ARTICLE AD BOX
କୌଣସି ଏକ ସାର୍ବଜନୀନ କ୍ଷେତ୍ରରେ ନିଜର ଦୃଷ୍ଟି ପଥରୁ ନାରୀମାନଙ୍କୁ ବିତାଡ଼ିତ କରିବା ପରିବର୍ତ୍ତେ ଏଭଳି ବ୍ରହ୍ମଚାରୀମାନେ ନିଜର ଆତ୍ମସଂଯମରେ ବୃଦ୍ଧି ଘଟାଇବା ଉଚିତ, ଯେମିତି ନାରୀମାନଙ୍କ ଉପସ୍ଥିତି ସେମାନଙ୍କ ଠାରେ ଆଦୌ ଚିତ୍ତଚାଞ୍ଚଲ୍ୟ ସୃଷ୍ଟି ନ କରିପାରେ। ଏମିତିରେ ନାରୀମାନଙ୍କ ପ୍ରତି ଏଭଳି ଆଭିମୁଖ୍ୟ ସେମାନଙ୍କୁ ପୁନରାୟ ସେଇ ପାରମ୍ପରିକ ସମୟକୁ ପଛୁଅା ଠେଲି ଦେଇଥାଏ, ଯେତେବେଳେ ସେମାନଙ୍କୁ ସର୍ବଦା ପ୍ରଲୋଭନକାରିଣୀ ରୂପେ ଦୋଷୀ ସାବ୍ୟସ୍ତ କରାଯାଇଥାଏ- ଋଷିମାନଙ୍କ ତପସ୍ୟା ଭଙ୍ଗ ପାଇଁ ଦାୟୀ କରାଯାଉଥିଲା ରମ୍ଭା, ମେନକା, ଉର୍ବଶୀମାନଙ୍କୁ, ଋଷିମାନଙ୍କର ସଂଯମରେ ଅଭାବକୁ ନୁହେଁ।
Annual function: ‘ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ’
ଗୁଜରାଟରେ ଜନ୍ମଲାଭ କରିଥିବା ଅତ୍ୟନ୍ତ ପ୍ରଭାବଶାଳୀ ଧର୍ମୀୟ ସଂସ୍ଥା ‘ବୋଚାସନ୍ବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା’ ବା ସଂକ୍ଷେପରେ ‘ବାପ୍ସ’ର ଏକ ସନ୍ନ୍ୟାସୀ ଦଳଙ୍କର ପ୍ୟାରିସ୍ର ସୁପ୍ରସିଦ୍ଧ କୀର୍ତ୍ତି ଏଇଫେଲ୍ ଟାୱାର ପରିଦର୍ଶନକୁ କେନ୍ଦ୍ରକରି ଫ୍ରାନ୍ସରେ ଏବେ ଯେଉଁ ବିବାଦର ସୂତ୍ରପାତ ହୋଇଛି, ତାହାର ବିଭିନ୍ନ ଦିଗ ରହିଥିଲେ ହେଁ, ଯେଉଁଟି ସର୍ବପ୍ରଥମେ ଆମ ଚେତନାକୁ ଆଘାତ କରିଥାଏ, ତାହା ହେଲା ଏହା ବହନ କରୁଥିବା ଏକ ତୀକ୍ଷ୍ଣ ଦାର୍ଶନିକ ବିଡ଼ମ୍ବନା। ପ୍ୟାରିସ୍ ହେଉଛି ସେଇ ସହର, ଯେଉଁଠି ୧୯୪୯ରେ ପୃଥିବୀରେ ନାରୀମୁକ୍ତି ଆନ୍ଦୋଳନର ଦ୍ବିତୀୟ ଲହରର ମୂଳଦୁଆ ପଡ଼ିଥିଲା। ଏଇ ମୂଳଦୁଆ ପକାଇଥିଲା ସେ ବର୍ଷ ସେଠାରେ ଏକ ଯୁଗାନ୍ତକାରୀ ତଥା ବୈପ୍ଳବିକ ପୁସ୍ତକର ପ୍ରକାଶନ, ଯାହାର ଶୀର୍ଷକ ଥିଲା: ‘ଦି ସେକେଣ୍ଡ ସେକ୍ସ’ ବା ‘ଦ୍ବିତୀୟ ଲିଙ୍ଗ’।
ଦାର୍ଶନିକା ସିମନ୍ ଡି ବିଭ୍ବାଙ୍କ ଦ୍ବାରା ରଚିତ ଏହି ପୁସ୍ତକର ଏହି ଶୀର୍ଷକରୁ ହିଁ ଏହାର ବିଷୟବସ୍ତୁ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା କରି ହୋଇଥାଏ। ତାହା ହେଲା- ନାରୀମାନେ ହେଉଛନ୍ତି ସମାଜରେ ଥିବା ଦୁଇଟି ଲିଙ୍ଗର ମନୁଷ୍ୟମାନଙ୍କ ମଧ୍ୟରେ ଦ୍ବିତୀୟ ଶ୍ରେଣୀର ଲିଙ୍ଗ, ଅର୍ଥାତ୍ ସମାଜର ଗୁରୁତ୍ବହୀନ ଗୌଣ ସଦସ୍ୟ। ପ୍ରଥମ ଲିଙ୍ଗ ହେଉଛନ୍ତି ଚିରାଚରିତ ଭାବରେ- ପୁରୁଷ। ନାରୀମାନଙ୍କୁ ତେଣୁ ସର୍ବଦା ସମାଜର ମୁଖ୍ୟସ୍ରୋତ ଠାରୁ ଦୂରେଇ ରଖା ହୋଇଥାଏ।
