ARTICLE AD BOX
ଭୁବନେଶ୍ବର: ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ଶହଶହ ଅଧିକାରୀ ରାଜଧାନୀରୁ ରାଜ୍ୟ ଚଳାଉଛନ୍ତି। କିନ୍ତୁ ଯେଉଁ ରାଜଧାନୀ ରାଜ୍ୟର ଆଦର୍ଶ ପାଲଟିବା କଥା ଓ ସବୁଠୁ ବିକଶିତ ହେବା କଥା, ସେଠି ପ୍ରତିବର୍ଷ ବର୍ଷାରେ ଦହଗଞ୍ଜ ହେଉଛନ୍ତି ଜନସାଧାରଣ। ସାମାନ୍ୟ ବର୍ଷାରେ ଜଳବନ୍ଦି ଘଟଣା ନିତିଦିନିଆ ହୋଇଗଲାଣି। କିନ୍ତୁ ସବୁଠୁ ଅଧିକ କଷ୍ଟ ଦେଉଛି ମୁକୁଳା ନାଳ। ମୁକୁଳା ନାଳ ପ୍ରତିବର୍ଷ ମୁଣ୍ଡ ଗଡ଼ାଉଛି ଓ ଲୋକଙ୍କୁ କନ୍ଦାଉଛି। ତଥାବି ବିଏମ୍ସିର ଅଧିକାରୀମାନଙ୍କ ନିଦ ଭାଙ୍ଗୁନି। ଏବେ ବି ଚାରିଆଡ଼େ ମୁକୁଳା ନାଳର ମୃତ୍ୟୁଫାଶ ଲୋକଙ୍କ ମୁଣ୍ଡ ଗଡ଼ାଇବାକୁ ଅନାଇ ବସିଛି। ବର୍ଷା ଆରମ୍ଭରୁ ଆଜି ବାଣୀବିହାରରେ ମୁକୁଳା ନାଳରେ ପଡ଼ି ଜଣେ ନିଖୋଜ ହେବା ବିଏମ୍ସିର ଅଧିକାରୀମାନଙ୍କ ପାରିବାପଣିଆକୁ ଧରା ପକାଇ ଦେଇଛି। ବର୍ଷା ପୂର୍ବରୁ ଏମାନେ କେତେ ପ୍ରସ୍ତୁତ ଥିଲେ, ଆଜିର ଅଘଟଣ ତା’ର ପ୍ରମାଣ ଦେଇଛି। ସମାନ ସ୍ଥିତି ପୂର୍ତ୍ତ, ଇଡ୍କୋ ଓ ଏନ୍ଏଚ୍ଏଆଇ ନାଳର।
Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି
ରାଜଧାନୀରେ ବିଏମ୍ସି ଅଧୀନରେ ୧୪୦୦ କିଲୋମିଟର, ପୂର୍ତ୍ତ ବିଭାଗ ଅଧୀନରେ ୩୬୦ କିଲୋମିଟର, ଇଡ୍କୋ ଅଧୀନରେ ୬୫ କିଲୋମିଟର ଓ ଏନ୍ଏଚ୍ଏଆଇ ଅଧୀନରେ ୩୪.୫ କିଲୋମିଟର ନାଳ ରହିଛି। ଏସବୁ ୧୧ଟି ମୁଖ୍ୟ ନାଳକୁ ସଂଯୋଗ କରୁଛି, ଯାହାର ଲମ୍ବ ୭୭ କିଲୋମିଟର। ପ୍ରତିବର୍ଷ ରାଜଧାନୀର ଜଳବନ୍ଦି ଓ ମୁକୁଳା ନାଳ ପ୍ରସଙ୍ଗ ବିଧାନସଭାରେ ଉଠୁଛି ଓ ଏହାକୁ ନେଇ ତମ୍ବିତୋଫାନ ବି ହେଉଛି। କିନ୍ତୁ ପ୍ରତିବର୍ଷ ମୁକୁଳା ନାଳରେ ସ୍ଲାବ୍ ପକାଯିବ, ଆବଶ୍ୟକ ସ୍ଥଳେ ମୁଖ୍ୟ ନାଳକୁ ଲୁହାର ବ୍ୟାରିକେଡିଂ କରାଯିବ ବୋଲି ଫମ୍ପା ଭାଷଣବାଜି କରାଯାଉଛି। ବଡ଼କଥା ହେଉଛି, ଭୁବନେଶ୍ବରର ଏହି ସ୍ଥିତି ଦେଖିବାକୁ ବିଏମ୍ସିରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ କମିସନର ଦାୟିତ୍ବ ଦିଆଯାଇଛି। ଏଥିସହ ଅତିରିକ୍ତ କମିସନର, ଡେପୁଟି କମିସନର, ଆସିଷ୍ଟାଣ୍ଟ କମିସନର, ଏଭଳି ବହୁ ଓଏଏସ୍ ଅଧିକାରୀ ରହିଛନ୍ତି। ତଥାପି ଅଘଟଣ ପରେ ଅଘଟଣ ଘଟି ଚାଲିବା, ଏମାନଙ୍କ କାର୍ଯ୍ୟଶୈଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ଷେତ୍ର ପରିଦର୍ଶନ ବଦଳରେ ଅଧିକାରୀମାନେ ଶୀତତାପ ନିୟନ୍ତ୍ରିତ କକ୍ଷରୁ ରାଜଧାନୀ ଅସୁବିଧା ବୁଝୁଥିବା ଅଭିଯୋଗ ହୋଇଛି। ପ୍ରାକ୍ ମୌସୁମୀ ପ୍ରସ୍ତୁତି ବୈଠକ ନାଁରେ ଏଠି କେବଳ ପ୍ରହସନ ଚାଲିଛି।
ଆଜି ପର୍ଯ୍ୟନ୍ତ ରାଜଧାନୀର ବର୍ଷ ବର୍ଷର ନାଳ ସମସ୍ୟାରେ ସୁଧାର ଆସିପାରିନି। ଡ୍ରେନେଜ୍ ସଂଯୋଗୀକରଣ ବ୍ୟବସ୍ଥିତ ନ ଥିବାରୁ ସାମାନ୍ୟ ବର୍ଷାରେ ପ୍ରମୁଖ ରାସ୍ତାଘାଟ ଜଳାର୍ଣ୍ଣବ ହେଉଛି। ବୋଝ ଉପରେ ନଳିତ ବିଡ଼ା ହୋଇଛି, ଅସଜଡ଼ା ଓ ମୁକୁଳା ନାଳ। ପ୍ରାକ୍ ମୌସୁମୀ ବୈଠକରେ ସବୁ ନାଳରେ ସ୍ଲାବ ପକାଇବା, ଭଙ୍ଗା ନାଳକୁ ସଜାଡ଼ିବାକୁ କଡ଼ା ନିର୍ଦ୍ଦେଶ କେବଳ ଲୋକ ଦେଖାଣିଆ ହୋଇ ରହିଯାଇଛି। କେବଳ ଭିଆଇପି, ଭିଭିଆଇପି ମାନଙ୍କ ଅଞ୍ଚଳରେ ଟିକେ ବି ଅସୁବିଧା ନାହିଁ। କିନ୍ତୁ ଅନ୍ୟ ଅଞ୍ଚଳବାସୀଙ୍କୁ ଆଡ଼ଆଖିରେ ବି ଅନାଉନି ବିଏମ୍ସି। ସବୁଠୁ ଅଧିକ ଦୟନୀୟ ସ୍ଥିତିରେ ଭୁବନେଶ୍ବର ସୀମାନ୍ତ ଅଞ୍ଚଳବାସୀ। ଏଠି ବର୍ଷ ବର୍ଷ ଧରି ନାଳ ସଜଡ଼ା ଯାଉନି କି ସ୍ଲାବ ପଡ଼ୁନି। ଯାହାର ପରିଣାମ, ଅତୀତରେ ଏଥିପାଇଁ ଅନେକଙ୍କ ମୁଣ୍ଡ ଗଡ଼ିଛି। ଏବେ ବର୍ଷା ଆରମ୍ଭ ହୋଇ ସାରିଲାଣି। କିନ୍ତୁ ଅଦ୍ୟାବଧି ଅନେକ ନାଳ ଅସଜଡ଼ା ତଥା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିବା, ପ୍ରତି ସାହି ଗଳିକନ୍ଦିର ନାଳ ମୁକୁଳା ରହିବା, ପୂର୍ବ ଘଟଣାର ପୁନରାବୃତ୍ତି ଘଟାଇବା ଆରମ୍ଭ କରିଛି।
ଠିକାଦାରଙ୍କ ଆନ୍ଦୋଳନ ପାଇଁ କାମ ବିଳମ୍ବ: ମେୟର
