Editorial: ଶିକ୍ଷାର ଉଦ୍ଦେଶ୍ୟ ଓ ଆଦର୍ଶ: ହରେକୃଷ୍ଣ ଶତପଥୀଙ୍କ ସମ୍ପାଦକୀୟ କଲମରୁ ନିଃସୃତ...

58 minutes ago 1
ARTICLE AD BOX

ଶିକ୍ଷାର ଉଦ୍ଦେଶ୍ୟ ଓ ଆଦର୍ଶ

ହରେକୃଷ୍ଣ ଶତପଥୀ

ପ୍ରତ୍ୟେକ ବ୍ୟକ୍ତିର ଅନ୍ତର୍ନିହିତ ଦିବ୍ୟ ଚେତନାର ପରିପ୍ରକାଶର ଉପଯୁକ୍ତ ମାଧ୍ୟମ ହେଉଛି ଶିକ୍ଷା। ଏହା ବ୍ୟକ୍ତିର ଭୌତିକ, ମାନସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଏକ ସମୃଦ୍ଧ, ସୁସ୍ଥ ଓ ସୁନ୍ଦର ରାଷ୍ଟ୍ର ନିର୍ମାଣରେ ମଧ୍ୟ ଉପାଦେୟ ହୋଇଥାଏ। ଆଜିର ପରିପ୍ରେକ୍ଷୀରେ ଶିକ୍ଷା ମଣିଷକୁ ଏକ ସର୍ବାଙ୍ଗସୁନ୍ଦର ଓ ସମ୍ଭାବନାପୂର୍ଣ୍ଣ ଜୀବନଯାପନ କରିବାର କଳ ଓ କୌଶଳ ଶିଖାଇବା ସଙ୍ଗେ ସଙ୍ଗେ ଉପଯୁକ୍ତ ଜୀବିକା ମଧ୍ୟ ଯୋଗାଇ ଦେବାରେ ସହାୟକ ହୋଇଥାଏ।

ଆହୁରି ପଢ଼ନ୍ତୁ- Lok Sabha: ଲୋକସଭାରେ ଟିକସ ଓ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍‌ ଆଗତ

ଏହି ଭଳି ଉଭୟ ପରା ଓ ଅପରା ବିଦ୍ୟା ଶିକ୍ଷା ପାଇଁ ଭାରତବର୍ଷରେ ବହୁ ପ୍ରାଚୀନ କାଳରେ ଗୁରୁକୁଳମାନ ଥିଲେ ଏବଂ ଏହାର ମୁଖ୍ୟ କୁଳଗୁରୁ ଭାବରେ ଆମେ ବ୍ୟାସ, ବଶିଷ୍ଠ, ଭରଦ୍ୱାଜ, ବାଲ୍ମୀକିଙ୍କ ଭଳି ଜଣେ ଜଣେ ଋଷିଙ୍କୁ ପାଇଥାଉଁ। ସ୍ନେହ, ସୌହାର୍ଦ୍ଦ, ବାତ୍ସଲ୍ୟ ଓ ବନ୍ଧୁତ୍ୱର ବାତାବରଣରେ ଶିକ୍ଷା ପ୍ରଦାନ କରି ବିଦ୍ୟାର୍ଥୀମାନଙ୍କୁ ଆଦର୍ଶ ମଣିଷ ଭାବରେ ଗଢ଼ି ତୋଳିବାର ଏହି ଗୁରୁକୁଳ ଶିକ୍ଷା ପରଂପରାରେ ଋଷି ପତ୍ନୀମାନେ ମଧ୍ୟ ଅଂଶ ଗ୍ରହଣ କରୁଥିଲେ। ଏହି ପ୍ରସଙ୍ଗରେ ବେଦାଙ୍ଗ ନିରୁକ୍ତର ତୃତୀୟ ଅଧ୍ୟାୟର ଚତୁର୍ଥ ଖଣ୍ଡରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିବା ପାଇଁ ଜନୈକ କୁଳଗୁରୁ ଯେତେବେଳେ ଏକ ‘ଗୁରୁକୁଳ’ ଆରମ୍ଭ କରିବା ପାଇଁ ଉଦ୍ୟତ ହେଲେ; ସେତେବେଳେ ସ୍ୱୟଂ ଶିକ୍ଷା ବା ବିଦ୍ୟାଦେବୀ ତା’ଙ୍କ ସମକ୍ଷରେ ଆବିର୍ଭୂତ ହୋଇ କହିଲେ- “ହେ ମହର୍ଷି! ଆପଣ ମୋର ସଂପ୍ରସାରଣ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି; ତାହା ବାସ୍ତବରେ ଅଭିନନ୍ଦନୀୟ। କିନ୍ତୁ ମୋର ଏକ ବିନମ୍ର ନିବେଦନ। ମୁଁ ହେଉଛି ଏହି ରାଷ୍ଟ୍ରର ସଂପତ୍ତି ଏବଂ ବିଶ୍ୱ ସମାଜର ଏକ ଗୌରବମୟୀ ପରମ୍ପରାର ବାହକ। ମୋତେ ସୁରକ୍ଷା ପ୍ରଦାନ କରିବା ହେବ ଆପଣଙ୍କ ଦାୟିତ୍ବ। କୌଣସି ଈର୍ଷାଳୁ, ଅହଙ୍କାରୀ, ଅସଂଯତ ଓ ଅଯୋଗ୍ୟ ବ୍ୟକ୍ତି ହାତରେ ମୋତେ କଦାପି ସମର୍ପି ଦେବେ ନାହିଁ। ଅଯୋଗ୍ୟ ହାତରେ ପଡ଼ିଗଲେ ମୁଁ ବିପନ୍ନ ଓ ଅସୁରକ୍ଷିତ ହୋଇଯିବି। ରାଷ୍ଟ୍ରର ଅନିଷ୍ଟ ହେବ ଏବଂ ସର୍ବୋପରି ସମାଜ ପାଇଁ ବିପଦ ମାଡ଼ି ଆସିବ। ତେଣୁ ମୋତେ ସବୁବେଳେ ସଦାଚାର ସଂପନ୍ନ, ଦାୟିତ୍ୱବାନ, ମୋଧାବୀ, ଧର୍ମପରାୟଣ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରୁଥିବ।” ସେହି ଦିନ ଠାରୁ ଗୁରୁଶିଷ୍ୟ ପରମ୍ପରା ଧାରା କେତେବେଳେ ସରଳ ତ କେତେବେଳେ ଜଟିଳ ମାର୍ଗରେ ବିଭିନ୍ନ ସାଫଲ୍ୟ ଓ ବୈଫଲ୍ୟର ଲୁଚକାଳି ମଧ୍ୟରେ ଚାଲି ଆସୁଛି। 

ଆଜି ତାରିଖରେ, କେବଳ ଓଡ଼ିଶା ନୁହେଁ; ସମଗ୍ର ଭାରତବର୍ଷର ଶିକ୍ଷା ପରମ୍ପରା, ପଦ୍ଧତି, ପ୍ରକ୍ରିୟା ଓ ପରିଣାମକୁ ଅନୁଶୀଳନ କଲେ ସେଦିନର ବିଦ୍ୟା ଦେବୀଙ୍କର ଆକୁଳ ନିବେଦନର ପ୍ରକୃତ ତାତ୍ପର୍ଯ୍ୟ ବୁଝି ହୋଇଥାଏ। ସାଂପ୍ରତିକ ପରିସ୍ଥିତିରେ ବିଦ୍ୟା ଦେବୀ ଅସୁରକ୍ଷିତ ଏବଂ ବିପନ୍ନ ବୋଲି ମଣୁଥିବା ସୁନିଶ୍ଚିତ। 

ଆହୁରି ପଢ଼ନ୍ତୁ- Operation trishul: ବିଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଲା ଭାରତ

