ARTICLE AD BOX
ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରଫେସର୍ ଉଦୟନାଥ ସାହୁ। ତାଙ୍କ ରଚିତ ୨୨ ଖଣ୍ଡ ପୁସ୍ତକ ଓଡ଼ିଆ ସାହିତ୍ୟ ଜଗତର ଅମୂଲ୍ୟ ସମ୍ପଦ। ଏହି ପୁସ୍ତକଗୁଡ଼ିକୁ ତାଙ୍କର ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ସେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଓଡ଼ିଆ, ବଙ୍ଗଳା ଓ ଅହମୀୟା ଭାଷାରେ ମହାନ ଗ୍ରନ୍ଥ ‘ମହାଭାରତ’ ଓ ‘ଭାଗବତ’ର ତୁଳନାତ୍ମକ ଅଧ୍ୟୟନ ପାଇଁ ୨୦୨୨ ମସିହାରେ ତାଙ୍କ ନାମ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍’ରେ ସ୍ଥାନ ପାଇଛି। ତାଙ୍କର ଏହି ଉଲ୍ଲେଖନୀୟ ଅଧ୍ୟୟନ ଭାଷା, ସାହିତ୍ୟ ଓ ଗବେଷଣା କ୍ଷେତ୍ରରେ ବିଶେଷ ଉପଲବ୍ଧି। ଯୁବାବସ୍ଥାରେ କିଭଳି ସେ ନେଇଥିବା ଏକ ଦୃଢ଼ ନିଷ୍ପତ୍ତି ପରବର୍ତ୍ତୀ କାଳରେ ଜୀବନର ଗତିପଥ ବଦଳାଇଦେଲା, ସେହି ଘଟଣା ସେ ଆମ ସହ ବାଣ୍ଟିଛନ୍ତି।
Education: ତିନିବର୍ଷିଆ ଏଲଏଲବି ନାମଲେଖା ପ୍ରକ୍ରିୟା ଆରମ୍ଭ
‘‘ପିଜି ପଢ଼ା ଚାଲିଥିବା ବେଳେ ମୋତେ ଏକ କେନ୍ଦ୍ର ସରକାରୀ ଚାକିରି ମିଳିଲା। ମୁଁ ଭୁବନେଶ୍ବରରେ ସେହି ଚାକିରିରେ ଯୋଗ ଦେଲି। ମୋର ଜଣେ ବନ୍ଧୁ ଆସାମରେ ଯୋଗ ଦେଲେ। ଥରେ ମୋ ବନ୍ଧୁ ଆସାମରୁ ଓଡ଼ିଶା ଫେରିବା ବାଟରେ ଟ୍ରେନ୍ରେ ତାଙ୍କର ଦେହାନ୍ତ ହେଲା। ଏହି ଘଟଣା ମୋ ମନରେ ଗଭୀର ପ୍ରଭାବ ପକାଇଥିଲା। ମନରେ ଭୟ ସୃଷ୍ଟି ହେଲା ଏବଂ ମୁଁ ଚିନ୍ତା କଲି ଯେ ଆଉ କେନ୍ଦ୍ର ସରକାରଙ୍କ ଚାକିରି କରିବି ନାହିଁ। କାରଣ ଆଗାମୀ ଦିନରେ ଚାକିରି ପାଇଁ ମୋତେ ମଧ୍ୟ ବାହାରକୁ ଯିବାକୁ ପଡ଼ିପାରେ। ମୁଁ ସେହି ଚାକିରି ଛାଡ଼ି ଅଧ୍ୟାପନା କ୍ଷେତ୍ରକୁ ଯିବା ପାଇଁ ନିଷ୍ପତ୍ତି ନେଲି। ମୋର ଏହି ନିଷ୍ପତ୍ତିକୁ ଅନେକେ ବିରୋଧ କଲେ ମଧ୍ୟ ମୁଁ ଦୃଢ଼ ଥିଲି। ଚାକିରି ଛାଡ଼ି ଅଧ୍ୟାପନାରେ ଯୋଗ ଦେଲି। ଅଧ୍ୟାପନା କ୍ଷେତ୍ରକୁ ଆସିବା ପରେ ସାହିତ୍ୟ ପ୍ରତି ଅନୁରାଗ ଆହୁରି ବଢ଼ିଲା। ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରି ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର୍ ଭାବେ ଯୋଗ ଦେଇଥିଲି। ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ନେବା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଆଦିକବି ସାରଳା ଦାସ ଚେୟାର୍ର ପ୍ରଥମ ପ୍ରଫେସର୍ ଭାବେ ଯୋଗ ଦେବାର ସୁଯୋଗ ପାଇଲି।’’
‘‘ଯଦି ସେତେବେଳେ କେନ୍ଦ୍ର ସରକାରଙ୍କ ଚାକିରିରେ ରହିଥାନ୍ତି, ତେବେ ହୁଏତ ଜଣେ ଅଧିକାରୀ ହୋଇଥାନ୍ତି, କିନ୍ତୁ ଜଣେ ସାହିତ୍ୟିକ ଭାବେ ଯେଉଁ ସ୍ୱୀକୃତି, ସମ୍ମାନ ଓ ଆତ୍ମସନ୍ତୁଷ୍ଟି ପାଇଛି, ତାହା ହୁଏତ ପାଇପାରି ନଥାନ୍ତି। ସେତେବେଳେ ମୋର ନିଷ୍ପତ୍ତି ଅନେକଙ୍କୁ କଠିନ ଲାଗିଥାଇପାରେ, କିନ୍ତୁ ପରବର୍ତ୍ତୀ ସମୟରେ ସେହି ନିଷ୍ପତ୍ତିକୁ ନେଇ ମୁଁ ଗର୍ବ ଅନୁଭବ କରୁଛି।’’
Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

2 weeks ago
9


