ARTICLE AD BOX
ଭୁବନେଶ୍ବର: ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ୨,୨୦୦ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ତଦାରଖ କରିବା ସହ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତି ମାସରେ ଥରେ ଏହି ଯୋଜନାର ସମୀକ୍ଷା କରିବେ। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି।
Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ
ବିଧାୟକମାନଙ୍କୁ ସାମିଲ କରିବାକୁ ପରାମର୍ଶ
ପ୍ରତି ସପ୍ତାହରେ ରିପୋର୍ଟ ଦେବେ ଜିଲ୍ଲାପାଳ
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି(ଏନ୍ଇପି)-୨୦୨୦ ଓ ଶିକ୍ଷା ଅଧିକାର ଆଇନ-୨୦୦୯ର ଲକ୍ଷ୍ୟ ପୂରଣ ପାଇଁ ପଞ୍ଚାୟତ ସ୍ତରରେ ବିଶ୍ୱସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା ଲକ୍ଷ୍ୟରେ ଏହି ଯୋଜନା ପ୍ରଚଳିତ ହୋଇଛି। ଏବେ ସୁଦ୍ଧା ୩୨୨ଟି ସ୍କୁଲ ପାଇଁ ଭିତ୍ତିପ୍ରସ୍ତର ସହ କାମ ଆରମ୍ଭ ହୋଇଛି। ବାକି ରହିଥିବା ବିଦ୍ୟାଳୟଗୁଡ଼ିକ ପାଇଁ ତୁରନ୍ତ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳମାନେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଜମି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇ କହିଛନ୍ତି ଯେ ଏହାଦ୍ବାରା ଜମି ଚିହ୍ନଟ ପ୍ରକ୍ରିୟା ସହଜ ଓ ତ୍ୱରାନ୍ୱିତ ହୋଇପାରିବ। ଏହି ପ୍ରକଳ୍ପର ସଫଳତା ପାଇଁ ଜିଲ୍ଲାପାଳଙ୍କ ସକ୍ରିୟ ଉଦ୍ୟମ ଏକାନ୍ତ ଜରୁରୀ। ସମସ୍ତେ ଏହାକୁ ଗୁରୁତ୍ୱର ସହ ନେଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରନ୍ତୁ। ୨୨୦୦ ବିଦ୍ୟାଳୟକୁ ଖୁବ୍ଶୀଘ୍ର ନିର୍ମାଣ କରିବାକୁ ପ୍ରଶାସନିକ କଳ କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ତିରୁମାଲା ନାୟକ ଓ ଓସେପା ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାପାଳ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

3 weeks ago
10


