Editorial: ଜଗତ୍ ସତ୍ୟମ୍ ବ୍ରହ୍ମ ମିଥ୍ୟା!

1 week ago 7
ARTICLE AD BOX

ଗିରବରଙ୍କ କାହାଣୀ ଭାରତୀୟମାନଙ୍କର ଚରିତ୍ରର ଯେଉଁ ଏକ ଆମୋଦଦାୟକ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥାଏ, ତାହା ହେଉଛି ଆମର ଦାର୍ଶନିକ ନମନୀୟତା: ଆମେ ସକାଳେ ‌ଅଦ୍ବୈତ ବେଦାନ୍ତବାଦୀ ହୋଇପାରୁ ଏବଂ ମଧ୍ୟାହ୍ନ ଭୋଜନ ସମୟକୁ ବିଶୁଦ୍ଧ ବସ୍ତୁବାଦୀରେ ପରିଣତ ହୋଇଯାଇପାରୁ। ଆମେ ଶରୀରକୁ ଏକ ନଶ୍ବର ମାୟା ରୂପେ ହେୟଜ୍ଞାନ କରିପାରୁ, ପୁଣି ତା’ ଉପରେ ବୟସର ଛାପ ପଡ଼ିବାକୁ ନ ଦେବା ପାଇଁ ବାର୍ଦ୍ଧକ୍ୟ ନିରୋଧକ ଲୋସନ ବୋଳି ଚାଲିଥାଉ।

Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା

‘‘ବ୍ରହ୍ମ ସତ୍ୟମ୍ ଜଗତ୍ ମିଥ୍ୟା ଜୀବଃ ବ୍ରହ୍ମ ଏବ ନ ଅପରଃ।’’ ଅଦ୍ବୈତ ବେଦାନ୍ତର ସାରମର୍ମ ବହନ କରୁଥିବା ଆଦିଶଙ୍କରଙ୍କର ଏଇ ସନ୍ଧିବିଚ୍ଛେଦ ଘଟିତ ଉକ୍ତିର ଠିକ୍ ବିପରୀତ ହେଉଛି ଲୋକାୟତ ମତବାଦର ସାରମର୍ମ ବହନ କରୁଥିବା ଚାର୍ବାକଙ୍କର ଏଇ ନିମ୍ନୋକ୍ତ ଘୋଷଣା। ‘‘ଯାବତ୍ ଜୀବେତ୍ ସୁଖମ୍ ଜୀବେତ୍, ଋଣମ୍ କୃତ୍ବା ଘୃତମ୍ ପିବେତ୍। ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନମ୍ କୁତଃ।।’’ ଶଙ୍କରଙ୍କ ବିଚାରରେ ଏହି ପାର୍ଥିବ ସଂସାର ସମେତ ପାର୍ଥିବ ଶରୀର ହେଉଛି ମିଥ୍ୟା ବା ମାୟା; ଚାର୍ବାକଙ୍କ ଅନୁସାରେ ପାର୍ଥିବ ସଂସାର ଓ ଶରୀର ହେଉଛନ୍ତି ଅନ୍ତିମ ସତ୍ୟ, ଯାହାକୁ ଅତିକ୍ରମ କରି ଅନ୍ୟ କୌଣସି ସତ୍ତା ନାହିଁ- ଯେମିତି ଶଙ୍କରଙ୍କ ବ୍ରହ୍ମନ୍।
