Crops damage: ଖେତରେ ପଶି ରୁଆ ଧାନ ଦଳିଦେଲେ ୫ ହାତୀ

2 weeks ago 7
ARTICLE AD BOX

ଜମନକିରା (ରାଜେନ୍ଦ୍ର ନାୟକ):ସମ୍ବଲପୁରଜିଲ୍ଲା ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ବିଶ୍ୱାଳପାଲି ଗାଁରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଜଙ୍ଗଲରୁ ହାତୀପଲ ଗାଁମୁହାଁ ହୋଇ ଚାଷଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ରୁଆ ଓ ବୁଣା ଧାନ କିଆରୀରେ ହାତୀ ପଶି ଦଳି ଦେବା ସହ ଧାନ ଖାଇ ଯାଉଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ରାତିରେ ବିଶ୍ୱାଳପାଲି ଗାଁର ଚାଷୀ ଲିଲଚାନ୍ଦ ସିଂଙ୍କ ପ୍ରାୟ ୨ ଏକର ଚାଷଜମିରେ ୫ଟି ହାତୀ ପଶି ତାଣ୍ଡବ ରଚିଥିଲେ। ହାତୀପଲ ଧାନ କିଆରୀରେ ପଶି ରୁଆ ଓ ବୁଣା ଧାନ ମାଡ଼ି ଦଳିବା ସହ ଖାଇ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ଫଳରେ ଚାଷୀଙ୍କ ଏକର ଏକର ଜମିରେ ଫସଲ କ୍ଷତି ହୋଇଥିବା ବେଳେ ଆଗାମୀ ଦିନର ଚାଷକୁ ନେଇ ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି।

ବିଶ୍ୱାଳପାଲି ଓ ଏହାର ଆଖପାଖ ଅଞ୍ଚଳରେ ହାତୀଙ୍କ ଧାନ ଖାଇବା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ପ୍ରତି ରାତିରେ ହାତୀପଲ ଗାଁ ନିକଟକୁ ଆସି ଚାଷଜମିରେ ପଶୁଥିବାରୁ ଚାଷୀମାନେ ନିଜ ଫସଲ ଜଗିବାକୁ ବାଧ୍ୟ ହେଉଛନ୍ତି। ହାତୀ ଭୟରେ ରାତିରେ ଚାଷଜମିକୁ ଯିବାକୁ ମଧ୍ୟ ଚାଷୀମାନେ ସାହସ କରିପାରୁନାହାନ୍ତି।

Woman Death: ହାତୀ ଉପଦ୍ରବ: ଘରୁ ଟାଣି ନେଇ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

ଏଭଳି ପରିସ୍ଥିତିରେ ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନଜର ରଖିବା ସହ ହାତୀଙ୍କୁ ଗାଁ ଓ ଚାଷଜମିଠାରୁ ଦୂରେ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଧାନ ଫସଲର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମାନୁସାରେ କ୍ଷତିପୂରଣ ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.