ARTICLE AD BOX
ସକାଳ ହେଉ କି ସଞ୍ଜ, ଦିନ ଭିତରେ ଯେତେବେଳେ ବି ମତେ ସମୟ ହୁଏ, ମୁଁ ଆମ ଆପାର୍ଟମେଣ୍ଟ୍ ପରିସରରେ ଖୋଲା ଆକାଶ ତଳେ କିଛି ସମୟ ଚାଲିବାକୁ ପସନ୍ଦ କରେ। ଦିନେ ମୁଁ ଏମିତି ଚାଲି ଚାଲି ଗେଟ୍ ପାଖରେ ପହଞ୍ଚିଲା ବେଳକୁ, ଗୋଟାଏ ଦେଶୀ ବୁଲାକୁକୁର ମୋ ଆଡ଼କୁ ଲାଙ୍ଗୁଡ଼ ହଲାଇ ହଲାଇ ମାଡ଼ିଆସିଲା। ମୁଁ ଭୟରେ ଚମକିପଡ଼ିଲି। ସତ କହିଲେ, କୁକୁରଙ୍କୁ ଗେହ୍ଲା ଓ ଆଦର କରିବା ଲୋକଙ୍କ ଭିତରେ ମୁଁ ଗଣା ହେବିନାହିଁ। ଏମିତି ନୁହେଁ ଯେ ମୁଁ କୁକୁରଙ୍କୁ ଘୃଣା କରେ। କିନ୍ତୁ କୁକୁର ରଖିବା, ସେମାନଙ୍କର ସେବାଯତ୍ନ କରିବା ସଉକ ମୋର ନାହିଁ। ମତେ କୁକୁରଙ୍କ ପାଖକୁ ଯିବାକୁ ଟିକେ ଡର ମାଡ଼େ। ପିଲାଦିନେ ଥରେ ଗୋଟାଏ ବୁଲାକୁକୁର ଛୁଆ ମୋ ପାଦରେ ଦାନ୍ତ ଗଳେଇ ଦେଇଥିଲା। ଅବଶ୍ୟ ବେଶି କିଛି ହୋଇ ନଥିଲା, କିନ୍ତୁ ସେଇଦିନୁ ମନରେ ଏମିତି ଡର ପଶିଯାଇଥିଲା ଯେ ମୁଁ ଏକବାରେ କୁକୁର ପ୍ରତି ସାବଧାନ ହୋଇଯାଇଥିଲି।
Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
ଆପାର୍ଟମେଣ୍ଟ୍ ଗେଟ୍ ପାଖରୁ କୁକୁରଟି ଯେମିତି ମୋ ପାଖକୁ ଧାଇଁ ଆସିଲା ମୁଁ ଡରିଗଲି, ‘ନା-ନା-ନା’ କହି ଜୋର୍ରେ ପାଟିକଲି। ହେଲେ କୁକୁରଟା ମୋ ପାଟି ଶୁଣି ଅଟକିବ କି ଦୂରକୁ ଚାଲିଯିବ କ’ଣ, ଲାଞ୍ଜ ହଲାଇ ମୋ ପଛେ ପଛେ ଆସିଲା। ଆଗରେ ଜଣେ ସିକ୍ୟୁରିଟି ଗାର୍ଡ ଠିଆ ହେଇଥିବାର ଦେଖି ମୁଁ ସେଇଠି ରହିଗଲି। ଆଉ ସେ କୁକୁରକୁ ଘଉଡ଼େଇଦେବା ପାଇଁ ଅନୁରୋଧ କଲି। ଗୋଟେ ରାଉଣ୍ଡ୍ ଚାଲିକି ଆସିଲା ବେଳକୁ ପୁଣି ସେଇ ସମାନ ଗେଟ୍ ପାଖରେ କୁକୁରଟା ଲାଞ୍ଜ ହଲାଇ କୁନି