ARTICLE AD BOX
ପଟ୍ଟାମୁଣ୍ଡାଇ:ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ମୁଖ୍ୟ ରାସ୍ତା ଉପରୁ ପାଣି ଖସିଥିଲେ ମଧ୍ୟ ତଳିଆ ଅଞ୍ଚଳର ରାସ୍ତାଘାଟ ବୁଡ଼ି ରହିଛି। ଚାଷଜମି ସମ୍ପୂର୍ଣ୍ଣ ଭାବେ ବୁଡ଼ି ରହିବା ସହ ଗୋରୁଗାଈମାନେ ଖୁଣ୍ଟରେ ବନ୍ଧା ହୋଇଛନ୍ତି। ପାଣି ଛାଡିବା ପରେ ବିପନ୍ନମାନେ ଘର ସଜାଡ଼ିବାରେ ଲାଗିଛନ୍ତି। ବନ୍ୟା ଯୋଗୁ କଚ୍ଚାଘର ଗୁଡିକ ଭାଙ୍ଗିଥିବା ବେଳେ ଚାଷ ସଂପୁର୍ଣ୍ଣ ଉଜୁଡ଼ିଯାଇଛି।
ଅସଜଡା ଘରକୁ ସଜାଡ଼ି ଅଣ୍ଟା ସଳଖ କରି କିପରି ଠିଆ ହେବେ ସେଥିପାଇଁ ସେମାନେ ସଂଘର୍ଷ ଚଳାଇଛନ୍ତି। ପାଣି ଛାଡି ଥିଲେ ମଧ୍ୟ ସିଂହଗାଁ ସମେତ ପାଖାପାଖି ୬ଟି ପଞ୍ଚାୟତ ଆଜି ସୁଦ୍ଧା ପାଣି ଘେରରେ ରହିଛି। ପଟ୍ଟାମୁଣ୍ଡାଇ ବ୍ଳକର ୧୨ ପଂଚାୟତ ଓ ପୌରାଞ୍ଚଳର ୬ ୱାର୍ଡରେ ଆଜି ବିପନ୍ନମାନଙ୍କୁ ଚୁଡା, ବିସ୍କୁଟ, ପାଣି ଓ ଗୁଡ଼ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଛି ।
ଧୋୟା ଅଞ୍ଚଳ ବୁଲି ସ୍ଥିତି ପରଖିଲେ ଜିଲ୍ଲାପାଳ
କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର ପଟ୍ଟାମୁଣ୍ଡାଇ ବ୍ଳକର ଧୋୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ଆୟାର ଧୋୟା ଅଞ୍ଚଳର ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅମୃତ ମଣୋହୀ, ଅଣ୍ଡରା, ନିଳକଂଠପୁର, ଶ୍ରୀରାମପୁର, ଡାମରପୁର ପ୍ରଭୃତି ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିପନ୍ନ ମାନଙ୍କୁ ଭେଟିବା ସହ ବିଭିନ୍ନ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ମେଡିକାଲ ଟିମ ଓ ଔଷଧ, ବିଜୁଳି ତୁରନ୍ତ ସଂଯୋଗ କରିବା ଓ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ବିପନ୍ନମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳଙ୍କ ସହିତ ବିଧାୟକ ଧ୍ରୁବ ସାହୁ, ବ୍ଳକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡିଓ ଶୀତଲ ଅଗ୍ରୱାଲ ଓ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତି ଥିଲେ।
ବନ୍ୟାଞ୍ଚଳରେ ବାରାହା ଆକ୍ରମଣ: ୫ ଆହତ
ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ ପରେ ଏବେ ବାରାହା ଆତଙ୍କ ଦେଖାଦେଇଛି। ବିଲରେ ପାଣି ପଶିବା ଯୋଗୁ ବାରାହା ମାନେ ଗାଁ ମୁହାଁହୋଇ ବିଭିନ୍ନ ଲୋକଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି। ଆଜି ସିଂହଗାଁରେ ବାରାହା ପଲ ପଶି ଏହି ଗ୍ରାମରେ ୫ ଜଣଙ୍କୁ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଛନ୍ତି। ଆହତ ମାନଙ୍କୁ ଡଙ୍ଗାରେ ସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତ ହେଲେ ମାନସୀ ସେଠୀ। ଆହତମାନେ ହେଲେ ସ୍ନେହଲତା ସେଠୀ, ତାପସ ମଳିକ, ଲତା ସେଠୀ, ବସୁମତୀ ସେଠୀ, ଶ୍ରୀମାନ୍ତ ମଳ୍ଳିକ ଆହତ ହୋଇଥିବା ବେଳେ ଅନ୍ୟମାନେ ଆଂଶିକ ଆହତ ହୋଇନ୍ତି।
ବନ୍ୟାରେ ବୁଡ଼ି ରହିଛି ୫ଶହ ହେକ୍ଟର ଚାଷଜମି
ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ୫ଶହ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି ବୋଲି କୃଷି ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଜମିରେ ଧାନ ରୁଆ ହୋବ ସଳ ତଳି ପଡିଥିଲା। ସେହିପରି ଭାବରେ ୬୦ ହେକ୍ଟର ଚାଷ ଜମିରେ ନଳିତା, କଖାରୁ, ବାଇଗଣ, କଲରା, ଭେଣ୍ଡି ପ୍ରଭୃତି ଚାଷ କରାଯାଇଥିଲା ବୋଲି ଉଦ୍ୟାନବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି। ପାଣି ଛାଡିବା ପରେ ଫସଲ ହାନିର କ୍ଷୟକ୍ଷତି ଆକଳନ କରାଯିବ।
୪ ତାରିଖରେ ବନ୍ୟାଞ୍ଚଳ ପରିଦର୍ଶନ କରିବେ ଉପମୁଖ୍ୟମନ୍ତ୍ରୀ
ଆସନ୍ତା ୪ ତାରିଖ ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ରାପଡା ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ କରିବେ। ଶ୍ରୀ ସିଂହଦେଓ ପଟ୍ଟାମୁଣ୍ଡାଇ ଧୋୟା ଅଂଚଳ କେତେକ ପଞ୍ଚାୟତ ସମେତ ପୌରାଞ୍ଚଳର କେତେକ ୱାର୍ଡକୁ ଯିବାର କାର୍ଯ୍ୟକ୍ରମ ରହିଛି। ବନ୍ୟାଞ୍ଚଳର କ୍ଷୟକ୍ଷତି , ସ୍ବାସ୍ଥ୍ୟସେବା , ପାନୀୟ ଜଳ ବିଦ୍ୟୁତ ସେବାର ସୁଧାର , ରିଲିଫ ବଂଟନ, ଓ ଫସଲ କ୍ଷୟକ୍ଷତି ସଂପର୍କରେ ଏକ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।
ଲୋକଙ୍କ ପାଖରେ ପହଞ୍ଚିପାରୁନି ଗୋଖାଦ୍ୟ
ଗୋଖାଦ୍ୟ ପଟ୍ଟାମୁଣ୍ଡାଇରେ ପହଞ୍ଚିଥିଲେ ମଧ୍ୟ ପଞ୍ଚାୟତକୁ ଯାଇପାରି ନାହିଁ। କେତେକ ପଞ୍ଚାୟତ ପାଣି ଛାଡି ନଥିବା ବେଳେ ବିଭିନ୍ନ ଗାଡ଼ିରେ ନେବା ସମ୍ଭବପର ହୋଇପାରୁନାହିଁ। ଆସନ୍ତକାଲି ସୁଦ୍ଧା ଗୋଖାଦ୍ୟ ପଞ୍ଚାୟତରେ ପହଞ୍ଚିବ ବୋଲି ବିଡିଓ ଶୀତଲ ଅଗ୍ରୱାଲ କହିଛନ୍ତି।

9 hours ago
2


