ARTICLE AD BOX
ରାୟଗଡ଼ା/କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ଏବଂ କଲ୍ୟାଣସିଂହପୁର ବ୍ଲକରେ ହୋଇଥିବା ୨ଟି ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଗୁଣପୁର ଥାନା ଅନ୍ତର୍ଗତ ଚୈତନ୍ୟଗୁଡ଼ା ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଓ ଆହତ ସମସ୍ତ ଗୁଣପୁର ସହର ବାସିନ୍ଦା ଅଟନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ଗୁଣପୁର ସହରର ପୁରୁଣା ପୋଷ୍ଟ ଅଫିସ ସାହିର ବାଇକ ମେକାନିକ୍ ଚିନ୍ତାଡା ରମେଶ ବୋଲି ଜଣା ପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଗୁଣପୁର ସହର ଶିବାନନ୍ଦ ଢେପ ସାହିର ଏକ ଦମ୍ପତି ପୂଲୁଗୁମି ନିକଟସ୍ଥ ବନ ଦୁର୍ଗା ମନ୍ଦିର ଦର୍ଶନକୁ ଯାଇ ଫେରିବା ସମୟରେ ଚୈତନ୍ୟଗୁଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ଗୁଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ରମେଶ ନାମକ ଜଣେ ଯୁବକକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଆହତ ବ୍ୟକ୍ତିମାନେ ହେଲେ ପଞ୍ଚାନନ ହୋତା,ତାଙ୍କ ସ୍ତ୍ରୀ ଏବଂ ଏ ଚିନ୍ନା । ଅପରପକ୍ଷେ ଗୁଣପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବସ୍ ସହ ବାଇକର ମୁହାଁମୁହିଁ ଦୁର୍ଘଟଣା
ଅନ୍ୟ ଏକ ଘଟଣାରେ ଗୋଟିଏ ବସ୍ ସହ ବାଇକର ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ପେଦିରୁ ଏଲୁଜ୍ । ସୂଚନାରୁ ଜଣାପଡିଛି ପେଦିରୁ ରାୟଗଡ଼ା ବ୍ଲକ ଗାଡି ଶେଷଖାଲ୍ ଅଞ୍ଚଳରୁ ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ କଲ୍ୟାଣସିଂହପୁର ବ୍ଲକ ସିକରପାଇ ଅଭିମୁଖେ ଯାତ୍ରା କରୁଥିଲେ । କଲ୍ୟାଣସିଂହପୁର ଥାନା ରାଜ୍ୟ ରାଜପଥ ୪୫ ରେ ବେଲକଣା ନିକଟରେ ପେଦିରୁଙ୍କ ବାଇକ ବସ ସହ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳରେ ପେଦିରୁ ମୃତ୍ୟୁବରଣ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କ୍ଷତିପୁରଣ ଦାବି କରି ପାଖାପାଖି ୪ଘଣ୍ଟା ଧରି ରାସ୍ତାରୁ ମୃତକଙ୍କ ଶବ ଦୁର୍ଘଟଣା ସ୍ଥଳରୁ ଉଠିପାରିନଥିଲା । ଫଳରେ ଜାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳକୁ କଲ୍ୟାଣସିଂହପୁର ପୁଲିସ ଲୋକଙ୍କୁ ବୁଝାଶୁଝା କରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଏନେଇ କଲ୍ୟାଣସିଂପୁର ପୁଲିସ ତଦନ୍ତ କରୁଛି ।

2 weeks ago
9


