ARTICLE AD BOX
ଏକ ରେକର୍ଡ ଅନୁସାରେ ୨୦୧୩ରୁ ୨୦୨୩ ମସିହା ମଧ୍ୟରେ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡରେ ହୋଇଥିବା ୧୦୩ଟି ଚଢ଼ାଉରେ ୧୬୧ଟି ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇପାରିଥିଲା, ଯହିଁରୁ ଅଧାରୁ ଅଧିକ ଥିଲେ ଛୁଆ। ଶଂସିତ ଘଟଣାରେ ତଦନ୍ତ ଲାଗି ଗଠିତ ହୋଇଥିବା ଦଳ ତା’ ଉଦ୍ୟମରେ ସଫଳ ହେବ ବୋଲି ଆମେ ଆଶା କରିବା, କିନ୍ତୁ, ଶିକୁଳିର କଡ଼ିକୁ ଠାବ କରିବାରେ ଦାୟିତ୍ବ ସମାପ୍ତ ହେବ ନାହିଁ। କଡ଼ିକୁ ଛିନ୍ନ କରି ଶିକୁଳିକୁ ଭାଙ୍ଗି ଦେବାରେ ହିଁ ନିହିତ ପ୍ରକୃତ ସଫଳତା।
Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି
ଗଲା ବୁଧବାରଠାରୁ ଯେଉଁ ଭିଡିଓ କ୍ଲିପ୍ଟି ଉଭୟ ସାମାଜିକ ଓ ମୁଖ୍ୟସ୍ରୋତୀୟ ଗଣମାଧ୍ୟମରେ ସର୍ବାଧିକ ଆଦୃତ ହୋଇଛି, ତାହା ହେଲା ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର-ତଳସାରି ଅଞ୍ଚଳର, ଏକ କାଜୁ ଜଙ୍ଗଲରେ, ପାଞ୍ଚଟି କୌତୁକିଆ ଓରାଙ୍ଗଉଟାନ ଛୁଆ ନିଜ ଭିତରେ ନିମଗ୍ନ ଥିବାର ଦୃଶ୍ୟ। କହିବା ଅନାବଶ୍ୟକ ଯେ ଏହି ଘଟଣାଟି ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ମଧ୍ୟ ମଣ୍ଡନ କଲାଣି, କାରଣ ‘ପ୍ରାଇମେଟ’ (ବାନର) ବଂଶର ଏକ ଅତ୍ୟନ୍ତ ବିରଳ ଓ ସଂକଟାପନ୍ନ ପ୍ରାଣୀ ପ୍ରଜାତି ରୂପେ ପରିଗଣିତ ଓରାଙ୍ଗଉଟାନମାନେ କେବଳ ଇଣ୍ଡୋନେସିଆର ବୋଣ୍ଣିଓ ଓ ସୁମାତ୍ରାର ବୃଷ୍ଟିବନରେ ଦେଖିବାକୁ ମିଳନ୍ତି; ସୁତରାଂ, ଯେଉଁ ପ୍ରଶ୍ନ ସମସ୍ତଙ୍କୁ ହତଚକିତ କରିଥାଏ, ତାହା ହେଲା ଇଣ୍ଡୋନେସିଅାରୁ ପ୍ରାୟ ୫୦୦୦ କିଲୋମିଟର ଦୂରସ୍ଥ ଏକ ସଂପୂର୍ଣ୍ଣ ଅପରିଚିତ ବିଦେଶ ଭୂଇଁରେ ଏମାନଙ୍କ ଆବିର୍ଭାବ ଘଟିଲା କିପରି? ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ଓରାଙ୍ଗଉଟାନ ଛୁଆମାନଙ୍କ ସଂପର୍କରେ ଅନୁମାନ କରାଯାଇଥାଏ ଯେ ସେମାନେ ସେହି କାଜୁ ବଣରେ ଖୁବ୍ ବେଶୀରେ ଗୋଟିଏ ରାତି ଅତିବାହିତ କରିଥିବେ, କାରଣ ତାହା ହୋଇ ନ ଥିଲେ ବିଲୁଆ, କୋକିଶିଆଳି ଓ କୁକୁରଙ୍କ ଆକ୍ରମଣରୁ ବର୍ତ୍ତିଯିବା ସେମାନଙ୍କ ପକ୍ଷେ ସମ୍ଭବ ହୁଅନ୍ତା ନାହିଁ। ଆକଳନ ଅନୁସାରେ ସେମାନଙ୍କ ବୟସ ଏକ ବର୍ଷ ପାଖାପାଖି ହୋଇପାରେ ଏବଂ ସେମାନେ, ଏ ଯାବତ୍, ଦୂର ବିଚରଣକ୍ଷମ ହୋଇପାରି ନାହାନ୍ତି। ତେଣୁ, କୌଣସି ବ୍ୟକ୍ତି ବା ଗୋଷ୍ଠୀ ସେମାନଙ୍କୁ ସେହି ସ୍ଥାନରେ ହିଁ ଛାଡ଼ି ଦେଇଥିବା ସମ୍ଭବ, ଅର୍ଥାତ୍ ସେମାନେ କୌଣସି ଦୂର ସ୍ଥାନରୁ ଚାଲି ଆସି ନ ଥିବେ! ମନୁଷ୍ୟର ସଂସର୍ଗରେ ଛାନିଆ ହେଉ ନ ଥିବା ହେତୁ ଏହା ମଧ୍ୟ ସମ୍ଭବ ଯେ ସେମାନେ ମାନବ-ଅଭ୍ୟସ୍ତ, ଏବଂ ଯେଉଁ ମଣିଷମାନେ ସେମାନଙ୍କ ସହିତ ଚଳପ୍ରଚଳ ହୋଇଛନ୍ତି ସେମାନେ ହୋଇଥିବେ ଚୋରା ଚାଲାଣକାରୀ ଅଥବା ସେମାନଙ୍କୁ ପୋଷିଥିବା କୌଣସି ବ୍ୟକ୍ତି! ତେବେ, ବିଦେଶୀ ପ୍ରାଣୀଙ୍କ ବେଆଇନ ଚାଲାଣ ରୢାକେଟର ଏହା ଏକ ଅଂଶ ବୋଲି ପ୍ରାୟ ସମସ୍ତେ ଏକମତ। ତେବେ, ସମୁଦ୍ର ପଥରେ ଏମାନେ ଆସିଥିବାର ଆଶଙ୍କା ଅଧିକ। କାରଣ, ସେମାନେ ମିଳିଥିବା ସ୍ଥାନଟି ହେଉଛି ସମୁଦ୍ର ତଟ ସନ୍ନିକଟ ଏକ ଅଞ୍ଚଳ। କହିବା ବାହୁଲ୍ୟ ଯେ ସୀମାହୀନ ସାଗର ବକ୍ଷରେ ପହରାର ଫାଙ୍କ ଦେଇ ଏଭଳି ଚୋରା ଚାଲାଣର ସୁସଂଗଠିତ ନେଟୱାର୍କ କାର୍ଯ୍ୟ କରିବାର ସୁଯୋଗ ପାଇଥାଏ। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୩ ମସିହାରେ, ଏକ ଚୀନା ଜାହାଜ, ଫିଲିପାଇନ୍ସ ଉପକୂଳରେ ଅଚଳ ହୋଇଯିବା ପରେ, ତହିଁରୁ ପ୍ରାୟ ୧୦ ଟନ ଓଜନର ହିମୀକୃତ ବଜ୍ରକାପ୍ତା ଜବତ କରାଯାଇଥିଲା ଏବଂ ଦକ୍ଷିଣ ଏସିଆ ତଟ ଦେଇ ଜାହାଜଟି ଗତି କରିଥିବାରୁ ଏହି କାରବାରରେ ଭାରତରେ ସକ୍ରିୟ ଥିବା କେତେକ ସଂଗଠନର ଭୂମିକା ନେଇ ମଧ୍ୟ ସନ୍ଦେହ କରାଯାଇଥାଏ। ତେବେ, ୨୦୨୨ ଓ ୨୦୨୩ ମସିହାରେ ଆସାମ ସୀମାନ୍ତରେ ଓ ମିଜୋରମରେ ଯଥାକ୍ରମେ ଗୋଟିଏ ଏବଂ ଦୁଇଟି ଓରାଙ୍ଗଉଟାନ ଛୁଆଙ୍କୁ, ପରିତ୍ୟକ୍ତ ଅବସ୍ଥାରେ, ଉଦ୍ଧାର କରାଯାଇଥିବାରୁ ସ୍ଥଳ ମାର୍ଗରେ, ମ୍ୟାମାରରୁ ଉତ୍ତରପୂର୍ବୀୟ ରାଜ୍ୟଗୁଡ଼ିକ ଦେଇ ଦେଶ ଭିତରକୁ ଏମାନଙ୍କ ଚାଲାଣର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେବନାହିଁ। ବିଡ଼ମ୍ବନାଟି ହେଲା, ସୁସ୍ପଷ୍ଟ ଆନ୍ତର୍ଜାତିକ ନିୟମ ଓ ଆଇନ ଥିବା ସତ୍ତ୍ବେ ବିଦେଶୀ ପ୍ରାଣୀଙ୍କ ବେଆଇନ ଚାଲାଣ କାରବାର ୨୦ ବିଲିଅନ ଡଲାରରୁ ଅଧିକ ହେଲାଣି, ଯେଉଁଠି ଗୋଟିଏ ଓରାଙ୍ଗଉଟାନ ଛୁଆ ଲାଗି ବିକ୍ରେତାକୁ ମିଳିପାରେ ପ୍ରାୟ ୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା। ସଂପ୍ରତି ଏହି ଚୋରା କାରବାର ଅନଲାଇନ ମାଧ୍ୟମରେ ଅତି ସନ୍ତର୍ପଣରେ ସଂପ୍ରସାରିତ ହୋଇ ଚାଲିଛି ଏବଂ ଏହି ଅତି ବିରଳ ପ୍ରାଣୀକୁ ପୋଷିବା ଆଇନତଃ ସଂପୂର୍ଣ୍ଣ ନିଷିଦ୍ଧ ହୋଇଥିଲେ ହେଁ ଆଭିଜାତ୍ୟ ପ୍ରଦର୍ଶନରେ ଉଦ୍ଗ୍ରୀବ ଧନାଢ଼୍ୟ ବର୍ଗ ଅତ୍ୟୁତ୍ସାହୀ ଗୋପନ ଗ୍ରାହକରେ ପରିଣତ ହୋଇଛନ୍ତି।
