Editorial: କ୍ୟୁଡେଙ୍ଗା ଠେଙ୍ଗା

5 days ago 4
ARTICLE AD BOX

ବ୍ରାଜିଲ୍‌ର ଅନୁଭୂତିରୁ ଶିକ୍ଷା ଲାଭ କରି ଏଭଳି ସମସ୍ତ ଅପେକ୍ଷାରତ ପ୍ରାର୍ଥୀମାନଙ୍କର ପରୀକ୍ଷଣ ଉପରେ ତୀକ୍ଷ୍‌ଣ ନଜର ରଖାଯିବା ଯେଉଁଭଳି ଜରୁରି, ସେ ସଂପର୍କିତ ସମସ୍ତ ତଥ୍ୟ ସ୍ବଚ୍ଛତାର ସହିତ ପ୍ରକାଶିତ ହେବା ମଧ୍ୟ ସେଇଭଳି ଜରୁରି। ନଚେତ, ଅତୀତରେ କୋଭିଡ୍ ଟିକାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଭଳି ଏବେ ଡେଙ୍ଗି ଟିକା ସଂପର୍କରେ ମଧ୍ୟ ଅନୁରୂପ ଗୁଜବ ଓ କୋକୁଆ ଭୟ ସୃଷ୍ଟି ହୋଇଯିବାକୁ ବେଶୀ ସମୟ ଲାଗିବ ନାହିଁ, ଯାହା ଜନସ୍ବାସ୍ଥ୍ୟ ପାଇଁ ଘୋର କ୍ଷତିକାରକ ସାବ୍ୟସ୍ତ ହେବ।

Editorial: କିଏ ହାରିଲା, କିଏ ଜିତିଲା?: ଜୟନ୍ତ କୁମାର ବିଶ୍ବାଳଙ୍କ ସମ୍ପାଦକୀୟ ଦିଗ୍‌ବଳୟର ଏ ପାଖରେ‌ ପଢ଼ନ୍ତୁ ଏଥର...

ଭାରତୀୟମାନେ ପ୍ରତି ବର୍ଷ ମୌସୁମୀର ଆଗମନକୁ ଚାତକ ପରି ଚାହିଁ ରହିଥାନ୍ତି। କାରଣ, ମୌସୁମୀ ବର୍ଷା ଦେଶର ନଈ, ନାଳ, ପୋଖରୀ, ହ୍ରଦ, ଡ୍ୟାମ ଆଦିକୁ ଭର୍ତ୍ତି କରିବା ସହିତ ଭୂତଳ ଜଳ ସ୍ତରକୁ ପରିପୁଷ୍ଟ କରି ଆମର ବିଶାଳ ଜଳ-ଆବଶ୍ୟକତା ପୂରଣ କରିବା ସହିତ ଦେଶର ଅର୍ଥନୀତିରେ ପ୍ରାଣ ସଞ୍ଚାର କରିଥାଏ। ମୌସୁମୀ କିନ୍ତୁ କେବଳ ନଈ, ନାଳ ଭର୍ତ୍ତି କରି ନ ଥାଏ; ଏହାର ଆଗମନ ପରେ ନିୟମିତ ଭାବରେ ଦେଶରେ ଥିବା ହସ୍‌ପିଟାଲ୍ ୱାର୍ଡମାନ ମଧ୍ୟ ଭର୍ତ୍ତି ‌େହାଇଯିବା ଦେଖାଯାଇଥାଏ। ବର୍ଷା ଋତୁରେ ସୃଷ୍ଟି ହେଉଥିବା ଅନୁକୂଳ ପରିବେଶରେ ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପିବା ଦ୍ବାରା ଏଭଳି ଘଟିଥାଏ।
