ARTICLE AD BOX
ଛତ୍ରପୁର: ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଓ ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ ନିମନ୍ତେ ଗତକାଲି ଗଞ୍ଜାମଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଛତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତାଙ୍କ ସହ ଉପସ୍ଥିତ ଥିଲେ।
ପ୍ରଥମେ ମନ୍ତ୍ରୀ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ କୋଭିଡ୍ କେୟାର ହସ୍ପିଟାଲ ପରିଦର୍ଶନ କରିଥିଲେ। ହସ୍ପିଟାଲର ଭିତ୍ତିଭୂମି, ଉପଲବ୍ଧ ସୁବିଧା, ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାର ସମ୍ଭାବନା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଭବିଷ୍ୟତରେ ଏହି ହସ୍ପିଟାଲକୁ ଲୋକଙ୍କ ହିତରେ କିପରି ଉପଯୋଗ କରାଯାଇପାରିବ, ସେନେଇ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।
ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ
ପରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗ୍ରାମରେ ପହଞ୍ଚି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।
ସେହିପରି ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ମନ୍ତ୍ରୀ ସେଠାକାର ସ୍ୱାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ନବଜାତ ଶିଶୁ ଓ ମାଆମାନଙ୍କୁ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହ ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ଚିକିତ୍ସା ବ୍ୟବସ୍ଥା ଓ ହସ୍ପିଟାଲରେ ଉପଲବ୍ଧ ସୁବିଧା ସମ୍ପର୍କରେ ଉପସ୍ଥିତ ଚିକିତ୍ସକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଏହାପରେ ମନ୍ତ୍ରୀ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଉମୁରିଧର୍ମଶରଣପୁର ପଞ୍ଚାୟତସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ମାନ ଓ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ଜାଣିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତରେ ଅର୍ଣ୍ଣବ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ସହ ଛତ୍ରପୁର ନିର୍ବାଚନମଣ୍ଡଳୀରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଲୋକଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନେଇ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

1 hour ago
1


