ସୁନାରେ ଝଟକିବେ ମଣିମା

1 week ago 9
ARTICLE AD BOX

ପୁରୀ: ସୁନା ବେଶରେ ସଜେଇ ହେବେ ମର୍ତ୍ୟ ବୈକୁଣ୍ଠ କ୍ଷେତ୍ରାଧିପତି ଶ୍ରୀଜଗନ୍ନାଥ। ଶୃଙ୍ଗାର ପ୍ରିୟ ମହାପ୍ରଭୁ ରଥ ଉପରେ ବଡ଼ ତଢ଼ାଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସୁବର୍ଣ୍ଣ ନିର୍ମିତ ହସ୍ତ ପାଦରେ ପୂର୍ଣ୍ଣାଙ୍ଗ ଅବୟବରେ ପ୍ରକଟ ହେବେ ଜଗତାଧିପତି। ରାଜାଧିରାଜଙ୍କ ଏହି ଅପୂର୍ବ ରୂପ ସଂଦର୍ଶନ ପାଇଁ ଚାହିଁ ରହିଛନ୍ତି କୋଟିକୋଟି ଭକ୍ତ। ମହାପ୍ରଭୁ ସୁନାବେଶ ହେଉଥିଲେ ହେଁ ଏହି ବେଶକୁ ଭିନ୍ନଭିନ୍ନ ନାମରେ ଅଭିହିତ କରାଯାଇଛି। ସୁନାବେଶକୁ ରାଜବେଶ, ରାଜରାଜେଶ୍ବର ବେଶ ଓ ବଡ଼ତଢ଼ାଉ ବେଶ ମଧ୍ୟ କୁହାଯାଏ। ଏଭଳି ଭିନ୍ନ ଭିନ୍ନ ନାମ ପଛରେ ପ୍ରାସଙ୍ଗିକତା ରହିଛି।

୧୬ ହାତୀ ପିଠିରେ ଆଣିଥିଲେ ରତ୍ନ
ସୂର୍ଯ୍ୟବଂଶୀ ରାଜତ୍ବ କାଳରେ ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଥିଲେ ଦିଗବିଜୟୀ ରାଜା। ଦେବୀ ଜୟଦୁର୍ଗାଙ୍କ କରୁଣାରୁ ସେ ସମଗ୍ର ଦାକ୍ଷିଣାତ୍ୟ ଜୟ କରିଥିଲେ। ସେଠାରୁ ବିପୁଳ ଧନ ରତ୍ନ ୧୬ଟି ହାତୀ ପିଠିରେ ବୋଝେଇ କରି ଶ୍ରୀକ୍ଷେତ୍ରକୁ ଫେରିଥିଲେ। ଶ୍ରୀମନ୍ଦିର ଜୟ ବିଜୟ ଦ୍ବାରରେ ସ୍ବୟଂ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ବାରା ଖୋଦିତ ଶିଳାଲେଖରେ ଏ ସମ୍ବନ୍ଧରେ ଉଲ୍ଲେଖ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେ ସାର୍ବଭୌମ ଶାସକ ଭାବେ ଉଦ୍‌ଘୋଷଣା କରି ନିଜକୁ ସେବକ ଭାବେ ଉତ୍ସର୍ଗ କରିଥିଲେ। ଆଣିଥିବା ସୁନାରେ ମହାପ୍ରଭୁଙ୍କ ଆଭୂଷଣ ତିଆରି ପାଇଁ ଚିନ୍ତା କଲେ। ଅଳଙ୍କାର ଦାୟିତ୍ବରେ ରହୁଥିବା ତଢ଼ଉ କରଣଙ୍କ ସହ ପରାମର୍ଶ କରିଥିଲେ। ଗଜପତିଙ୍କ ଆଗ୍ରହ ଜାଣି ତଢ଼ଉକରଣ କହିଥିଲେ, ଛାମୁ ରତ୍ନ ସିଂହାସନ ଉପରେ ବର୍ଷ ସାରା ଅନେକ ବେଶ ଶ୍ରୀବିଗ୍ରହଙ୍କର ଅନୁଷ୍ଠିତ ହେଉଛି। ମାତ୍ର ସବୁବର୍ଗର ଲୋକେ ଏହି ବେଶ ଦେଖିବା ସମ୍ଭବ ହେଉନାହିଁ।

