Arunachal Pradesh: ଅରୁଣାଚଳ ପ୍ରଦେଶର ନୂଆ ମାନଚିତ୍ର ଜାରି କଲା ଭାରତ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଚୀନ୍ ସୀମାନ୍ତରେ ନିଜର ଆଞ୍ଚଳିକ ଓ ପ୍ରଶାସନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଭାରତ ସରକାର ଅରୁଣାଚଳ ପ୍ରଦେଶର ଏକ ନୂଆ ନକ୍ସା ବା ସରକାରୀ ମାନଚିତ୍ର ଜାରି କରିଛନ୍ତି। ଏହି ନୂତନ ମାନଚିତ୍ରରେ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସହ ଜଡ଼ିତ କେତେକ ଐତିହାସିକ ସ୍ଥାନ ସମେତ ସୀମାନ୍ତରେ ଥିବା ରଣନୈତିକ ଗୁରୁତ୍ୱପୂର୍ଣ୍ଣ ପାସ, ହ୍ରଦ ଏବଂ ଜନବସତିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ନୂଆଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୨-୧୩ ରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଭାରତର ଏହି ପଦକ୍ଷେପ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି, ଯେଉଁଥିରେ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢନ୍ତୁ: Scooty Accident ସ୍କୁଟି ଦୁର୍ଘଟଣାରେ ଦୁଇ ଆହତ, ଜଣେ ଗୁରୁତର

ଭାରତ ଏହି ସଂଶୋଧିତ ମାନଚିତ୍ରରେ ମୋଟ ୨୭ଟି ପ୍ରମୁଖ ସ୍ଥାନ ଓ ଭୌଗୋଳିକ ଚିହ୍ନକୁ ଆନୁଷ୍ଠାନିକ ଭାବେ ଶାମିଲ କରିଛି। ଏଥିରେ ୪ଟି ଗୁରୁତ୍ୱପୂର୍ଣ୍ଣ ପାର୍ବତ୍ୟ ପାସ୍— ''ଜୋ ଲା'', ''ରିଜା ଲା'', ''ପୁକୁର ଲା'' ଏବଂ ''ଥାଗ୍ ଲା'' ଅନ୍ତର୍ଭୁକ୍ତ ରହିଛି। ୧୯୬୨ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟ ସହ ଜଡ଼ିତ ଥିବାରୁ ''ଥାଗ୍ ଲା''ର ଶାମିଲ ହେବା ସାମରିକ ଦୃଷ୍ଟିରୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହା ବ୍ୟତୀତ ତୱାଙ୍ଗ ନିକଟସ୍ଥ ଉଚ୍ଚ ସ୍ଥାନରେ ଅବସ୍ଥିତ ''ସମ୍ଭୋ ସରୋବର'' ହ୍ରଦ, ଲଙ୍ଗଜୁ, ମାଜା, ବିସା, ଜୟରାମପୁର, ଯଶବନ୍ତ ଗଡ଼ ସମେତ ୨୧ଟି ଭୌଗୋଳିକ ସ୍ଥାନ ଏବଂ ୧୯୬୨ ଯୁଦ୍ଧର ଅମର ଶହୀଦ ହବିଲଦାର ଶେର-ଇ-ଥାପାଙ୍କ ସ୍ମୃତିରେ ନିର୍ମିତ ''ଶେର-ଇ-ଥାପା ମେମୋରିଆଲ''କୁ ଏହି ନୂତନ ମାନଚିତ୍ରରେ ସ୍ଥାନ ଦିଆଯାଇଛି।

ଆହୁରି ପଢନ୍ତୁ: Nagasaki atomic bomb anniversary: ‘ପରମାଣୁ ପ୍ରତିରୋଧ ଯୁଦ୍ଧର ଆଶଙ୍କା ବଢ଼ାଏ’

ଚୀନ୍ ଦୀର୍ଘ ଦିନରୁ ଅରୁଣାଚଳ ପ୍ରଦେଶକୁ ''ଜାଙ୍ଗନାନ'' କିମ୍ବା ''ଦକ୍ଷିଣ ତିବ୍ଦତ'' କହି ନିଜର ଦାବି କରିଆସୁଛି ଏବଂ ୨୦୧୭ରୁ ୨୦୨୩ ମଧ୍ୟରେ ଅରୁଣାଚଳର ବିଭିନ୍ନ ସ୍ଥାନର ନାମ ବଦଳାଇ ଚାଇନିଜ୍ ନାମ ରଖିବାକୁ ଚେଷ୍ଟା କରିଛି। ଭାରତ ସଦାସର୍ବଦା ଚୀନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଅରୁଣାଚଳ ପ୍ରଦେଶକୁ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଦୋହରାଇ ଆସିଛି। ଚୀନର ନାମକରଣ ଚାଲକୁ କାଉଣ୍ଟର କରିବା ଏବଂ ନିଜ ସୀମା ଭିତରେ ଥିବା ସ୍ଥାନଗୁଡ଼ିକର ଭାରତୀୟ ନାମକୁ ସରକାରୀ ଭାବେ ନଥିଭୁକ୍ତ କରିବା ପାଇଁ ଭାରତର ଏହି ନୂଆ ମାନଚିତ୍ର ଏକ ବଳିଷ୍ଠ ଭୌଗୋଳିକ ଓ ରଣନୈତିକ ଜବାବ ଅଟେ। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କିତ ୩୬ତମ ''ଡବ୍ଲ୍ୟୁଏମସିସି'' ବୈଠକ ପରେ ସାମ୍ନାକୁ ଆସିଛି। ସୀମାରେ ଶାନ୍ତି ପ୍ରତିଷ୍ଠା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ନିଜର ଭୌଗୋଳିକ ସୀମା ଓ ଆଞ୍ଚଳିକ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ପାଇଁ ଭାରତ ସମ୍ପୂର୍ଣ୍ଣ ସ୍ପଷ୍ଟ ନୀତି ଆପଣାଇଥିବା ଏହି ନୂତନ ମାନଚିତ୍ର ପ୍ରକାଶରୁ ସ୍ପଷ୍ଟ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.