ଡି ବିଭ୍ବାଙ୍କ ଦ୍ବାରା ଏଥିପ୍ରତି ଶାଣିତ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏହା ବିରୁଦ୍ଧରେ ଯେଉଁ ପୃଥିବୀବ୍ୟାପୀ ଆନ୍ଦୋଳନର ଲହରୀ ସୃଷ୍ଟି ହେଲା, ତାହାର ଫଳସ୍ବରୂପ କେବଳ ଇସଲାମୀୟ ଦେଶମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସର୍ବତ୍ର ଯେ ନାରୀମାନେ ସମ୍ମୁଖୀନ ହୋଇ ଆସୁଥିବା ବିଭିନ୍ନ ବିଦ୍ବେଷର ଦ୍ରୁତ ଅନ୍ତର୍ଦ୍ଧାନ ଘଟିବାକୁ ଲାଗିଛି, ତାହା ସର୍ବଜନବିଦିତ। ଆଉ ଯେଉଁ ଦେଶରେ ଏହାର ପ୍ରାୟ ସମୂଳ ବିଲୟ ଘଟି ସେଠାରେ ପ୍ରାୟ ସଂପୂର୍ଣ୍ଣ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠିତ ହୋଇଛି, ସେ ଦେଶ ହେଉଛି ଅବଶ୍ୟ ଡି ବିଭ୍ବାଙ୍କର ନିଜ ଦେଶ- ଫ୍ରାନ୍ସ। ସେଇ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ଦଣ୍ଡାୟମାନ ଏଇଫେଲ୍ ଟାୱାରଠାରେ ସେଦିନ ଘଟିଥିବା ନିମ୍ନୋକ୍ତ ଘଟଣା ସେଠାରେ ତେଣୁ କିଭଳି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବ, ତାହା ସହଜେ ଅନୁମେୟ।
ପ୍ୟାରିସ୍ ନିକଟରେ ନିର୍ମିତ ‘ବାପ୍ସ’ର ଏକ ନୂତନ ଭବ୍ୟ ମନ୍ଦିରର ଉଦ୍ଘାଟନ ଉତ୍ସବରେ ଅଂଶଗ୍ରହଣ କରିଥିବା ଏଇ ସଂସ୍ଥାର ପ୍ରାୟ ଶହେ ଜଣ ସନ୍ନ୍ୟାସୀ ଏଇଫେଲ୍ ଟାୱାର ପରିଦର୍ଶନରେ ଯାଇଥିଲେ। ଏମାନେ ସଂସ୍ଥାର ପରମ୍ପରା ଅନୁସରଣ କରି କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିଥାନ୍ତି। ଏହାର ଅଂଶସ୍ବରୂପ ସେମାନେ ସର୍ବଦା ନାରୀମାନଙ୍କ ଠାରୁ ‘ନିରାପଦ ଦୂରତ୍ବ’ ରକ୍ଷା କରି ଭଗବତ୍ ଚିନ୍ତନରେ ସମୟ ବିତାଇଥାନ୍ତି। ପ୍ରକାଶିତ ସମ୍ବାଦରୁ ଯେଉଁ ଚିତ୍ରର ଆବିର୍ଭାବ ଘଟିଛି, ତାହା ଅନୁସାରେ ‘ବାପ୍ସ’ର ଅନୁରୋଧ ରକ୍ଷା କରି ଏଇଫେଲ୍ ଟାୱାରର ପରିଚାଳକମାନଙ୍କ ଦ୍ବାରା ଏଇ ସନ୍ନ୍ୟାସୀ ଗୋଷ୍ଠୀର