Editorial: ସୁନା ଇଲିଶି

25 minutes ago 2
ARTICLE AD BOX

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ପଶ୍ଚିମବଙ୍ଗର ବର୍ଦ୍ଧିଷ୍ଣୁ ଚାହିଦା ଅର୍ଥାତ୍‌ ଘରୋଇ ଦାବି ପୂରଣ ନ କରି ଗୁଜରାଟ କାହିଁକି ବାଂଲାଦେଶକୁ ତାହା ରପ୍ତାନି କରୁଛି? ଏଥିରେ ନିହିତ କାରଣଟି ହେଲା ସ୍ବାଦ; ପଦ୍ମା ଇଲିଶିର ସ୍ବର୍ଗୀୟ ସ୍ବାଦର ତୁଳନା ନର୍ମଦା ଇଲିଶି ସହ କରାଯାଇପାରିବ ନାହିଁ ବୋଲି ଇଲିଶି ବାତୁଳ ବଙ୍ଗାଳୀମାନେ କହିଥାଆନ୍ତି।

Editorial: ବାଘ ମିରିଗଙ୍କ ତୁଠ

ସପ୍ତମ-ଅଷ୍ଟମ ଦଶକରେ, ଶିବବ୍ରତ ଦାସଙ୍କ ଦ୍ବାରା ରଚିତ, ଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକଙ୍କ ଦ୍ବାରା ବୋଲା ଯାଇଥିବା ଅତ୍ୟନ୍ତ ଲୋକପ୍ରିୟ ଲଘୁ ସଂଗୀତ ‘ସୁନା ଇଲିଶି’ରେ କୁହାଯାଇଛି କିଭଳି ଏକ କୋମଳ ସକାଳେ, ନଈ ପାଣିରେ ପହଁରିଲା ବେଳେ ସୁନା ଭଳି ଝଟକୁଥିବା ଇଲିଶି ମାଛଟିଏ ଦେଖି ତାକୁ ଧରି ଆଣିବା ଲାଗି ଧୀବର ପତ୍ନୀ ଜିଗର କରନ୍ତେ, ଧୀବର ଚେତାଇ ଦେଇ କହୁଛି ଦେବୀ ସୀତାଙ୍କ ସୁବର୍ଣ୍ଣ ମୃଗର ଆକର୍ଷଣ ହେତୁ କିଭଳି ବିପଦ ସୃଷ୍ଟି ହୋଇଥିଲା ଜାଣି ନାହୁଁ କି? ଅବଶ୍ୟ, ଗୀତଟି ଲମ୍ବିବା ସହିତ କ‌ାହାଣୀଟି ଆଗକୁ ଏକ ଭିନ୍ନ ମୋଡ଼ ନେଇଛି, କିନ୍ତୁ, ସୂଚେଇ ଦେଇଛି ଯେ ସୁବର୍ଣ୍ଣ ମୃଗର ଆକର୍ଷଣ, ଦେବୀ ସୀତାଙ୍କ ଭଳି ସ୍ଥିତପ୍ରଜ୍ଞାଙ୍କୁ ମଧ୍ୟ ଚହଲେଇ ଦେଇଥିବା ଭଳି ବର୍ଷାଦିନିଆ ନଦୀ ଇଲିଶିର ସ୍ବାଦର ଆକର୍ଷଣ ଏଭଳି ଦୁର୍ଲଂଘ୍ୟ ଯେ ତା’ ମୋହରୁ ମୁକ୍ତ ହେବା ସହଜସାଧ୍ୟ ବ୍ୟାପାର ହୋଇ ନ ଥାଏ। ତେଣୁ, ଇଲିଶିର ଚାହିଦା, ଉପଲବ୍‌ଧତା ଓ ସ୍ବାଦର ପ୍ରକାର ଇତ୍ୟାଦିକୁ ନେଇ ସଂପ୍ରତି ଆମ ଦେଶରେ ସୃଷ୍ଟ ଏକ ବିଚିତ୍ର ସ୍ଥିତି ସଂପର୍କରେ ଆଲୋଚନା କରିବାକୁ ଗଲାବେଳେ ଉପରୋକ୍ତ ଶ୍ରୁତିମଧୁର ଓ ମନ ଫୁଲାଣିଆ ଗୀତଟି ଆପଣାଛାଏଁ ମନରେ ଭାସି ଉଠିଥାଏ। 
