାଇଛି। ସବୁଠୁ ବଡ଼ କଥା ଏଯାବତ ସବୁଠୁ ବିଷାକ୍ତ ୧୦ ଟି ରଣା ସାପ ଲୋକେ ମାରିଦେଇଥିବା ଜଣାପଡିଛି।
ସତର୍କ ରହିବେ କିପରି -
ବିଦ୍ୟୁତ ନଥିଲେ ସବୁଠି ଟର୍ଚ୍ଚ ବ୍ୟବହାର କରନ୍ତୁ। ଅନ୍ଧାରିଆ ସ୍ଥାନରେ ହାତ କିମ୍ବା ଗୋଡ଼ ରଖିବା ପୂର୍ବରୁ ଆଲୁଅ ବ୍ୟବହାର କରନ୍ତୁ। ପିନ୍ଧିବା ପୂର୍ବରୁ ଜୋତା ଓ ପୋଷାକକୁ ଭଲ ଭାବେ ଦେଖି ନିଅନ୍ତୁ। ଭୂମିରେ ଶୋଇବା ପରିବର୍ତ୍ତେ ଉଚ୍ଚା ସ୍ଥାନ ଯେପରିକି ଖଟ ବ୍ୟବହାର କରନ୍ତୁ। ସାପ କାମୁଡ଼ିଲେ କେବେ ବି ଭୁଲରେ ଝଡା ଫୁଙ୍କା ଉପରେ ବିଶ୍ୱାସ ନକରି ତୁରନ୍ତ ଡାକ୍ତରଖାନା ଯାଆନ୍ତୁ ବୋଲି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅମ୍ରିତା ପ୍ରୀତମ ମଲ୍ଲ ପରାମର୍ଶ ଦେବା ସହିତ ବ୍ଲକର ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ ମହଜୁଦ ରହିଥିବା କହିଥିଲେ।
Flood In Jajpur: ଯାଜପୁର ଜିଲ୍ଲାରେ ବନ୍ୟା; ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

11 hours ago
1