ତେଣୁ ରଥ ଦକ୍ଷିଣାଭିମୁଖ ହୋଇ ଆସିବା ପରେ  ବଡ଼ ଏକାଦଶୀ ଦିନ ଏହି ବେଶ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଜପତି ସହମତି ପ୍ରକାଶ ପରେ ଦେଶ ବିଦେଶରୁ କୁଶଳୀ ସ୍ବର୍ଣ୍ଣକାରମାନଙ୍କୁ ଡକାଇ ଅଳଙ୍କାର ତିଆରି କରାଗଲା। ‘ବଡ଼ତଢ଼ଉ’ଙ୍କ ନାମରେ ପ୍ରଥମେ ଏକ କଣ୍ଠିମାଳ ତିଆରି କରାଗଲା। ପରେ ଶ୍ରୀଭୂଜ ଶୋଭିତ ଶଙ୍ଖ, ଚକ୍ର, ହଳ, ମୂଷଳ, ମୁକୁଟ, ପଦକ, ପଦବଲ୍ଲଭ, ବାଜୁ, ବାହୁଟି, ବଳା, ଜାଲିତଢ଼ାଉ, କାନ୍ତିକବର, ମେଖଳା ଭଳି ୧୩୮ କିସମର ରତ୍ନଖଚିତ ଅଳଙ୍କାର ତିଆରି କରାଗଲା। ଏଥିରେ ଶ୍ରୀବିଗ୍ରହମାନେ ଆଭୂଷଣ ହୋଇଥିଲେ। ମାତ୍ର ଏବେ ଏତେ ଅଳଙ୍କାର ଆଭୂଷଣ ପାଇଁ ଆସୁନାହିଁ। ଅନ୍ୟପକ୍ଷରେ ‘ତଢ଼ାଉ’ ହେଉଛି ମହାପ୍ରଭୁଙ୍କ ସେବା ଅନ୍ତର୍ଭୁକ୍ତ ସେବକବୃନ୍ଦ। କେଉଁ ବେଶରେ କେତେ ଅଳଙ୍କାର ଲାଗିବ ଏ ସମ୍ବନ୍ଧରେ ସେମାନଙ୍କ ଜ୍ଞାନ ନିହିତ ଥାଏ। ତାଙ୍କ ନିର୍ଧାରଣ ଅନୁସାରେ ଭଣ୍ଡାର ମେକାପ ରତ୍ନାଳଙ୍କାର ଭଣ୍ଡାର ମଧ୍ୟରୁ ଗଣତି କରି ଆଣିଥାନ୍ତି। ବଡ଼ତଢ଼ଉଙ୍କ ଅଳିକୁ ସମ୍ମାନ ଦେଇ ସେହିଦିନଠାରୁ ସୁନାବେଶ ହେଉଥିବାରୁ ଏହା ବଡ଼ତଢ଼ଉ ବେଶ ନାମରେ ବିଦିତ ବୋଲି ଲେଖକ ମତ ଦିଅନ୍ତି।

୬ଥର ସୁନାବେଶ
ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ଟି ବେଶ ହୋଇଥାଏ। ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ। ବର୍ଷକୁ ୬ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି। ଥରେ ରଥରେ ଏବଂ ଶ୍ରୀମନ୍ଦିର ରତ୍ନବେଦିରେ ୫ଥର ମହାପ୍ରଭୁ ସୁନାବେଶରେ ଦର୍ଶନ ଦିଅନ୍ତି। ଚାରିଟି ପୂର୍ଣ୍ଣମୀ ତଥା କୁମାର ପୂର୍ଣ୍ଣମୀ, କାର୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀ ସମେତ ବିଜୟା ଦଶମୀ ଦିନ ରତ୍ନବେଦିରେ ସୁନାବେଶ ହୋଇଥାଏ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତିଙ୍କ ଏକ ଆଲେଖ୍ୟ ମୁତାବକ, ଶ୍ରୀମନ୍ଦିର ରତ୍ନରେ ହେଉଥିବା ୫ଟି ସୁନାବେଶ ମଧ୍ୟରୁ କାର୍ତିକ ପୂର୍ଣ୍ଣମୀର ସୁନାବେଶକୁ ରାଜରାଜେଶ୍ବର ବେଶ କୁହାଯାଏ। ଅନ୍ୟ ଚାରି ବେଶକୁ ରାଜବେଶ କୁହାଯାଏ। ତେବେ କାର୍ତିକ ପୂର୍ଣ୍ଣମୀର ରାଜରାଜେଶ୍ବର ବେଶ ରାଜବେଶର ଅନୁରୂପ। କାର୍ତିକ ପୂର୍ଣ୍ଣମୀ ଦିନ ମହାପ୍ରଭୁ ଦ୍ବାରକାକୃଷ୍ଣ ଭାବରେ ଐଶ୍ବର୍ଯ୍ୟ ଭାବ ପ୍ରକାଶ କରିଥାନ୍ତି। ତେଣୁ ଏହି ବେଶକୁ ରାଜରାଜେଶ୍ବର ବେଶ କୁହାଯାଏ। ସେହିଭଳି ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ହେଉଥିବା ସୁନାବେଶକୁ ‘ବଡ଼ତଢ଼ାଉ ବେଶ’ ନାମରେ ଅଭିହିତ କରାଯାଇଛି।

