ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକରେ ବିକାଶମୂଳକ କାର୍ଯ୍ୟକ୍ରମକୁ ନୂଆ ଗତି ମିଳିଛି। ବୁଧବାର ବଡ଼ସାହି ବିଧାୟକ ସନାତନ ବିଜୁଳି ବେତନଟୀ ବ୍ଲକର ବିଭିନ୍ନ ସ୍ଥାନରେ ୪୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିଛନ୍ତି। ଏହି ପଦକ୍ଷେପ ଅଞ୍ଚଳର ରାସ୍ତା, ସ୍ୱାସ୍ଥ୍ୟ ଏବଂ ଗ୍ରାମ୍ୟ ଭିତ୍ତିଭୂମିର ବିକାଶକୁ ଆହୁରି ସୁଦୃଢ଼ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
ଏହି ଅବସରରେ ବିଧାୟକ ବେତନଟୀ ବ୍ଲକ ଅଧୀନ ସ୍ୱାସ୍ଥ୍ୟ ବିଭାଗର ଏକାଧିକ ନୂତନ ଭବନର ଶୁଭ ଉଦଘାଟନ କରିଥିଲେ। ଏହାଦ୍ୱାରା ସ୍ଥାନୀୟ ଲୋକମାନେ ଉନ୍ନତ ଓ ସହଜ ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗ ପାଇବେ। ସେହିପରି ବହୁ ପ୍ରତୀକ୍ଷିତ ପୂର୍ତ୍ତବିଭାଗ ଅଧୀନ ଏମଡିଆର-୭୦ ରାସ୍ତାର ବୈଶିଙ୍ଗାରୁ ରୁପ୍ସା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ୨୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି ରାସ୍ତାର ଉନ୍ନତି ଫଳରେ ଯାତାୟାତ ବ୍ୟବସ୍ଥା ସୁଗମ ହେବା ସହ ବ୍ୟବସାୟ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରୋତ୍ସାହନ ମିଳିବ।
Narendra Modi: ଉଲ୍ଲେଖନୀୟ ହେବ ମୟୂରଭଂଜ ଗସ୍ତ: ପ୍ରଧାନମନ୍ତ୍ରୀ ମୋଦୀ
କାର୍ଯ୍ୟକ୍ରମରେ ବିଧାୟକ କହିଥିଲେ ଯେ, ରାଜ୍ୟ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଉନ୍ନତ ରାସ୍ତା, ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଆବଶ୍ୟକ ଜନସେବା ଯୋଗାଇ ଗ୍ରାମବାସୀଙ୍କ ଜୀବନଯାତ୍ରାକୁ ଅଧିକ ସୁବିଧାଜନକ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହିଥିଲେ। ସ୍ଥାନୀୟ ଲୋକମାନେ ଏହି ପ୍ରକଳ୍ପଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା ଓ ଗୁଣାତ୍ମକ ସମ୍ପାଦନ ନେଇ ଆଶାବାଦୀ ଥିବାବେଳେ, ବିଧାୟକ ମଧ୍ୟ ଏନେଇ ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେl ତେବେ ଏହା ବେତନଟୀ ବ୍ଲକର ସାମଗ୍ରିକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ ପାଇଛି।

2 weeks ago
11