ଯେଉଁଠି ବି ଅର୍ଦ୍ଧନିର୍ମିତ ନାଳ ରହିଛି, ତାକୁ ଯଥାଶୀଘ୍ର ଆମେ ସାରିବାକୁ ଚେଷ୍ଟା କରୁଛୁ। ବାକି ୱାର୍ଡୱାରି ମୁକୁଳା ନାଳରେ ସ୍ଲାବ୍ ପକାଇବାର ଟେଣ୍ଡର ବି ଦିଆଯାଇଥିଲା। ସେହି ଅନୁସାରେ କାମ ହେଉଛି। ଯେଉଁଠି ବି ନାଳ ମୁକୁଳା ପଡ଼ିଛି, ସେଠାରେ ତୁରନ୍ତ ସ୍ଲାବ୍ ପକାଇବାର ବ୍ୟବସ୍ଥା କରୁଛୁ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ମେୟର କହିଛନ୍ତି, ଚଳିତବର୍ଷ ଠିକାଦାରଙ୍କ ଆନ୍ଦୋଳନ କାରଣରୁ ଟେଣ୍ଡର ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଏଣୁ ବିଳମ୍ବରେ ନାଳ ନିର୍ମାଣ, ସ୍ଲାବ୍ ପକାଇବା ଆଦି କାମ ସବୁ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ନାଳ କାମ ସରିପାରିନି। ତଥାପି ଯଥାଶୀଘ୍ର ଏହାକୁ ସାରିବାକୁ ଚେଷ୍ଟା କରୁଛୁ।
/filters:format(webp)/sambad/media/media_files/2026/07/05/fhsfsfhfhfh-2026-07-05-01-55-35.jpg)
ସ୍ଲାବ୍ ପକାଇବା କାମ ସରିଯାଇଛି: କମିସନର
ଚାରିଆଡ଼େ ମୁକୁଳା ନାଳ ଜଳ ଜଳ ଦିଶୁଥିବା ବେଳେ ବିଏମ୍ସି କମିସନର ଚଞ୍ଚଳ ରାଣା କିନ୍ତୁ ସବୁ ନାଳରେ ସ୍ଲାବ୍ ପକା କାମ ସରି ଯାଇଛି ବୋଲି କହିଛନ୍ତି। ଆଜି ଗଣମାଧ୍ୟମ ଆଗରେ କମିସନର ଶ୍ରୀ ରାଣାଙ୍କ ଏଭଳି କଥାକୁ ନେଇ ତୀବ୍ର ସମାଲୋଚନା ଆରମ୍ଭ ହୋଇଯାଇଛି। କମିସନର କହିଛନ୍ତି, ଆମେ ୮୦ରୁ ୯୦ ପ୍ରତିଶତ ନାଳରେ ସ୍ଲାବ୍ ପକାଇବା କାମ ସାରି ଦେଇଛୁ ଓ ସବୁ ନାଳକୁ ସ୍ଲାବ୍ରେ କଭର କରି ସାରିଛୁ। ଚଳିତବର୍ଷ ଯାନ୍ତ୍ରିକ ସଫେଇ କାମ ଆରମ୍ଭ ହୋଇଥିଲା। ସବୁ ନାଳ ସଫା କାମ ବି ସରି ଯାଇଛି। ଗଣମାଧ୍ୟମରେ ଏକଥା କହିବାର କିଛି ମିନିଟ୍ ଭିତରେ ବାଣିବିହାରରେ ମୁକୁଳା ନାଳରେ ଜଣେ ନିଖୋଜ ହୋଇଯାଇଛନ୍ତି। ମୁକୁଳା ନାଳରେ କୁଢ଼ କୁଢ଼ ଆବର୍ଜନା ସବୁ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ପଙ୍କ ସହ ପ୍ଲାଷ୍ଟିକ୍, ପଲିଥିନ୍ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବର୍ଜନା ଏହାକୁ ଜାମ୍ କରି ରଖିଥିଲା। ଯେଉଁଥିପାଇଁ ନାଳ ପାଣି ନିଷ୍କାସିତ ହୋଇପାରୁନଥିଲା।
