ARTICLE AD BOX
ଭୁବନେଶ୍ବର: ବର୍ଷକ ତଳେ ବିଏମ୍ସି କୁକୁର ବନ୍ଧ୍ୟାକରଣ ଆରମ୍ଭ କରିଥିଲା। ରାଜ୍ୟ ବାହାରର ଘରୋଇ ସଂସ୍ଥା ସହଯୋଗରେ ୩ ବର୍ଷରେ ସବୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସାରିବାକୁ ଟେଣ୍ଡର ବି ଦିଆଗଲା। ଲକ୍ଷ୍ୟ ଥିଲା, ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ କରି ରାଜଧାନୀବାସୀଙ୍କୁ କୁକୁର କାମୁଡ଼ା, ଦୁର୍ଘଟଣା ଭଳି ଦୁର୍ଦ୍ଦଶାରୁ ମୁକ୍ତି ଦେବା। କିନ୍ତୁ ବନ୍ଧ୍ୟାକରଣର ମନ୍ଥର ଗତି ଏବେ ଚିନ୍ତାର କାରଣ ପାଲଟିଛି। ଯେଉଁଠି ମାସିକ ୧ହଜାର କୁକୁରଙ୍କ ବନ୍ଧ୍ୟାକରଣ ଲକ୍ଷ୍ୟ ରଖାଯାଇଥିଲା, ସେଠି ମାସକୁ ୬ ଶହରୁ ୭ଶହ ବନ୍ଧ୍ୟାକରଣ ହେଉଛି। ଏଭଳି ସ୍ଥିତିରେ ପ୍ରାୟ ୪୭ ହଜାର କୁକୁରଙ୍କ ବନ୍ଧ୍ୟାକରଣ ୩ ବର୍ଷରେ ସରିବ ତ? ଏଭଳି କିଛି ପ୍ରଶ୍ନ ଏବେ ଉଙ୍କି ମାରିଲାଣି। ବିଶେଷଜ୍ଞଙ୍କ କହିବା ମୁତାବକ, ଯେଉଁ ସଂଖ୍ୟାରେ ବନ୍ଧ୍ୟାକରଣ ଚାଲିଛି, ସଂପୂର୍ଣ୍ଣ ବନ୍ଧ୍ୟାକରଣ ସରିବାକୁ ପ୍ରାୟ ୬ ବର୍ଷ ଲାଗିଯିବ। କୁକୁରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଗଲାଣି। ବର୍ଷକୁ ଏମାନେ ୨ଟି ଋତୁରେ ମିଳନ କରନ୍ତି ଓ ଛୁଆ ଜନ୍ମ ଦେଇଥାନ୍ତି। ବନ୍ଧ୍ୟାକରଣ ଭିତରେ ବି ଅନେକ ଛୁଆ ଜନ୍ମ କରିବେ। ଏଭଳି ସ୍ଥିତିରେ ସଂପୂର୍ଣ୍ଣ ବନ୍ଧ୍ୟାକରଣ ସଫଳ ହେବ କିପରି ବୋଲି ପ୍ରଶ୍ନ ଉଠିଛି। ୨୦୧୯ ମସିହାରେ ବିଏମ୍ସି ଅଞ୍ଚଳରେ ପ୍ରାୟ ୭୦ହଜାର ବୁଲା କୁକୁର ଥିବା ଆକଳନ କରାଯାଇଥିଲା।
Dog: ଶିଶୁକନ୍ୟାକୁ କୁକୁର ଝୁଣିଦେଲେ: ଦେଢ଼ମାସ ତଳେ ୯ବର୍ଷ ଶିଶୁର ଖପୁରି ଉପାଡ଼ିଥିଲେ
ସେହି ଅନୁସାରେ ୨୦୨୫ ମେ ୧୬ରେ ୭୦ହଜାର ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ହାଇଦ୍ରାବାଦସ୍ଥିତ ଭେଟ୍ସ ସୋସାଇଟି ଫର୍ ଆନିମଲ୍ ଵେଲଫେୟାର ଆଣ୍ଡ୍ ରୁରାଲ ଡେଭ୍ଲପମେଣ୍ଟ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାସିକ ୨ହଜାର ହିସାବରେ ୩ ବର୍ଷରେ ସଂପୂର୍ଣ୍ଣ ବନ୍ଧ୍ୟାକରଣ ସାରିବାକୁ ଚୁକ୍ତି ହେଲା। କୁକୁର ବନ୍ଧ୍ୟାକରଣ ପିଛା ବିଏମ୍ସି ଏହି ସଂସ୍ଥାକୁ ୧୬୫୦ ଟଙ୍କା ଦେଉଛି। ଯେଉଁଥିରେ କ୍ୟାଚର୍ମାନେ ବିଏମ୍ସିର ୬୭ଟି ୱାର୍ଡରୁ ବୁଲା କୁକୁରଙ୍କୁ ଧରି ଗାଡ଼ିରେ ଆଣି କେନେଲ୍ରେ ପହଞ୍ଚାଇବା ଏବଂ ଅସ୍ତ୍ରୋପଚାରର ୪ ଦିନ ପରେ ସେହି ସ୍ଥାନରେ ପୁଣି ଗାଡ଼ିରେ ନେଇ ଛାଡ଼ିବା