ARTICLE AD BOX
ଆଧ୍ୟାତ୍ମିକତା ଓ ଭକ୍ତିକୁ ନେଇ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ସାଧାରଣତଃ ଚମତ୍କାରିତା ଓ ଭବ୍ୟ ଦୃଶ୍ୟର ଆକର୍ଷଣ ଉପରେ ନିର୍ଭର କରିଥାଏ। କିନ୍ତୁ ପ୍ରସିଦ୍ଧ ନୀମ କରୋଲି ବାବାଙ୍କ ଜୀବନର ଅଜଣା ଘଟଣାବଳୀକୁ ନେଇ ନିର୍ମିତ ‘ହନୁମାନ ଅଂଶ’ ଏକ ଭିନ୍ନ ମାର୍ଗ ଚୟନ କରିଛି। ଏହି ଚଳଚ୍ଚିତ୍ରରେ ରହିଛି ମାଆଙ୍କ ମୃତ୍ୟୁ ପରେ ଜଣେ ଶିଶୁ କିପରି ଈଶ୍ୱର ସନ୍ଧାନରେ ଘର ଛାଡ଼ି ଚାଲିଯାଉଛି ଏବଂ ଭକ୍ତି ଓ ସାଧନା ବଳରେ ଜଣେ ସିଦ୍ଧ ପୁରୁଷ ପାଲଟୁଛି। ବିଶାଲ ଚତୁର୍ବେଦୀଙ୍କ କାହାଣୀ ଓ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ସରଳତା। କାହାଣୀଟି ଆଧ୍ୟାତ୍ମିକତାକୁ ଧାର୍ମିକ ଅନୁଭବରେ ସୀମିତ ନ ରଖି ମଣିଷ ପ୍ରତି ମଣିଷର ଭଲପାଇବା ଓ ନିଃସ୍ୱାର୍ଥ ସେବା ସହିତ ଯୋଡ଼ିଛି। ନୀମ କରୋଲି ବାବାଙ୍କ ଚରିତ୍ରରେ ଶୋଭିନବ ସତ୍ୟଙ୍କ ଅଭିନୟ ଖୁବ୍ ସଂଯତ ଓ ପ୍ରଭାବଶାଳୀ ହୋଇଛି। ସେ ଅଯଥା ନାଟକୀୟତା ବିନା ଚରିତ୍ରର ଆଧ୍ୟାତ୍ମିକ ଗଭୀରତାକୁ ଯେଉଁଭଳି ପରଦାରେ ଦେଖାଇଛନ୍ତି ତାହା ଚିତ୍ରନାଟ୍ୟର ଅଭାବବୋଧକୁ ଅନେକ ସ୍ଥାନରେ ଅନୁଭବ ହେବାକୁ ଦେଇ ନଥାଏ। ବାଲ୍ୟାବସ୍ଥାର ଲକ୍ଷ୍ମୀ ନାରାୟଣ ଭୂମିକାରେ ଭିହାନ ଶେଡ଼ଗେ ମଧ୍ୟ ଭଲ ଛାପ ଛାଡ଼ିଛନ୍ତି। ଅଭିନେତାମାନଙ୍କ ଦକ୍ଷତା ଓ ସୁମଧୁର ସଂଗୀତ ଚଳଚ୍ଚିତ୍ରର ଉଲ୍ଲେଖନୀୟ ବିଶେଷତ୍ବ।
Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ
ଏହି କାହାଣୀକୁ ସାଂସାରିକ ଜୀବନ ପ୍ରତି ବୀତସ୍ପୃହ ଜଣେ ବ୍ୟକ୍ତିଙ୍କ ଜୀବନଯାତ୍ରା ରୂପେ ଦେଖାଯାଇପାରେ। ଏ ପରିପ୍ରେକ୍ଷୀରେ ୨୦୦୭ ମସିହାର ହଲିଉଡ୍ ଚଳଚ୍ଚିତ୍ର ‘ଇନ୍ଟୁ ଦି ଵାଇଲ୍ଡ’ର ନାୟକ କଥା ମନେପଡ଼େ, ଯିଏ ଭିନ୍ନ ପରିସ୍ଥିତିରେ ହେଲେ ମଧ୍ୟ ଘରୁ ଚାଲିଯାଇ ଜଙ୍ଗଲରେ ଏକାକୀ ରହିବାକୁ ଚେଷ୍ଟା କରି କରୁଣ ଭାବେ ମୃତ୍ୟୁବରଣ କରିଛି। ହେଲେ ‘ହନୁମାନ ଅଂଶ’ରେ ନୀମ କରୋଲି ବାବାଙ୍କ ଗୃହତ୍ୟାଗ ଯୋଗୁଁ ତାଙ୍କ ପରିବାର କ୍ଷତି ସହିଥିଲେ ହେଁ ସେ ନିଜେ ଓ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟମାନେ ସୁଖୀ ଓ ସନ୍ତୁଷ୍ଟ ଜୀବନଯାପନ କରିଛନ୍ତି। ଏହାକୁ ଭାରତୀୟ ସମାଜ ଓ ଆଧ୍ୟାତ୍ମିକ ଦର୍ଶନର ସଫଳତା ଭାବେ ଦେଖାଯାଇପାରେ।
Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସିଗ୍ନେଚର୍ସ’
ତେବେ ଚଳଚ୍ଚିତ୍ରରେ କିଛି ଦୁର୍ବଳତା ମଧ୍ୟ ରହିଛି। ଏହି କାହାଣୀର ସବୁଠାରୁ ବଡ଼ ସମସ୍ୟା ହେଲା ଏହାର ନିର୍ଦେଶକ ଭାରତୀୟ ଦର୍ଶନର ଗଭୀରତାକୁ ପ୍ରବେଶ କରିବା ବଦଳରେ ନୀମ କରୋଲି ବାବାଙ୍କୁ ଜଣେ ଚମତ୍କାରୀ ଅବତାର ରୂପେ ପ୍ରଦର୍ଶନ କରିଛନ୍ତି। କାହାଣୀରେ ଆହୁରି ଦୃଢ଼ ଦାର୍ଶନିକ ଯୁକ୍ତି ରହିଥିଲେ ଚଳଚ୍ଚିତ୍ରଟି ଅଧିକ ପ୍ରଭାବଶାଳୀ ହୋଇପାରିଥାନ୍ତା। କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ପ୍ରସ୍ତୁତ ଦୃଶ୍ୟଗୁଡ଼ିକ ନିର୍ମାତାଙ୍କ ଅପରିପକ୍ବତା ଓ ଆଳସ୍ୟକୁ ପଦାରେ ପକାଇଦେଇଛି। ସେହିପରି ଅଢ଼େଇ ଘଣ୍ଟାର ଏହି ଚଳଚ୍ଚିତ୍ରର ଗତି ଅନେକ ସମୟରେ ଧିମା ମନେ ହୁଏ। ଯେଉଁ ଦର୍ଶକମାନେ ଗତିଶୀଳ କାହାଣୀ, ନାଟକୀୟ ସଂଘର୍ଷ ଆଦିର ଆଶା ରଖିଥିବେ ସେମାନଙ୍କୁ ଚଳଚ୍ଚିତ୍ରଟି ନିରାଶ କରିପାରେ। ନବାଗତ ନିର୍ମାତା ଓ ଅଭିନେତାଙ୍କୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର ଅପ୍ରତ୍ୟାଶିତ ସଫଳତା, ଭାରତୀୟ ଦର୍ଶକଙ୍କ ପସନ୍ଦରେ ହେଉଥିବା ବଡ଼ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଛି। ପ୍ରଯୋଜନା ସଂସ୍ଥା ତ ଏହାର ଅଧ୍ୟୟନ କରିବେ ହିଁ, ସମାଜବିଜ୍ଞାନୀମାନେ ମଧ୍ୟ ଏହାର କାରଣ ସମ୍ପର୍କରେ ଗବେଷଣା କରିବା ଉଚିତ।
‘ହନୁମାନ ଅଂଶ’
ନିର୍ଦ୍ଦେଶକ: ବିଶାଲ ଚତୁର୍ବେଦୀ
ମୁଖ୍ୟ ଚରିତ୍ର: ଶୋଭିନବ ସତ୍ୟ, ଭିହାନ ଶେଡ଼ଗେ, ଚନ୍ଦନ ଆନନ୍ଦ, ପୂର୍ଣ୍ଣିମା ତିଵାରୀ, ନିଖିଲ ଦୁବେ

22 minutes ago
1

