ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବନାଞ୍ଚଳରେ ଦନ୍ତା ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ମାଲିକପୋଡ଼ି ପଞ୍ଚାୟତ ଅନ୍ତର୍ଗତ ସିରକୀ ଗ୍ରାମରେ ଦୁଇଟି ଦନ୍ତା ହାତୀ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୋମବାର ରାତିରେ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ସିରକୀ ଗ୍ରାମକୁ ପ୍ରବେଶ କରିଥିଲେ। ହାତୀମାନେ ଗ୍ରାମର ଜକେରା ପ୍ରଧାନଙ୍କ ଘରକୁ ଭାଙ୍ଗି ଦେଇଥିବା ବେଳେ ଘରର ବିଭିନ୍ନ ସାମଗ୍ରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଚାଷ ଜମିରେ ଥିବା ଧାନ ତଳିକୁ ମାଡ଼ି ନଷ୍ଟ କରିଦେଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ହାତୀ ଦୁଇଟି ଗ୍ରାମ ନିକଟରେ ବୁଲୁଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେଲେ ଘରୁ ବାହାରକୁ ବାହାରିବାକୁ ଲୋକେ ଭୟ କରୁଥିବା ବେଳେ ରାତି ସାରା ଜାଗି ରହିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଛୋଟ ପିଲା ଓ ବୃଦ୍ଧ ବୃଦ୍ଧା ମାନଙ୍କ ସୁରକ୍ଷାକୁ ନେଇ ପରିବାରଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଘୁ.ଉଦୟଗିରି ବନ ବିଭାଗ ଅଧୀନ ଡଙ୍ଗାଏଯୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣାର ଭୟ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନଥିବା ବେଳେ ସିରକୀ ଗ୍ରାମରେ ପୁଣି ହାତୀଙ୍କ ତାଣ୍ଡବ ଲୋକଙ୍କ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।
Elephant Terror: ଦନ୍ତା ହାତୀ କବଳରେ ଜଙ୍ଗଲ ସୀମାବର୍ତ୍ତୀ ଗ୍ରାମ: ଭାଙ୍ଗିଲେ ଚାରୋଟି ଘର
ଅଞ୍ଚଳବାସୀ ବନ ବିଭାଗକୁ ହାତୀ ଘଉଡ଼ାଇବା ସହ ପ୍ରଭାବିତ ପରିବାରକୁ କ୍ଷତିପୂରଣ ପ୍ରଦାନ ଏବଂ ହାତୀ ଚଳପ୍ରଚଳ ଉପରେ ନିୟମିତ ନଜର ରଖିବାକୁ ଦାବି କରିଛନ୍ତି। ଗ୍ରାମରେ ବନ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଓ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ଉଠିଛି।

1 hour ago
2


