ARTICLE AD BOX
ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ନିମିତ୍ତ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଉଦ୍ୟମ ଯଦି ସଫଳ ହୁଏ, ତାହା ଭାରତ ପାଇଁ ବେଶ୍ ଅନୁକୂଳ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। କାରଣ ଏହା ପରେ ମଧ୍ୟପ୍ରାଚ୍ୟରେ ଯେଉଁ ପୁନଃନିର୍ମାଣର ଜୁଆର ଦେଖାଦେବ, ସେଥିପାଇଁ ବିଦେଶୀ ଶ୍ରମିକମାନଙ୍କ ଲାଗି ଚାହିଦାରେ ତୀକ୍ଷ୍ଣ ବୃଦ୍ଧି ଦେଖାଦେବ ଏବଂ ତାହା ମୁଖ୍ୟତଃ ଭାରତୀୟମାନଙ୍କ ଦ୍ବାରା ପୂରଣ ହେବ ବୋଲି ଆଶା କରାଯାଇଥାଏ। ତାହା ଘଟିଲେ ସେ ଅଞ୍ଚଳରୁ ଭାରତକୁ ବୈଦେଶିକ ମୁଦ୍ରା ପ୍ରେରଣ ଓ ‘ଏନ୍ଆର୍ଆଇ’ ଜମାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି।
ବେଶ୍ କିଛି କାଳ ଧରି ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ଘଟି ଚାଲିଥିବା ସ୍ଖଳନ ଓ ଭାରତରୁ ବିଦେଶୀ ପୁଞ୍ଜି ନିବେଶକମାନଙ୍କର ପଳାୟନ ଅର୍ଥନୀତିର ପରିଚାଳକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇ ଦେଖା ଦେଇଛି। ଭାରତୀୟ ଅର୍ଥନୀତିର ପରିଚାଳନା ଦାୟିତ୍ବରେ ଥିବା ଅନ୍ୟତମ ଶୀର୍ଷ ଅନୁଷ୍ଠାନ ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଅସୀମ ଧୈର୍ଯ୍ୟର ପରିଚୟ ଦେଇ ଅନେକ ଦିନ ଯାଏ ଏଥିରେ କୃତ୍ରିମ ଭାବରେ ପରିବର୍ତ୍ତନ ଘଟାଇବା ଉଦ୍ଦେଶ୍ୟରେ ସିଧାସଳଖ କୌଣସି ହସ୍ତକ୍ଷେପ ନ କରି ବଜାରର ଗତିବିଧି ଉପରେ କେବଳ ନଜର ରଖି ଚାଲିଥିଲା। କିନ୍ତୁ ପରିସ୍ଥିତିରେ କୌଣସି ସୁଧାର ଘଟିବାର ଲକ୍ଷଣ ଦେଖା ନ ଯିବାରୁ ଦେଶ ଭିତରକୁ ବୈଦେଶିକ ମୁଦ୍ର ପ୍ରବେଶ ସ୍ରୋତରେ ଉନ୍ନତି ଘଟାଇବା ଆଶାରେ ରିଜର୍ଭ ବ୍ୟାଙ୍କ୍ ଏବେ ଏକ ପୁରାତନ କୌଶଳ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଇଛି। ଏହା ହେଲା- ବିଦେଶରେ ଥିବା ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ)ମାନଙ୍କୁ ଭାରତରେ ସେମାନଙ୍କ ପାଖରେ ଥିବା ବୈଦେଶିକ ମୁଦ୍ରା ଜମା କରିବା ନିମିତ୍ତ ପ୍ରୋତ୍ସାହିତ କରିବା।
ଅତୀତରେ କେତେକ ନିର୍ଦ୍ଦିଷ୍ଟ ବୈଦେଶିକ ମୁଦ୍ରା ଜମା ପାଇଁ ନିୟମିତ ହାରଠାରୁ ଅଧିକ ହାରରେ ସୁଧ ଅର୍ପଣ କରି ଭାରତୀୟ ବ୍ୟାଙ୍କ୍ମାନେ ‘ଏନ୍ଆର୍ଆଇ’ମାନଙ୍କୁ ସେମାନଙ୍କର ପାଣ୍ଠି ଏଠାରେ ଜମା କରିବା ପାଇଁ ଆକର୍ଷିତ କରିବାରେ ସଫଳ ହେବା ଦେଖାଯାଇଛି। ରିଜର୍ଭ ବ୍ୟାଙ୍କ୍ ଆଶା କରୁଛି ବର୍ତ୍ତମାନ ଅନୁରୂପ କୌଶଳ ଅବଲମ୍ବନ କରି ଭାରତକୁ ସ୍ବଳ୍ପକାଳୀନ ବୈଦେଶିକ ମୁଦ୍ରା ସ୍ରୋତରେ ଉନ୍ନତି ଘଟାଇ ଟଙ୍କାର ବିନିମୟ ମୂଲ୍ୟରେ ସ୍ଖଳନକୁ ପ୍ରତିହତ କରି ସେଥିରେ ଉତ୍ଥାନ ଘଟାଯାଇ ପାରିବ। ତେବେ ଏହି ଯୋଜନା ‘ଏନ୍ଆର୍ଆଇ’ମାନଙ୍କ ପାଇଁ ଆକର୍ଷଣୀୟ ହୋଇଥିଲେ ହେଁ ଏବଂ ତାହାର ତାତ୍କାଳିକ ଲକ୍ଷ୍ୟ ହାସଲରେ ସଫଳ ହେବାର ସମ୍ଭାବନା ଥିଲେ ହେଁ, ଭାରତର ବୈଦେଶିକ ଋଣ ଭାରରେ ଏଥିଯୋଗୁଁ ଯେଉଁ ବୃଦ୍ଧି ଘଟିବ ତାହା ଭାରତର ସାମଗ୍ରିକ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିପାରେ।
ଗତ ମାର୍ଚ୍ଚ ସୁଦ୍ଧା ଭାରତର ବ୍ୟାଙ୍କ୍ମାନଙ୍କରେ ଜମା ହୋଇଥିବା ମୋଟ ବୈଦେଶିକ ମୁଦ୍ରାର ପରିମାଣ ଥିଲା ପ୍ରାୟ ୧୬୫ ବିଲିଅନ୍ ଡଲାର। ଏଥିରେ ‘ଏନ୍ଆର୍ଆଇ’ମାନଙ୍କ ଦ୍ବାରା କରାଯାଇଥିବା ଜମାର ଆକାର ଥିଲା ପ୍ରାୟ ୩୩ ବିଲିଅନ୍ ଡଲାର, ଯାହା ଥିଲା ମୋଟ ଜମାର ପ୍ରାୟ ୨୦ ଶତାଂଶ। ଉଲ୍ଲେଖଯୋଗ୍ୟ, ଯଦି ବିଗତ ୧୫ ବର୍ଷର ଧାରା ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଦେଖାଯାଇଥାଏ ଯେ ୨୦୧୩ରେ ଏହି ଅନୁପାତ ଥିଲା ୪୧ ଶତାଂଶ, ଯାହା ହେଉଛି ଏଇ ସମୟ କାଳ ମଧ୍ୟରେ ସର୍ବୋଚ୍ଚ।
‘ଏନ୍ଆର୍ଆଇ’ ପାଣ୍ଠି ସ୍ରୋତ ସହିତ ଭାରତୀୟ ଅର୍ଥନୀତିର ସଂପର୍କ ଅତୀତରେ ଅନେକ ଉତ୍ଥାନ ପତନ ଦେଇ ଗତି କରିବା ଦେଖାଯାଇଛି। ବର୍ତ୍ତମାନ ‘ଏନ୍ଆର୍ଆଇ’ ଅର୍ଥ ପ୍ରେରଣ ଯେଉଁଭଳି ଭାରତର ବାହ୍ୟ ଏକାଉଣ୍ଟର ଏକ ମଜଭୁତ ସ୍ତମ୍ଭରେ ପରିଣତ ହୋଇଛି, ଅତୀତରେ ତାହା ସର୍ବଦା ସେଭଳି ନ ଥିଲା। ୧୯୯୧ର ଅର୍ଥନୈତିକ ସଂକଟର ପୂର୍ବବର୍ତ୍ତୀ ସମୟରେ ଭାରତୀୟ ବ୍ୟାଙ୍କ୍ମାନଙ୍କୁ ‘ଏନ୍ଆର୍ଆଇ’ ଜମାର ସୁଅ ଛୁଟିବା ଦେଖାଯାଇଥିଲା। କିନ୍ତୁ ସେ ସଂକଟ ଯେମିତି ମୁଣ୍ଡ ଟେକିବାକୁ ଆରମ୍ଭ କଲା, ‘ଏନ୍ଆର୍ଆଇ’ମାନେ ସେମାନଙ୍କର ଜମାକୁ ଉଠାଇ ଏଠାରୁ ପଳାୟନ କରିବାକୁ ଲାଗିଲେ, ଯାହା ଅର୍ଥଶାସ୍ତ୍ରର ଭାଷାରେ ଏକ ବହିର୍ମୁଖୀ ‘ହଟ୍ ମନି ଫ୍ଲୋ’ (‘ଉତ୍ତପ୍ତ ଅର୍ଥ ସ୍ରୋତ’)ରେ ପରିଣତ ହୋଇଥିଲା। ସେମାନଙ୍କର ଜମାର ମୂଲ୍ୟ ଓ ନିରାପତ୍ତା ସମ୍ବନ୍ଧରେ ଚିନ୍ତିତ ହୋଇ ‘ଏନ୍ଆର୍ଆଇ’ମାନେ ତାହାକୁ ଭାରତୀୟ ବ୍ୟାଙ୍କ୍ମାନଙ୍କରୁ ପ୍ରତ୍ୟାହାର କରିନେବାରେ ଲାଗିଥିଲେ। ତା’ ପରେ ଅବଶ୍ୟ ବେଳେବେଳେ ଟଙ୍କାର ବିନିମୟ ହାରକୁ ଠେସ ଦେଇ ରଖିବା ପାଇଁ ଓ ତତ୍କ୍ଷଣାତ୍ ଦେଶ ଭିତରକୁ ସ୍ବଳ୍ପକାଳୀନ ବୈଦେଶିକ ମୁଦ୍ରା ପ୍ରବାହ ଆକର୍ଷିତ କରିବା ପାଇଁ ‘ଏନ୍ଆର୍ଆଇ’ ଜମାକୁ ଏକ ଫଳପ୍ରଦ ଉପାୟ ରୂପେ ବ୍ୟବହାର କରାହୋଇଛି।
ଏହାର ଏକ ପ୍ରକୃଷ୍ଟତମ ଉଦାହରଣ ଦେଖିବାକୁ ମିଳିଥିଲା ୨୦୧୩ରେ, ଯେତେବେଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ର ତତ୍କାଳୀନ ଚେଆର୍ମ୍ୟାନ୍ ବେନ୍ ବର୍ନାଙ୍କେ ସେଠାରେ ଅନୁସୃତ ସଂପ୍ରସାରଣଶୀଳ ମୁଦ୍ରା ନୀତି (‘କ୍ବାଣ୍ଟିଟେଟିଭ୍ ଇଜିଙ୍ଗ୍’)ରେ ଅନ୍ତ ଘଟାଇବା ସମ୍ବନ୍ଧରେ ଇସାରା ଦେବାରୁ ଅଧିକ ଆୟ ଲୋଭରେ ନିବେଶକମାନେ ଭାରତ ଭଳି ବିକାଶଶୀଳ ଦେଶମାନଙ୍କରୁ ସେମାନଙ୍କର ପୁଞ୍ଜି ପ୍ରତ୍ୟାହାର କରି ଆମେରିକାମୁହଁା ହେବାକୁ ଲାଗିଲେ, ଯାହା ‘ଟେପର୍ ଟାଣ୍ଟ୍ରମ୍’ ରୂପେ ପରିଚିତ। ନିବେଶକମାନଙ୍କର ପଳାୟନଜନିତ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ସେତେବେଳେ ‘ଏନ୍ଆର୍ଆଇ’ମାନଙ୍କୁ ଆକର୍ଷିତ କରିବା ଲାଗି ଅନୁରୂପ କୌଶଳ ଅବଲମ୍ବନ କରି ବେଶ୍ ସଫଳତା ଅର୍ଜନ କରିଥିଲା। ଏହାର ପ୍ରମାଣ ସ୍ବରୂପ ତିନି ମାସ ମଧ୍ୟରେ ‘ଏନ୍ଆର୍ଆଇ’ ଜମା ରୂପରେ ଭାରତରେ ୨୪.୫ ବିଲିଅନ୍ ଡଲାର ପ୍ରବେଶ କରିଥିଲା। ଏହା ପୁଞ୍ଜି ପଳାୟନର ନକାରାତ୍ମକ ପ୍ରଭାବର ତୀବ୍ରତାକୁ ସୀମିତ କରିବାରେ ସହାୟକ ହୋଇଥିଲା।
