ARTICLE AD BOX
ଭୁବନେଶ୍ବର: ସମ୍ପ୍ରତି ଅର୍ଥ ବିଭାଗର ପତ୍ର ସଂଖ୍ୟା ୧୦୯୧୧/ଏଫ୍/୨୪ ଅପ୍ରିଲ୍ ୨୦୨୬ରେ ଶିଶୁ ବାଟିକା ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତ ନେଇ ଏକ ଚିଠି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେସ୍ ପ୍ରଚାରପ୍ରସାର ହେଉଛି। ଏହି ଚିଠିକୁ ନେଇ ଆଜି ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେଇଛି।
ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ, ଜୋତା ଏବଂ ପରିଚୟପତ୍ର
ଉକ୍ତ ପତ୍ରରେ ଓସେପା ଅଧୀନରେ ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ଓ ନିଯୁକ୍ତି ସହ ପ୍ରତି ଶିକ୍ଷକଙ୍କୁ ମାସିକ ୨୬୦୦୦ ପ୍ରଦାନ ପାଇଁ ଅର୍ଥ ବିଭାଗ ଅନୁମୋଦନ କରିଥିବା ଉଲ୍ଲେଖ ରହିଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ଜାରି ସ୍ପଷ୍ଟୀକରଣରେ କୁହାଯାଇଛି, ଉକ୍ତ ପତ୍ରଟି ସମ୍ପୂର୍ଣ୍ଣ ଜାଲ୍, ମନଗଢ଼ା ଏବଂ ଅନଧିକୃତ। ଅର୍ଥ ବିଭାଗ ଦ୍ୱାରା ଏପରି କୌଣସି ପ୍ରସ୍ତାବ ଅନୁମୋଦନ କରାଯାଇନାହିଁ । ୭୨୩୪ ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି କିମ୍ବା ନିଯୁକ୍ତି ସମ୍ପର୍କରେ ଉକ୍ତ ପତ୍ର ମାଧ୍ୟମରେ କୌଣସି ସରକାରୀ ଅନୁମୋଦନ ପ୍ରଦାନ କରାଯାଇନାହିଁ ।
ଭଲ ଖବର: ସବୁ ପ୍ରାଥମିକ ବିଦ୍ୟାଳୟରେ ଖୋଲିବ ‘ଶିଶୁ ବାଟିକା’
ସ୍ପଷ୍ଟୀକରଣରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ପତ୍ରରେ ଥିବା ଦସ୍ତଖତ, ପତ୍ର ସଂଖ୍ୟା, ବିଷୟବସ୍ତୁ ଓ ଅନୁମୋଦନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସରକାରୀ ଅଭିଲେଖରେ ଏହାର କୌଣସି ଆଧାର ନାହିଁ । ଜାଲ୍ ସରକାରୀ ପତ୍ର ପ୍ରସ୍ତୁତ କରି ପ୍ରଚାର କରିବା ଏକ ଗୁରୁତର ଅପରାଧ। ଏହି ଘଟଣା ସମ୍ପର୍କରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅବଗତ କରାଯାଇଛି।
ରାଜ୍ୟ ସରକାର ସାଧାରଣ ଜନତା ଓ ଗଣମାଧ୍ୟମକୁ ଅନୁରୋଧ କରୁଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ସରକାରୀ ପତ୍ରକୁ ଯାଞ୍ଚ ବିନା ବିଶ୍ୱାସ କିମ୍ବା ପ୍ରଚାର କରନ୍ତୁ ନାହିଁ । ସରକାରୀ ସୂଚନା କେବଳ ସରକାରୀ ବିଜ୍ଞପ୍ତି, ୱେବସାଇଟ୍ କିମ୍ବା ସମ୍ପୃକ୍ତ ବିଭାଗରୁ ହିଁ ନିଶ୍ଚିତ କରନ୍ତୁ।

4 weeks ago
11