ବାବଦ ପରିବହନ ଖର୍ଚ୍ଚ ୨ଶହ ଟଙ୍କା, ବାକି ୧୪୫୦ ଟଙ୍କାରେ ଡାକ୍ତରଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ମାନବସମ୍ବଳ ଖର୍ଚ୍ଚ ସହ ଅସ୍ତ୍ରୋପଚାର, ଅସ୍ତ୍ରୋପଚାର ପରେ କୁକୁରଙ୍କୁ ଔଷଧ, କେନେଲରେ ରହିବା ବେଳେ କୁକୁରଙ୍କୁ ଖାଇବାକୁ ଦେବାର ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଗଣତି ବେଳେ କୁକୁରଙ୍କ ସଂଖ୍ୟା ୪୭ହଜାରକୁ ଖସି ଆସିଥିଲା। ଏଣୁ ଠିକାସଂସ୍ଥାକୁ ମାସିକ ୨ହଜାରର ଟାର୍ଗେଟ୍ ବଦଳରେ ୧ହଜାର ଟାର୍ଗେଟ୍ ଦିଆଯାଇଥିଲା। ତଥାପି ଏହି ସଂସ୍ଥା ମାସିକ ଲକ୍ଷ୍ୟ ଛୁଇଁପାରୁନି। ମାସିକ ମାତ୍ର ୪୦ରୁ ୯୦ ଭିତରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଆରମ୍ଭ କରିଥିବା ଏହି ଠିକାସଂସ୍ଥା ଏବେ ଅତିବେଶିରେ ୭ଶହ ପର୍ଯ୍ୟନ୍ତ ଅସ୍ତ୍ରୋପଚାର କରିପାରିଛି। ମେ ମାସରୁ ଜୁନ୍ ଭିତରେ ଭିତରେ ମାତ୍ର ୯,୭୫୬ଟି କୁକୁରଙ୍କ ବନ୍ଧ୍ୟାକରଣ କରିଛି।
Dog: ଧାର୍ମିକ କାର୍ଯ୍ୟ ପାଖରେ ଥାଏ କୁକୁର ‘କାଳୀ’, ଖାଏନି ଆମୀଷଯୁକ୍ତ ଖାଦ୍ୟ
ବିଏମ୍ସି ପ୍ରାଣୀ ଜନ୍ମ ନିୟନ୍ତ୍ରଣ (ଏବିସି) ଡେପୁଟି କମିସନର ସୁମନ କିଶୋର ଡୁଙ୍ଗଡୁଙ୍ଗ କହିଛନ୍ତି, ଅସ୍ତ୍ରୋପଚାର ପାଇଁ ଆମ ପାଖରେ ଭିତ୍ତିଭୂମି ନ ଥିଲା। କେବଳ ମଞ୍ଚେଶ୍ବରରେ ୨୫୦ଟି କୁକୁର କେନେଲ୍ ଓ ୫ଟି ଅସ୍ତ୍ରୋପଚାର କକ୍ଷ ରହିଛି, ଯେଉଁଠି କୁକୁର ବନ୍ଧ୍ୟାକରଣ କାମ ଚାଲିଛି। ସତ୍ୟନଗର ପ୍ରାଣୀ ଚିକିତ୍ସାଳୟ ପରିସରରେ ଏକ କେନେଲ୍ ଖୋଲିବାକୁ ଯାଉଛି। ଏହାର କାମ ଚାଲିଛି। ମଞ୍ଚେଶ୍ବର କେନେଲ୍ ସଂଖ୍ୟା ବୃଦ୍ଧି କରାଯାଉଛି। ଆଉ ୪ଶହ କୁକୁର ରଖି ପାରିବାର କେନେଲ୍ କରାଯାଉଛି। ଏସବୁ କାର୍ଯ୍ୟକ୍ଷମ ହୋଇଗଲେ, ଆଉ ବନ୍ଧ୍ୟାକରଣରେ ଅସୁବିଧା ରହିବନି। ବିଏମ୍ସି ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ ସିକ୍କା କହିଛନ୍ତି, ବ୍ୟବସ୍ଥା ଅନୁଯାୟୀ କେନେଲ୍ ଖାଲି ହେଲେ, ଅନ୍ୟ କୁକୁରଙ୍କ ଅସ୍ତ୍ରୋପଚାର କରାଯାଇପାରିବ। ବୁଲା କୁକୁରଙ୍କ ଅସ୍ତ୍ରୋପଚାର ପରେ ୪ ଦିନ କେନେଲରେ ରଖି ଛାଡ଼ିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଅନେକ ସମୟରେ ୪ ଦିନରେ କୁକୁରଙ୍କ ଅସ୍ତ୍ରୋପଚାର ଶୁଖୁନି। କିଛି କୁକୁରଙ୍କ ଅନ୍ୟ ରୋଗ ବି ରହିଛି। ଏମାନଙ୍କୁ ଅଧିକ ଦିନ ରଖିବାକୁ ପଡ଼ୁଛି, ଯାହା ସମସ୍ୟା ସୃଷ୍ଟି କରୁଛି।

3 weeks ago
12