ପରିଦର୍ଶନ ସମୟରେ ସେଠାରେ ମୁତୟନ ଥିବା ମହିଳା କର୍ମଚାରୀମାନଙ୍କୁ ସାମୟିକ ଭାବରେ ସ୍ଥାନାନ୍ତରିତ କରାଯାଇ ସେମାନଙ୍କ ସ୍ଥାନରେ ସେଇ ସମୟରେ ପୁରୁଷ କର୍ମଚାରୀମାନଙ୍କୁ ମୁତୟନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ- ମହିଳାମାନଙ୍କୁ ପରିଦର୍ଶକ ବ୍ରହ୍ମଚାରୀମାନଙ୍କର ଦୃଷ୍ଟି ପଥରୁ ଅନ୍ତର୍ହିତ କରିବା।
ଏକାଧିକ କାରଣରୁ ଉଭୟ ‘ବାପ୍ସ’ ଓ ଏଇଫେଲ୍ ଟାୱାର ପରିଚାଳକମାନଙ୍କର ଏତାଦୃଶ ଆଚରଣ ସମସ୍ୟାମୂଳକ ମନେ ହୋଇଥାଏ। ଏହା ନାରୀମାନଙ୍କୁ ପୁଣି ସିମନ୍ ଡି ବିଭ୍ବା ପ୍ରଦର୍ଶିତ ଦ୍ବିତୀୟ ଶ୍ରେଣୀ ଲିଙ୍ଗର ଛାଞ୍ଚ ଭିତରକୁ ଠେଲି ଦେଇଥାଏ, ସେମାନଙ୍କର ସ୍ଥାନ ପୁରୁଷମାନଙ୍କ ଦ୍ବାରା ନିରୂପିତ ହୋଇଥାଏ। ଏପରିକି ସେମାନେ ଯେଉଁ କାର୍ଯ୍ୟ କରିବା ପାଇଁ ବିଧିବଦ୍ଧ ଭାବରେ ନିଯୁକ୍ତି ଲାଭ କରିଛନ୍ତି, ତାହା ସଂପାଦନ କରିବା ମଧ୍ୟ ପୁରୁଷମାନଙ୍କର ଅନୁମୋଦନ ଉପରେ ନିର୍ଭର କରେ- ଏହା ଏଇଫେଲ୍ ଟାୱାରଠାରେ ପରିଦୃଷ୍ଟ ହୋଇଛି।
Horoscope 2026 September 12: ଜାଣନ୍ତୁ ଆଜିର ରାଶିଫଳ...
ଏଠାରେ ସ୍ପଷ୍ଟ କରି ଦିଆଯିବା ଆବଶ୍ୟକ ଯେ ବ୍ରହ୍ମଚର୍ଯ୍ୟ ପାଳନ ପାଇଁ କୌଣସି ସନ୍ନ୍ୟାସୀଙ୍କର ଅଧିକାର ହେଉଛି ପ୍ରଶ୍ନାତୀତ ଓ ଏହା ତାଙ୍କର ନିଜର ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ। ଏହା କିନ୍ତୁ ହେଉଛି ସଂପୂର୍ଣ୍ଣ ରୂପେ ଏକ ବ୍ୟକ୍ତିଗତ ଅଧିକାର; ଯେ ପର୍ଯ୍ୟନ୍ତ ଏହା ଦ୍ବାରା ସେ ଅନ୍ୟ କାହାରି କ୍ଷତି ନ ଘଟାନ୍ତି, ନିଜର ବ୍ୟକ୍ତିଗତ ପରିସରରେ ସେ ଏଇ ଅଧିକାର ଉପଭୋଗ କରିବା ପାଇଁ ସଂପୂର୍ଣ୍ଣ ରୂପେ ହକ୍ଦାର। କିନ୍ତୁ ତାଙ୍କର ଏଇ ଅଧିକାର ଜାହିର କରିବା ପାଇଁ ସେ ସାର୍ବଜନୀନ କ୍ଷେତ୍ରରେ ଅନ୍ୟମାନଙ୍କର ଆଚରଣ ବା କାର୍ଯ୍ୟକଳାପରେ ପରିବର୍ତ୍ତନ ଦାବି କରିପାରିବେ ନାହିଁ। କୌଣସି ଏକ ସାର୍ବଜନୀନ କ୍ଷେତ୍ରରେ ନିଜର ଦୃଷ୍ଟି ପଥରୁ ନାରୀମାନଙ୍କୁ ବିତାଡ଼ିତ କରିବା ପରିବର୍ତ୍ତେ ଏଭଳି ବ୍ରହ୍ମଚାରୀମାନେ ନିଜର ଆତ୍ମସଂଯମରେ ବୃଦ୍ଧି ଘଟାଇବା ଉଚିତ, ଯେମିତି ନାରୀମାନଙ୍କ ଉପସ୍ଥିତି ସେମାନଙ୍କ ଠାରେ ଆଦୌ ଚିତ୍ତଚାଞ୍ଚଲ୍ୟ ସୃଷ୍ଟି ନ କରିପାରେ। ଏମିତିରେ ନାରୀମାନଙ୍କ ପ୍ରତି ଏଭଳି ଆଭିମୁଖ୍ୟ ସେମାନଙ୍କୁ ପୁନରାୟ ସେଇ ପାରମ୍ପରିକ ସମୟକୁ ପଛୁଅା ଠେଲି ଦେଇଥାଏ, ଯେତେବେଳେ ସେମାନଙ୍କୁ ସର୍ବଦା ପ୍ରଲୋଭନକାରିଣୀ ରୂପେ ଦୋଷୀ ସାବ୍ୟସ୍ତ କରାଯାଇଥାଏ- ଋଷିମାନଙ୍କ ତପସ୍ୟା ଭଙ୍ଗ ପାଇଁ ଦାୟୀ କରାଯାଉଥିଲା ରମ୍ଭା, ମେନକା, ଉର୍ବଶୀମାନଙ୍କୁ, ଋଷିମାନଙ୍କର ସଂଯମରେ ଅଭାବକୁ ନୁହେଁ।
ଫ୍ରାନ୍ସରେ ଅନୁସୃତ କଠୋର ଧର୍ମନିରପେକ୍ଷ ନୀତି ପାଇଁ ମଧ୍ୟ ଏଇଫେଲ୍ ଟାୱାର ଘଟଣା ସମସ୍ୟା ସୃଷ୍ଟି କରିଥାଏ। ଫରାସୀ ବିପ୍ଳବ ଦ୍ବାରା ସେଠାରେ ରାଜତନ୍ତ୍ର ଓ କ୍ୟାଥଲିକ୍ ଚର୍ଚ୍ଚର ପ୍ରଭାବରେ ହ୍ରାସ ଘଟିବା ପରେ ଊନବିଂଶ ଶତାବ୍ଦୀର ଅନ୍ତିମ କାଳଠାରୁ ଫ୍ରାନ୍ସରେ ଯେଉଁ ‘ଲାଇସିତେ’ ବା ଧର୍ମନିରପେକ୍ଷତା ଅନୁସୃତ ହୋଇ ଆସିଛି ତାହା ଧର୍ମବିଶ୍ବାସ ବାବଦରେ ବ୍ୟକ୍ତିଗତ ଓ ସାର୍ବଜନୀନ କ୍ଷେତ୍ର ମଧ୍ୟରେ ଏକ ସ୍ପଷ୍ଟ ବିଭାଜକ ରେଖା ଅଙ୍କନ କରିଥାଏ। ଏହା ଅନୁସାରେ ଧର୍ମବିଶ୍ବାସର ସ୍ଥାନ ହେଉଛି ବ୍ୟକ୍ତିଗତ ଦୁନିଆରେ; ସାର୍ବଜନୀନ କ୍ଷେତ୍ରରେ ବ୍ୟକ୍ତିର ଏକମାତ୍ର ପରିଚୟ ହେଉଛି- ସେ ଜଣେ ନାଗରିକ ଏବଂ ପ୍ରତ୍ୟେକ ନାଗରିକ ହେଉଛନ୍ତି ସମାନ, ତାଙ୍କର ବ୍ୟକ୍ତିଗତ ଧର୍ମବିଶ୍ବାସ ଯାହା ହୋଇଥାଉ ନା କାହିଁକି। ତେଣୁ କୌଣସି ପରିଦର୍ଶକଙ୍କର ଧର୍ମୀୟ ଆବଶ୍ୟକତା ପୂରଣ କରିବା ପାଇଁ କୌଣସି କର୍ତ୍ତବ୍ୟରତ ମହିଳା କର୍ମଚାରୀଙ୍କୁ ସାମୟିକ ଭାବରେ ସ୍ଥାନାନ୍ତରିତ କରିବା ଏଇ ‘ଲାଇସିତେ’ର ସିଧାସଳଖ ଉଲ୍ଲଂଘନ କରିଥାଏ।
ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ- ‘ବାପ୍ସ’ ସନ୍ନ୍ୟାସୀମାନେ ସେଠାରେ ହେଉଛନ୍ତି ଅତିଥି। ଅତିଥି କେବେହେଲେ ନିଜର ରୁଚି ସହିତ ଖାପ ଖାଇବା ପାଇଁ ଗୃହସ୍ବାମୀଙ୍କୁ ତାଙ୍କର ଆଚରଣ ବଦଳାଇବା ପାଇଁ ଅନୁରୋଧ କରିବା ଶିଷ୍ଟାଚାର ନୁହେଁ।
ତେବେ ସାନ୍ତ୍ବନାର କଥା, ଏ ସମଗ୍ର ଅଘଟଣରେ ସଂପୃକ୍ତ ଉଭୟ ପକ୍ଷ ଶେଷରେ ନିଜର ଭୁଲ୍ ବୁଝିପାରି ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ହିଁ ପରିପକ୍ବତାର ପରିଚୟ।

6 days ago
7


