Editorial: ସଂପୂର୍ଣ୍ଣ ପାରିବାରିକ

2 weeks ago 7
ARTICLE AD BOX

ବିଜୟାନନ୍ଦ ପଟ୍ଟନାୟକ

ଚାକିରିରେ ଥିବା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍ ଚାଲିଥିଲା। ଅବସର ନେବା ପରଠାରୁ ପରିସ୍ଥିତି ଆସ୍ତେ ଆସ୍ତେ ବିଗିଡ଼ିବାକୁ ବସିଲାଣି। ବେସରକାରୀ ଚାକିରିରୁ ଅବସର ପରେ ଇପିଏଫ୍ ପେନ୍‌ସନ ମାତ୍ର ଅଢ଼େଇ ହଜାର ଟଙ୍କାରେ ଘରର ସବୁ ଖର୍ଚ୍ଚ ଚଳାଇବା କଷ୍ଟ ହେଲାଣି। ସେତେବେଳେ ସିନା ମାସ ପହିଲାକୁ ଦରମା ଆସୁଥିଲା ବୋଲି କାହାକୁ ହାତ ନ ପତାଇ ନିଜେ ନିଜେ ସବୁ ଖର୍ଚ୍ଚ ଚଳାଇ ନେଉଥିଲେ, ବାହରକୁ କଥା ଜଣାପଡୁ ନ ଥିଲା, ହେଲେ, ଏବେ ପିଲାମାନଙ୍କୁ ଘର ଖର୍ଚ୍ଚ କଥା କହିଲେ ସମସ୍ତେ ଶୁଣି ନ ଶୁଣିଲା ପରି ହେଉଛନ୍ତି। କିଏ କହୁଛି ଦରମା ମିଳିନି ତ ଆଉ କିଏ କହୁଛି ସିଜିନ ମାନ୍ଦା, ଦୋକାନରେ ଭଲ ବେପାର ହେଉନି। ହେଲେ ମାସକୁ ମାସ ଘର ଭଡ଼ା, ଇଲେକ୍ଟ୍ରିକ ବିଲ୍, ପାଣି ବିଲ୍ ଦେବାକୁ ପଡୁଛି। ତା’ ସହ ରହିଛି ମାସକ ଯାକର ଖର୍ଚ୍ଚ! କେମିତି କ’ଣ କରିବେ ବୋଲି ଭାବି ରମାକାନ୍ତ ବାବୁଙ୍କ ମୁଣ୍ଡ ଚକ୍‌କର କାଟିଲାଣି। ଥୁଆ ଟଙ୍କା ଆସ୍ତେ ଆସ୍ତେ ସରିବାକୁ ବସିଲାଣି। ପିଲାମା‌େ‌ନ ତାଙ୍କ ଇଚ୍ଛାରେ କିଛି କିଛି ଦେଇ‌, ଆଉ ନାହିଁ ବୋଲି କହି ରହିଯାଉଛନ୍ତି। ଘର ଭିତରେ ତିନି ପୁଅଙ୍କୁ ବସାଇ ବୁଝାଇଲେ ସେମାନେ ସବୁ ଶୁଣି ଖାଲି ହଁ ମାରି ଯାଉଛନ୍ତି, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁ କଥାକୁ ସେଇ କଥା।
ଅତି ଅସୁବିଧା ହେଲାରୁ ଦିନେ ରମାକାନ୍ତ ବାବୁ ତାଙ୍କ ଶଳା ଓ ଭିଣୋଇଙ୍କୁ ଡାକି ତିନି ପୁଅଙ୍କୁ ବସାଇ ଏ କଥାର ସମାଧାନ କରିବାକୁ କହିଲେ। ତ ସେ ଦିନ ବିସ୍ତର ଆଲୋଚନା ହେଲା। ପିଲାମାନେ ମଧ୍ୟ ସେମାନଙ୍କର କମ୍ ରୋଜଗାର କଥା କହି ଘର ଚଳାଇବାକୁ ଏତେ ଟଙ୍କା ଦେଇପାରିବେନି ବୋଲି କହିଦେଲେ। ଶେଷରେ ମୋଟାମୋଟି ସ୍ଥିର ହେଲା ଯେ ତିନି ପୁଅଯାକ ଯେଝା ପିଲାଛୁଆ ଧରି ଅଲଗା ଅଲଗା ରହିବେ, ବାପା ଓ ମା’ ଗଁାକୁ ଚାଲିଯିବେ। ଗଁାରେ ଘର ଖଣ୍ଡିକ ସଜାଡ଼ିବେ ଓ ବିଲବାଡ଼ିରୁ ଯାହା ଅାମଦାନି ହେଉଛି, ସେଥିରେ ରହିବେ। ଚାକିରିରେ ଥିଲାବେଳେ ସହରରେ ଯେଉଁ ଜାଗା ଖଣ୍ଡକ କିଣିଥିଲେ, ସେଇଟାକୁ ବିକ୍ରି କରିଦେଇ ଯାହା ପାଇବେ, ସେଇ ଟଙ୍କାକୁ ବ୍ୟାଙ୍କ୍‌ରେ ରଖି ଯାହା ସୁଧ ଆସିବ ସେଥିରେ ଦୁଇ ପ୍ରାଣୀ ଚଳିବେ। ତାଙ୍କ ଅନ୍ତେ ପିଲାମ‌ାନେ ଘର, ଜମି ଓ ଟଙ୍କା ଯାହା ଥିବ, ତାକୁ ଭାଗବାଣ୍ଟି ନେବେ। 
