ARTICLE AD BOX
ଭୁବନେଶ୍ବର: ସହରାଞ୍ଚଳରେ ଘର କରିବାକୁ ହେଲେ ବିଲ୍ଡିଂ ପ୍ଲାନ୍ ମଞ୍ଜୁରି ଅତ୍ୟାବଶ୍ୟକ। କିନ୍ତୁ ଭୁବନେଶ୍ବରରେ ଘର କରିବାକୁ ନାକରେ କାନ୍ଦିବାକୁ ପଡ଼ୁଛି। ୨୦୨୬ ପୂର୍ବର ସ୍ଥିତି ଭିନ୍ନ ଥିଲା। କିନ୍ତୁ ଚଳିତବର୍ଷ ଆରମ୍ଭରୁ ଅଚଳାବସ୍ଥା ଦେଖାଦେଇଛି। ଗିଫ୍ଟ ଡିଡ୍ର ଆଳ ଦେଖାଇ ବିଲ୍ଡିଂ ପ୍ଲାନ ଅନୁମୋଦନ ଦିଆଯାଉନି। ବିଏମ୍ସିଠାରୁ ବଳିଯାଇଛି ବିଡିଏ ଯନ୍ତ୍ରଣା। ବିଡିଏ ଅଞ୍ଚଳରେ ଲୋକେ ଘର କରିବା ପାଇଁ ବାରଦୁଆର ହେଉଛନ୍ତି। ୮ ମାସ ହେଲାଣି ନାକ ଘୋଷାରି ସାରିଲେଣି, ତଥାପି ବାବୁମାନଙ୍କ ନିଦ ଭାଙ୍ଗୁନି। ଫଳସ୍ବରୂପ ବିଲ୍ଡିଂ ପ୍ଲାନ ଅନୁମୋଦନ ଆବେଦନ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଓ ୮ ମାସରେ ଆବେଦନ ସଂଖ୍ୟା ହଜାରେ ଡେଇଁଗଲାଣି। ସର୍ବାଧିକ ଆବେଦନ ସହରତଳି ଅଞ୍ଚଳର। ଯାହା ବେଆଇନ ନିର୍ମାଣକୁ ପ୍ରୋତ୍ସାହନ ଦେଉଛି ଓ ଲାଞ୍ଚ କାରବାରର ଗଳିଆ ବାଟ ଖୋଲିଛି। ସେପଟେ ଯେହେତୁ ଲୋକେ ଆବେଦନ କରି ବି ମାସ ମାସ ହେଲାଣି ବିଲ୍ଡିଂ ପ୍ଲାନ ମଞ୍ଜୁରି ପାଇପାରିନାହାନ୍ତି, ନିୟମ ବାହାରେ ଘର ନିର୍ମାଣ କଲେଣି। ଯେଉଁ ବାବୁମାନେ ବିଲ୍ଡିଂ ପ୍ଲାନ ଆବେଦନକୁ ଅଟକାଇ ରଖିଛନ୍ତି, ସେମାନେ ନା ଏହି ବେଆଇନ ନିର୍ମାଣ ଉପରେ ନଜର ରଖିଛନ୍ତି, ନା ଏ ଦିଗରେ ଏନ୍ଫୋର୍ସମେଣ୍ଟ କରାଯାଉଛି। ଏଣୁ ରାଜ୍ୟ ସରକାର ଭୁବନେଶ୍ବର ଭଳି ଏହାର ସହରତଳି ଅଞ୍ଚଳର ଯେଉଁ ପୂର୍ଣ୍ଣ ବିକାଶ ଲକ୍ଷ୍ୟ ରଖିଛନ୍ତି, ତାହା ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି।
Students Homework: ହୋମୱାର୍କରୁ ବଞ୍ଚିବାର ନିଆରା ଉପାୟ, ଖାଇଦେଲେ ପୁରା ବହି!
