ARTICLE AD BOX
ଲଣ୍ଡନ: କୋଭିଡ୍ ମହାମାରୀ ସମୟରେ ବ୍ୟବସାୟକୁ ସମର୍ଥନ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପାଞ୍ଚଟି ଋଣ ବେଆଇନ ଭାବରେ ପାଇବା ନେଇ ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ବ୍ରିଟେନର ଏକ କୋର୍ଟ ଦୁଇ ବର୍ଷରୁ ଅଧିକ ଜେଲଦଣ୍ଡ ଦେଇଛନ୍ତି। ୫୦ ବର୍ଷୀୟା ରୂପାଲି ୱାଘ୍ ୨୦୨୦ ମେ’ ରୁ ସେପ୍ଟେମ୍ବର ମଧ୍ୟରେ ତାଙ୍କ ବ୍ୟବସାୟର ଟର୍ଣ୍ଣଓଭରକୁ ଅଧିକ ଦର୍ଶାଇ ତାଙ୍କର ଚାରୋଟି କମ୍ପାନି ପାଇଁ ମୋଟ ୨୧୬,୨୫୦ ପାଉଣ୍ଡ ବାଉନ୍ସ ବ୍ୟାକ୍ ଲୋନ୍ ପାଇଁ ଆବେଦନ କରିଥିଲେ। ରୂପାଲି ସର୍ତ୍ତାବଳୀର ସ୍ପଷ୍ଟ ଉଲ୍ଲଂଘନ କରି ଷ୍ଟକ୍ ଓ ସେୟାର କିଣିବା ଏବଂ ବ୍ୟକ୍ତିଗତ ଆର୍ଥିକ ପରିଶୋଧ କରିବା ପାଇଁ କିଛି ପାଣ୍ଠି ବ୍ୟବହାର କରିଥିଲେ। ରୂପାଲି ନଭେମ୍ବର ମାସରେ ପାଞ୍ଚଟି ଠକେଇ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ଶୁକ୍ରବାର ମେର୍ଥିର ଟାଇଡଫିଲ୍ କ୍ରାଉନ୍ କୋର୍ଟ ତାଙ୍କୁ ଦୁଇ ବର୍ଷ ତିନି ମାସ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରିଛି।
ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୮ମୃତ, ୧୫ ଜଣ ଆହତ
ବ୍ରିଟେନର ଇନସଲଭେନ୍ସି ସର୍ଭିସ୍ର ମୁଖ୍ୟ ତଦନ୍ତକାରୀ ଡେଭିଡ୍ ସ୍ନାସଡେଲ୍ କହିଛନ୍ତି, ରୂପାଲି କମ୍ପାନିର କାରବାର ୬୫,୦୦୦ ପାଉଣ୍ଡ ବୋଲି ଘୋଷଣା କରିଥିଲେ ଓ କହିଥିଲେ ଯେ ପାଣ୍ଠି ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେବ। ବାସ୍ତବରେ ପୂର୍ବ କ୍ୟାଲେଣ୍ଡର ବର୍ଷରେ ତାଙ୍କ କମ୍ପାନିର କାରବାର ମାତ୍ର ୩୯,୦୦୦ ପାଉଣ୍ଡ ଥିଲା। ପାଣ୍ଠି ପାଇବାର କିଛି ସପ୍ତାହ ମଧ୍ୟରେ, ରୂପାଲି ତାଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଥିଲେ ଓ ଏହାର ଅଧିକାଂଶ ଋଣ ପରିଶୋଧ ଓ ଷ୍ଟକ୍ ଏବଂ ସେୟାର କିଣିବାରେ ଖର୍ଚ୍ଚ କରିଥିଲେ। ଜୁନ୍ ୨୦୨୦ରେ ରୂପାଲି ଟ୍ୟାଲେନସେଟୁ ୟୁକେ ଲିମିଟେଡ୍ ପାଇଁ ୫୦,୦୦୦ ପାଉଣ୍ଡ ଋଣ ପାଇଁ ଆବେଦନ କରିଥିଲେ, ଯାହା ଏହି ଯୋଜନା ଅନୁଯାୟୀ ସର୍ବାଧିକ ଅନୁମୋଦନ ଥିଲା। ସେ ନିଜ କମ୍ପାନିର କାରବାର ୨୧୮,୦୦୦ ପାଉଣ୍ଡ ଦର୍ଶାଇଥିଲେ। ଇନସଲଭେନ୍ସି ସର୍ଭିସ ପକ୍ଷରୁ ଜେରା ବେଳେ ରୂପାଲି ପ୍ରଥମେ ତାଙ୍କ ଦୋଷ ସ୍ବୀକାର ନ କରି ଅନ୍ୟ କେହି ତାଙ୍କ ନାଁରେ ଋଣ ଆବେଦନ କରିଥିବା କହିଥିଲେ। ପରେ ସେ ବ୍ୟକ୍ତିଗତ କ୍ରେଡିଟ୍ କାର୍ଡ ଋଣ ଓ ଋଣ ପରିଶୋଧ କରିବା ପାଇଁ ପାଣ୍ଠି ବ୍ୟବହାର କରିଥିବା ସ୍ୱୀକାର କରିଛନ୍ତି।

2 months ago
11


