ବାବୁ ବୋଉ...

3 weeks ago 13
ARTICLE AD BOX

ତାଙ୍କୁ ଚିହ୍ନିବାକୁ କେବଳ ନାମଟି ହିଁ ଯଥେଷ୍ଟ! କବିତା, ଗୀତ, ସିନେମା, ନାଟକ ତାଙ୍କ ସୃଜନର କ୍ଷେତ। କଟକ ସହ ତାଙ୍କୁ ଏକାଠି ମନେ ପକାଇବା ଭ‌ାରି ସହଜ। ପୁଣି ସର୍ବଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଓ ରେଭେନ୍ସାର ପ୍ରଥମ କୁଳପତି ଭାବରେ ରହିଛି ଭିନ୍ନ ପରିଚୟ। ଷ‌ାଠିଏ ଦଶକରୁ ଆରମ୍ଭ କରି ଏ ଯାଏଁ ପଚସ୍ତରିରୁ ଊର୍ଦ୍ଧ୍ବ ସିନେମାର ଗୀତିକାର, ୧୯୯୫ରୁ କାନ୍ ଓ କିନୋଟାଭାରେ ଶ୍ରେଷ୍ଠ କାହାଣୀକାର ଭାବରେ ତାଙ୍କ ଚଳଚ୍ଚିତ୍ରର ପ୍ରଦର୍ଶନ ହେବାର ସୁଖଦ ଅନୁଭବ ସହ ସୁଲେଖକ ଭାବରେ ଅନେକ ପୁରସ୍କାର ଓ ପ୍ରସିଦ୍ଧିର ଅଧିକାରୀ ଦେବଦାସ ଛୋଟରାୟ ଏମିତି ମନେ ପକାଇଛନ୍ତି ବୋଉ କ୍ଷେତ୍ରମଣୀଙ୍କୁ..... 

Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

ଆମେ ଦୁଇ, ଆଉ ଆମର ଦୁଇ, ଏଇ ନିର୍ଦ୍ଧାରିତ ରୀତିରେ ଦୁଇ ପୁରୁଷ ଚାଲିଲାଣି। ଆମ ବାପା ବୋଉଙ୍କ ପରିବାରରେ କେନ୍ଦ୍ରବିନ୍ଦୁ ଥିଲୁ ମୁଁ ଆଉ ମୋ ଭଉଣୀ। ମୁଁ, ବାବୁ ଆଉ ମୋ ଭଉଣୀ, ଝୁନୁ। ଆମେ ଦୁଇଜଣ ସମ୍ବଲପୁରରେ ଜନ୍ମ ହୋଇଥିଲୁ ବୋଲି ପାଇଚୁ ଏମିତି ନାମକରଣ। କିନ୍ତୁ ମୁଁ ପିଲାଦିନୁ ଦେଖିଚି, ଆମେ କଟକ ଆସିଲା ପରେ, ଆମ ଜ୍ଞାତିକୁଟୁମ୍ବ, ପାଖ ପଡ଼ିଶା, ସମସ୍ତେ ମୋ ବୋଉକୁ ଡାକନ୍ତି ‘ବାବୁ ବୋଉ’ ବୋଲି। କେହି ତ ଝୁନୁ ବୋଉ ବୋଲି କହୁ ନଥିଲେ!

୨ ଆମେ ପଚାଶ ଦଶକର ଆରମ୍ଭରେ କଟକ ଆସି ଡମପଡ଼ା ରାଜା ରାମଚନ୍ଦ୍ର ଧଳ ସମାନ୍ତଙ୍କ କାଳିଗଳି ଘରେ ଭଡ଼ାରେ ରହିଲୁ। ତାଙ୍କର କେତେ ଗୁଣ୍ଠ ଆୟତାକାର ଜମିରେ କିଛି ଚାଳଘର, ଆଉ କେଇ ବଖରା କୋଠାଘର ଥିଲା। ଅଧିକାଂଶ ଭଡ଼ାଟିଆ ଥିଲେ ପୁରୁଷ। କିଏ କୋଉ ବ୍ୟାଙ୍କ କି ଅଫିସରେ କ୍ଲର୍କ କି ପିଅନ। ରହନ୍ତି ବଖରାରେ ଜଣେ ଲେଖା। ଗୋଟିଏ ମେସ ପରି, ବାକି ପରିବାର ଗାଁରେ। 