ଶଙ୍କରଙ୍କ ଅନୁସାରେ ମନୁଷ୍ୟର ଅନ୍ତିମ ଲକ୍ଷ୍ୟ ହେଉଛି ସମସ୍ତ ପାର୍ଥିବ କାମନାକୁ ଦମନ କରି ପରଂବ୍ରହ୍ମଙ୍କ ସହିତ ଏକୀଭୂତ ହେବା; ଚାର୍ବାକ ବିଶ୍ବାସ କରୁଥିଲେ ପାର୍ଥିବ ସଂସାରରେ ନିମଜ୍ଜିତ ହୋଇ ସେଥି‌ରୁ ସର୍ବାଧିକ ସମ୍ଭବ ଇନ୍ଦ୍ରିୟାଶ୍ରୟୀ ଆନନ୍ଦ ଆହରଣ କରିବା ହେଉଛି ମନୁଷ୍ୟର ଅନ୍ତିମ ଲକ୍ଷ୍ୟ, କାରଣ ମୃତ୍ୟୁ ପରେ ତା’ର ଶରୀର ଭସ୍ମୀଭୂତ ହୋଇ ପଞ୍ଚଭୂତରେ ବିଲୀନ ହୋଇଯିବା ସହିତ ତା’ର ସତ୍ତାର ସଂପୂର୍ଣ୍ଣ ତଥା ଅନ୍ତିମ ବିଲୟ ଘଟିଥାଏ। ଚାର୍ବାକଙ୍କ ମତରେ ତେଣୁ ମୃତ୍ୟୁ ପରେ ବ୍ୟକ୍ତିର ଆତ୍ମା ଅମର ରହି ତା’ର ଏ ଜନ୍ମର କର୍ମଫଳ ଭୋଗ କରିବ ବୋଲି ବିଶ୍ବାସ କରିବା ହେଉଛି ମସ୍ତ ବଡ଼ ମୂର୍ଖାମି। ପାର୍ଥିବ ସଂସାରକୁ ଆଲିଙ୍ଗନ କରିବା ତେଣୁ ହେଉଛି ମନୁଷ୍ୟ ପାଇଁ ଉପଲବ୍‌ଧ ଏକମାତ୍ର ବାସ୍ତବ ବିକଳ୍ପ।
କେଉଁଟି ତା’ହେଲେ ସତ, ତାହା ସାବ୍ୟସ୍ତ କରିବାକୁ ଯୁଗ ଯୁଗ ଧରି ଏ ଦୁଇ ମତବାଦ ମଧ୍ୟରେ ଭିଡ଼ାଓଟରା ଚାଲି ଆସିଥିବା ବେଳେ ଏବେ ଶେଷରେ ଏକ ବାସ୍ତବ କ୍ଷେତ୍ର-ପରୀକ୍ଷା (ଫିଲ୍‌ଡ ଟ୍ରାଏଲ) ମାଧ୍ୟମରେ ଯିଏ ଆମକୁ ଏହାର ଉତ୍ତର ଦେଇଥିବା ଭଳି ମନେ ହେଉଛି, ସେ ଚାର୍ବାକ କିମ୍ବା ଶଙ୍କରଙ୍କ ଭଳି ଜଣେ ଦିବ୍ୟଦୃଷ୍ଟିସଂପନ୍ନ ଦାର୍ଶନିକ ନୁହନ୍ତି, ସେ ହେଉଛନ୍ତି ‘ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ’ (‘ସିଆର୍‌ପିଏଫ୍’)ର ଜଣେ କନ୍‌ଷ୍ଟେବ୍‌ଲ- ମଧ୍ୟପ୍ରଦେଶର ଛିଛାୱାଲି ଗ୍ରାମର ବାସିନ୍ଦା ଗିରବର ସିଂହ ତୋମାର। ଯେଉଁ କ୍ଷେତ୍ର-ପରୀକ୍ଷାରେ ଅଂଶଗ୍ରହଣ କରି କନ୍‌ଷ୍ଟେବ୍‌ଲ ଗିରବର ଏଇ ଗୂଢ଼ ରହସ୍ୟର ସମାଧାନ କରିଛନ୍ତି, ସଂକ୍ଷେପରେ ତାହା ହେଉଛି ନିମ୍ନୋକ୍ତ ଭଳି।
ବର୍ତ୍ତମାନ ୫୪ ବର୍ଷ ବୟସ ହୋଇଥିବା ଗିରବର ୧୯୯୧ରେ ଜଣେ କନ୍‌ଷ୍ଟେବ୍‌ଲ ରୂପେ ‘ସିଆର୍‌ପିଏଫ୍’ରେ ଯୋଗ ଦେଇଥିଲେ। ସେ ସ୍ବାଭାବିକ ଭାବରେ ନିର୍ଦ୍ଧାରିତ ବୟସସୀମା ଛୁଇଁବା ପର୍ଯ୍ୟନ୍ତ ଏଇ ସରକାରୀ ନିରାପତ୍ତା ବାହିନୀରେ କାର୍ଯ୍ୟ କରିବା ପରେ ନିୟମିତ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧାସୁଯୋଗମାନ ଉପଭୋଗ କରି ଚାକିରିରୁ ଅବସର ଗ୍ରହଣ କରିନ୍ତେ। କିନ୍ତୁ ସେ ଆସାମରେ ମୁତୟନ ହୋଇଥିବା ବେଳେ ଘଟିଥିବା ଏକ ଅପ୍ରତ୍ୟାଶିତ ଘଟଣା ମାତ୍ର ନ’ ବର୍ଷର ଚାକିରି ପରେ ତାଙ୍କ ଜୀବନର ମୋଡ଼ ସଂପୂର୍ଣ୍ଣ ରୂ‌େପ ବଦଳାଇ ଦେଲା। ସେ ଦି‌େନ ବଜାରରୁ ଫେରିବା ବାଟରେ ତାଙ୍କ ଗାଡ଼ି ସହିତ ଜଣେ ସାଇକେଲ୍ ଆରୋହୀଙ୍କର ଧକ୍‌କା ହେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଚାକିରିରୁ ବହିଷ୍କୃତ କରିଦିଆଗଲା।
ତୋମାର ଏହା ବିରୁଦ୍ଧରେ ୧୯୯୯ରେ ହାଇକୋର୍ଟରେ ଏକ ଆବେଦନ ଦାଖଲ କଲେ। ମାମଲାଟି ଚିରାଚରିତ ଭାବରେ ଅଦାଲତରେ ଗଡ଼ିଚାଲିଲା ଓ ଗିରବରଙ୍କର ସନ୍ତାନସନ୍ତତିମାନେ ଅଭାବ ଅନଟନ ମଧ୍ୟରେ ବଡ଼ ହେବାରେ ଲାଗିଲେ। ନିଜର ବିକ୍ଷୁବ୍‌ଧ ଚିତ୍ତକୁ ଶାନ୍ତ କରିବା ପାଇଁ ଗିରବର ସାଧୁସନ୍ଥମାନଙ୍କର ଶରଣାପନ୍ନ ହୋଇ ସେମାନଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବାରେ ଲାଗିଲେ ଓ ସମୟକ୍ରମେ ନିଜେ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇ ରୂପାନ୍ତରିତ ହୋଇଗଲେ- ‘ବାବା ଗିରବର ଦାସ’ରେ। ଖାକି ପୋଷାକ ସ୍ଥାନରେ ତାଙ୍କ ଶରୀରକୁ ଆବୃତ କଲା ଗୈରୀକ ବସ୍ତ୍ର, ଦୈନିକ ଖିଅର ସହିତ ଅଭ୍ୟସ୍ତ ମୁଖମଣ୍ଡଳକୁ ଆଚ୍ଛାଦନ କଲା ଲମ୍ବା ଦାଢ଼ି, ବେକରେ ଓହଳିଲା ରୁଦ୍ରାକ୍ଷ ମାଳା, ଜଣେ ସଶସ୍ତ୍ର ଯୋଦ୍ଧାର ଦୈନିକ ସମରାଭ୍ୟାସର ସ୍ଥାନ ନେଲା ଶାସ୍ତ୍ରପୁରାଣ ଚର୍ଚ୍ଚା ଓ ବ୍ରହ୍ମଜ୍ଞାନ ସନ୍ଧାନ।