Ram Mandir: ଚୋରି ସୁନା ଅଳଙ୍କାର ତରଳା ଯାଇଥିବା ଆଶଙ୍କା
୧୧ ନମ୍ବର ୱାର୍ଡ: ୧୧ ନମ୍ବର ୱାର୍ଡରେ ବି ନାଳ ସବୁ ମୁକୁଳା ପଡ଼ିଛି। ମୁଖ୍ୟ ରାସ୍ତା ହେଉ କି ଗଳିକନ୍ଦି ରାସ୍ତା, ସବୁଠି ସ୍ଥିତି ସମାନ। ଏ ନେଇ ଖୋଦ୍ କର୍ପୋରଟେର ପ୍ରଭାସିନୀ କ୍ଷୋଭ ଝାଡ଼ିଛନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି, ୧୧ ନମ୍ବର ୱାର୍ଡରେ ନାଳ ସବୁ ମୁକୁଳା ପଡ଼ିଥିବାବେଳେ ବର୍ଷା ପାଣି ବି ନିଷ୍କାସନ ହୋଇପାରୁନି। ଘରେ ସବୁ ପାଣି ପଶୁଛି। ଏ ସଂପର୍କର କର୍ପୋରେସନ୍ ବୈଠକରେ କହିଲେ ବି ଟେଣ୍ଡର ହେଉଛି କହି ଭଣ୍ଡାଉଛନ୍ତି। ସେପଟେ ଅଞ୍ଚଳବାସୀ ବି ଜଳବନ୍ଦି ଭିତରେ ରହୁଛନ୍ତି।
୧୮ ନମ୍ବର ୱାର୍ଡ: ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରାଚୀବିହାର, ଜିଜିପି କଲୋନି ଆଦି ଅଞ୍ଚଳରେ ଖୋଲାମେଲା ନାଳ ଚିନ୍ତା ବଢ଼ାଇଲାଣି। ପାଣ୍ଡରା ଛକରୁ ଜିଜିପି କଲୋନି ଦେଇ ରସୁଲଗଡ଼ ଛକକୁ ସଂଯୋଗ କରୁଥିବା ରାସ୍ତାର ଦୁଇପାର୍ଶ୍ବରେ ଥିବା ନାଳର ୧୦ରୁ ଅଧିକ ସ୍ଥାନ ମୁକୁଳା ପଡ଼ିଛି। କେଉଁଠି ନାଳ ଭିତରକୁ ସ୍ଲାବ୍ ଝୁଲି ରହିଛି ତ କେଉଁଠି ସ୍ଲାବ୍ ଭାଙ୍ଗିଯିବା ପରେ ଏହାର ଲୁହା ଛଡ଼ ସବୁ ଉପରକୁ ଉଠି ରହିଛି। ସେପଟେ ପ୍ରାଚୀ ବିହାର ରାସ୍ତାରେ ଏକାଧିକ ସ୍ଥାନରେ ବି ସମାନ ସ୍ଥିତି। ୧୮ ନମ୍ବର ୱାର୍ଡ କର୍ପୋରେଟର ବିପ୍ଳବ ବେହେରା କହିଛନ୍ତି, ପ୍ରାଚୀବିହାର, ଜିଜିପି ଆଦି ଅଞ୍ଚଳରେ ଅନେକ ନୂଆ ରାସ୍ତା କାମ ହେଉଛି। ଯେଉଁଠି ନାଳ ମୁକୁଳା ପଡ଼ିଛି, ସେଠାରେ ବି ସ୍ଲାବ୍ ପକାଯାଉଛି। ଯେଉଁଠି ସ୍ଲାବ୍ ନାହିଁ, ସେଠି ପକାଇବା ବ୍ୟବସ୍ଥା କରିବୁ।