୪ ଶ୍ରୀଭୁଜ, ୪ ଶ୍ରୀପୟର
ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ଏବଂ ଶ୍ରୀବଳଭଦ୍ରଙ୍କ ଶ୍ରୀପାଦ ଓ ଶ୍ରୀହସ୍ତକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ୪ଟି ସୁନା ନିର୍ମିତ ଶ୍ରୀପୟର ଓ ୪ଟି ଶ୍ରୀହସ୍ତ ଲାଗି କରାଯାଏ। ଶ୍ରୀଭୁଜରେ ଆଙ୍ଗୁଠି ଏବଂ ଆଙ୍ଗୁଠିରେ ମୁଦି ସଂଯୋଜିତ ହୋଇଥିବାର ଦେଖାଯାଏ। ମହାପ୍ରଭୁଙ୍କ ବାମ ହାତରେ ରୌପ୍ୟ ନିର୍ମିତ ପାଞ୍ଚଜନ୍ୟ ଶଙ୍ଖ ଏବଂ ଡାହାଣ ହାତରେ ସୁନା ନିର୍ମିତ ସୁଦର୍ଶନ ଚକ୍ର ଲାଗି କରାଯାଏ। ସେହିପରି ବଡ଼ଠାକୁରଙ୍କୁ ସୁନା ନିର୍ମିତ ହଳମୂଷଳ ଆୟୁଧରେ ସଜାଯାଏ। ମାତ୍ର ଦେବୀ ସୁଭଦ୍ରାଙ୍କ ଶ୍ରୀବିଗ୍ରହରେ ହାତ ପାଦ ସଂଯୋଗ ହୁଏ ନାହିଁ।

ରାଜା ଇନ୍ଦ୍ରଦ୍ୟୁମ୍ନ ଗଢ଼ିଦେଇଥିଲେ ‘ନଳି ଭୁଜ’ 
କିଂବଦନ୍ତୀ ମୁତାବକ, ଶ୍ରୀବିଗ୍ରହ ତିଆରି ଚାଲିଥିବା ବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ଧାରିତ ଦିନ ପୂର୍ବରୁ କବାଟ ଖୋଲି ଦେଇଥିଲେ। ତେଣୁ ଶ୍ରୀବିଗ୍ରହ ଅସମ୍ପୂର୍ଣ୍ଣ ହୋଇଥିବାରୁ ମ୍ରିୟମାଣ ହୋଇପଡ଼ିଥିଲେ। ଏଥିପାଇଁ ସେ ନିଜକୁ ଦାୟୀ ମନେକରି ନିରାହାରରେ ମୃତ୍ୟୁବରଣ କରିବା ପାଇଁ ସଂକଳ୍ପ କଲେ। ଉତ୍କଳ ପ୍ରସଙ୍ଗରେ ପଙ୍କଜ ସାହୁଙ୍କ ଆଲେଖ୍ୟ ମୁତାବକ, ରାଜାଙ୍କର ଏଭଳି ନିଷ୍ପତ୍ତିରେ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ସୂଚନା ଦେଲେ ଯେ ବ୍ରହ୍ମର ଅବୟବ ନାହିଁ। ବ୍ରହ୍ମରେ ଅବୟବ ପରିକଳ୍ପନା ଉଦ୍ଭଟ ଚିନ୍ତାର ପରିଚାୟକ। ତୁମେ ମୋର ଯେଉଁ ବିଗ୍ରହ ଦେଖୁଛ ତାହା ଆଦୌ ଅସମ୍ପୂର୍ଣ୍ଣ ନୁହେଁ। ଏହା ମୋ ଇଚ୍ଛାର ପରିପ୍ରକାଶ ମାତ୍ର। ଯଦି ତୁମକୁ ଅସମ୍ପୂର୍ଣ୍ଣ ବୋଧ ହେଉଛି ତେବେ ସୁନା ନିର୍ମିତ ହସ୍ତ ପାଦ ଦ୍ବାରା ମୋ ବିଗ୍ରହକୁ ସମ୍ପୂର୍ଣ୍ଣ ରୂପ ପ୍ରଦାନ କରିବ। ଏହି ଆଦେଶକୁ ସମ୍ମାନ ଦେଇ ସେ ନଳିଭୁଜ ନାମରେ ପରିଚିତ ନଳି ସଦୃଶ ଏକ ସ୍ବର୍ଣ୍ଣ ଆଭୂଷଣ ପ୍ରସ୍ତୁତ କରିଥିଲେ। ଆଷାଢ଼ ଶୁକ୍ଳ ଏକାଦଶୀରେ ମହାପ୍ରଭୁମାନଙ୍କୁ ସୁନାର ଶ୍ରୀହସ୍ତ ଓ ଶ୍ରୀପୟର ଲାଗି ସହିତ ସୁନାରେ ବେଶ କରାଇବା କାର୍ଯ୍ୟ ସର୍ବପ୍ରଥମେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ବାରା ଆରମ୍ଭ ହୋଇଥିବାରୁ ଏହା ‘ରାଜବେଶ’ ନାମରେ ସର୍ବଜନ ବିଦିତ ବୋଲି ଉଲ୍ଲେଖ କରିଛନ୍ତି।

