ARTICLE AD BOX
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ନିକଟରେ ଗୌରୀ ସ୍ପ୍ରେଟଙ୍କୁ ତୃତୀୟ ବିବାହ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ଲଭ୍ ଜିହାଦର ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ଏକ ଫତୱା ମଧ୍ୟ ଜାରି ହୋଇଛି। ତାଙ୍କୁ ‘ଲଭ୍ ଜିହାଦର ବ୍ରାଣ୍ଡ ଆମ୍ବାସାଡର’ ବୋଲି କୁହାଯାଉଥିବା ଅଭିଯୋଗର ଜବାବ ଦେବା ସହ ଆମିର ଏବେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି, ତାଙ୍କ ପରିବାର ସବୁବେଳେ ବିଭିନ୍ନ ଧର୍ମର ଲୋକଙ୍କ ସହିତ ସମ୍ପର୍କକୁ ଗ୍ରହଣ କରିଆସିଛି ଏବଂ ତାଙ୍କର କୌଣସି ବିବାହରେ କୌଣସି ପତ୍ନୀଙ୍କର ଧର୍ମ ପରିବର୍ତ୍ତନ ହୋଇନାହିଁ।
ଏକ ସାକ୍ଷାତକାରରେ ଆମିର କହିଛନ୍ତି, ତାଙ୍କ ପରିବାରର ସଦସ୍ୟମାନେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ସହିତ ଆଇନଗତ ବିବାହ କରିଛନ୍ତି। ତାଙ୍କର ପୂର୍ବତନ ପତ୍ନୀ ରୀନା ଦତ୍ତା ଏବଂ କିରଣ ରାଓ ତଥା ବର୍ତ୍ତମାନର ତୃତୀୟ ପତ୍ନୀ ଗୌରୀ ସ୍ପ୍ରେଟ୍ ଧର୍ମ ପରିବର୍ତ୍ତନ କରି ନାହାନ୍ତି। ଆମିର କହିଛନ୍ତି,ଆମର ପରିବାର ସମସ୍ତଙ୍କୁ ଏକାଠି ନେଇ ଚାଲିଛି। ମୋ ଦୁଇ ଭଉଣୀ ହିନ୍ଦୁଙ୍କ ସହିତ ବିବାହ କରିଛନ୍ତି, ଏବଂ ମୋ ଝିଅ ମଧ୍ୟ ଜଣେ ହିନ୍ଦୁଙ୍କ ସହିତ ବିବାହ କରିଛନ୍ତି। ମୋର ଭାଇ ମନସୁର ଜଣେ ଖ୍ରୀଷ୍ଟିଆନ ମହିଳାଙ୍କୁ ବିବାହ କରିଛନ୍ତି। ଗୌରୀ ହିନ୍ଦୁ ନୁହଁନ୍ତି। ସେ ଜଣେ ଖ୍ରୀଷ୍ଟିଆନ। ସେ କୌଣସି ଧାର୍ମିକ ପରମ୍ପରା ପାଳନ କରନ୍ତି ନାହିଁ।
ଆମିରଙ୍କ ପ୍ରଥମ ବିବାହ ୧୯୮୬ ମସିହାରେ ରୀନା ଦତ୍ତାଙ୍କ ସହିତ ହୋଇଥିଲା। ରୀନାଙ୍କଠାରୁ ତାଙ୍କର ଦୁଇ ସନ୍ତାନ ଇରା ଖାନ ଏବଂ ଜୁନୈଦ ଖାନ ଅଛନ୍ତି। ଆମିର ଏବଂ ରୀନା ୨୦୦୨ ମସିହାରେ ଛାଡପତ୍ର ନେଇଥିଲେ। ଏହାପରେ ୨୦୦୫ ମସିହାରେ ସେ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ଆଜାଦ ଅଛି। ୨୦୨୧ ମସିହାରେ ଆମିର ଏବଂ କିରଣ ଅଲଗା ହୋଇଯାଇଥିଲେ।
ଆମିର ଏବଂ ଗୌରୀ ପ୍ରାୟ ୨୫ ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି। ସେମାନେ ଦୁଇ ବର୍ଷ ତଳେ ବେଙ୍ଗାଲୁରୁରେ ଆମିରଙ୍କ ସମ୍ପର୍କୀୟ ଭଉଣୀ ନୁଜହତ ଖାନଙ୍କ ମାଧ୍ୟମରେ ପୁଣି ଯୋଗାଯୋଗରେ ଆସିଥିଲେ। ଗତ ବର୍ଷ ମାର୍ଚ୍ଚ ମାସରେ ତାଙ୍କର ୬୦ତମ ଜନ୍ମଦିନରେ ସେ ଗୌରୀଙ୍କୁ ଗଣମାଧ୍ୟମ ସହିତ ପରିଚିତ କରାଇଥିଲେ। ୫ ଜୁଲାଇରେ, ଆମିର ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଘରେ ଗୌରୀଙ୍କ ସହିତ ଏକ ପଞ୍ଜିକୃତ ବିବାହ କରିଥିଲେ। ବିବାହ ପରେ ବିଭିନ୍ନ ମହଲରୁ ତାଙ୍କ ବିରୋଧରେ ନାନା ମନ୍ତବ୍ୟ ଆସିଥିଲା।

2 weeks ago
9


