ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ହୋଇପଡ଼ିଛି। ଶୁକ୍ରବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିବା ସହ ‘ସାଂଘାତିକ’ ବର୍ଗରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟା ୫ ମିନିଟ୍ରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୪୦୩ ରେକର୍ଡ କରାଯାଇଥିଲା। ସକାଳ ୮ଟା ଓ ୯ଟାରେ ମଧ୍ୟ ଏହା ସମାନ ସ୍ତରରେ ରହିଥିଲା। ଘନ ଧୂଆଁ ଓ କୁହୁଡ଼ିର ଆସ୍ତରଣରେ ସମଗ୍ର ରାଜଧାନୀ ଢାଙ୍କି ହୋଇଯାଇଥିବାରୁ ରାସ୍ତାଘାଟରେ ଦୃଶ୍ୟମାନତା ହ୍ରାସ ପାଇଛି।
ସିପିସିବିର ତଥ୍ୟ ଅନୁସାରେ, ଦିଲ୍ଲୀର ୫୮ଟି ବାୟୁ ଗୁଣବତ୍ତା ମାପକ କେନ୍ଦ୍ର ମଧ୍ୟରୁ ୩୩ଟିରେ ପ୍ରଦୂଷଣ ସାଂଘାତିକ ସ୍ତରରେ ରହିଥିଲା। ଦିଲ୍ଲୀ ଆଇଆଇଟି ଅଞ୍ଚଳରେ ସର୍ବାଧିକ ୪୮୮ ଏକ୍ୟୁଆଇ ରେକର୍ଡ ହୋଇଥିବାବେଳେ ଚାନ୍ଦିନୀଚୌକରେ ୪୭୯ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ୍ରେ ୪୭୮ ରହିଥିଲା। ସେହିପରି ପୁସାରେ ୪୬୮, ବୁରାରି କ୍ରସିଂରେ ୪୫୬, ଆଇଟିଓ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ୪୫୧ ଏକ୍ୟୁଆଇ ରେକର୍ଡ କରାଯାଇଥିଲା।
ଗୁରୁବାର ମଧ୍ୟ ଦିଲ୍ଲୀର ବାୟୁ ମାନରେ ଦ୍ରୁତ ଅବନତି ହୋଇଥିଲା। ମାତ୍ର ୨୪ ଘଣ୍ଟା ମଧ୍ୟରେ ବାୟୁରେ ଥିବା ସୂକ୍ଷ୍ମ ଧୂଳିକଣା ପିଏମ୍୨.୫ର ପରିମାଣ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ସନ୍ଧ୍ୟା ୬ଟା ସୁଦ୍ଧା ଘନମିଟର ପିଛା ୨୪୪ ମାଇକ୍ରୋଗ୍ରାମ୍ରେ ପହଞ୍ଚିଥିଲା। ଏହା ଜାତୀୟ ମାନକଠାରୁ ପ୍ରାୟ ଚାରିଗୁଣ ଅଧିକ। ପବନର ବେଗ କମ୍ ରହିବା ଏବଂ ବାୟୁମଣ୍ଡଳର ନିମ୍ନସ୍ତରରେ ପ୍ରଦୂଷିତ ବାୟୁ ଅଟକି ରହିବା ଯୋଗୁଁ ଏହାର ନିଷ୍କାସନ ହୋଇପାରୁନାହିଁ। ଏହା ସହ ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ମଧ୍ୟ ପ୍ରଦୂଷଣ ବୃଦ୍ଧିର ଅନ୍ୟତମ କାରଣ ହୋଇଛି। ନାସାର ଉପଗ୍ରହ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧ରୁ ନଭେମ୍ବର ୧୨ ମଧ୍ୟରେ ପଞ୍ଜାବରେ ୩,୭୨୯ ଓ ହରିୟାଣାରେ ୩୭୮ଟି ନଡ଼ାପୋଡ଼ି ଘଟଣା ଚିହ୍ନଟ ହୋଇଛି।
ଆହୁରି ପଢନ୍ତୁ: Diabetes Risk: କାର୍ଯ୍ୟାଳୟର ଚାପ, ଡାକିଆଣିବ କି ଡାଇବେଟିସ୍?
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନଭେମ୍ବର ୬ରୁ ଦିଲ୍ଲୀ-ଏନ୍ସିଆର୍ରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଗ୍ରାପ୍)ର ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଛି। ଏହା ଅନୁଯାୟୀ, ଧୂଳି ସୃଷ୍ଟି କରୁଥିବା ନିର୍ମାଣ ଓ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ କଟକଣା ଲାଗିବା ସହ ପଥର ଖଣି ଓ କ୍ରସର୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଦିଲ୍ଲୀ ଓ ଏନ୍ସିଆର୍ର କେତେକ ଅଞ୍ଚଳରେ ପୁରୁଣା ପେଟ୍ରୋଲ ଓ ଡିଜେଲ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ରହିଛି। ଏକ୍ୟୁଆଇ ୪୫୦ ଅତିକ୍ରମ କଲେ ଗ୍ରାପ୍ର ଚତୁର୍ଥ ପର୍ଯ୍ୟାୟ ଲାଗୁ ହେବ। ଏହି ସ୍ଥିତିରେ ତୁରନ୍ତ ସୁଧାର ଆସିବାର ସମ୍ଭାବନା କମ୍ ଥିବାରୁ ଦିଲ୍ଲୀବାସୀଙ୍କୁ ଆଗାମୀ ଦିନରେ ମଧ୍ୟ ପ୍ରଦୂଷଣ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

1 hour ago
3


