ARTICLE AD BOX
ନୂଆଦିଲ୍ଲୀ:କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବିକାଶ ଯେଉଁ ଗତିରେ ହେଉଛି ତାହାକୁ ନେଇ ଏବେ ପ୍ରଯୁକ୍ତି ଜଗତରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଏଆଇକୁ ବନ୍ଦ କରିବା ନୁହେଁ ବରଂ ଏହାର ବିକାଶର ଗତିକୁ କିଛିଟା ନିୟନ୍ତ୍ରଣ କରି ସୁରକ୍ଷା ବ୍ୟବସ୍ଥାକୁ ଆଗରେ ରଖିବାକୁ ଦାବି ହେଉଛି। ଏହି ଚର୍ଚ୍ଚା ଏବେ ଏଆଇ ଶିଳ୍ପର ପ୍ରମୁଖ ଅଧିକାରୀମାନଙ୍କ ସ୍ତରରେ ପହଞ୍ଚିଛି। ଆନ୍ଥ୍ରୋପିକର ସିଇଓ ଡାରିଓ ଆମୋଦେଇ ନିଜ ପ୍ରସ୍ତାବରେ ଏଆଇ ବିକାଶକୁ ଧୀର କରିବା ସହ ସୁରକ୍ଷା, ପରୀକ୍ଷା ଓ ସ୍ୱାଧୀନ ନିରୀକ୍ଷଣ ବଢ଼ାଇବାକୁ କହିଛନ୍ତି।
ଗୁରୁତର ବିପଦ ସୃଷ୍ଟି ହୋଇପାରେ
ଆମୋଦେଇଙ୍କ ଚିନ୍ତା କେବଳ ଭବିଷ୍ୟତର କଳ୍ପନା ଉପରେ ଆଧାରିତ ନୁହେଁ। ନିକଟରେ ଅତ୍ୟାଧୁନିକ ଏଆଇ ମଡେଲଗୁଡ଼ିକ ଅଧିକ ସ୍ୱୟଂଚାଳିତ ଭାବେ କାମ କରିବାର କ୍ଷମତା ଦେଖାଇଛନ୍ତି। ଏଆଇ ମଡେଲ ହ୍ୟାକିଂ, ସାଇବର ଆକ୍ରମଣ, ଠକେଇ ଓ ଅନ୍ୟାନ୍ୟ କ୍ଷତିକାରକ କାମରେ ବ୍ୟବହାର ହେବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଏଆଇ ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଗଲେ କିମ୍ବା ଏହାର ନିଷ୍ପତ୍ତିକୁ ବୁଝିବା ଓ ରୋକିବା କଷ୍ଟକର ହେଲେ ଗୁରୁତର ବିପଦ ସୃଷ୍ଟି ହୋଇପାରେ ବୋଲି ଶିଳ୍ପ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହି ଆହ୍ୱାନକୁ ଓପନଏଆଇର ସିିଇଓ ସାମ ଅଲ୍ଟମ୍ୟାନ, ଏକ୍ସଏଆଇୀ ମୁଖ୍ୟ ଏଲନ ମସ୍କ, ଗୁଗଲ ଡିପମାଇଣ୍ଡର ଡେମିସ୍ ହବିସ୍ଙ୍କ ଭଳି ପ୍ରମୁଖ ପ୍ରଯୁକ୍ତି ଲିଡର୍ ସମର୍ଥନ କରିଛନ୍ତି। ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ମଧ୍ୟ ଏଆଇର ସୁରକ୍ଷିତ ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ପ୍ରସ୍ତାବିତ ବ୍ୟବସ୍ଥାରେ ଏଆଇ କମ୍ପାନିଗୁଡ଼ିକ ଭିତରେ ସ୍ୱାଧୀନ ସୁରକ୍ଷା ମୂଲ୍ୟାଙ୍କନକାରୀ ରହିବେ ଏବଂ ସେମାନଙ୍କୁ ଏଆଇ ମଡେଲ ସମ୍ପର୍କରେ ପର୍ଯ୍ୟାପ୍ତ ତଥ୍ୟ ଓ ଅଧିକାର ଦିଆଯିବ। ଏହା ଦ୍ୱାରା କମ୍ପାନି ନିଜେ ନିଜକୁ ମୂଲ୍ୟାଙ୍କନ କରିବା ବଦଳରେ ଏକ ବାହ୍ୟ ନିରୀକ୍ଷଣ ବ୍ୟବସ୍ଥା ଗଢ଼ିଉଠିପାରିବ।
