ଆରମ୍ଭ ହେଲା ଅନ୍ନପୂର୍ତ୍ତି ଖାଦ୍ୟଶସ୍ୟ ଏଟିଏମ୍: ଏଣିକି ଏଟିଏମ୍‌ରୁ ନେଇପାରିବେ ରାସନ ଖାଦ୍ୟଶସ୍ୟ

2 weeks ago 7
ARTICLE AD BOX

ଢେଙ୍କାନାଳ: ଖାଦ୍ୟଶସ୍ୟ ଆବଣ୍ଟନକୁ ସୁଲଭ ଓ ସହଜ କରିବା ନିମନ୍ତେ ଢେଙ୍କାନାଳରେ ଆଜି (ସୋମବାର) ‘ଅନ୍ନପୂର୍ତ୍ତି ଖାଦ୍ୟଶସ୍ୟ (ଗ୍ରେନ୍) ଏଟିଏମ୍’ ଉଦ୍‌ଘାଟିତ ହୋଇଛି। ଓଡ଼ିଶା ସରକାର ଓ ଜାତିସଂଘ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମର ମିଳିତ ଆନୁକୂଲ୍ୟରେ ଏହି ଶସ୍ୟ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ୟୁଏନ୍ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, ଭାରତର ଉପନିର୍ଦ୍ଦେଶିକା ନୋଜୋମି ହାଶିମୋଟୋ ଉପସ୍ଥିତ ଥିଲେ। 

annapurt ATM

ଏହି ଅବସରରେ ସୁଶ୍ରୀ ହାଶିମୋଟୋ କହିଥିଲେ ଯେ, ଏହି ପ୍ରକଳ୍ପ ପ୍ରଯୁକ୍ତି, ସ୍ୱଚ୍ଛତା ଓ ମାନବିକ ସେବାର ଏକ ସୁନ୍ଦର ସମନ୍ୱୟ। ଏହା ଭାରତର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବାରେ ସହାୟକ ହେବ। ଏହି ମେସିନ୍‌ର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, ଓଡ଼ିଶା ଫିଲ୍ଡ ଅଫିସ୍‌ର ମୁଖ୍ୟ ହିମାଂଶୁ ବଳ କହିଛନ୍ତି, ବର୍ତ୍ତମାନର ଲଜିଷ୍ଟିକ୍‌ସ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମେସିନ୍‌ ଏକ ସମୟରେ ୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ବଣ୍ଟନ କରିପାରିବ। 

ଏହାର ଆଉ ଏକ ବିଶେଷ ସୁବିଧା ହେଉଛି, ହିତାଧିକାରୀମାନେ ନିଜର ସମ୍ପୂର୍ଣ୍ଣ ମାସିକ ଖାଦ୍ୟଶସ୍ୟ ପ୍ରାପ୍ୟକୁ ଗୋଟିଏ ଥରରେ ନେବାକୁ ବାଧ୍ୟ ନୁହନ୍ତି। ଉଦାହରଣ ସ୍ୱରୂପ, କୌଣସି ପରିବାରକୁ ମାସକୁ ୫୦ କିଲୋଗ୍ରାମ ଚାଉଳ ମିଳିବାକୁ ଥିଲେ, ସେମାନେ ନିଜ ସୁବିଧା ଅନୁଯାୟୀ ଏକାଧିକ ଥରରେ ତାହା ଗ୍ରହଣ କରିପାରିବେ। ଅର୍ଥାତ୍, ଏକ ମାସ ମଧ୍ୟରେ ନିଜ ଆବଶ୍ୟକତା ଅନୁଯାୟୀ ପ୍ରାପ୍ୟ ରାସନ ନେବାର ସୁବିଧା ରହିବ।

