ARTICLE AD BOX
ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ବଳ କରିବା ପାଇଁ ଆମ ସରକାର କାମ କରୁଛନ୍ତି। ପୁଅଝିଅମାନେ ପାଠପଢ଼ା ଶେଷ କରିବା ପରେ ଯେଭଳି ନିଜ ମାଟିରେ ସମ୍ମାନଜନକ ଚାକିରି ପାଇପାରିବେ ତାହା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ସେଥିପାଇଁ ଶିଳ୍ପାୟନ ଅଭିଯାନକୁ ବ୍ୟାପକ କରାଯାଉଛି। ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା କାରଖାନା ଓ କାର୍ଯ୍ୟାଳୟଗୁଡ଼ିକରେ ନିଯୁକ୍ତି ଲାଗି ଯୁବବର୍ଗଙ୍କୁ ପ୍ରସ୍ତୁତ କରିବାକୁ ଆବଶ୍ୟକ ଦକ୍ଷତା ତାଲିମ ଦିଆଯାଉଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ଶେଷ କରି ଆଜି ପୂର୍ବାହ୍ଣରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ତାଙ୍କୁ ସେଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।
Wine seize: ଗ୍ରୋସରି ଦୋକାନରୁ ୧୧.୧୨୦ ଲିଟର ବିଦେଶୀ ମଦ ଜବତ
ରାଜ୍ୟକୁ ଆସିଲାଣି ୨୨.୫ ଲକ୍ଷ କୋଟି
ୟୁଏଇରୁ ୨.୪୩ ଲକ୍ଷ କୋଟି ନିବେଶ
ବିମାନବନ୍ଦରରେ ବିପୁଳ ସମ୍ବର୍ଦ୍ଧନା
ସେ କହିଲେ, ଗତ ଦୁଇ ବର୍ଷରେ ଶିଳ୍ପାୟନ ଅଭିଯାନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି, ଯାହା ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଏବଂ ଆସନ୍ତା ଦଶ ବର୍ଷରେ ଓଡ଼ିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମ ଉଦ୍ୟମ ଜାରି ରହିଛି। ୟୁଏଇ ଗସ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବଦୁଲା ବିନ୍ ତକ୍ ଅଲ୍ ମାରି, ଆଇଏଚ୍ସିର ପରିଚାଳନା ନିର୍ଦ୍ଦେଶକ ସୟଦ ବସର୍ ସୁଏବ୍ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଆଇଏଚ୍ସି ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ଦୁଇ କମ୍ପାନିର ଆଲୁମିନିୟମ୍ ପ୍ରକଳ୍ପ ରାୟଗଡ଼ା ଓ ସୁନ୍ଦରଗଡ଼ରେ ସ୍ଥାପନ ନେଇ ଉଦ୍ୟମ ଜାରି ରହିଛି। ଏଥିସହିତ ୟୁଏଇର ସଫଳ ଓଡ଼ିଆ ଉଦ୍ୟୋଗୀ ଓ ପ୍ରବାସୀ ଓଡ଼ିଆମାନଙ୍କ ସହ ଭାବ ଆଦାନପ୍ରଦାନ କରାଯାଇଥିଲା।
Protest: ପଞ୍ଜାବର ୭ ମନ୍ତ୍ରୀ ଓ ବାଚସ୍ପତିଙ୍କ ଘର ଆଗରେ ଆଜିଠାରୁ ୫ ଦିନ ଚାଷୀଙ୍କ ଧାରଣା
ଚଳିତ ମାସ ୮ରେ ୟୁଏଇ ଗସ୍ତ କରି ମୁଖ୍ୟମନ୍ତ୍ରୀ ଆବୁଧାବି ଓ ଦୁବାଇରେ ମୋଟ ୫୨ଟି ବ୍ୟବସାୟ ସମ୍ପର୍କିତ ବୈଠକ, ୬ଟି ରାଉଣ୍ଡଟେବୁଲ ଓ ୪୬ଟି ପ୍ରତ୍ୟକ୍ଷ ବୈଠକରେ ଯୋଗ ଦେବା ସହିତ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ମୋଟ ୮ଟି ବୁଝାମଣାପତ୍ର ଓ ୧୬ଟି ନିବେଶ ଇଚ୍ଛାପତ୍ର ଜରିଆରେ ୨,୪୩,୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଥିଲା। ଏହାଦ୍ବାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୨୫ ଜାନୁଆରିରେ ଭୁବନେଶ୍ୱରରେ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’ ପରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଓ ସିଙ୍ଗାପୁର ଆଦିରେ ନିବେଶ ରୋଡ୍ ସୋ ଆୟୋଜନ କରାଯାଇଥିଲା। ରାଜ୍ୟକୁ ଆସିଥିବା ମୋଟ ନିବେଶ ପ୍ରସ୍ତାବ ୨୨.୫ ଲକ୍ଷ କୋଟିରେ ପହଞ୍ଚିଛି। ପ୍ରାରମ୍ଭିକ ସ୍ତରରେ ସଫଳତା ପରେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସବୁ ନିବେଶ ପ୍ରସ୍ତାବ ଓ ଏମ୍ଓୟୁଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଉତ୍ପାଦନ ଆରମ୍ଭ କରିବା, ଯାହା ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ ଓ ଗୋକୁଳାନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ବାବୁ ସିଂହ, ଛବି ମଲ୍ଲିକ, ଇରାଶିଷ ଆଚାର୍ଯ୍ୟ, ପ୍ରକାଶ ଚନ୍ଦ୍ର ସେଠୀ, ଆଶ୍ରିତ ପଟ୍ଟନାୟକ ଓ ପ୍ରତାପ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

3 days ago
5