ମୋ ବୋଉ ପାଇଁ ସେଠି ରହିବାରେ ପାରିପାର୍ଶ୍ବିକ ଅସୁବିଧା ଥିଲା ବିସ୍ତର। ତା’ର ଗାଧେଇବା ପାଇଁ ଜାଗା ନଥିଲା। ପୁରୁଷ ମାନେ କଛା ଗାମୁଛା ପିନ୍ଧି ବାରି ପଟେ କୂଅ ମୂଳେ ଗାଧେଇ ପଡ଼ୁଥିଲେ। ଆଉ ବୋଉ ଅପେକ୍ଷା କରୁଥିଲା, କେତେବେଳେ ସମସ୍ତେ ଅଫିସ ବାହାରି ଯିବେ, ଆଉ ସେ କୂଅରୁ ବାଲ୍‌ଟିରେ ପାଣି କାଢ଼ି, ଛାତ ଉପରକୁ ଯାଇଥିବା ଶିଡ଼ି ତଳ ଚଟାଣ ଉପରେ, ଏତିକି ଟିକେ ଜାଗାରେ, ଲୁଚିକରି ଗାଧେଇବ। ପିଇବା ପାଣିର କୌଣସି ସ୍ୱାସ୍ଥ୍ୟକର ବ୍ୟବସ୍ଥା ନ ଥିଲା ସେଠି। କୂଅ ପାଣିକୁ କେହି ଭରସା କରି ପିଉ ନଥିଲେ। ଘରଠୁ କିଛି ଦୂରରେ ଗଳି ମୁଣ୍ଡର ମୁନିସିପାଲିଟି କୂଅରୁ, ବାଲ୍‌ଟିରେ ପିଇବା ପାଣି ବୋହିକରି ଆଣିବାକୁ ପଡୁଥିଲା। ମୁଁ ଆଉ ଝୁନୁ କଳ ପାଖରୁ ପାଣି ବୋହି ଆଣିଲା ବେଳେ ବୋଉ କବାଟ ଫାଙ୍କରେ ଆତଙ୍କରେ ଅନଉଥାଏ ଆମର ବାଲ୍‌ଟି ଧରା କୁନିକୁନି ଟଳମଟଳ ପାଦକୁ ଆମେ ନିରାପଦରେ ଫେରିଲା ପର୍ଯ୍ୟନ୍ତ। 

୩ ଏତେ ଦୁରବସ୍ଥା ଭିତରେ ବି ବୋଉ ସମ୍ମାନର ସହ ଚଳେ। ନା ସେ କେବେ ରାସ୍ତାକୁ ବାହାରେ ନା କେବେ, କେବଳ ମତେ ଗାଳି ଦେବା ବ୍ୟତୀତ, ବଡ଼ ପାଟି କରେ। ଆମର ଭଡ଼ା ଟଙ୍କା କେବେ ବାକି ରହେନା। ତା’ର ବ୍ୟବହାରରେ ମୁଗ୍ଧ ହୋଇ, ଘର ମାଲିକ ରାମଚନ୍ଦ୍ର ଧଳ ସାମନ୍ତ, ତାକୁ ଝିଅ କରିଥାନ୍ତି। ସେ ଏକୁଟିଆ ଆସିଲେ ଆମ ଘରେ ପଖାଳ ଖାଆନ୍ତି। ବେଳେ ବେଳେ ବୋଉଠୁ ବାଟ ଖର୍ଚ୍ଚ, ବସ୍‌ ଭଡ଼ା ପାଇଁ କି ବଜାର କରିବା ପାଇଁ ଅଳ୍ପ ଅଳ୍ପ ଟଙ୍କା ଧାର ବି ନିଅନ୍ତି। 

୪ ବାପା ସେତେବେଳେ ଥାଆନ୍ତି କଟକ ଡିଷ୍ଟ୍ରିକ୍ଟ ବୋର୍ଡରେ କିରାଣୀ। ଦିନରେ ଅଫିସ, ଆଉ ରାତିରେ ବିନା ପଇସାରେ ସୌଖିନ ଥିଏଟର ଅଭିନେତା। ସେଇ ସ୍ୱଳ୍ପ ଦରମା ଟଙ୍କାରେ ବୋଉ ଆମକୁ ଚଳେଇ ଦିଏ କୌଣସି ମତେ, କାରଣ ଗାଁରୁ ଡାଲି, ଚାଉଳ, ନଡ଼ିଆ, ମୁଗ, ଆମ୍ବ ସବୁ ଆସେ, ଜଗତସିଂହପୁରଠାରୁ ଦିଆସିଲି ଖୋଳ ଆକୃତିର ବସ ଛାତ ଉପରେ ଲଦା ହୋଇ। ଥରେ ମୋ ବୁଢ଼ୀମା’ ଗୋଟାଏ ପାଣିକୁଣ୍ଡ ଭିତରେ ପଠେଇଥିଲା ଏକ ଜିଅନ୍ତା, ଆଉ ବେଶ୍‌ ବଡ଼ ଶେଉଳ ମାଛ। ଆମ ଧୁଳିଆ ବାଉରୀ ତାକୁ ଆଣିଥିଲା ସେ କୁଣ୍ଡକୁ ବସ ଉପରେ ଲଦି କରି। ସେ ବିରାଟ ଜିଅନ୍ତା ମାଛକୁ ଦେଖି ବୋଉ କହିଲା, ‘ବାବୁ ତୁ ଆଗ ସେ ମାଛକୁ ମାର, ତା’ ପରେ ମୁଁ ପନିକିରେ କାଟିବି’। ମୁଁ ତାକୁ ଆମ ବାରିପଟେ କୂଅ ପାଖକୁ ନେଇ ବେଲଣା କାଠିରେ ପିଟିଲି। ସେ ମଲାନି। ଶେଷକୁ ହେମଦସ୍ତା ଆଣି ତା’ ମୁଣ୍ଡକୁ ଛେଚିଦେଲି। ସେ ପାଟି ପାକୁ ପାକୁ କରି ମରିଗଲା। ମୁଁ ସହି ନପାରି ମୋର କେତେ ପାପ ହେଲା ବୋଲି କହି, ବୋଉ ପାଖରେ କାନ୍ଦିଲି। ବୋଉ ମାଛ କାଟୁ କାଟୁ ମତେ ତିରସ୍କାର କରି କହିଲା, ‘ଛିଃ, ତୁ କ୍ଷତ୍ରିୟ ଘରେ ଜନ୍ମ ହେଇଚୁ ପରା। ଏମିତି କ’ଣ ହଉଛୁ? ଦେଖିନୁ, ତୋ ବାପା କେମିତି ଗାଆଁରେ ତେଣ୍ଟା ଧରି ପାଗଳା ବାରହା ମାରିଥିଲେ’। 