ସିରିଲ ରାଡକ୍ଲିଫ ଟାଣି ଦେଇଥିବା ରେଖା ଆଧାରରେ ସ୍ବାଧୀନତା ପରେ ବଙ୍ଗ ବିଭାଜିତ ହୋଇଗଲା ସିନା, ଯାହା ଅବିଭାଜ୍ୟ ହୋଇ ରହି ଆସିଛି, ତାହା ହେଲା ଇଲିଶି ମାଛ ପ୍ରତି ଉଭୟ ପଟର ଦୁର୍ବାର ଆକର୍ଷଣ। ପ୍ରକାଶ ଥାଉ କି ପୃଥିବୀର ସମୁଦାୟ ଇଲିଶି ଉତ୍ପାଦନର ପ୍ରାୟ ୮୫% ହୋଇଥାଏ ବାଂଲାଦେଶରେ, ଯାହାର ସବୁଠାରୁ ବଡ଼ ଗ୍ରାହକ ହେଉଛନ୍ତି ଇଲିଶି ଆତୁର ଆମ ଦେଶର ବଙ୍ଗାଳୀମାନେ। ଯଦିଓ, ଗଙ୍ଗା ନଦୀର ଦୁଇ ଶାଖା ପଦ୍ମା ଓ ହୁଗୁଳୀ ଯଥାକ୍ରମେ ବାଂଲାଦେଶ ଓ ଭାରତରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛନ୍ତି, ବର୍ଷାଦିନିଆ ପଦ୍ମା ନଦୀ ଇଲିଶିର ସ୍ବାଦ ଯେ କୈଂବଦନ୍ତିକ, ତାହା ଆମ ପଟର ବଙ୍ଗୀୟମାନେ ମଧ୍ୟ ସ୍ବୀକାର କରନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଲିଶି ଏକ ସମୁଦ୍ର ମାଛ ହୋଇଥିଲେ ହେଁ କେବଳ ପ୍ରଜନନ ସମୟରେ ଅର୍ଥାତ୍‌ ବର୍ଷା ଋତୁରେ ନଦୀ ସୁଅର ପ୍ରତିକୂଳରେ ଉପରକୁ ଉଠିଥାଆନ୍ତି; ଯହିଁରେ ମାଈ ଇଲିଶି ପ୍ରାୟ ଶହେ କିଲୋମିଟର ପର୍ଯ୍ୟନ୍ତ ଦୂରକୁ ଯାଇ ବିହନ ଦେଉଥିବା ଦେଖାଯାଏ। ଏହି ବିହନଧାରିଣୀ ମାଈ ଇଲିଶି ହିଁ ହୋଇଥାଆନ୍ତି ଆକର୍ଷଣର କେନ୍ଦ୍ର, କାରଣ ନଦୀର ମଧୁର ଜଳର ସଂସ୍ପର୍ଶରେ ସେମାନେ ଅପୂର୍ବ ସ୍ବାଦଯୁକ୍ତ ହୋଇଉଠନ୍ତି। ଭାରତୀୟ ବଙ୍ଗାଳୀମାନଙ୍କ ସକାଶେ ଇଲିଶି କେବଳ ବ୍ୟଂଜନର ଉପାଦାନ ହୋଇ ନ ଥାଏ, ଏହା ସେମାନଙ୍କ ଜୀବନ ଓ ସଂସ୍କୃତିର ଅଭିନ୍ନ ଅଂଶ ମଧ୍ୟ ହୋଇଥାଏ; ଶାରଦୀୟ ଦୁର୍ଗା ପୂଜାରେ ଇଲିଶି ଏକ ଅନିବାର୍ଯ୍ୟ ଆବଶ୍ୟକତା। ଏହି କାରଣରୁ ୨୦୧୨ ମସିହାରୁ, ଇଲିଶି ମାଛର ରପ୍ତାନି ଉପରେ ବାଂଲାଦେଶ ପକ୍ଷରୁ କଟକଣା ଲଗାଯାଉଥିଲେ ହେଁ ପ୍ରତି ବର୍ଷ ଦୁର୍ଗା ପୂଜା ସମୟରେ, ଭାରତ ସକାଶେ ତାହାକୁ କୋହଳ କରି ଦିଆଯାଏ। ସେମିତି ଭାରତ ସହିତ କୂଟନୈତିକ ଓ ରାଜନୈତିକ ଯୋଗାଯୋଗ କାଳରେ ବାଂଲାଦେଶ ସଖ୍ୟ ପ୍ରଦର୍ଶନର ସଂକେତ ରୂପେ କିଭଳି ଇଲିଶି ମାଛକୁ ବ୍ୟବହାର କରିଥାଏ, ତା’ର ଗୋଟିଏ ଦୃଷ୍ଟାନ୍ତ ହେଲା ୧୯୯୬ ମସିହାର ଗଙ୍ଗା ଜଳ ବଣ୍ଟନ ଚୁକ୍ତି କାଳରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ଭେଟି ସ୍ବରୂପ ପ୍ରଦାନ କରାଯାଇଥିବା ପଦ୍ମା ନଦୀର ଇଲିଶି। ସେମିତି, ୨୦୧୭ ମସିହାରେ, ତିସ୍ତା ଜଳ ବଣ୍ଟନ ଚୁକ୍ତି କାଳରେ ପ୍ରଣବ ମୁଖାର୍ଜୀଙ୍କ ସକାଶେ ଆସିଥିବା ବାଂଲାଦେଶୀ ଇଲିଶିର ଉପହାର ବିଷୟ ତତ୍କାଳୀନ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ଏଭଳି ସ୍ଥଳେ, ଗଲା ଦୁଇ ତିନି ବର୍ଷ ହେଲା, ପରିସ୍ଥିତି ବଦଳିଯିବା ଏବଂ ବାଂଲାଦେଶ ତା’ର ଏହି ବହୁ ମୂଲ୍ୟବାନ ପ୍ରାକୃତିକ ବିଭବରୁ କ୍ରମେ ବିରହିତ ହେବାକୁ ଲାଗିବାରେ ସେ ଦେଶ ବିଷଣ୍ଣ ହୋଇ ଉଠିବା ସ୍ବାଭାବିକ। ଏବଂ ଏହି ସଂଦର୍ଭରେ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଭାରତ ହଠାତ୍‌ ହୋଇ ଉଠିଛି ଇଲିଶିର ପେଣ୍ଠ ଓ ଇତିମଧ୍ୟରେ ବାଂଲାଦେଶକୁ ପ୍ରାୟ ୫୦୦ ମେଟ୍ରିକ ଟନ ଇଲିଶି ରପ୍ତାନି କରି ଏକ ଓଲଟ ଧାରାର ସୂତ୍ରପାତ କଲାଣି। 

Editorial: ବାଘ ମିରିଗଙ୍କ ତୁଠ

ପରିବେଶବିତ୍‌ମାନେ କହିଥାଆନ୍ତି ଯେ ସମୁଦ୍ର ଜଳର ତାପମାତ୍ରାରେ ବୃଦ୍ଧି, ମୁହାଣରେ ପଟୁ ମାଟିର ବହୁଳତା, ବିହନଧାରିଣୀ ଇଲିଶିଙ୍କ ଅବାଧ ଓ ଅନ୍ଧ ଶିକାର, ବଙ୍ଗୋପସାଗରରେ ପଡ଼ିଥିବା ନଦୀରେ ଅଧିକ ବ୍ୟାରେଜ ଓ ବନ୍ଧ ନିର୍ମାଣ ଇତ୍ୟାଦି ହେତୁ ଇଲିଶି ମାଛ ଦଳ ପୂର୍ବ ଉପକୂଳସ୍ଥ ନଦୀରେ ଉପରକୁ ଉଠିବାର