୫ ନମ୍ବର ୱାର୍ଡ: ୫ ନମ୍ବର ୱାର୍ଡ ସତ୍ୟବିହାରରେ ସବୁ ସାହିର ଗଳିକନ୍ଦିରେ ନାଳ ଖୋଲାମେଲା ପଡ଼ିଛି। ବହୁ ସ୍ଥାନରେ ନାଳ ଉପରେ ଥିବା ସ୍ଲାବ୍ ଭାଙ୍ଗି ଖସି ପଡ଼ିଛି। ବୁଲାଣି ଜାଗାରେ ନାଳ ଖୋଲାମେଲା ଥିବାରୁ ବିପଦଜ୍ଜନକ ସାଜିଛି। ୫ ନମ୍ବର ୱାର୍ଡ କର୍ପୋରଟେର ମିନୁଶ୍ରୀ ଖୁଣ୍ଟିଆ କହିଛନ୍ତି, ୫ ନମ୍ବର ୱାର୍ଡ ଅନ୍ତର୍ଗତ ସତ୍ୟବିହାର ଓ ଅନ୍ୟ ଅଞ୍ଚଳରେ ନାଳରେ ସ୍ଲାବ୍ ପକାଇବାକୁ ପୂର୍ବରୁ ଟେଣ୍ଡର ହୋଇଥିଲା। କିନ୍ତୁ ସଂପୃକ୍ତ ଠିକାଦାର କାମ କଲାନି। ଏବେ ନୂଆ ଟେଣ୍ଡର ହୋଇଛି ଓ ନୂଆ ଠିକାଦାର କାମ ନେଇଛନ୍ତି। ସ୍ଲାବ୍ ପକାଇବା କାମ ବି ଚାଲିଛି।
୫୧ ନମ୍ବର ୱାର୍ଡ: ୫୧ ନମ୍ବର ୱାର୍ଡ ଅନ୍ତର୍ଗତ ସିଟି ୱମେନ୍ସ କଲେଜ ଛକରେ ବି ଖୋଲାମେଲା ନାଳ। ଜାଗମରା ଆଡ଼କୁ ସଂଯୋଗ କରୁଥିବା ରାସ୍ତାରେ ବି ନାଳ ମେଲା ପଡ଼ିଛି।
୩୧ ଓ ୩୨ ନମ୍ବର ୱାର୍ଡ: ୩୧ ଓ ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ବମିଖାଲ, ଝାରପଡ଼ା, ଲକ୍ଷ୍ମୀସାଗର ଅଞ୍ଚଳରେ ବି ସମାନ ସ୍ଥିତି। କଟକ ରୋଡ୍ରେ ନାଳ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଥିବାରୁ ପାଣି ହେଲେ ରାସ୍ତା ନାଳ ସମାନ ଦିଶୁଛି। ସେପଟେ ଝାରପଡ଼ା ଓ ଅନ୍ୟ ସ୍ଥାନରେ ବି ଏଭଳି ଦୁର୍ଦ୍ଦଶାରୁ ବର୍ତ୍ତିନି।
ୟୁନିଟ୍-୨ ଓ ମାଷ୍ଟରକ୍ୟାଣ୍ଟିନ: ୟୁନିଟ୍-୨ ଅଞ୍ଚଳରେ ବି ଚାରିଆଡ଼େ ଭଙ୍ଗା ନାଳ। ସ୍ଲାବ୍ ସବୁ ଭାଙ୍ଗି ନାଳକୁ ଖସି ପଡ଼ିଛି। ତଥାପି ଅଧିକାରୀମାନଙ୍କର ଏଥିପ୍ରତି ଦୃଷ୍ଟି ନାହିଁ। ମାଷ୍ଟରକ୍ୟାଣ୍ଟିନ୍ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳ ବି ଏଥିରେ ବାଦ୍ ପଡ଼ିନି। ଏହା ସଂଲଗ୍ନ ନାଳ ସବୁ ଭଗ୍ନ ଅବସ୍ଥାରେ ପଡ଼ିଛି।
ବଡ଼ଗଡ଼: ବଡ଼ଗଡ଼ ଅଞ୍ଚଳ ଉଭୟ ୪୪ ଓ ୪୫ ନମ୍ବର ୱାର୍ଡ ଅଧୀନରେ ଆସୁଛି। ଏଠାରେ ବି ଅନେକ ସ୍ଥାନରେ ନାଳ ଭଙ୍ଗାଅବସ୍ଥାରେ ପଡ଼ିଛି। ମୁଖ୍ୟ ଓ ସାହି ଗଳିକନ୍ଦି ରାସ୍ତା, ସବୁଠି ସ୍ଥିତି ସମାନ। ଅପରପେକ୍ଷ କେଉଁଠି ନାଳକୁ ଖୋଳି ବିପଦଜ୍ଜନକ ଅବସ୍ଥାରେ ଛାଡ଼ି ଦିଆଯାଇଛି ତ କେଉଁଠି ଖୋଲାମେଲା ନାଳ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି।

4 weeks ago
13