ମୌସୁମୀର ସହଚର ହୋଇଥିବା ସଂକ୍ରାମକ ରୋଗମାନଙ୍କ ମଧ୍ୟରୁ ଯେଉଁଟି ନିକଟ ଅତୀତରେ ଦେଶବାସୀଙ୍କ ମଧ୍ୟରେ ସର୍ବାଧିକ ଭୀତି ସଞ୍ଚାର କରିବା ଦେଖାଯାଇଥାଏ, ସିଏ ହେଉଛି- ଡେଙ୍ଗି (ଏଠାରେ ଡେଙ୍ଗୁ ନାମରେ ପରିଚିତ)। ଏକ ନିର୍ଦ୍ଦିଷ୍ଟ ଜାତିର ମଶା ଦ୍ବାରା ପ୍ରସାରିତ ଏଇ ସଂକ୍ରାମକ ରୋଗ ବର୍ତ୍ତମାନ ଦେଶର ଏକ ଅଗ୍ରଣୀ ଜନସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି। ଏହା ହଜାର ହଜାର ରୋଗୀମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଥିବା ବେଳେ ଏଥିଯୋଗୁଁ ଅନେକ ପରିବାର ଉଜୁଡ଼ିଯିବା ସହିତ କର୍ମକ୍ଷେତ୍ର ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥାଏ। ଏହାର ମୁକାବିଲା କରିବା ପାଇଁ ତେଣୁ ଜନସ୍ବାସ୍ଥ୍ୟ କର୍ତ୍ତୃପକ୍ଷରୁ ସ୍ବାୟତ୍ତଶାସନ ସଂସ୍ଥାମାନଙ୍କ ପର୍ଯ୍ୟନ୍ତ ସବୁମନ୍ତେ ଉଦ୍ୟମ କରିଚାଲିଛନ୍ତି, ଯେଉଁଥିରେ ଚିକିତ୍ସା ସେବା ଯୋଗାଣ, ପରିମଳ ବ୍ୟବସ୍ଥାରେ ଉନ୍ନତି ଓ ଜନସଚେତନତା ସୃଷ୍ଟି ଆଦି ଅନ୍ତର୍ଭୁକ୍ତ।
ଡେଙ୍ଗି ବିରୁଦ୍ଧରେ ସଂଗ୍ରାମରେ ବ୍ୟବହୃତ ଭାରତ ପାଖରେ ଉପଲବ୍‌ଧ ଏଇ ଅସ୍ତ୍ରାଗାରରେ ଏବେ ଏକ ଚମକପ୍ରଦ ନୂତନ ଅସ୍ତ୍ରର ପ୍ରବେଶ ଘଟିବା ପ୍ରକାଶ ପାଇ ବ୍ୟାପକ ଚହଳ ସୃଷ୍ଟି କରିଛି: ଡେଙ୍ଗିର ନିରାକରଣ ନିମିତ୍ତ ଭାରତରେ ପ୍ରସ୍ତୁତ ଏକ ଟିକା। ଏଇ ଟିକା ଯଦି ନିରାପଦ ଓ ଫଳପ୍ରଦ ସାବ୍ୟସ୍ତ ହୁଏ, ତାହାକୁ ଭାରତର ଜନସ୍ବାସ୍ଥ୍ୟ କ୍ଷେତ୍ରରେ ନିଶ୍ଚିତ ରୂପେ ଏକ ଯୁଗାନ୍ତକାରୀ ମୋଡ଼ ରୂପେ ଯେ ବିଚାର କରାଯିବ, ଏଥିରେ କୌଣସି ସନ୍ଦେହ ନାହିଁ।
ଏହା ଅସ୍ବୀକାର କରାଯାଇ ପାରିବ ନାହିଁ ଯେ ଭାରତରେ ହଇଜା, ବସନ୍ତ, ମ୍ୟାଲେରିଆ ଆଦି ସଂକ୍ରାମକ ରୋଗର ନିରାକରଣକୁ ସର୍ବଦା ପ୍ରାଧାନ୍ୟ ଦିଆହୋଇ ଆସିଥିବା ବେଳେ ଡେଙ୍ଗୁ ଦୀର୍ଘ କାଳ ଧରି ପ୍ରାୟ ଅଜଣା ଅଶୁଣା ତଥା ଅବହେଳିତ ହୋଇ ରହିଆସିଛି। ବିଗତ ଦଶନ୍ଧିମାନଙ୍କରେ କିନ୍ତୁ ‘ଇଡିସ୍ ଇଜିପ୍‌ଟି’ ଜାତିର ମଶାମାନଙ୍କ ଦ୍ବାରା ବାହିତ ହୋଇ ଦେଶରେ ଏଇ ରୋଗର ଭୂତାଣୁର ଦ୍ରୁତ ପ୍ରସାର ଘଟିଚାଲିଛି, ଯେଉଁଥିରେ ଅବ୍ୟବସ୍ଥିତ ସହରୀକରଣ, ଜଳବାୟୁ ପରିବର୍ତ୍ତନ, ଖରାପ ପରିମଳ ବ୍ୟବସ୍ଥା, ଓ ମଶା ଉପନିବେଶମାନଙ୍କର ଦ୍ରୁତ ସଂପ୍ରସାରଣ ଆଦି ବିଶେଷ ଭାବରେ ସହାୟକ ହୋଇଛନ୍ତି। ଫଳସ୍ବରୂପ ପୃଥିବୀରେ ଦେଖାଯାଉଥିବା ଡେଙ୍ଗି କେସ୍‌ମାନଙ୍କରେ ଭାରତର ଅଂଶ ବେଶ୍ ଉଚ୍ଚ ହୋଇ ରହିଛି। ମର୍ଯ୍ୟାଦାଜନକ ବିଜ୍ଞାନ ଗବେଷଣା ପତ୍ରିକା ‘ନେଚର୍’ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ପୃଥିବୀରେ ବାର୍ଷିକ ୯୬ ନିୟୁତ ଡେଙ୍ଗି କେସ୍ ଦେଖାଯାଉଥିବା ବେଳେ, ସେଥିରେ ଭାରତର ଅଂଶ ହେଉଛି ପ୍ରାୟ ୩୩ ନିୟୁତ- ପ୍ରାୟ ଏକ-ତୃତୀୟାଂଶ। ଚିନ୍ତାଜନକ ଭାବରେ ଡେଙ୍ଗିର ସମସ୍ତ ଚାରି ଜାତିର ଭୂତାଣୁ ଭାରତରେ ସକ୍ରିୟ ଥିବା ଆବିଷ୍କୃତ ହୋଇଛି।
ଏଇ ପୃଷ୍ଠଭୂମିରେ ଭାରତରେ ଡେଙ୍ଗି ଟିକାର ଆବିର୍ଭାବ ଐତିହାସିକ ତାତ୍ପର୍ଯ୍ୟ ବହନ କରିଥାଏ। ଟିକା ହେଉଛି ନିଃସଂଶୟରେ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ମନୁଷ୍ୟର ସବୁଠାରୁ ଚମକପ୍ରଦ ଏକ ଉଦ୍‌ଭାବନ। ମାନବ ସଭ୍ୟତାକୁ ଲୋପ କରିବାର କ୍ଷମତା ବହନ କରୁଥିବା ବସନ୍ତ, ପୋଲିଓ, ଡିପ୍‌ଥେରିଆ ଆଦି ଭଳି ସଂକ୍ରାମକ ବ୍ୟାଧିମାନଙ୍କୁ ଯଦି କିଏ ପରାସ୍ତ କରି ସଭ୍ୟତାକୁ ରକ୍ଷା କରିଥାଏ, ସିଏ ହେଉଛି- ଟିକା। ଏକ ଡେଙ୍ଗି ଟିକା ଅନୁରୂପ ସମ୍ଭାବନା ବହନ କରିଥାଏ। ‘ଟାକେଡା ବାୟୋଫାର୍ମାସିଉଟିକାଲ୍‌ସ ଇଣ୍ଡିଆ’ ଦ୍ବାରା ପ୍ରସ୍ତୁତ ଏବଂ ବଜାରରେ ପ୍ରସାରିତ ହେବା ପାଇଁ ‘ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍’ଙ୍କ ଦ୍ବାରା ସର୍ବପ୍ରଥମ ଅନୁମୋଦନ ପ୍ରାପ୍ତ ଏଇ ଭାରତୀୟ ଟିକା ୪ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିମାନଙ୍କୁ ଦିଆଯାଇ ପାରିବ। ‘କ୍ୟୁଡେଙ୍ଗା’ ନାମରେ ନାମିତ ଡେଙ୍ଗି ପାଇଁ ଠେଙ୍ଗା ଭଳି ଏଇ ଟିକା ଦୁଇପାନ ନିଆଯିବା ପାଇଁ ଉଦ୍ଦିଷ୍ଟ ଏବଂ ଅନୁମୋଦନ ପ୍ରଦାନ ପୂର୍ବରୁ ହୋଇଥିବା ବ୍ୟାପକ ପରୀକ୍ଷଣରୁ ସାବ୍ୟସ୍ତ ହୋଇଛି ଯେ ସଂକ୍ରମଣ ପ୍ରତିହତ କରିବାରେ ଏହାର ସଫଳତା ୮୦.୨ ଶତାଂଶ ହୋଇଥିବା ବେଳେ ହସ୍‌ପିଟାଲ୍ ଭର୍ତ୍ତି ହେବା ଅଟକାଇବାରେ ଏହାର ସଫଳତାର ହାର ହେଉଛି ୯୦.୪ ଶତାଂଶ।
