ARTICLE AD BOX
ଅହମଦାବାଦ: ପ୍ରଥମ ରାଜ୍ୟଗୋଷ୍ଠୀକବାଡ଼ି ପ୍ରତିଯୋଗିତାରେ ଭାରତ ଦ୍ବିମୁକୁଟ ଅର୍ଜନ କରିଛି। ଘରୋଇ ଭାରତୀୟ ଦଳ ଉଭୟ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଛି। ଏଥି ସହିତ ଗତ ମାସରେ ଏସୀୟ କ୍ରୀଡ଼ାରେ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ଦବ୍ଦବା ଜାରି ରହିଛି।
ଶୁକ୍ରବାର ମହିଳା ବିଭାଗ ଫାଇନାଲ୍ରେ ଭାରତ ୩୫-୧୫ରେ ଏକତରଫା ଭାବେ ଉଗାଣ୍ଡାକୁ ପରାସ୍ତ କରିଥିଲା। ପୂର୍ବରୁ ସେମିଫାଇନାଲ୍ରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ୩୯-୧୪ରେ ହରାଇଥିଲା। ସେମିଫାଇନାଲ୍ରେ ସାକ୍ଷୀ ସର୍ବାଧିକ ୧୧ ପଏଣ୍ଟ ଏବଂ ଅଧିନାୟିକା ନିଧି ଶର୍ମା ୧୦ ପଏଣ୍ଟ ହାସଲ କରିଥିଲେ। ସେହିଭଳି ଉଗାଣ୍ଡା ରୋମାଞ୍ଚକ ସେମିଫାଇନାଲ୍ରେ କେନିଆକୁ ୨୩-୨୧ରେ ପରାସ୍ତ କରିଥିଲା। ଦୁଇ ପରାଜିତ ସେମିଫାଇନାଲିଷ୍ଟ୍ କେନିୟା ଓ ଶ୍ରୀଲଙ୍କା କାଂସ୍ୟ ପଦକ ହାସଲ କରିଥିଲେ।
ମହିଳା ଫାଇନାଲ୍ ପରେ ଖେଳାଯାଇଥିବା ପୁରୁଷ ବିଭାଗ ଫାଇନାଲ୍ରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୫୪-୨୦ ପଏଣ୍ଟରେ ପରାସ୍ତ କରି ଟାଇଟଲ୍ ହାସଲ କରିଛି। ପଙ୍କଜ ମୋହିତେ ଓ ନବୀନ କୁମାରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୩୦-୧୦ ପଏଣ୍ଟରେ ଆଗୁଆ ରହିଥିଲା। ଫଳରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ହୋଇଯାଇଥିଲା। ଶ୍ରୀଲଙ୍କା ଦଳ ବାରମ୍ବାର ଅଲ୍ଆଉଟ୍ ହେବାରୁ ମ୍ୟାଚ୍କୁ ଫେରିବାର ସୁଯୋଗ ପାଇନଥିଲା।
ଏହା ପୂର୍ବରୁ ସେମିଫାଇନାଲ୍ରେ ଭାରତୀୟ ପୁରୁଷ ଦଳ ବାଂଲାଦେଶକୁ ୫୬-୨୭ ପଏଣ୍ଟରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ଏହି ମ୍ୟାଚ୍ରେ ଭରତ ହୁଡ୍ଡା ସର୍ବାଧିକ ୧୩ ପଏଣ୍ଟ ହାସଲ କରିଥିବାବେଳେ ଶିବମ ପଟାରେ ୧୧ ଓ ନୀରଜ ନରୱାଲ ୯ ପଏଣ୍ଟ ଯୋଡ଼ିଥିଲେ।
ଅନ୍ୟପକ୍ଷରେ ଦ୍ୱିତୀୟ ସେମିଫାଇନାଲ୍ରେ ଶ୍ରୀଲଙ୍କା ଦଳ କଡ଼ା ସଂଘର୍ଷ ପରେ କେନିଆକୁ ୨୮-୨୪ ପଏଣ୍ଟରେ ହରାଇ ଫାଇନାଲ୍ରେ ପହଞ୍ଚିଥିଲା। ତେବେ ସେମିଫାଇନାଲ୍ରେ ପରାସ୍ତ ହୋଇଥିବା କେନିଆ ଓ ବାଂଲାଦେଶ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

1 day ago
5