ମାଉସୀମା’ ଖୁଆଇଲେ ପୋଡ଼ପିଠା
ପୁରୀ, ୨୪/୭(ଇମିସ): ମହାବାହୁ ବାହୁଡ଼ିବା ବେଳେ ପୋଡ଼ପିଠା ଖୁଆଇଛନ୍ତି ମାଉସୀମା’। ମହାପ୍ରଭୁଙ୍କ ମାନବୀୟ ଲୀଳାରେ ମାଉସୀମା’ଙ୍କ ସ୍ନେହ ମମତାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଛି। ଛପନ ପଉଟି ଭୋଗର ଅଧୀଶ୍ବର କ୍ଷଣେ ମାଉସୀମା’ଙ୍କ ନିକଟରେ ଅଟକି ଯିବା ପରେ ପୋଡ଼ ପିଠା ସମର୍ପଣ କରିଥିଲେ ପୂଜାପଣ୍ଡା ସେବକ। ତିନି ଠାକୁରଙ୍କ ପାଇଁ ୩ଟି ପୋଠ ପିଠା ପ୍ରସ୍ତୁତ ହୋଇଥିଲା। ହେରାପଞ୍ଚମୀରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହା ରହଣି ଭୋଗ ସଦୃଶ। ତିନି ଦିନ ରହିଥିଲେ ହେଁ ମହାପ୍ରଭୁଙ୍କୁ ସମର୍ପଣ ପରେ ଏହାର ବାସ୍ନା ଆହୁରି ଚହଟିଥିଲା। ମା’ ଅର୍ଦ୍ଧାଶିନୀ ତଥା ମାଉସୀମା’ଙ୍କ ମୁଖ୍ୟ ପୂଜକ ଡ. ବିଶ୍ବନାଥ ମିଶ୍ରଙ୍କ ସୂଚନା ମୁତାବକ, ହବିଷାନ୍ନ ଖାଇ ଶୁଦ୍ଧପୁତ ରହି ନିଷ୍ଠାର ସହ ଏହି ପିଠା ପ୍ରସ୍ତୁତ କରାଯାଇଥିଲା। ସର୍ପମଣୋହୀ ଭୋଗ ହୋଇଥିବାରୁ ପିଠା ପ୍ରସ୍ତୁତ କରିବା ପରେ ଏହାକୁ ୩ଟି ମାଟି ହାଣ୍ଡିରେ ତିନି ରଥ ଆଗମନ ପରେ ପୂଜାପଣ୍ଡା ଭୋଗ ଲଗାଇଥିଲେ। ନୀତି ସମ୍ପାଦନ ପରେ ଏହାକୁ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.