Education: ବିଏଚୟୁରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ପରିଚୟ କାର୍ଯ୍ୟକ୍ରମ

4 days ago 5
ARTICLE AD BOX

ବାରାଣସୀ: କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନବାଗତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ବିଭିନ୍ନ ସୁବିଧା, ଶିକ୍ଷାଗତ ସୁଯୋଗ ଓ ଛାତ୍ରଜୀବନ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଏକ ପରିବେଶ ପରିଚୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍‌ର ବିସ୍ତାର ଶିକ୍ଷା ବିଭାଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ନବଭାବେ ନାମ ଲେଖାଇଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରଦ୍ଧାଞ୍ଜଳି ମହାପାତ୍ର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ। ଏହାପରେ ଉତ୍କଳ ସମାଜର ସଭାପତି ପ୍ରଫେସର ଗୋପବନ୍ଧୁ ମିଶ୍ର ବାରାଣସୀରେ ଓଡ଼ିଆ ଛାତ୍ରଛାତ୍ରୀ ଓ ସମାଜ ମଧ୍ୟରେ ଥିବା ସମ୍ପର୍କ ଏବଂ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନବାଗତ ଛାତ୍ରଛାତ୍ରୀମାନେ ବାରାଣସେୟା ଉତ୍କଳ ସମାଜକୁ ନିଜର ଏକ ପରିବାର ଭାବରେ ଗ୍ରହଣ କରି ସମାଜର ବିଭିନ୍ନ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଥିଲେ। 

Raja Festival: ଫ୍ରାଙ୍କଫର୍ଟରେ ଏକତ୍ରିତ ହେଲା ଓଡ଼ିଆ ସମାଜ; ଯୋଗଦେଲେ ୪୦୦ରୁ ଊର୍ଦ୍ଧ୍ବ ପ୍ରବାସୀ

ଉତ୍କଳ ସମାଜର ସାଧାରଣ ସମ୍ପାଦକ ତଥା ବିଏଚୟୁର ଭୂତତ୍ତ୍ୱ ବିଭାଗର ଡ଼. ଅମିୟ କୁମାର ସାମଲ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉତ୍କର୍ଷ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ। ନିୟମିତ ଶ୍ରେଣୀରେ ଯୋଗଦାନ, ଅଧ୍ୟାପକମାନଙ୍କ ସହ ନିୟମିତ ସମ୍ପର୍କ, ପୁସ୍ତକ ଓ ପୁସ୍ତକାଳୟର ସଦୁପଯୋଗ, ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ସମ୍ପର୍କରେ ସଚେତନତା ଏବଂ ନିଜ ଶିକ୍ଷାଜୀବନକୁ ଆରମ୍ଭରୁ ଯୋଜନାବଦ୍ଧ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। 

ନୂତନ ଶିକ୍ଷାନୀତି ଅନୁଯାୟୀ ପାଠ୍ୟକ୍ରମ, ପ୍ରାୟୋଗିକ ଶିକ୍ଷା ଓ ପ୍ରଶିକ୍ଷଣର ଗୁରୁତ୍ୱ ମଧ୍ୟ ସେ ବ୍ୟାଖ୍ୟା କରିଥିଲେ। ପ୍ରଫେସର କଲ୍ୟାଣ ଘଡ଼େଇ, ବିସ୍ତାର ଶିକ୍ଷା ବିଭାଗ ଏବଂ ଉତ୍କଳ ସମାଜର ଉପସଭାପତି, ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ଓ ସମ୍ପଦ ବିଷୟରେ ଅବଗତ କରାଇଥିଲେ। ପୁସ୍ତକାଳୟ, ପରୀକ୍ଷାଗାର, ଛାତ୍ରସେବା ଓ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟୀୟ ସୁବିଧାର ସଠିକ୍ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। 

ଆଇନ ବିଭାଗର ପ୍ରଫେସର ମନୋଜ କୁମାର ପାଢ଼ୀ, ଉତ୍କଳ ସମାଜର କାର୍ଯ୍ୟକାରୀ ସଦସ୍ୟ, ପାଠପଢ଼ା ବ୍ୟତୀତ ବିଭିନ୍ନ ଛାତ୍ରମଞ୍ଚ, ସାଂସ୍କୃତିକ, ସାମାଜିକ, କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଯୋଗଦେଇ ନିଜର ବ୍ୟକ୍ତିତ୍ୱ, ନେତୃତ୍ୱ ଓ ଯୋଗାଯୋଗ କୌଶଳର ବିକାଶ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଇଆଇଟି (ବିଏଚ୍‌ୟୁ)ର ପ୍ରଫେସର ଅଲଖ ଏନ୍. ସାହୁ ଆଇଆଇଟିର ଶିକ୍ଷା ବ୍ୟବସ୍ଥା, ବିଭିନ୍ନ ସୁଯୋଗ ଓ ଛାତ୍ରଜୀବନର ବିଭିନ୍ନ ଦିଗ ସମ୍ପର୍କରେ ନବାଗତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହାପରେ ଅନିର୍ବାଣ ପରିଡ଼ା, ବିନୀତ ଭାରଦ୍ୱାଜ ଓ କୃଷ୍ଣା ଚୌଧୁରୀ ନିଜ ଛାତ୍ରଜୀବନର ଅନୁଭବ ନବାଗତମାନଙ୍କ ସହ ବାଣ୍ଟିଥିଲେ। ବିଶ୍ୱବିଦ୍ୟାଳୟର ନୂଆ ପରିବେଶରେ ଖାପ ଖୁଆଇବା, ଶ୍ରେଣୀ ଓ ପରୀକ୍ଷା ପାଇଁ ପ୍ରସ୍ତୁତି, ସମୟର ସଦୁପଯୋଗ ଏବଂ ବିଭିନ୍ନ ସୁଯୋଗର ଉପଯୋଗ ନେଇ ସେମାନେ ବ୍ୟବହାରିକ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମର ଏକ ବିଶେଷ ପର୍ଯ୍ୟାୟରେ ନବାଗତ ଛାତ୍ରଛାତ୍ରୀମାନଙ୍କ ସହ ବକ୍ତାମାନଙ୍କର ପ୍ରଶ୍ନୋତ୍ତର ଓ ମୁକ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଶିକ୍ଷା, ପରୀକ୍ଷା, ପାଠ୍ୟକ୍ରମ, ଛାତ୍ରାବାସ, ବିଶ୍ୱବିଦ୍ୟାଳୟର ସୁବିଧା ଓ ଭବିଷ୍ୟତ ସୁଯୋଗ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ରଖିଥିଲେ ଏବଂ ବକ୍ତାମାନେ ସେଗୁଡ଼ିକର ଉତ୍ତର ଦେଇଥିଲେ। କାର୍ଯ୍ୟକ୍ରମରେ ବକ୍ତାମାନେ ନବାଗତ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ମାଟି, ଭାଷା ଓ ସଂସ୍କୃତି ସହିତ ସଦା ସଂଯୁକ୍ତ ରହିବାକୁ ଆହ୍ୱାନ ଦେଇଥିଲେ। ଉତ୍କଳ ସମାଜର  କୋଷାଧ୍ୟକ୍ଷ ଅଧ୍ୟାପକ ପ୍ରଫେସର ସରୋଜ କୁମାର ପାଢ଼ୀ ଧନ୍ୟବାଦ ଜ୍ଞାପନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.