Attack: ଚାନ୍ଦା ନଦେବାରୁ ମିଠା ଦୋକାନୀଙ୍କୁ ଆକ୍ରମଣ: ତିନି ଅଭିଯୁକ୍ତ ଗିରଫ

1 day ago 1
ARTICLE AD BOX

ଜୟପୁର: ପାର୍ବଣ ଋତୁ ଆରମ୍ଭ ନହେଉଣୁ ସହରରେ ମୁଣ୍ଡ ଟେକିଛି ଚାନ୍ଦା ଆଦାୟ ଜୁଲୁମ୍। ଗଣେଶ ପୂଜା ପାଇଁ ଜୋର୍ ଜବରଦସ୍ତ ଚାନ୍ଦା ମାଗିବା ସହ ଜଣେ ୬୩ ବର୍ଷୀୟ ବୃଦ୍ଧ ଏସ୍. ଶ୍ରୀନିବାସ ରାଓ ମିଠା ବ୍ୟବସାୟୀଙ୍କୁ ମାରପିଟ୍ କରି ଦୋକାନ ଭଙ୍ଗାରୁଜା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।

ଦୋକାନର ସାମଗ୍ରୀ ଫିଙ୍ଗି ଭଙ୍ଗାରୁଜା

ସୂଚନା ଅନୁସାରେ, ପି.ଆର୍. ପେଟା ୪ର୍ଥ ଲାଇନର ବାସିନ୍ଦା ତଥା ସହରର ମୁଖ୍ୟ ରାସ୍ତାର ଭାସ୍କର ଟକିଜ୍ ସମ୍ମୁଖରେ ମିଠା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଏସ୍. ଶ୍ରୀନିବାସ ରାଓ ସୋମବାର ରାତି ପ୍ରାୟ ସାଢେ ୯ଟାରେ ନିଜ ଦୋକାନରେ ଥିଲେ। ଏହି ସମୟରେ ୨ରୁ ୩ ଜଣ ଯୁବକ ଆସି ତାଙ୍କୁ ଗଣେଶ ପୂଜା ଚାନ୍ଦା ମାଗିଥିଲେ। ଶ୍ରୀ ରାଓ ଚାନ୍ଦା ଟଙ୍କା ପରଦିନ ଅର୍ଥାତ ମଙ୍ଗଳବାର ଦେବା ପାଇଁ କହିବାରୁ ଉକ୍ତ ଯୁବକମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଶ୍ରୀ ରାଓ ଏହାର ପ୍ରତିବାଦ କରି ଗଣ୍ଡଗୋଳ ନକରିବାକୁ କହିବାରୁ ସେମାନଙ୍କ ମଧ୍ୟରୁ ସୁଜିତ କୁମାର ହିଆଲ ନାମକ ଜଣେ ଯୁବକ ତାଙ୍କୁ ନିର୍ଦ୍ଦୟ ଭାବେ ମାରପିଟ୍ କରିଥିଲେ। ସାଥୀରେ ଥିବା ଅନ୍ୟ ଦୁଇଜଣ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ, ଉକ୍ତ ଯୁବକ ଜଣକ ବୃଦ୍ଧ ଶ୍ରୀ ରାଓଙ୍କୁ ଶକ୍ତ ଚାପୁଡ଼ା ମାରିବା ସହ ଦୋକାନର ସାମଗ୍ରୀ ଫିଙ୍ଗି ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

2 Students Drown: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ

ଘଟଣା ସମ୍ପର୍କରେ ପୀଡ଼ିତ ବ୍ୟବସାୟୀ ତୁରନ୍ତ ଜୟପୁର ଟାଉନ୍ ଥାନାରେ ଅଭିଯୋଗ କରିବା ପରେ କେଶ୍ ନଂ- ୩୫୫/୨୬ରେ ମାମଲା ରୁଜୁ ହୋଇଥିଲା। ଟାଉନ୍ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ପି. ଆର. ବାରିକ ଘଟଣାର ତଦନ୍ତ ଭାର ଗ୍ରହଣ କରି ମଙ୍ଗ‌ଳବାର ତିନି ଅଭିଯୁକ୍ତ ନ୍ୟୁ ଷ୍ଟ୍ରିଟ୍ ଚତୁର୍ଥ ଲେନର ସୁଜିତ କୁମାର ହିଆଲ(୨୦), ନ୍ୟୁ ଷ୍ଟ୍ରିଟ୍ ତୃତୀୟ ଲେନର କୁନାଲ ନାୟକ(୨୦), ନ୍ୟୁ ଷ୍ଟ୍ରିଟ୍ ପଞ୍ଚମ ଲେନର ସୁରେନ୍ଦ୍ର ବାଗ(୧୯)ଙ୍କୁ ଗିରଫ କରିଥିଲେ। ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.