ଓରାଙ୍ଗଉଟାନମାନଙ୍କ ସଂଦର୍ଭରେ ବିଜ୍ଞମାନେ ଏହି ଛୁଆମାନଙ୍କ ହୃଦୟ ବିଦାରକ ଅତୀତ ନେଇ ମଧ୍ୟ ଅନୁମାନ କରିଥାଆନ୍ତି ଯେ ମା’ ଓରାଙ୍ଗଉଟାନକୁ ହତ୍ୟା କଲା ପରେ ଯାଇ ଅସହାୟ ଓ ଛେଉଣ୍ଡ ଛୁଆମାନଙ୍କୁ ଲାଭ କରାଯାଇଥିବ। କାରଣ, ମନୁଷ୍ୟ ବ୍ୟତିରେକ, କେବଳ ଏହି ପ୍ରାଣୀଟି ସର୍ବାଧିକ କାଳ ମା’ ନିର୍ଭର ହୋଇ ବଢ଼ିଥାଏ, ଅର୍ଥାତ୍ ପ୍ରାୟ ଆଠ ବର୍ଷ ବୟସ ହେବା ପର୍ଯ୍ୟନ୍ତ। ଏହି ଛୁଆମନଙ୍କୁ ନିଶା ଦ୍ବାରା ଅଚେତନ କରି ବ୍ୟାଗରେ ପୂରାଇ ଯେ କୌଣସି ଦ୍ରବ୍ୟ ଭଳି ପରିବହନ କରାଯାଇଥିବ। ତେବେ, ଅକସ୍ମାତ୍ ଧରା ପଡ଼ିଯିବା ଭୟରେ ସେମାନଙ୍କୁ ତରବର ହୋଇ ଛାଡ଼ି ଦିଆଯାଇଥିବ। ପ୍ରକାଶ ଥାଉ କି ସଂପ୍ରତି ଇଣ୍ଡୋେନସିଆ ବା ମାଲେସିଆ ବା ଫିଲିପାଇନ୍ସ ଭଳି ଦେଶରେ ତେଲ-ତାଳ ଚାଷକୁ ଏଭଳି ଗୁରୁତ୍ବ ଦିଆଯାଉଛି ଯେ ଜଙ୍ଗଲ ନିର୍ମୂଳ ହେବା ଅନିବାର୍ଯ୍ୟ ହୋଇ ପଡ଼ିଛି। ଫଳରେ ଓରାଙ୍ଗଉଟାନଙ୍କ ସମେତ ଅନ୍ୟାନ୍ୟ ବନ୍ୟ ପ୍ରାଣୀ ବିକ୍ଷିପ୍ତ ଓ ଇତଃସ୍ତତଃ ହେବାେର ଲାଗିଛନ୍ତି, ଯାହାର ଲାଭ ନେଉଛନ୍ତି ଚୋରା ଚାଲାଣକାରୀ। ଏକ ରେକର୍ଡ ଅନୁସାରେ ୨୦୧୩ରୁ ୨୦୨୩ ମସିହା ମଧ୍ୟରେ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡରେ ହୋଇଥିବା ୧୦୩ଟି ଚଢ଼ାଉରେ ୧୬୧ଟି ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇପାରିଥିଲା, ଯହିଁରୁ ଅଧାରୁ ଅଧିକ ଥିଲେ ଛୁଆ। ଶଂସିତ ଘଟଣାରେ ତଦନ୍ତ ଲାଗି ଗଠିତ ହୋଇଥିବା ଦଳ ତା’ ଉଦ୍ୟମରେ ସଫଳ ହେବ ବୋଲି ଆମେ ଆଶା କରିବା, କିନ୍ତୁ, ଶିକୁଳିର କଡ଼ିକୁ ଠାବ କରିବାରେ ଦାୟିତ୍ବ ସମାପ୍ତ ହେବ ନାହିଁ। କଡ଼ିକୁ ଛିନ୍ନ କରି ଶିକୁଳିକୁ ଭାଙ୍ଗି ଦେବାରେ ହିଁ ନିହିତ ପ୍ରକୃତ ସଫଳତା।
Vedanta aluminium: ଷଷ୍ଠ ସିଏଲଆଇ ଏକ୍ସପୋରେ ବେଦାନ୍ତ
