ARTICLE AD BOX
ନୂଆଦିଲ୍ଲୀ: ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶ ତାଙ୍କୁ ସ୍ମରଣ କରୁଛି। ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଏନେଇ ଅନେକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ନେତା ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରିଛନ୍ତି।
ଏହି ଅବସରରେ କଂଗ୍ରେସ ମଧ୍ୟ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। କଂଗ୍ରେସ ନେତା ଜୟରାମ ରମେଶ ସର୍ଦ୍ଦାର ପଟେଲଙ୍କ ସହ ଇନ୍ଦିରା ଗାନ୍ଧୀ ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସହ ଲେଖିଥିବା କ୍ୟାପସନରେ ସେ ଉଭୟଙ୍କୁ ଅଟଳ ଓ ଦୃଢ଼ ସଂକଳ୍ପବଦ୍ଧ ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି। ଜୟରାମ ରମେଶ ଲେଖିଛନ୍ତି, “ଦୁଇ ଭାରତୀୟ, ଉଭୟ ଅଟଳ ଏବଂ ଦୃଢ଼ ସଂକଳ୍ପବଦ୍ଧ। ଉଭୟ ଭାରତୀୟ ଉପମହାଦେଶର ଭୂଗୋଳ ଓ ଇତିହାସକୁ ଆକାର ଦେଇଥିଲେ। ଆଜି ଆମେ ଭାରତର ସ୍ୱାଧୀନତାର ଜଣେ ପ୍ରମୁଖ ବିନ୍ଧାଣୀଙ୍କ ୧୫୧ତମ ଜୟନ୍ତୀ ପାଳନ କରୁଛୁ। ସେ ଭାରତର ଏକତାକୁ ବାସ୍ତବ ରୂପ ଦେଇଥିଲେ। ଏହାସହ ଅନେକ ଦଶନ୍ଧି ପରେ ଆସିଥିବା ଶ୍ୱେତ ବିପ୍ଳବର ମଧ୍ୟ ସେ ପ୍ରେରଣାର ଉତ୍ସ ହୋଇଥିଲେ। ସେହିପରି ଆଜି ଆମେ ଜଣେ ଅତ୍ୟନ୍ତ ସାହସୀ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ୪୨ତମ ପୁଣ୍ୟତିଥିକୁ ମଧ୍ୟ ସ୍ମରଣ କରୁଛୁ। ସେ ସ୍ୱାଧୀନ ଭାରତକୁ ପରମାଣୁ ଓ ମହାକାଶ ଶକ୍ତି ଭାବେ ସୁଦୃଢ଼ କରିବା ସହ ନିଜ ଜୀବନକାଳରେ ହରିତ ବିପ୍ଳବକୁ ଗତି ଦେଇଥିଲେ।’
ପୁରୁଣା ସମ୍ପର୍କକୁ ମନେ ପକାଇ ଦେଉଛି ୧୯୪୭ର ଫଟୋ
ଜୟରାମ ରମେଶ ସେୟାର କରିଥିବା ଫଟୋଟି ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ତାଙ୍କ ଅନୁଯାୟୀ, ଏହି ଫଟୋଟି ନଭେମ୍ବର ୧୯୪୭ର ପ୍ରଥମ ସପ୍ତାହରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହର। ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଏସୀୟ ଆଞ୍ଚଳିକ ସମ୍ମିଳନୀର ପ୍ରତିନିଧିମାନଙ୍କ ସମ୍ମାନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏହି ସମାରୋହ ଆୟୋଜନ କରିଥିଲେ।ଫଟୋରେ ୩୦ ବର୍ଷୀୟ ଇନ୍ଦିରା ଗାନ୍ଧୀ ୭୨ ବର୍ଷୀୟ ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି।
ଜୟରାମ ରମେଶ ଆହୁରି ଲେଖିଛନ୍ତି ଯେ, ଇତିହାସକୁ ବିକୃତ କରୁଥିବା ଲୋକେ ଇନ୍ଦିରା ଗାନ୍ଧୀଙ୍କ ମନରେ ସର୍ଦ୍ଦାର ପଟେଲଙ୍କ ପ୍ରତି ଥିବା ଗଭୀର ସମ୍ମାନ ଓ ପ୍ରଶଂସାକୁ ମିଟାଇ ପାରିବେ ନାହିଁ। ଅନ୍ୟପଟେ, ସର୍ଦ୍ଦାର ପଟେଲ ଏକମାତ୍ର ଜୀବିତ ବ୍ୟକ୍ତି ଥିଲେ, ଯାହାଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ ନିଜେ ଜବାହରଲାଲ ନେହରୁ ୧୩ ଫେବୃଆରି ୧୯୪୯ରେ ଗୁଜରାଟର ଗୋଧ୍ରାଠାରେ କରିଥିଲେ।

1 day ago
4