ଇତିମଧ୍ୟରେ ତାଙ୍କର ମାମଲାଟି ଅଦାଲତରେ ଅନେକ ଉତ୍‌ଥାନ ପତନ ଦେଇ ଗତି କଲାପରେ ଶେଷରେ ୨୦୨୫ରେ ହାଇକୋର୍ଟ ତୋମାରଙ୍କ ଚାକିରିରୁ ବହିଷ୍କାରକୁ ଅବୈଧ ଘୋଷଣା କରି ତାଙ୍କୁ ପୁନଃ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କଲେ। ଏବେ ‘ସିଆର୍‌ପିଏଫ୍’ ସେଇ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଗିରବରଙ୍କୁ ପୁଣି ନିଯୁକ୍ତି ପ୍ରଦାନ କରିଛି। ଗିରବର କାଳବିଳମ୍ବ ନ କରି ବିଗତ ଦୀର୍ଘ ୨୭ ବର୍ଷ ଧରି ଚଳାଇଥିବା ବ୍ରହ୍ମ ଅନୁସନ୍ଧାନରେ ଅନ୍ତ ଘଟାଇ, ଗୈରୀକ ବସ୍ତ୍ର ପରିତ୍ୟାଗ କରି, ମୁଖମଣ୍ଡଳକୁ ଶ୍ମଶ୍ରୁମୁକ୍ତ କରି ସଗର୍ବରେ ପୁଲିସ ୟୁନିଫର୍ମ ପିନ୍ଧି ଦଣ୍ଡାୟମାନ ହୋଇଥିବା ଛବି ବର୍ତ୍ତମାନ ଗଣମାଧ୍ୟମରେ ପ୍ରସାରିତ ହୋଇ ଦେଶବ୍ୟାପୀ କୌତୂହଳ ସୃଷ୍ଟି କରିଛି।

Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

ଗିରବରଙ୍କ ୟୁନିଫର୍ମ ପୁନଃପରିଧାନ ବହନ କରୁଥିବା ଗଭୀର ଦାର୍ଶନିକ ସନ୍ଦେଶ ବ୍ରହ୍ମଜ୍ଞାନ ଠାରୁ କୌଣସି ଗୁଣରେ କମ୍ ନୁହେଁ। ଜଣେ ବେଦାନ୍ତବାଦୀଙ୍କ ପାଇଁ ଏଇ ୟୁନିଫର୍ମ ଏକ ମାୟା ହୋଇପାରେ, କିନ୍ତୁ ଜଣେ ଚାର୍ବାକଙ୍କ ପାଇଁ ଏହା ଅନେକ ବାସ୍ତବ କ୍ଷମତାର ଅଧିକାରୀ ହୋଇଥାଏ: ଏହାକୁ ଦେଖିହେବ, ଛୁଇଁହେବ, ପିନ୍ଧିହେବ ଏବଂ ସବୁଠାରୁ ଯାହା ଗୁରୁତ୍ବପୂର୍ଣ୍ଣ, ତାହା ହେଲା ମାସ ଶେଷରେ ନିୟମିତ ଭାବରେ ଏହାର ପକେଟ୍‌ରେ ଦରମା ଟଙ୍କା ଭର୍ତ୍ତି ହୋଇଥାଏ, ଯାହା କରିବା ବ୍ରହ୍ମନ୍‌ଙ୍କ କ୍ଷମତା ବାହାରେ। ଏକ ଦୃଷ୍ଟିରୁ ଦେଖିଲେ ଚାକିରି ଫେରିପାଇବା ଗିରବରଙ୍କ ପାଇଁ ବ୍ରହ୍ମଜ୍ଞାନ ପ୍ରାପ୍ତି ସଦୃଶ ହୋଇ ନ ଥାଏ କି? ମୁନିଋଷିମାନେ ବ୍ରହ୍ମଜ୍ଞାନ ଲାଭ କରିବା ନିମିତ୍ତ ଦୀର୍ଘ କାଳ ଧରି କୃଚ୍ଛ୍ର ତପସ୍ୟା କରିଥାନ୍ତି; ଭାରତୀୟ ନ୍ୟାୟାଳୟରୁ ନ୍ୟାୟ ପାଇବା ପାଇଁ ଦୀର୍ଘ ୨୭ ବର୍ଷ କାଳ ଧୈର୍ଯ୍ୟ ଧରି ଅପେକ୍ଷା କରିବା ମଧ୍ୟ ସେଇଭଳି ଏକ କୃଚ୍ଛ୍ର ଧ୍ୟାନମଗ୍ନ ତପସ୍ୟା ନୁହେଁ କି?
