ARTICLE AD BOX
କାହା ପାଇଁ ନୃତ୍ୟ ମନୋରଞ୍ଜନର ମାଧ୍ୟମ ତ ଆଉ କାହା ପାଇଁ କଳାର ପରିପ୍ରକାଶ। ହେଲେ ରାଉରକେଲାର ରାହୁଲ ସୁନାଙ୍କ ପାଇଁ ନୃତ୍ୟ ହିଁ ଜୀବନ। ପିଲାଦିନରୁ ନୃତ୍ୟ ପ୍ରତି ଆଗ୍ରହ ରଖିଥିବା ରାହୁଲ ନିଜ ପ୍ରତିଭା, ନିଷ୍ଠା ଓ ପରିଶ୍ରମ ବଳରେ ଆଜି ନୃତ୍ୟ ଜଗତରେ ପରିଚୟ ଗଢ଼ିପାରିଛନ୍ତି। ରାହୁଲଙ୍କ ନୃତ୍ୟ ଯାତ୍ରାର ଆରମ୍ଭ ଷଷ୍ଠ ଶ୍ରେଣୀରୁ। ୨୦୦୯ ମସିହା ଦୁର୍ଗାପୂଜା ଅବସରରେ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ ୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିବା ଥିଲା ତାଙ୍କ ପାଇଁ ପ୍ରଥମ ବଡ଼ ସଫଳତା। ଏହି ପୁରସ୍କାର ତାଙ୍କ ମନରେ ନୂଆ ଆଶା ଓ ଆତ୍ମବିଶ୍ୱାସ ଭରିଥିଲା। ସ୍ଥାନୀୟ ମଞ୍ଚରୁ ଆରମ୍ଭ ହୋଇଥିବା ରାହୁଲଙ୍କ ଯାତ୍ରା ଧୀରେ ଧୀରେ ବଡ଼ ମଞ୍ଚରେ ପହଞ୍ଚିଥିଲା। ୨୦୨୦ରେ ସେ ‘ଇଣ୍ଡିଆ ଡ୍ୟାନ୍ସ ଚାମ୍ପିୟନ୍ସିପ୍’ରେ ଭାଗ ନେଇଥିଲେ। ୨୦୨୧ରେ କୋଲ୍କାତାଠାରେ ରିଆଲିଟି ସୋ’ ‘ଡ୍ୟାନ୍ସ ପ୍ଲସ୍’ର ଅଡିସନ୍ରେ ସାମିଲ ହୋଇଥିଲେ। ଏହି ଅବସରରେ ସୁଶାନ୍ତ ଖତ୍ରୀ ଓ ବର୍ତ୍ତିକା ଝାଙ୍କ ଭଳି ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଙ୍କ ସହ ମଞ୍ଚ ବାଣ୍ଟିବାର ସୁଯୋଗ ପାଇଥିଲେ।
ସମ୍ବଲପୁରୀ ଗୀତ ‘ସାୟେରାନା’, ନାଗପୁରୀ ଗୀତ ‘ଦହି ବରା’ ଓ ‘ହାଏ ରେ ମୋର ରାନୀ’ ଭଳି ତିନୋଟି ଆଲ୍ବମ୍ରେ ମୁଖ୍ୟ ନୃତ୍ୟଶିଳ୍ପୀ ଭାବେ କାମ କରିଛନ୍ତି ରାହୁଲ। ଏଥିସହ ‘ସତ୍ କହରେ ଝିଟିପିଟି’ ଆଲ୍ବମ୍ରେ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ନୃତ୍ୟ ପରିବେଷଣ ସହ ରାହୁଲ ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଓ ବିଭିନ୍ନ ବିଦ୍ୟାଳୟରେ ପ୍ରଶିକ୍ଷକ ଦାୟିତ୍ୱ ବି ତୁଲାଇଛନ୍ତି। ନିକଟରେ ବରଗଡ଼ର ଏକ ସରକାରୀ କାର୍ଯ୍ୟକ୍ରମରେ ‘ବେଷ୍ଟ୍ ରିଲର୍’ ପୁରସ୍କାର ହାସଲ କରିଛନ୍ତି ସେ। ଜଣେ କଳାକାରର ପ୍ରକୃତ ସଫଳତା ପ୍ରତିଭା ପ୍ରଦର୍ଶନ ସହ ଜ୍ଞାନ ଓ ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ବାଣ୍ଟିବାରେ ରହିଛି। ଏହି ଲକ୍ଷ୍ୟରେ ରାହୁଲ ରାଉରକେଲା ସେକ୍ଟର୍-୯ରେ ‘ବିଟ୍ସ ବ୍ରେକର୍ସ’ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା କରିଛନ୍ତି। ଏଠାରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ସ୍ୱପ୍ନ ପୂରଣ ପାଇଁ ପ୍ରେରଣା ଯୋଗାଉଛନ୍ତି।

4 days ago
5