୨୪×୭ ଉପଲବ୍ଧ, ସୌରଶକ୍ତିରେ ମଧ୍ୟ ଚାଲିପାରିବ

ଅନ୍ନପୂର୍ତ୍ତି ଗ୍ରେନ୍ ଏଟିଏମ୍’ ସାଧାରଣ ଏଟିଏମ୍ ଭଳି ୨୪ ଘଣ୍ଟା, ସପ୍ତାହର ସାତ ଦିନ କାର୍ଯ୍ୟ କରିପାରିବ। ଏହା ଫଳରେ ହିତାଧିକାରୀମାନେ ନିର୍ଦ୍ଦିଷ୍ଟ ଦୋକାନ ଖୋଲିବା ସମୟ ଉପରେ ନିର୍ଭରଶୀଳ ନହୋଇ ନିଜ ସୁବିଧା ଅନୁଯାୟୀ ରାସନ ଗ୍ରହଣ କରିପାରିବେ। ମେସିନ୍‌ଟି ସୌରଶକ୍ତି ମାଧ୍ୟମରେ ମଧ୍ୟ ପରିଚାଳିତ ହୋଇପାରିବ।

କିପରି ବ୍ୟବହାର କରିବେ ଗ୍ରେନ୍ ଏଟିଏମ୍?

  • ଗ୍ରେନ୍ ଏଟିଏମ୍ ବ୍ୟବହାର ପ୍ରକ୍ରିୟାକୁ ସରଳ ରଖାଯାଇଛି। ହିତାଧିକାରୀମାନେ ନିମ୍ନଲିଖିତ ପଦକ୍ଷେପରେ ନିଜର ଖାଦ୍ୟଶସ୍ୟ ଗ୍ରହଣ କରିପାରିବେ
  • ମେସିନ୍ ସାମ୍ନାରେ ଚିହ୍ନିତ ସ୍ଥାନରେ ଠିଆ ହୁଅନ୍ତୁ।
  • e-POS ଡିଭାଇସ୍‌ରେ ନିଜର ରାସନ କାର୍ଡ ନମ୍ବର ଦାଖଲ କରି ତଥ୍ୟ ଯାଞ୍ଚ କରନ୍ତୁ। ହିତାଧିକାରୀଙ୍କ ପ୍ରାପ୍ୟ ସମ୍ପର୍କିତ ତଥ୍ୟ ମଧ୍ୟ ମେସିନ୍‌ର ସ୍କ୍ରିନ୍‌ରେ ପ୍ରଦର୍ଶିତ ହେବ।
  • ଆଧାର ଆଧାରିତ ବାୟୋମେଟ୍ରିକ୍‌ (ଫିଙ୍ଗରପ୍ରିଣ୍ଟ) ପ୍ରମାଣୀକରଣ କରନ୍ତୁ।
  • ସ୍କ୍ରିନ୍‌ରେ ପ୍ରଦର୍ଶିତ ଉପଲବ୍ଧ ରାସନ ଓ ପରିମାଣ ଯାଞ୍ଚ କରନ୍ତୁ।
  • ନିଜର ଥଳି କିମ୍ବା ବ୍ୟାଗ୍‌କୁ ‘Grain Outlet’ ତଳେ ରଖନ୍ତୁ।
  • ସ୍କ୍ରିନ୍‌ରେ ଥିବା ‘Dispense/ବିତରଣ ଆରମ୍ଭ କରନ୍ତୁ’ ବଟନ୍‌ ଦବାନ୍ତୁ।
  • କିଛି ସେକେଣ୍ଡ ମଧ୍ୟରେ ମେସିନ୍‌ରୁ ଖାଦ୍ୟଶସ୍ୟ ବାହାରିବ ଏବଂ ହିତାଧିକାରୀ ତାହା ସଂଗ୍ରହ କରିପାରିବେ।
  • ଶେଷରେ ନିଜର ରାସନ ଗ୍ରହଣ କରି ସ୍କ୍ରିନ୍‌ରେ ପ୍ରଦର୍ଶିତ ତଥ୍ୟ/କାରବାରକୁ ନିଶ୍ଚିତ କରି ପ୍ରକ୍ରିୟା ସମାପ୍ତ କରିପାରିବେ।
Read Entire Article
LEFT SIDEBAR AD

Hidden in mobile, Best for skyscrapers.