ଧାରାରେ ବ୍ୟାଘାତ ସୃଷ୍ଟି ହୋଇଛି। ବରଂ ସେମାନେ ଆରବ ସାଗରରେ ଠୁଳ ହୋଇ ଅଣ୍ଡା ଦେବା ଲାଗି ନର୍ମଦା ଓ ତାପ୍ତୀ ଭଳି ପଶ୍ଚିମ ଉପକୂଳସ୍ଥ ନଦୀଗୁଡ଼ିକରେ ପ୍ରଚୁର ସଂଖ୍ୟାରେ ଉପରକୁ ଉଠୁଛନ୍ତି ଓ ଧରା ପଡୁଛନ୍ତି। ସୁତରାଂ, ଗୁଜରାଟର ବାରୁଚ ହୋଇଯାଇଛି ଇଲିଶିର ନୂତନ ଗନ୍ତାଘର। ଏହାର ପରିମାଣ କେତେ ଅଧିକ, ତା’ର ଧାରଣା କେବଳ ଏଥିରୁ ମିଳିବ ଯେ ୨୦୨୪-୨୫ ମସିହାରେ ଗୁଜରାଟରେ ୧୨୩ ମେଟ୍ରିକ ଟନ ଇଲିଶି ଧରା ହୋଇଥିବାବେଳେ ୨୦୨୫-୨୬ ମସିହାରେ ତା’ର ପରିମାଣ ହୋଇଛି ୪୬୦୦ ମେଟ୍ରିକ ଟନ। ଏଣୁ, ଗୁଜରାଟରୁ ଇଲିଶି ରପ୍ତାନି ଆରମ୍ଭ ହୋଇଯାଇଛି, ଯେଉଁଠି ଇଲିଶିର ଏକାଧିପତି ଭାବେ ସ୍ବୀକୃତ ବାଂଲାଦେଶ ଏକ କ୍ରେତା ରୂପରେ ଆବିର୍ଭୂତ ହେଲାଣି। ପ୍ରକାଶ ଥାଉ କି ଇଲିଶି ମାଛ ବିହନର ସବୁଠାରୁ ବଡ଼ ରପ୍ତାନିକାରୀ ଦେଶ ରୂପେ ମଧ୍ୟ ବାଂଲାଦେଶ ପରିଚିତ, ଯେଉଁ ମାନ୍ୟତା ବଜାୟ ରହୁ ବୋଲି ସେ ଦେଶ ଚାହିଁଥାଏ। ତେଣୁ, ଗୁଜରାଟୀ ଇଲିଶି ଆମଦାନି କରି ତହିଁରୁ ବିହନ ପୃଥକ୍‌ କରି ରପ୍ତାନି କରିବାକୁ ବାଂଲାଦେଶ ଏବେ ବାଧ୍ୟ ହେଉଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ପଶ୍ଚିମବଙ୍ଗର ବର୍ଦ୍ଧିଷ୍ଣୁ ଚାହିଦା ଅର୍ଥାତ୍‌ ଘରୋଇ ଦାବି ପୂରଣ ନ କରି ଗୁଜରାଟ କାହିଁକି ବାଂଲାଦେଶକୁ ତାହା ରପ୍ତାନି କରୁଛି? ଏଥିରେ ନିହିତ କାରଣଟି ହେଲା ସ୍ବାଦ; ପଦ୍ମା ଇଲିଶିର ସ୍ବର୍ଗୀୟ ସ୍ବାଦର ତୁଳନା ନର୍ମଦା ଇଲିଶି ସହ କରାଯାଇପାରିବ ନାହିଁ ବୋଲି ଇଲିଶି ବାତୁଳ ବଙ୍ଗାଳୀମାନେ କହିଥାଆନ୍ତି।