ଏଥିରେ ଦ୍ବିରୁକ୍ତି ନାହିଁ ଯେ କୋମଳମତି ଜିଜ୍ଞାସୁ ବିଦ୍ୟାର୍ଥୀମାନଙ୍କର ଜୀବନ ଓ ଦକ୍ଷତା ନିର୍ମାଣ କରିବା ପାଇଁ ଉତ୍ତରଦାୟୀ ହେଉଛନ୍ତି ଶିକ୍ଷା ବିଭାଗର ପରିଚାଳନାର ଦାୟିତ୍ୱ ଗ୍ରହଣ କରିଥିବା ଶାସକ ଓ ଅଧିକାରୀ ଏବଂ ଗୁରୁ ଗଣ। ଏହି ପରିପ୍ରେକ୍ଷୀରେ ବେଦାଙ୍ଗ ନିରୁକ୍ତର ଉକ୍ତ ଅଂଶକୁ ଅଧ୍ୟୟନ କରିବା ଆବଶ୍ୟକ ବୋଲି ମନେ ହୁଏ। ଶିକ୍ଷା ଦାନ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ସେହି ଆଧାରରେ ଆତ୍ମସମୀକ୍ଷା କରିବା ଉଚିତ। କାରଣ ଶିକ୍ଷା ବେଳକୁ ବେଳ ଦିଗହରା ହେବାରେ ଲାଗିଛି। ଅଧିକାରୀମାନଙ୍କ ଠାରେ ‘ଅହଂ ବ୍ରହ୍ମାସ୍ମି’ ମନୋବୃତ୍ତି, ଗୁରୁମାନଙ୍କ ସକାଶେ ‘ଶିକ୍ଷା ଏକ ଜୀବନବ୍ୟାପୀ’ କର୍ତ୍ତବ୍ୟ ନ ହୋଇ ଏକ ବୃତ୍ତି ମାତ୍ରରେ ପରିଣତ ହେବା, ସର୍ବୋଚ୍ଚ ଗାଦିରେ ଆସୀନ ମହାବାହୁମାନଙ୍କର ଶିକ୍ଷା ପ୍ରତି ହେୟମନ୍ୟ ଭାବ ଆଦି ମିଶିଯାଇ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ କରୁଛି। ଏଣେ, ଆଶାର ପିରାମିଡ୍ ତିଆରି କରି ଶୀର୍ଷରେ ବସିଥିବା ଅଭିଭାବକମାନଙ୍କର ସ୍ୱପ୍ନ ଉପରେ ଯବନିକା ପଡ଼ିଯାଉଛି। 

ଆମ ଶିକ୍ଷା ବ୍ୟବସ୍ଥାକୁ ନେଇ ତରୁଣତରୁଣୀମାନଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ କିଭଳି ଆନ୍ଦୋଳନର ରୂପ ନେଲା, ତାହା ଆମେ ସମସ୍ତେ ଦେଖିଲେ। ଦେଶ ତମାମ ବିଭିନ୍ନ ପରୀକ୍ଷାର ବାରମ୍ବାର ପ୍ରଶ୍ନପତ୍ର ଲିକ୍‌ ହେବା, ଆମ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଦ୍ଦିଷ୍ଟ ପାଠ୍ୟ ପୁସ୍ତକରେ ହଜାରେରୁ ଅଧିକ ତ୍ରୁଟି ଦେଖାଯିବା ଆଦି ଭଳି ଘଟଣାରେ କଠିନ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଗଭୀର ଭାବେ ମୁହ୍ୟମାନ। ଏବେ ସମସ୍ତେ ଚାହାନ୍ତି ଯେ ଶିକ୍ଷା କ୍ଷେତ୍ରରେ ମୌଳିକ ଏବଂ ବ୍ୟାପକ ସଂସ୍କାର ଆସିବା ଜରୁରି। ଏହି ସମୟରେ ଶିକ୍ଷା ବ୍ୟବସ୍ଥାର ପୁରୋଧାମାନଙ୍କ ହୃଦୟରେ ବେଦାଙ୍ଗ ନିରୁକ୍ତରେ ଥିବା ବିଦ୍ୟା ଦେବୀଙ୍କ ବାଣୀ ଗୁଂଜରିତ ହେବା ଆବଶ୍ୟକ। ଶିକ୍ଷାକୁ ସୁରକ୍ଷିତ କରି ରଖାଯାଇପାରିଲେ ଆଗାମୀ ପିଢ଼ିର ଭବିଷ୍ୟତ ସୁରକ୍ଷିତ ହେବ ଏବଂ ସେମାନଙ୍କ ହେପାଜତରେ ଆମ ରାଷ୍ଟ୍ର ମଧ୍ୟ ସୁରକ୍ଷିତ ହେବ। 
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୮୭୬୩୭୦୬୬୯୫

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.