ଏଇ ଟିକା ସମସ୍ତ ଚାରି କିସମର ଡେଙ୍ଗି ଭୂତାଣୁ ବିରୋଧରେ ଟିକା ଗ୍ରହୀତାଙ୍କ ଠାରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି କରିଥାଏ। ଦୁର୍ବଳ (ଆଟେନୁଏଟେଡ୍) ଜୀବନ୍ତ ଭୂତାଣୁମାନଙ୍କୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏଇ ଟିକା ଟିକା ଗ୍ରହୀତାଙ୍କ ଠାରେ ସମସ୍ତ ଚାରି ଜାତିର ଭୂତାଣୁମାନଙ୍କୁ ପ୍ରତିରୋଧ କରିବା ପାଇଁ ଆଣ୍ଟିବଡ଼ି ସୃଷ୍ଟି କରି ସେମାନଙ୍କୁ ଡେଙ୍ଗି ସଂକ୍ରମଣ ବିରୋଧରେ ସାମଗ୍ରିକ ସୁରକ୍ଷା ପ୍ରଦାନ କରିବାକୁ ଉଦ୍ଦିଷ୍ଟ। ପୂର୍ବରୁ ଡେଙ୍ଗି ଦ୍ବାରା ଆକ୍ରାନ୍ତ ହୋଇଥିଲେ ମଧ୍ୟ ଏଇ ଟିକା କାର୍ଯ୍ୟ କରିଥାଏ। ତେବେ ଯେତେବେଳେ ପରୀକ୍ଷାଗାରକୁ ଅତିକ୍ରମ କରି ସମଗ୍ର ଜନସଂଖ୍ୟା‌େର ଏଇ ଟିକାର ପ୍ରୟୋଗ ଆରମ୍ଭ ହେବ, ସେତେବେଳେ ଏହାର ଫଳାଫଳ ଉପରେ ତୀକ୍ଷ୍‌ଣ ନଜର ରଖାଯିବା ଆବଶ୍ୟକ। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ଡେଙ୍ଗି ସଂକ୍ରମଣରେ ଦେଖାଦେଇଥିବା ଏଗାର ଗୁଣ ବୃଦ୍ଧି ଏହାକୁ ଅନିବାର୍ଯ୍ୟ କରିଥାଏ।

Editorial: ଗତାୟୁ ଗୋତି

ଟିକାକରଣର ଅଗ୍ରଗତି ଓ ବେଳେବେଳେ ଘଟୁଥିବା ଏହାର ପ୍ରତିକୂଳ ପ୍ରତିକ୍ରିୟା (ଆଡଭର୍ସ ଇଭେଣ୍ଟସ୍) ଉପରେ ସଜାଗ ଦୃଷ୍ଟି ରଖିବା କାହିଁକି ଜରୁରି ହୋଇଥାଏ, ତାହା ଏ କ୍ଷେତ୍ରରେ ବ୍ରାଜିଲ୍‌ର ଅନୁଭୂତି ଦ୍ବାରା ସାବ୍ୟସ୍ତ ହୋଇଥାଏ। ସେଠାରେ ଏକ ଅନୁରୂପ ଟିକା ଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ର ଅନୁପାତର ଟିକା ଗ୍ରହୀତାଙ୍କ ଠାରେ ଏକ ଗୁରୁତର ପ୍ରତିକୂଳ ପ୍ରତିକ୍ରିୟା ପରିଲକ୍ଷିତ ହୋଇଥିଲା, ଯାହା ‘ଆଣ୍ଟିବଡି ଡିପେଣ୍ଡେଣ୍ଟ୍ ଏନହାନ୍‌ସମେଣ୍ଟ’ (‘ଏଡିଇ’) ରୂପେ ପରିଚିତ। ଯେତେବେଳେ ଟିକା ଗ୍ରହୀତାଙ୍କ ଠାରେ ସୃଷ୍ଟି ହୋଇଥିବା ଆଣ୍ଟିବଡିର ମାତ୍ରା ଆବଶ୍ୟକତା ଠାରୁ କମ୍ ହୋଇଥାଏ, ସେତେବେଳେ ତାଙ୍କଠାରେ ସଂକ୍ରମଣ ଭୟଙ୍କର ରୂପ ପରିଗ୍ରହଣ କରିବା ଦେଖାଯାଇଥାଏ। ଏଭଳି ଘଟଣାରେ ଆକ୍ରାନ୍ତ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରି ତାଙ୍କର ଜୀବନ ରକ୍ଷା କରିବା ପାଇଁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ସତତ ସଜାଗ ରହିବା ଜରୁରି। କେବଳ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ନୁହନ୍ତି, ‘କ୍ୟୁଡେଙ୍ଗା’ର ନିର୍ମାତା ମଧ୍ୟ ଏଇ ଉଦ୍ୟମରେ ସକ୍ରିୟ ଅଂଶଗ୍ରହଣ କରିବା ଆବଶ୍ୟକ।
‘କ୍ୟୁଡେଙ୍ଗା’ ଭାରତରେ ସର୍ବପ୍ରଥମ ଡେଙ୍ଗି ଟିକା ରୂପେ ଆବିର୍ଭୂତ ହୋଇଥିଲେ ହେଁ, ଅନ୍ୟ କଂପାନିମାନଙ୍କ ଦ୍ବାରା ପ୍ରସ୍ତୁତ ଓ ପରୀକ୍ଷିତ ହେଉଥିବା ଟିକାମାନ ଅନତିବିଳମ୍ବେ ଦୃଶ୍ୟପଟରେ ପ୍ରବେଶ କରିବାକୁ ଉଦ୍ୟତ ଅଛନ୍ତି। ‘ଆଇସିଏମ୍ଆର୍’ର ସହଭାଗିତାରେ ପ୍ରସ୍ତୁତ ‘ଡେଙ୍ଗିଅଲ୍’ ନାମକ ଟିକା ହେଉଛି ଏଥିମଧ୍ୟରୁ ଅନ୍ୟତମ। ବ୍ରାଜିଲ୍‌ର ଅନୁଭୂତିରୁ ଶିକ୍ଷା ଲାଭ କରି ଏଭଳି ସମସ୍ତ ଅପେକ୍ଷାରତ ପ୍ରାର୍ଥୀମାନଙ୍କର ପରୀକ୍ଷଣ ଉପରେ ତୀକ୍ଷ୍‌ଣ ନଜର ରଖାଯିବା ଯେଉଁଭଳି ଜରୁରି, ସେ ସଂପର୍କିତ ସମସ୍ତ ତଥ୍ୟ ସ୍ବଚ୍ଛତାର ସହିତ ପ୍ରକାଶିତ ହେବା ମଧ୍ୟ ସେଇଭଳି ଜରୁରି। ନଚେତ, ଅତୀତରେ କୋଭିଡ୍ ଟିକାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଭଳି ଏବେ ଡେଙ୍ଗି ଟିକା ସଂପର୍କରେ ମଧ୍ୟ ଅନୁରୂପ ଗୁଜବ ଓ କୋକୁଆ ଭୟ ସୃଷ୍ଟି ହୋଇଯିବାକୁ ବେଶୀ ସମୟ ଲାଗିବ ନାହିଁ, ଯାହା ଜନସ୍ବାସ୍ଥ୍ୟ ପାଇଁ ଘୋର କ୍ଷତିକାରକ ସାବ୍ୟସ୍ତ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.