ARTICLE AD BOX
ଅନୁଗୋଳ: ବିକାଶମୂଳକ କାମକୁ ଅଟକାଇ ହେବନି। ପରିବେଶକୁ ଅଣଦେଖା କଲେ ବି ବିପଦ। ଏଣୁ ବିକାଶ ଓ ପରିବେଶ ମଧ୍ୟରେ ସମନ୍ବୟ ରଖି କାମ କରିବାକୁ ପଡ଼ିବ ବୋଲି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ଆଜି ଅନୁଗୋଳ ସହର ଉପକଣ୍ଠ ମନ୍ଦରଗିରି ପାହାଡ଼ ପାଦଦେଶରେ ଥିବା ମୂଷାପାପୁଲି ବଡ଼ଖୋଲଠାରେ ଆୟୋଜିତ ହୋଇଥିଲା ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟଅତିଥି ଶ୍ରୀ ପ୍ରଧାନ ପରିବେଶ ସୁରକ୍ଷା ପାଇଁ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ, ଦିନକୁ ଦିନ ଆମ ପରିବେଶ ବିଗିଡ଼ିବାରେ ଲାଗିଛି। ଜଙ୍ଗଲ ନଷ୍ଟ ହେଉଛି। ଏହାର କୁପ୍ରଭାବ ଅନୁଗୋଳବାସୀ ପ୍ରତିଦିନ ଭୋଗୁଛନ୍ତି। ହାତୀ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଥିଲା ବେଳେ ରୋଗ, ବ୍ୟାଧି ବଢ଼ୁଛି। ଏହାର ମୁକାବିଲା ପାଇଁ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ପଡ଼ିବ। ଖାଲି ଗଛ ଲଗାଇଲେ ହେବନି, ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ।
Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ
ଅନୁଗୋଳରେ ପରିବେଶ ପଞ୍ଚାୟତ
ମୁଖ୍ୟବକ୍ତା ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର କହିଥିଲେ, ପରିବେଶ ସୁରକ୍ଷା କାମ ତୃଣମୂଳସ୍ତରରୁ ଆରମ୍ଭ କରିବାକୁ ପଡ଼ିବ। କେବଳ ସହରରେ ପ୍ରଦୂଷଣ ହେଉଛି ଭାବି ଗାଁ ଲୋକ ଚୁପ୍ ବସିଲେ ଚଳିବନି। ପ୍ରଦୂଷଣର କୌଣସି ସୀମା ନାହିଁ। ସହରରେ ବଢ଼ୁଥିବା ପ୍ରଦୂଷଣର ମୁକାବିଲା ପାଇଁ ଗାଁରେ ଅଧିକ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ପ୍ରସନ୍ନ ବେହେରା, ଅଶୋକ ଶତପଥୀ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିପିନ ବିହାରୀ ବେହେରା, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା, ଡା. ଶଙ୍କର୍ଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଦୂଷିତ ପରିବେଶକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଏହାର ସମାଧାନ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
Neglect: ରଗଡ଼ା ପନାସିଆରେ ପାନୀୟଜଳ ସଂକଟ: ୨ ନଳକୂଅ ଉପରେ ନିର୍ଭର ୧୨୦ ପରିବାର
‘ସମ୍ବାଦ’ ଅନୁଗୋଳ ସଂସ୍କରଣ ମୁଖ୍ୟ ରତ୍ନାକର ଭୋଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ‘କନକ ନ୍ୟୁଜ୍’ର ବ୍ୟୁରୋ ମୁଖ୍ୟ କପିଳ ପ୍ରଧାନ ସୂଚନା ଦେଇଥିବାବେଳେ ବିଜ୍ଞାପନ ବିଭାଗର ବରିଷ୍ଠ ପ୍ରବନ୍ଧକ ସୁବାସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

3 weeks ago
13


