Family in the bathroom: ଆବାସ ସାତସପନ: ପାଇଖାନାରେ ପରିବାର

6 days ago 9
ARTICLE AD BOX

ଭୂପେନ୍‌ ଗଡ଼ନାୟକ

କଣିହାଁ: ଗରିବ, ଅସହାୟଙ୍କୁ ପକ୍କା ଘର ଯୋଗାଇବାକୁ ସରକାରଙ୍କ ଆବାସ ଯୋଜନା ରହିଛି। ହେଲେ ସରକାରୀ ବାବୁଙ୍କ ଅବହେଳା ତଥା ଆନ୍ତରିକତାର ଅଭାବରୁ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି। ଥିଲାବାଲାକୁ ଆବାସ ମିଳୁଥିବା ବେଳେ ଗରିବଙ୍କ ହକ୍‌ ଛଡ଼ାଇ ନିଆଯାଉଛି। ଏଭଳି ସ୍ଥିତିରେ ଗୋଟିଏ ପରିବାର ବାଧ୍ୟହୋଇ ପାଇଖାନାରେ ଜୀବନ କାଟୁଛନ୍ତି। ରୋଷେଇବାସଠାରୁ ଆରମ୍ଭ କରି ଶୋଇବା ଯାଏଁ ସବୁକିଛି ସେହି ପାଇଖାନାରେ। କଣିହାଁ ବ୍ଲକ୍‌ର ବାଲିପଶି ପଞ୍ଚାୟତ ଅନ୍ତର୍ଗତ ନିଆଳୁ ଗାଁରେ ବିକାଶର ଏଭଳି ଓଲଟା ଚିତ୍ର ଦେଖିବାକୁ ମିଳିଛି। ଗାଁର ବୃଦ୍ଧ ଦମ୍ପତି ସୁଦାମ ସେଠୀ ଓ ପତ୍ନୀ ନିର୍ବାଣ ସେଠୀ ପାଇଖାନାରେ ଦୟନୀୟ ଜୀବନ ବିତାଉଛନ୍ତି।

Air India: ଏୟାର ଇଣ୍ଡିଆକୁ ସୁଧାରିବା ପାଇଁ ଏକ ଦଶନ୍ଧି ଲାଗିବ

ପ୍ରାପ୍ତ ସୂଚନା ଅନୁସାରେ, ନିଆଳୁ ଗାଁର ସୁଦାମ ସେଠୀ ଓ ତାଙ୍କ ପତ୍ନୀ ନିର୍ବାଣ ସେଠୀଙ୍କ ରହିବାକୁ ଘର ନାହିଁ। ସେମାନେ ରହୁଥିବା ସ୍ଥାନକୁ ଦେଖିଲେ ସରକାରଙ୍କ ଆବାସ ଯୋଜନା କାହା ପାଇଁ ବୋଲି ସ୍ବତଃ ମନକୁ ପ୍ରଶ୍ନ ଆସିଯିବ। ବୃଦ୍ଧ ଦମ୍ପତିଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ। ସମସ୍ତେ ବିବାହିତ। ଦୁଇ ପୁଅ ମୂଲମଜୁରି କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ବୃଦ୍ଧ ଦମ୍ପତି ଆଉ ଖଟିପାରୁ ନାହାନ୍ତି। କେବଳ ସରକାରଙ୍କଠାରୁ ମିଳୁଥିବା ଟଙ୍କିକିଆ ଚାଉଳ ସେମାନଙ୍କ ସାହା ଭରସା। ନିଜର ଜମିବାଡ଼ି ବି କିଛି ନାହିଁ। ୮ ବର୍ଷ ପୂର୍ବେ ତାଙ୍କ ପରିବାରକୁ ମିଳିଥିବା ୨ଟି ପାଇଖାନା ମଧ୍ୟରୁ ଗୋଟିଏ ପାଇଖାନାରେ ରୋଷେଇବାସ କରୁଥିବାବେଳେ ଅନ୍ୟଟିରେ ବୃଦ୍ଧଦମ୍ପତି ଶୋଇବା ସହ ବସାଉଠା କରୁଛନ୍ତି। ପାଇଖାନା ଆଗରେ ତାଳବରଡ଼ା ଢାଙ୍କି ଦିନରେ ବିଶ୍ରାମ ନେବାକୁ ପଡୁଛି। ରାତିରେ ସରୀସୃପଙ୍କ ଭୟ ରହୁଛି। ଆବାସଟିଏ ପାଇବାକୁ ୱାର୍ଡମେମ୍ବରଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ, ବ୍ଲକ୍‌ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିସାରିଲେଣି। ହେଲେ କେହି ବି ସେମାନଙ୍କ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଖାଲି ଏଇ ବୃଦ୍ଧ ଦମ୍ପତି ନୁହେଁ, ବ୍ଲକ୍‌ର ବହୁ ଗରିବ ଶ୍ରେଣୀର ଲୋକେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। କଣିହାଁ ବ୍ଲକ୍‌ରେ ଚଳିତ ଆର୍ଥିକ ବର୍ଷରେ ୧୬୨ଟି ଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ପାଇଁ ବ୍ଲକ୍‌ର ୨୭ଟି ପଞ୍ଚାୟତର ୧୨ ହଜାର ୫ ଶହ ଜଣ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯାଞ୍ଚ କରିବା ପରେ ୫ ହଜାର ୬୮୨ଜଣଙ୍କ ଆବେଦନ କାଏମ ରହିଛି। ତୃତୀୟ ପର୍ଯାୟରେ ଯାଞ୍ଚ କରି ଅବଶିଷ୍ଟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ବ୍ଲକ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.