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ

୫ ମୁଁ ଆଉ ଝୁନୁ, ବହୁତ ସାନ ହେଇଥିଲୁ, ସ୍କୁଲ ବି ଯାଇ ନଥିଲୁ। କଟକ ବଡ଼ ମେଡିକାଲରେ ବାପାଙ୍କର ଆପେଣ୍ଡିସାଇଟିସ୍‌ ଅପରେସନ୍‌ ହେଲା। ସେତିକିବେଳେ ବୋଉ ମାନସିକ କରିଥିଲା ଆମ ଘରପାଖ କାଳି ମନ୍ଦିରରେ ଗୋଟିଏ ବୋଦା ବଳି ଦେବା ପାଇଁ। ବାପା କୋଉଠୁ ଗୋଟିଏ ଛେଳି ଛୁଆ ଆଣିଲେ। ସେ ଛଅ ମାସରୁ ବେଶି ଆମ ଘରେ ପୋଷା ହେଲା, ଆମ ସାଙ୍ଗରେ ରହିଲା, ଖେଳିଲା। ସବୁଠୁ ବେଶି ବୋଉର ଗେହ୍ଲା ହେଲା। କିନ୍ତୁ ସେ ଅମାବାସ୍ୟା ରାତି ଅଧା ହେଲାପରେ, ତାକୁ ଯେତେବେଳେ ମନ୍ଦିରକୁ ନିଆଗଲା, ସେ ଖାଲି ଛାଟିପିଟି ହେଲା, ଦୂରରୁ ମନ୍ଦିରର ଘଣ୍ଟ ମର୍ଦଳ ଶୁଣି ଥରିଲା। ବୋଉ ତା’ ପରଦିନ ଆମକୁ କହିଲା, ଦେଖ ପଶୁ ହେଲେ କ’ଣ ହେବ, ତା’ର ସେ ଅନ୍ତିମ ମୁହୂର୍ତ୍ତର ପୂର୍ବବୋଧ ଆସି ଯାଇଥିଲା। ବୋଉ ନିଜେ ଏ ବଳି ଦେବାର ମାନସିକ କରିଥିଲା। କିନ୍ତୁ ତା’ ପରଦିନ ଆମ ସମସ୍ତଙ୍କୁ ଲାଗିଲା ଆମେ ଯେମିତି ଏକ ମହାପାପ କରିପକେଇଚୁ। 

୬ ମତେ ଲାଗେ ମୁଁ ମୋ ଜନ୍ମ ମୁହୂର୍ତ୍ତରୁ ଆଜି ପର୍ଯ୍ୟନ୍ତ ମୋ ବୋଉ ପାଖରୁ ଅଭିନ୍ନ ହେଇ ରହିଚି। ମୋ ବୋଉ ଚାଲିଯିବାର ଚାଳିଶ ବର୍ଷରୁ ଅଧିକ ହେଇଗଲାଣି। ମୁଁ ଏ ଭିତରେ ଦେଶ ବିଦେଶର କେତେ ଜାଗା ବୁଲିଲିଣି। କିନ୍ତୁ କଟକ ଘରକୁ ପଶିଲା ମାତ୍ରେ ଲାଗେ ବୋଉ ଯେମିତି ସେଇ ଠାକୁର ଘରେ ଅର୍ଦ୍ଧ ନିମୀଳିତ ଆଖିରେ ନିମଗ୍ନ ହେଇ ଦୁର୍ଗା ସ୍ତୋତ୍ର ପଢ଼ି ଚାଲିଚି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.