କଥାବାର୍ତ୍ତା ଶେଷରେ ରମାକାନ୍ତ ବାବୁଙ୍କ ଶଳା ନବଘନ ବାବୁ ଭଣଜାମାନଙ୍କୁ ପଚାରିଲେ- କ’ଣ ଏ କଥାରେ ସମସ୍ତେ ରାଜି ତ? 
ସାନ ପୁଅ କହିଲା, “ଆମଠି କ’ଣ କଥା ଅଛି! ଆମ ସ୍ତ୍ରୀମାନେ ପୁଣି ଅଛନ୍ତି ନା!’’
ଏବେ ବୋହୂମାନଙ୍କ ପାଳି। ସାନବୋହୂ ପ୍ରଥମେ କହିଲା, “ମାମୁ, ସହରରେ ଜାଗା ଖଣ୍ଡିଏ ଅଛି, ଗଁାରେ ଘର ଓ ବିଲବାଡ଼ି ସବୁ ଅଛି ବୋଲି ଶ୍ବଶୁର କହିଲାରୁ ମୋ ବାପା ଏଠି ବାହାଘର କରିବାକୁ ରାଜି ହୋଇଥିଲେ। ଶ୍ବଶୁର କହିଥିଲେ ଯେ ତାଙ୍କ ପୁଅ ୨୦ ହଜାର ଟଙ୍କା ଦରମା ପାଉଛନ୍ତି, ପର୍ମାନେଣ୍ଟ ଚାକିରି। କିନ୍ତୁ ପରେ ଜାଣିଲି ଯେ ତାହା ମିଛ, ପ୍ରକୃତରେ ଇଏ ୧୨ ହଜାର ଟଙ୍କା ଦରମା ପାଉଛନ୍ତି, ପୁଣି ଚାକିରି ଆଜି ଅଛି ତ କାଲି ନାହିଁ ଭଳି ଅବସ୍ଥା। ମୋ ବାପା କହିଥିଲେ, ଜମିବାଡ଼ି ଅଛି ତ, ତୋର ଚଳିବାରେ କ’ଣ ଅସୁବିଧା? ଏବେ ଯଦି ଜାଗା ବିକ୍ରି କରି ଟଙ୍କା ସବୁ ସିଏ ନେବେ, ଜମିବାଡ଼ିର ଆମଦାନି ସବୁ ସେମାନଙ୍କର, ତେବେ ଆମେ ପାଇବୁ କ’ଣ? ମୁଁ ଏ ନିଷ୍ପତ୍ତିରେ ରାଜି ନୁହଁ।’’ 
ଏହା ଶୁଣି ନବଘନ ରମାକାନ୍ତ ବାବୁଙ୍କ ମୁହଁକୁ ଚାହିଁଲେ। ରମାକାନ୍ତ ବାବୁ ଚୁପ୍‌ ହୋଇ ପଥର ଭଳି ବସିଥାଆନ୍ତି। ଏବେ ମଝିଅା ବୋହୂ ବି ଆରମ୍ଭ କଲା ଓ କହିଲା, “ବାପା ମୋ ବାହାଘର ବେଳେ ବି ମିଛ କହିଛନ୍ତି। ବଡ଼ଭା‌ଇଙ୍କ ଦୋକାନକୁ ଦେଖାଇ ଦୁଇ ପୁଅଙ୍କର ବୋଲି କହି ବାହାଘର କଲେ। ବାହାଘରର ଦିନ କେଇଟା ପରେ ବଡ଼ଭାଇ ୟାଙ୍କୁ ଦୋକାନରୁ ବାହାର କରିଦେଲେ। ଆମେ କେତେ ଯେ ହଇରାଣ ହେଲୁ, କହିଲେ ନ ସରେ! ପରେ ଅବଶ୍ୟ, ବାପା କିଛି ଟଙ୍କା ଦେଲାରୁ ୟାଙ୍କ ଲାଗି ଆଉ ଗୋଟେ ଦୋକାନ ଖୋଲାଗଲା, ହେଲେ ଭଲ ‌ବେପାର ହେଉନାହିଁ! ତେଣୁ, ଏମିତି କେମିତି‌ ହେବ?’’ 
ନବଘନ ଏବେ ବଡ଼ବୋହୂକୁ ପଚାରିଲେ, ତୋ କଥା କ’ଣ କହ? 