ଏଆଇକୁ ନେଇ ଚିନ୍ତା କେବଳ ସୁରକ୍ଷା କିମ୍ବା ମଣିଷର ଅସ୍ତିତ୍ୱ ସମ୍ପର୍କିତ ନୁହେଁ। ଚାକିରି ଉପରେ ପ୍ରଭାବ, ଭୁଲ ତଥ୍ୟ ପ୍ରସାର, ଗୋପନୀୟତା ଉଲ୍ଲଂଘନ, ସାଇବର ଅପରାଧ, ଏଆଇ ଦ୍ୱାରା ତିଆରି ନକଲି ଭିଡିଓ ଓ ଅଡିଓ, ଏବଂ ମଣିଷର ନିଜସ୍ୱ ଚିନ୍ତା ଓ ନିଷ୍ପତ୍ତି କ୍ଷମତା ଉପରେ ଅତ୍ୟଧିକ ନିର୍ଭରଶୀଳତା ମଧ୍ୟ ଚିନ୍ତାର ବିଷୟ। ‘ସ୍ଲୋ ଏଆଇ (ମନ୍ଥର ଏଆଇ)’ ଧାରଣା ଏହି କାରଣରୁ ଏଆଇ ବ୍ୟବହାରରେ ଗତି ଅପେକ୍ଷା ବିବେକ, ମାନବୀୟ ନିଷ୍ପତ୍ତି ଓ ଦାୟିତ୍ୱକୁ ଅଧିକ ଗୁରୁତ୍ୱ ଦେବାକୁ କହୁଛି। ତେବେ ଏଆଇ ବିକାଶକୁ ଧୀର କରିବା ନେଇ ସମସ୍ତେ ଏକମତ ନୁହନ୍ତି। କିଛି ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ନିୟନ୍ତ୍ରଣ ଲଗାଇଲେ ନୂଆ ଉଦ୍ଭାବନ ଧିମା ହୋଇପାରେ ଏବଂ ଛୋଟ କମ୍ପାନିଗୁଡ଼ିକ ତୁଳନାରେ ବଡ଼ ଟେକ୍ କମ୍ପାନି ଅଧିକ ଲାଭବାନ ହୋଇପାରନ୍ତି। ଆଉ କେତେକ ମତ ଦେଉଛନ୍ତି ଯେ ଏଆଇର ବିକାଶକୁ ଏକତରଫା ଭାବେ ଧୀର କରିବା ସମ୍ଭବ ନୁହେଁ, କାରଣ ଆମେରିକା, ଚୀନ୍ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଏଆଇ ପ୍ରତିଯୋଗିତା ତୀବ୍ର ରହିଛି। ତେଣୁ ଏହାକୁ ନେଇ ବିଶ୍ୱସ୍ତରୀୟ ସମନ୍ୱୟ ଆବଶ୍ୟକ।
ଆଗକୁ ଏଆଇ ବିକାଶରେ ‘ଦ୍ରୁତ ହିଁ ଭଲ’ ନୀତି ବଦଳରେ ‘ସୁରକ୍ଷିତ ଓ ଦାୟିତ୍ୱଶୀଳ ବିକାଶ’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଚର୍ଚ୍ଚା ଜୋର ଧରିଛି। ସ୍ୱାଧୀନ ସୁରକ୍ଷା ଅଡିଟ୍, ଅଧିକ ପାରଦର୍ଶିତା, ଉଚ୍ଚ କ୍ଷମତାସମ୍ପନ୍ନ ମଡେଲ ଲଞ୍ଚ ପୂର୍ବରୁ କଠୋର ପରୀକ୍ଷା, ଏଆଇ ଦୁରୁପଯୋଗ ପାଇଁ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ଦେଶଗୁଡ଼ିକ ମଧ୍ୟରେ ସାଧାରଣ ସୁରକ୍ଷା ମାନଦଣ୍ଡ ଏହାର ମୁଖ୍ୟ ଅଂଶ ହୋଇପାରେ। ଏଆଇ ମାନବ ଜୀବନକୁ ସହଜ କରିବାର ଏକ ଶକ୍ତିଶାଳୀ ସାଧନ ହେବ, କିନ୍ତୁ ଏହାର ଶେଷ ନିଷ୍ପତ୍ତି ଓ ଜବାବଦେହିତା ମଣିଷଙ୍କ ହାତରେ ରହିବା ହିଁ ଆଗାମୀ ପଥର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶେଷଜ୍ଞମାନେ କହିଛନ୍ତି।

3 days ago
5


