ARTICLE AD BOX
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଅପରାହ୍ଣ ୨ଟା ୧୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ରହି ସ୍ବାଗତ କରିଥିଲେ। ରାଷ୍ଟପ୍ରତି ସେଠାରୁ ସିଧାସଳଖ ଲୋକଭବନ ଅଭିମୁଖେ ଯାଇଥିଲେ। ସେଠାରେ କିଛି ସମୟ ବିତାଇବା ପରେ ଅପରାହ୍ଣ ପ୍ରାୟ ୪ଟାରେ ଲୋକ ଭବନରୁ ବାହାରି କଟକ ନରାଜସ୍ଥିତ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ ଉତ୍ସବରେ ଯୋଗଦେଇଥିଲେ। ଭୁବନେଶ୍ବରରୁ ନରାଜ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ଓ ଆସିବା ସମୟରେ ରାସ୍ତାପାର୍ଶ୍ବରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଜନତା ଛିଡ଼ା ହୋଇ ସ୍ବାଗତ କରିଥିଲେ। ସନ୍ଧ୍ୟାରେ ଲୋକ ଭବନକୁ ପ୍ରତ୍ୟାବର୍ତ୍ତନ କରିବା ସହ ସେଠାରେ ରାତ୍ରିଯାପନ କରିଛନ୍ତି।
ମଙ୍ଗଳବାର ସକାଳୁ ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱର ରେଳ ଷ୍ଟେସନରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ୍ରେ ଗସ୍ତ କରିବେ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ୧୦ କୋଚ୍ ବିଶିଷ୍ଟ ଏକ ସ୍ବତନ୍ତ୍ର ଟ୍ରେନ୍ ପ୍ରସ୍ତୁତ ହୋଇ ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଛି। ଯେଉଁଥିରେ ରାଷ୍ଟ୍ରପତିଙ୍କ ପାଇଁ ଆବଶ୍ୟକ ସମସ୍ତ ସୁବିଧା ଉପଲବ୍ଧ ରହିଛି। ରାଷ୍ଟ୍ରପତି ଯେଉଁ ଟ୍ରେନ୍ରେ ଯିବେ ତାହାର ସୁରକ୍ଷା ପାଇଁ ଆଗରେ ଓ ପଛରେ ଆଉ ଗୋଟିଏ ଲେଖାଏ ଟ୍ରେନ୍ ଚାଲିବ। ଭୁବନେଶ୍ୱରରୁ ବ୍ରହ୍ମପୁର ପହଞ୍ଚିବାକୁ ପ୍ରାୟ ୨ ଘଣ୍ଟା ୧୦ ମିନିଟ୍ ସମୟ ଲାଗିବ। ଟ୍ରେନ୍ ଚଳାଚଳ ସମୟରେ ସେହି ରୁଟ୍ରେ ଅନ୍ୟ କୌଣସି ଟ୍ରେନ୍ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ହୋଇଛି। ସମସ୍ତ ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ। ପ୍ଲାଟଫର୍ମ ଡ୍ୟୁଟିରେ ରହିବାକୁ ଥିବା ରେଳବାଇ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଡ୍ୟୁଟି ପାସ୍ ପ୍ରଦାନ କରାଯାଇଛି।

1 hour ago
1