ମନ୍ତ୍ରୀ, ବିଧାୟକଙ୍କ କଥା ବି ଶୁଣୁନାହାନ୍ତି
ଭୁଲ୍ କଲେ ଜମି ମାଫିଆ ଓ ଅଧିକାରୀ, ଭୋଗୁଛନ୍ତି ଲୋକେ
ବେଆଇନ ନିର୍ମାଣକୁ ପ୍ରୋତ୍ସାହନ
ନିକଟରେ ବିଡିଏ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏ ପ୍ରସଙ୍ଗ ଉଠାଇଥିଲେ। ମନ୍ତ୍ରୀ ସିଧାସଳଖ କହିଥିଲେ, ଅନେକ ଲୋକ ବିଲ୍ଡିଂ ପ୍ଲାନ ଅନୁମୋଦନ ଅପେକ୍ଷାରେ ରହିଛନ୍ତି। କାହିଁକି ଏହା ଅଟକାଇ ରଖାଯାଇଛି, ଜାଣିପାରୁନି। ଏହି ଆବେଦନ ସବୁକୁ ମଞ୍ଜୁରି ଦେବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ଏକାମ୍ର ବିଧାୟକ ବାବୁ ସିଂ ବି ଏକଥା ଦୋହରାଇଥିଲେ। କହିଥିଲେ, ଭୁବନେଶ୍ବରରେ ଜମିର ଦର ଯାହା ହେଲାଣି, ଏଠି ଜାଗା କିଣି ଘର କରିବା କଷ୍ଟକର। ତଥାପି ଯେଉଁମାନେ ନିଜ କଷ୍ଟାର୍ଜିତ ଧନରେ ଜାଗା କିଣି ଘର କରିବାକୁ ଚାହୁଛନ୍ତି, ସେମାନଙ୍କୁ ବିଡିଏ କରାଇ ଦେଉନି। ଏଣୁ ଲୋକଙ୍କ ବିଲ୍ଡିଂ ପ୍ଲାନ୍ ଆବେଦନକୁ ମଞ୍ଜୁରି ଦେବାକୁ ସେ ମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ତଥାପି ବିଡିଏ ଉପାଧ୍ୟକ୍ଷ ଓ ଅନ୍ୟ ଅଧିକାରୀମାନେ ନିଘୋଡ଼ ନିଦ୍ରାରେ।
ବିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଓଡିଏ ଆଇନ ଅନୁଯାୟୀ ପ୍ଲାନ୍ ଅନୁମୋଦନ ପୂର୍ବରୁ ସବୁ ବିଲ୍ଡିଂ ତଥା ପ୍ଲଟ୍କୁ ଚଉଡ଼ା ରାସ୍ତା ଥିବା ଆବଶ୍ୟକ। ଆବାସିକ କି ଅଣଆବାସିକ, ଅଣବାଣିଜ୍ୟିକ, ନିର୍ମାଣକୁ ଦେଖି ୬ରୁ ୧୨ ମିଟର ପର୍ଯ୍ୟନ୍ତ ଚଉଡ଼ା ରାସ୍ତା ରହିବ। ଯଦି କୌଣସିଠାରେ ବେସରକାରୀ ଜାଗାରେ ରାସ୍ତା ନିଆଯାଇଛି, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ଅନୁସାରେ ରାସ୍ତାର ଉନ୍ନତି ସାଙ୍ଗକୁ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥା କରାଯିବ। ପରେ ଏହି ଜାଗାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନାଁରେ ଗିଫ୍ଟ ଡିଡ୍ କରାଯିବ। ସରକାର ଏହାକୁ ମାଗଣାରେ ପଞ୍ଜୀକୃତ କରିବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ଏହା ହୋଇନଥିବା ଦେଖିବାକୁ ମିଳିଛି। ଏ କ୍ଷେତ୍ରରେ ବିଲ୍ଡିଂ ପ୍ଲାନ ମଞ୍ଜୁରି ଦେବା ସମ୍ଭବପର ହେଉନି। ଲୋକଙ୍କ ଅଭିଯୋଗ, ଆମେ ଜମି ପ୍ଲଟିଂ କରୁଥିବା ବ୍ୟକ୍ତିଙ୍କଠାରୁ ଜାଗା କିଣିଛୁ। ଏବେ ନୁହେଁ, ବହୁ ବର୍ଷ ତଳୁ କିଣିଛୁ। ଯଦି ଏତେ ସବୁ ଅଡ଼ୁଆ ଥିଲା, ଜମି ପ୍ଲଟିଂ ବେଳେ ବିଡିଏ ଅଟକାଇ ପାରିଥାନ୍ତା। କିନ୍ତୁ ଅଧିକାରୀମାନେ ଜମି ମାଫିଆଙ୍କୁ ମୁକୁଳା ଛାଡ଼ିଦେଲେ। ସେତେବେଳେ ରାସ୍ତାର ଗିଫ୍ଟ ଡିଡ୍ କଥା ଦେଖାଗଲାନି। ଏବେ ଆମକୁ ଅଯଥା ହଇରାଣ କରାଯାଉଛି। ଯେଉଁ ଜାଗାରେ ଆମକୁ ଅନୁମତି ମିଳୁନି, ସେଠି ବିଡିଏ ବହୁ ସଂଖ୍ୟାରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ଦେଇଛି। ବିଲ୍ଡିଂ ପ୍ଲାନ୍ ଅନୁମତି ପାଇଥିବା ଲୋକେ ବହୁତଳ କୋଠା ଠିଆ କଲେଣି। ଯଦି ଅନ୍ୟଙ୍କୁ ବିଲ୍ଡିଂ ପ୍ଲାନ ଅନୁମୋଦନ ବିନା ଗିଫ୍ଟ ଡିଡ୍ରେ ଦିଆଯାଇଛି, ତେବେ ଆମକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି।

16 hours ago
2