ବଡ଼ବୋହୂ କହିଲା, “ମୁଁ କ’ଣ କହିବି? ସେଇ ମିଛ। ବାପା କହିଥିଲେ ବଡ଼ପୁଅ ଅଣ୍ଡରମାଟ୍ରିକ୍। ମୋ ବାପା ଭାବିଲେ ଦଶମ ଯାଏ ପଢ଼ିଥିବ, ଦୋକାନଟାଏ ତ ଅଛି। ଚଳାଇ ଦେବ। ମୁଁ ନବମ ଯାଏଁ ପଢ଼ିଛି। ହେଲେ ବାହାଘର ପରେ ବୁଝୁବୁଝୁ ତାଙ୍କ ପାଠ ପଢ଼ା ମାତ୍ର ସପ୍ତମ। ମୋ ଠୁ ବି କମ୍‌, ବୁଦ୍ଧିରେ ମାନ୍ଦା, ମୁଁ ବୁଦ୍ଧି ଖଟଉଛି ବୋଲି ଦୋକାନଟି ଯାହିତାହି ଚାଲିଛି। ଜାଗା ବିକ୍ରି କରି ଆମକୁ କିଛି ନ ଦେଲେ କେମିତି ଚଳିବ?’’ 
ଏ ସବୁ କଥା ଶୁଣି ସାରି ନବଘନ ଦୀର୍ଘଶ୍ବାସଟିଏ ପକାଇ ରମାକାନ୍ତଙ୍କୁ ପଚାରିଲେ, “ଭାଇ ଏମାନେ ଯାହା କହୁଛନ୍ତି କ’ଣ ସବୁ ସତ?’’ 
ରମାକାନ୍ତ ବାବୁ ଧୀରେ କହିଲେ, “ସତ। କିନ୍ତୁ ମୁଁ ଏମିତି କଲି କାହିଁକି ତା’ ତ ବୁଝ! ଟିକିଏ ମିଛ କହି ନଥିଲେ ଏ ତିନିଟା ଯାକ ପୁଅ ମନଲାଖି ଝିଅ ପାଇ ନଥାନ୍ତେ।’’ 
ନବଘନ ବାବୁ କହିଲେ, “ହେଲା, ତା’ ବୋଲି ତୁମେ ବାହାଘର ଭଳି କଥାରେ ମିଛ କହିବ? ଯେଉଁଠି ଦୁଇ ପରିବାର ଭିତରେ ସବୁଦିନିଆ ସଂପର୍କ ଗଢ଼ାଯାଉଛି, ସେଠି ଏମିତି ମିଛ କହିବା ଯେ ଅନର୍ଥ, ତାହା କ’ଣ ତୁମେ ଜାଣି ନ ଥିଲ!’’ 
ଅଗଣାରେ ଟିକିଏ ଦୂରରେ ବସିଥିବା ପିଲାମାନଙ୍କ ମା’ ଶକୁନ୍ତଳା ଦେବୀଙ୍କ ଉଦ୍ଦେଶ୍ୟରେ ନବଘନ କହିଲେ, “ଦେଈ, ତୁ କେମିତି ଭାଇଙ୍କୁ ସେତେବେଳେ ମନା କଲୁନି!’’
ଶକୁନ୍ତଳା ସବୁବେଳେ ସ୍ବଳ୍ପଭାଷୀ। ଭୟାଳୁ ସ୍ବଭାବର। ତାଙ୍କ ବୟସ ଥିବାବେଳେ ରମାକାନ୍ତ ବାବୁଙ୍କ ପ୍ରକୋପରେ ସେ ଡରି ମରି ରହିଥିଲେ। ଏବେ ସେଠି ବସି ସବୁ କଥା ଶୁଣୁଥିଲା ବେଳେ ଏଇ ଭାବନାରେ ବୁଡ଼ି ଯାଇଥିଲେ ଯେ ଯୁଗ ସତରେ ଓଲଟି ଯାଇଛି! ଜୀବନ ଯାକ ମୁଁ ୟାଙ୍କୁ ଡରିମରି ରହୁଥିଲି। ଆଉ ଆଜି ମୋ ପୁଅମାନେ ସେମାନଙ୍କର ସ୍ତ୍ରୀମାନଙ୍କୁ ଡରୁଛନ୍ତି! 
ଏମିତି ଭାବନା ଭିତରେ ହଜି ଯାଇଥିବା ବେଳେ ନବଘନ ବାବୁଙ୍କ ପ୍ରଶ୍ନ ତାଙ୍କ କାନରେ ପଶି ନ ଥିଲା। ଏଣେ, ରମାକାନ୍ତ ବାବୁ ପଶ୍ଚାତ୍ତାପ କରି ଭାବୁଥିଲେ, ଭୁଲ୍‌ ତ ହୋଇଯାଇଛି, ଏବେ କ’ଣ କରାଯିବ?
ତେବେ ଏ ପ୍ରଶ୍ନର ଠିକଣା ଉତ୍ତରଟିଏ ବୋଧହୁଏ କାହା ପାଖରେ ନ ଥିଲା। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୨୬୯୯୬୫

Read Entire Article
LEFT SIDEBAR AD

Hidden in mobile, Best for skyscrapers.