କୁନି ପାଦରେ ମୋ ଆଡ଼କୁ ଦୌଡ଼ି ଆସିଲା। ଭାଗ୍ୟକୁ ସିକ୍ୟୁରିଟି ଗାର୍ଡ ଜଣକ ସେଇଠି ଥିଲେ ଆଉ ମତେ ରକ୍ଷା କରିବାକୁ ଧାଇଁ ଆସିଲେ। ଏଇ ସମାନ ଘଟଣା ଅନେକ ଥର ମୋ ସହ ଘଟିଲା। କିନ୍ତୁ ଗୋଟାଏ କଥା ମୁଁ ସ୍ବୀକାର କରିବି ଯେ କୁକୁରଟିର ଆଦୌ ଆକ୍ରମଣାତ୍ମକ ସ୍ବଭାବ ନଥିଲା। ତା’ ମୁହଁରୁ ସେ ଗୋଟେ କାମୁଡ଼ା କୁକୁର ବୋଲି ଲାଗୁ ନଥିଲା। ମୋ ସଙ୍ଗେ ସେ ଚାଲିବା ଆଉ ଖେଳିବାକୁ ଇଚ୍ଛା କରୁଥିଲା, ଏକଥା ମୁଁ ସ୍ପଷ୍ଟ ବୁଝିପାରୁଥିଲି। ସିକ୍ୟୁରିଟି ଗାର୍ଡ ଜଣକ କହିଲେ, ସେ କିଛି କରିବନି ମ୍ୟାଡାମ୍, ତାକୁ ଖାଲି ଗେଲ ଦରକାର।
Donald Trump: ଖେମିନିଙ୍କ ଅନ୍ତିମ ସଂସ୍କାର ନେଇ ଟ୍ରମ୍ପଙ୍କ ଉତ୍ତେଜକ ବୟାନ
ତା’ ପରେ ଯେତେଥର ମୋ ଯୋଗୁଁ ସିକ୍ୟୁରିଟି ଗାର୍ଡ ତାକୁ ତଡୁଥିଲେ, ମୋ ମନ ଭିତରଟା ଛଟପଟ ହଉଥିଲା। ବିଚରା କେଡ଼େ ନିରୀହ ଜୀବଟେ! ଆଉ ମୁଁ କେଡ଼େ ନିଷ୍ଠୁର! ସେଦିନ ସନ୍ଧ୍ୟାରେ ମୁଁ ନିଷ୍ପତ୍ତି କଲି, ବହୁତ ହୋଇଗଲା। ସେ ଯଦି ପାଖକୁ ଆସୁଛି, ଆସୁ। କ’ଣ ବା ସିଏ କରିବ? ଟିକେ ଆସି ଲେସିହେବ, ଆଉ କ’ଣ! ଆସୁ। ମୁଁ ଆଉ ସେ କୁକୁରକୁ ଘଉଡ଼େଇବିନି। କିନ୍ତୁ ତା’ ପରଦିନ ମୁଁ ଆଉ ତାକୁ ସେଠାରେ ଦେଖିବାକୁ ପାଇଲିନି। ପ୍ରତି ରାଉଣ୍ଡ୍ରେ ଗେଟ୍ ପାଖ ହେଲେ, ମୁଁ ନଜର କରି କରି ଚାଲୁଥାଏ। ହେଲେ ଆଖପାଖରେ କେଉଁଠି ବି ତା’ର ଦେଖା ନଥିଲା। କିଛିଦିନ ପରେ ରାସ୍ତା ଆରପଟେ ସେ ମତେ ମିଳିଗଲା। ମୁଁ ତାକୁ ଦେଖି ଆଶ୍ୱସ୍ତ ହେଲି। ସେ ସେମିତି ଲାଞ୍ଜ ହଲାଉଥିଲା। ମୁଁ ମୋ ଗତି କମେଇଦେଲି ଆଉ ସେ ମୋ ଆଡ଼କୁ ଆଗପରି ଧାଇଁ ଆସିବ ବୋଲି ଅପେକ୍ଷା କଲି। ହେଲେ ସେ ଆସିଲା ନାହିଁ। ଯୋଉଠି ଯେମିତି ଥିଲା, ସେଇଠି ସେମିତି ବସି ରହିଲା। ମୁଁ ସେଦିନ ସକାଳେ ଚାଲୁ ଚାଲୁ ଏକାଧିକବାର ତା’ ପାଖ ଦେଇ ଗଲି। ସେ ମତେ ଦେଖିଲା, ଲାଞ୍ଜ ହଲାଇଲା, କିନ୍ତୁ ଆଉ ମୋ ପାଖକୁ ଆସିଲା ନାହିଁ। ସେ ବୋଧହୁଏ ମନ ଭିତରେ ନିଷ୍ପତ୍ତି କରିସାରିଥିଲା- ଇଏ ଯଦି ମତେ ଚାହୁନି, ମୁଁ କାଇଁ ବଳେ ପଶି ହଇରାଣ କରିବି? ସେଦିନ ମୋ ମନଟା କାହିଁକି ଓଜନିଆ ଲାଗିଲା। ସେ ସେମିତି ନିରୀହ, ସେମିତି କୌତୁକିଆ ଥିଲା। ତଥାପି କିଛି ଗୋଟେ ବଦଳିଗଲା ପରି ଲାଗୁଥିଲା। ଜୀବନଟା ଠିକ୍ ଏମିତି ନୁହେଁ କି? ଏମିତି ଅନେକ ଲୋକ ଥାଆନ୍ତି ଯେଉଁମାନେ ଆମକୁ ନିଜ ସମୟ, ସ୍ନେହ ଓ ଭଲପାଇବା ଅଜାଡ଼ି ଦେବାକୁ ଚାହାନ୍ତି। ହେଲେ ଆମେ ଏତେ ବ୍ୟସ୍ତ ରହିଯାଉ କିମ୍ବା ଏମିତି ଦୂରତା ଅବଲମ୍ବନ କରୁ ଅଥବା ଟିକେ ଭଲପାଇବା ଦେବାରେ ନିଜକୁ ଏମିତି ସଙ୍କୁଚିତ କରିଦେଉ ଯେ, ଆମ ଅଜାଣତରେ ଆମକୁ ଅନ୍ଧ ଭଳି ସ୍ନେହ କରୁଥିବା ଲୋକେ ଆମଠାରୁ ଦୂରେଇଯାଆନ୍ତି। ଆମେ ବାରମ୍ବାର ପ୍ରତାରଣା କରୁ ଏବଂ ମନେ ମନେ ଭାବିନେଉ, ମୋ ଛଡ଼ା ୟା’ର ଆଉ ଗତି କ’ଣ? ମତେ ଛାଡ଼ି କୁଆଡ଼େ ଯିବ? ଏମିତି ସବୁବେଳେ ଅପେକ୍ଷା କରିଥିବ। କିନ୍ତୁ କାହିଁକି? ଯାହା ସ୍ନେହକୁ ଆମେ ଏତେ ବେଖାତିର କରୁଛେ, ସେ କାହିଁକି ଆମକୁ ଅପେକ୍ଷା କରି ରହିବ? ସେ ଧୀରେ ଧୀରେ ଦୂରକୁ ଚାଲିଯିବ। ଶେଷରେ ଯେତେବେଳେ ଏଭଳି ମଣିଷମାନଙ୍କୁ ଆମେ ଲୋଡୁ, ସେମାନଙ୍କ ସ୍ନେହ ଟିକେ ପାଇଁ ବ୍ୟାକୁଳ ହେଉ, ସେତେବେଳକୁ ସେମାନେ ନିରବରେ ରାସ୍ତା ଆରକଡ଼କୁ ଚାଲି ଯାଇଥାଆନ୍ତି।
ତନୟା ପଟ୍ଟନାୟକ
ସଂପାଦକ

4 weeks ago
14