ଗିରବରଙ୍କ କାହାଣୀ ଭାରତୀୟମାନଙ୍କର ଚରିତ୍ରର ଯେଉଁ ଏକ ଆମୋଦଦାୟକ ଦିଗ ପ୍ରତି ଧ୍ୟାନ ଆକର୍ଷଣ କରିଥାଏ, ତାହା ହେଉଛି ଆମର ଦାର୍ଶନିକ ନମନୀୟତା: ଆମେ ସକାଳେ ‌ଅଦ୍ବୈତ ବେଦାନ୍ତବାଦୀ ହୋଇପାରୁ ଏବଂ ମଧ୍ୟାହ୍ନ ଭୋଜନ ସମୟକୁ ବିଶୁଦ୍ଧ ବସ୍ତୁବାଦୀରେ ପରିଣତ ହୋଇଯାଇପାରୁ। ଆମେ ଶରୀରକୁ ଏକ ନଶ୍ବର ମାୟା ରୂପେ ହେୟଜ୍ଞାନ କରିପାରୁ, ପୁଣି ତା’ ଉପରେ ବୟସର ଛାପ ପଡ଼ିବାକୁ ନ ଦେବା ପାଇଁ ବାର୍ଦ୍ଧକ୍ୟ ନିରୋଧକ ଲୋସନ ବୋଳି ଚାଲିଥାଉ। ସଂସାରକୁ ମାୟା ରୂପେ ହସି ଉଡ଼ାଇ ଦେବା ପରେ ପରେ ଆମେ ସେଆର ବଜାରରେ ସୂଚକାଙ୍କର ଗତି ଉପରେ ଧ୍ୟାନ ନିବଦ୍ଧ କରିଥାଉ।
ଆମେ ସଂସାରକୁ ଏକ ମାୟା ରୂପେ ବର୍ଣ୍ଣନା କରି ଗିରବରଙ୍କର ଚାକିରିକୁ ପ୍ରତ୍ୟାବର୍ତ୍ତନକୁ ଜଣେ ବିଫଳ ବ୍ରହ୍ମଜ୍ଞାନ ସନ୍ଧାନୀ ପୁଣି ସେଇ ମାୟାଜାଲରେ ଧରାଦେଲେ ବୋଲି ରହସ୍ୟ କରିପାରନ୍ତି; ଜଣେ ଯଦି ୨୭ ବର୍ଷ ଧରି ନିଜର ଚାକିରି ହରାଏ, ସେ ବୁଝିପାରିବ ତା’ର ବନ୍ଦ ହୋଇଯାଇଥିବା ମାସିକ ଦରମା ହେଉଛି ବାସ୍ତବ ନା ମାୟା। ଗିରବର ନିଶ୍ଚିତ ରୂପେ ହୃଦୟଙ୍ଗମ କରିଛନ୍ତି ଯେ ବ୍ରହ୍ମଜ୍ଞାନ ସନ୍ଧାନ କରିବା ପାଇଁ ତାଙ୍କୁ ଜଗତରେ ରହିବାକୁ ହେବ; ଜଗତରେ ବଞ୍ଚିରହିବା ପାଇଁ ଦରମା ଦରକାର, ଦରମା ମିଳିବା ପାଇଁ ଚାକିରି ଦରକାର। ଏଇ ଜଗତ ହିଁ ହେଉଛି ତାଙ୍କ ପାଇଁ ସତ୍ୟ, ବ୍ରହ୍ମନ୍ ହେଉଛି ଏକ ଅନୁମାନ ମାତ୍ର, ଚାର୍ବାକଙ୍କ ଅନୁସାରେ ଯାହା ହେଉଛି ଏକ ମିଥ୍ୟା ଅନୁମାନ ମାତ୍ର। ଏହା ହିଁ ହେଉଛି କ୍ଷେତ୍ର-ପରୀକ୍ଷାରେ ଗିରବରଙ୍କର ଆବିଷ୍କାର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.