ସୂଚନାଯୋଗ୍ୟ ଯେ ମୁଖ୍ୟତଃ ଦୁଇଟି ଦେଶରେ ଥିବା ‘ଏନ୍ଆର୍ଆଇ’ମାନେ ଭାରତୀୟ ବ୍ୟାଙ୍କ୍ମାନଙ୍କରେ ଏଭଳି ଜମା କରିବାକୁ ଆଗେଇ ଆସିଥିଲେ: ‘ୟୁଏଇ’ ଓ ଯୁକ୍ତରାଷ୍ଟ୍ର ଆମେରିକା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ବିଦେଶକୁ ବୃତ୍ତି ସନ୍ଧାନରେ ଯାଉଥିବା ଅଧିକାଂଶ ଭାରତୀୟ ପୃଥିବୀର ଏଇ ଦୁଇ ଅଞ୍ଚଳ ଦିଗରେ ହିଁ ମୁହଁାଇଥାନ୍ତି। ଏଇ ପରିପ୍ରେକ୍ଷୀରେ ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ନିମିତ୍ତ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଉଦ୍ୟମ ଯଦି ସଫଳ ହୁଏ, ତାହା ଭାରତ ପାଇଁ ବେଶ୍ ଅନୁକୂଳ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। କାରଣ ଏହା ପରେ ମଧ୍ୟପ୍ରାଚ୍ୟରେ ଯେଉଁ ପୁନଃନିର୍ମାଣର ଜୁଆର ଦେଖାଦେବ, ସେଥିପାଇଁ ବିଦେଶୀ ଶ୍ରମିକମାନଙ୍କ ଲାଗି ଚାହିଦାରେ ତୀକ୍ଷ୍ଣ ବୃଦ୍ଧି ଦେଖାଦେବ ଏବଂ ତାହା ମୁଖ୍ୟତଃ ଭାରତୀୟମାନଙ୍କ ଦ୍ବାରା ପୂରଣ ହେବ ବୋଲି ଆଶା କରାଯାଇଥାଏ। ତାହା ଘଟିଲେ ସେ ଅଞ୍ଚଳରୁ ଭାରତକୁ ବୈଦେଶିକ ମୁଦ୍ରା ପ୍ରେରଣ ଓ ‘ଏନ୍ଆର୍ଆଇ’ ଜମାରେ ଉଲ୍ଲେଖନୀୟ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି।
ପୂର୍ବରୁ କୁହାଯାଇଥିବା ଭଳି ‘ଏନ୍ଆର୍ଆଇ’ ଜମାରେ ବୃଦ୍ଧି ଭାରତର ବୈଦେଶିକ ଋଣର ଆକାରରେ ବୃଦ୍ଧି ଘଟାଇବ। ଏହା ଅର୍ଥନୀତି ପାଇଁ ବିପଦମୁକ୍ତ ନ ହୋଇପାରେ। ବର୍ତ୍ତମାନର ଇରାନ ଯୁଦ୍ଧ ଭଳି ୧୯୯୧ରେ ଯେତେବେଳେ ଉପସାଗରୀୟ ଯୁଦ୍ଧ (‘ଗଲ୍ଫ ୱାର୍’) ଲାଗିଥିଲା, ‘ଏନ୍ଆର୍ଆଇ’ମାନେ ଛାନିଆ ହୋଇ ସେତେବେଳେ ଭାରତରୁ ସେମାନଙ୍କର ଜମା ଅପସାରିତ କରି ପଳାଇବାକୁ ଲାଗିବାରୁ ତାହା ପରେ ପରେ ଭାରତରେ ଦେଖାଦେଇଥିବା ଅର୍ଥନୈତିକ ସଂକଟକୁ ଆହୁରି ଗୁରୁତର କରିଥିଲା। ତେବେ ଇତିମଧ୍ୟରେ ଭାରତୀୟ ଅର୍ଥନୀତିର ଧକ୍କା ସମ୍ଭାଳିବା କ୍ଷମତାରେ ବେଶ୍ ଉନ୍ନତି ଘଟିଛି। ଉଦାହରଣ ସ୍ବରୂପ ସେତେବେଳେ ଭାରତର ସ୍ବଳ୍ପକାଳୀନ ବୈଦେଶିକ ଋଣର ଅନୁପାତ ଭାରତର ବୈଦେଶିକ ମୁଦ୍ରା ପାଣ୍ଠିର ଏକ ବିପଜ୍ଜନକ ୧୪୭ ଶତାଂଶ ଥିବାବେଳେ ବର୍ତ୍ତମାନ ତାହା ପ୍ରାୟ ମାତ୍ର ୨୦ ଶତାଂଶ ମଧ୍ୟରେ ସୀମିତ ରହିଛି। ତଥାପି ‘ଏନ୍ଆର୍ଆଇ’ମାନେ ଯେମିତି ପୁଣି ଏକ ଉତ୍ତପ୍ତ ଅର୍ଥ ସ୍ରୋତ ସୃଷ୍ଟି ନ କରନ୍ତି, ରିଜର୍ଭ ବ୍ୟାଙ୍କ୍କୁ ସେଥିପ୍ରତି ସର୍ବଦା ସଜାଗ ରହିବାକୁ ହେବ।

1 month ago
13