ଅସହାୟ ଓରାଙ୍ଗଉଟାନଙ୍କ ସଂପର୍କରେ ଆଲୋଚନା କଲାବେଳେ ମନ ଏଥି ଲାଗି ଆବେଗ ପ୍ଳାବିତ ହୋଇଥାଏ ଯେ ଏମାନେ ହେଉଛନ୍ତି ଆମର ଅତି ନିକଟ ସଂପର୍କୀୟ ପୂର୍ବଜ! କାରଣ, ଏମାନଙ୍କ ଡି.ଏନ.ଏ. ସହିତ ମନୁଷ୍ୟଙ୍କ ଡି.ଏନ.ଏ.ର ସାମଞ୍ଜସ୍ୟ ହେଉଛି ପ୍ରାୟ ୯୭ ପ୍ରତିଶତ। ତାଙ୍କ ସୁପ୍ରସିଦ୍ଧ ପୁସ୍ତକ ‘ଦ ନେକଡ ଏପ୍’ (ଉଲଗ୍ନ ବାନର)ରେ ଡେସମଣ୍ଡ ମୋରିସ କହିଛନ୍ତି ଯେ ପୃଥିବୀରେ ରହୁଥିବା ପ୍ରାୟ ୧୯୩ ପ୍ରକାର ମାଙ୍କଡ଼ଙ୍କ ଭିତରୁ ମନୁଷ୍ୟ ହେଉଛି ଏକମାତ୍ର ଲୋମହୀନ ମର୍କଟ। କୁହାଯାଏ ଯେ ନିୟୁତ ନିୟୁତ ବର୍ଷ ତଳେ ଯେଉଁ ପରମ ଉଚ୍ଚାଭିଳାଷୀ ମର୍କଟଟି ବୃକ୍ଷ ଶାଖା ପରିତ୍ୟାଗ କରି ସିଧା ଭାବେ ଭୂମିରେ ଚାଲିବାର ପ୍ରଚେଷ୍ଟାକୁ ପଣ କରିଥିଲା, ସେ ହେଉଛି ମନୁଷ୍ୟ ପ୍ରଜାତିର ଆଦିମତମ ସଦସ୍ୟ। ସେ ତା’ର ଯାତ୍ରାରେ ଆଉ ପଛକୁ ଚାହିଁ ନାହିଁ କି ବୃକ୍ଷର ଶାଖାକୁ ଫେରି ନାହିଁ। ଏବଂ ସେହି ମର୍କଟଠାରୁ ସୃଷ୍ଟ ସଭ୍ୟତା ଏହି ପୃଥିବୀର କିଭଳି କାୟା ପଲଟ କରିଛି, ସେ ସଂପର୍କରେ କାହାକୁ ବୁଝାଇ କହିବାର ଆବଶ୍ୟକତା ନାହିଁ। କିନ୍ତୁ ବିଡ଼ମ୍ବନାଟି ହେଲା, ନିୟୁତ ନିୟୁତ ବର୍ଷ ଧରି ଭ୍ରାତୃକୁଳକୁ ପର କରି ସେମାନଙ୍କ ଠାରୁ ସଂପର୍କ ସଂପୂର୍ଣ୍ଣ ଛିନ୍ନ କରି ସାରିଛି ବୋଲି ଧରି ନେଇଥିବା ଏହି ଲୋମହୀନ ମର୍କଟ ଜାତି କିନ୍ତୁ ତା’ର ମାଙ୍କଡ଼ାମି ପ୍ରଦର୍ଶନରେ ବିରାମ ଲଗାଇ ନାହିଁ। ସେହି କ୍ରମରେ ସେ ଧରାକୁ ସରା ମଣିଛି; ପୃଥିବୀକୁ ପ୍ରକୃତିର ଦୃଷ୍ଟିକୋଣରୁ ନ ଦେଖି ନିଜ ଦୃଷ୍ଟିକୋଣ ଅନୁସାରେ ମଣ କରିବାରେ ପ୍ରବୃତ୍ତ ରହିଛି; ପ୍ରାକୃତିକ ବିଭବ, ସଂସାଧନ ଓ ଜୀବନ ସକାଶେ ମୁଦ୍ରାରେ ଦର କଷୁଛି; ଏବଂ ସେହି ମାଙ୍କଡ଼ାମି କାରଣରୁ କୌଣସି ଏକ ବୃଷ୍ଟିବନର ପାଞ୍ଚ କୁନି ଓରାଙ୍ଗଉଟାନ, ପାଞ୍ଚ ହଜାର ମାଇଲ ଦୂରସ୍ଥ, ଏକ କାଜୁ ବଣରେ ଉପସ୍ଥିତ ଓ ତଟସ୍ଥ!

6 days ago
8