ଇଲିଶିର ସ୍ବାଦ ସଂପର୍କରେ ଆଲୋଚନା କଲାବେଳେ ସ୍ମରଣକୁ ଆସିଥାଏ ସାହିତ୍ୟ ଏକା‌ଡେମି ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ମଣିପୁରୀ ଲେଖକ ଏନ. କୁଂଜମୋହନ ସିଂହଙ୍କ ଏକ ପ୍ରସିଦ୍ଧ ଗଳ୍ପ, ଯାହାର ନାମ ‘ଇଲଶା ଆମାଗି ମାହାଓ’ ବା ‘ଇଲିଶିର ସ୍ବାଦ’। ତହିଁରେ ରହିଛି ଚାଓବା ନାମକ ଏକ ଅତ୍ୟନ୍ତ ଦରିଦ୍ର ଧୀବରର କଥା, ଯିଏ ବାରାକ ନଈରେ ମାଛ ମାରି ପେଟ ପୋଷେ ସିନା, ମାଛର ସ୍ବାଦ ଆସ୍ବାଦନ କରିବାର ସୌଭାଗ୍ୟ ପାଏନାହିଁ; କାରଣ ଅତି ଦାରିଦ୍ର୍ୟ ହେତୁ ଧରୁଥିବା ମାଛତକ ବିକ୍ରି କରିଦେବା ଛଡ଼ା ଗତ୍ୟନ୍ତର ନ ଥାଏ। ତେବେ, ଦିନେ ତା’ ଜାଲରେ ପଡ଼େ ଏକ ବିରଳ ଇଲିଶି! ଇଲିଶି ସ୍ବାଦର ଅବିମୋଚନୀୟ ଆକର୍ଷଣ ହେତୁ ଚାଓବା ସ୍ଥିର କରେ ତାକୁ ବିକ୍ରି ନ କରି ଅନ୍ତତଃ ପରିବାର ସହିତ ତାକୁ ଭୋଜନ କରିବ। କିନ୍ତୁ, ବ୍ୟାଧିଗ୍ରସ୍ତା ପତ୍ନୀ, ଚାଉଳ ଶୂନ୍ୟ ରୋଷେଇ ଘର, ଅର୍ଧାହାର କ୍ଳିଷ୍ଟ ପରିବାର ସଦସ୍ୟଙ୍କ ସମକ୍ଷରେ ତା’ର ନିଷ୍ପତ୍ତି ବଦଳେ। ଶେଷରେ ଇଲିଶିଟିକୁ କିଣି ନିଏ ତା’ର ଧନିକ ପଡ଼ୋଶୀ। କହିବା ବାହୁଲ୍ୟ, ସେ ଦିନ ପଡ଼ୋଶୀର ଘରୁ ଭାସି ଆସୁଥିବା ଇଲିଶି ଝୋଲର ମହକ ଚାଓବାର ଛାତିକୁ ବିଦୀର୍ଣ୍ଣ କରି ପକାଏ। ଗଳ୍ପଟି ସଂକେତଧର୍ମୀ ଓ ବହୁସ୍ତରୀୟ, ଯେଉଁଠି ଅତୁଲ୍ୟ ସ୍ବାଦ ହେତୁ ଇଲିଶି ପ୍ରତି ଦୁର୍ବାର ଆକର୍ଷଣ ତାକୁ ଏକ ସଂପଦରେ ପରିଣତ କରିଥାଏ, ଯେମିତି ତାହା ସତରେ ସୁନା ଇଲିଶି! ପ୍ରକୃତିର ପ୍ରସାଦରୁ ଭାରତ ଏବେ ସୁନା‌ ଇଲିଶିର ଖଣିରେ ପରିଣତ ହେବାକୁ ବସିଛି। କିନ୍ତୁ ଲୋଭ ଜନିତ ମାତ୍ରାଧିକ ଦୋହନ କାରଣରୁ ଯଦି ପ୍ରକୃତି ବାଂଲାଦେଶ ଭଳି ଭାରତ ପ୍ରତି ମୁହଁ ମୋଡ଼ିଦିଏ, ତେବେ ଭାରତ ଯେ ଏକ ବଡ଼ ସୁଯୋଗ ହରାଇବ, ତାହା କହିବା ବାହୁଲ୍ୟ ମାତ୍ର! ଭୁଲିଗଲେ ହେବ ନାହିଁ ଯେ ସୁନା ଇଲିଶି ମଧ୍ୟ ଲୋଡ଼ିପାରେ ମହାର୍ଘ୍ୟର ମର୍ଯ୍ୟାଦା!

Read Entire Article
LEFT SIDEBAR AD

Hidden in mobile, Best for skyscrapers.