ARTICLE AD BOX
ଭୁବନେଶ୍ବର: ସ୍ମାର୍ଟ ସିଟିରେ ଅଘଟଣ। ଆଜି ଅପରାହ୍ଣରେ ଜଣେ ଜରି ଗୋଟାଳି ବାଣୀବିହାର ୪ ନମ୍ବର ମୁଖ୍ୟ ଡ୍ରେନ୍ରୁ ପ୍ଲାଷ୍ଟିକ୍ ବୋତଲ ଗୋଟାଇବାକୁ ଯାଇ ନାଳରେ ଭାସି ଯାଇଛନ୍ତି। ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅନୀଲ ସିଂହ (୩୫)। ତାଙ୍କୁ ଉଦ୍ଧାର କରିବା ପାଇଁ ଭୁବନେଶ୍ବର ଅଗ୍ନିଶମ ବାହିନୀର ଏକକାଳୀନ ୩ଟି ଟିମ୍ ଓ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ଅଛନ୍ତି। ତେବେ ୬ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ସୁଦ୍ଧା ଅନୀଲଙ୍କୁ ଠାବ କରିବାରେ ଅଗ୍ନିଶମ ବାହିନୀ ସକ୍ଷମ ହୋଇ ପାରିନାହିଁ। ଅନୀଲ ଭାସିଯାଇଥିବା ସ୍ଥାନରେ ଟନ୍ ଟନ୍ ଅଳିଆ ଆବର୍ଜନା ଭର୍ତ୍ତି ରହିଛି। ଏହା ସାଙ୍ଗକୁ ଆଜି ଦିନତମାମ୍ ଲଗାଣ ବର୍ଷା ହେଉଛି। ଯେଉଁଥି ପାଇଁ ଅନୀଲ ସୁଅରେ ଭାସିଯାଇଥିବା ଉଦ୍ଧାରକାରୀ ଅଗ୍ନିଶମ ଦଳ ସନ୍ଦେହ କରୁଛନ୍ତି।
ICAI: ଆଇସିଏଆଇର ଜାତୀୟ ସମ୍ମିଳନୀ ଉଦ୍ଯାପିତ
ମିଳିଥିବା ସୂଚନା ଅନୁସାରେ, ଭାସିଯାଇଥିବା ଅନୀଲ ସ୍ଥାନୀୟ ପଥରବନ୍ଧ ବସ୍ତିରେ ରହି ଜରି ଗୋଟାଇ ଗୁଜୁରାଣ ମେଣ୍ଟାନ୍ତି। ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଅନୀଲ ଓ ତାଙ୍କର ୨ ଜଣ ସାଙ୍ଗ ପଥରବନ୍ଧ ବସ୍ତି ସଂଲଗ୍ନ ତଥା ବାଣୀବିହାର ବିଶ୍ବବିଦ୍ୟାଳୟ ନିକଟସ୍ଥ ୪ ନମ୍ବର ମୁଖ୍ୟ ନାଳ ନିକଟକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା, ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରୁ ଭାସିଆସିଥିବା ପ୍ଲାଷ୍ଟିକ୍ ବୋତଲ ଓ ଜରି ସଂଗ୍ରହ କରିବେ। ତେଣୁ ସେହି ଅନୁସାରେ ସେଠାରେ ଅନୀଲ ପହଞ୍ଚି ନାଳରୁ ଜରି ଗୋଟାଉଥିଲେ ଏବଂ ତାଙ୍କ ସାଙ୍ଗମାନେ ବିଡିଏର ଲେକ୍ ପ୍ରକଳ୍ପରେ ଗାଧୋଇଥିଲେ। ଲଗାଣ ବର୍ଷାରେ ନାଳରେ ସୁଅ ଅଧିକ ଥିବାରୁ ଅନୀଲ ସେହି ସମୟରେ ଭାସିଯାଇଥିଲେ। ତାଙ୍କର ୨ ସାଙ୍ଗ ଅନୀଲଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ। ତେଣୁ ପଥରବନ୍ଧ ବସ୍ତିକୁ ଯାଇ ଅନୀଲ ଭାସିଯିବା କଥା କହିଥିଲେ। ଖବର ପାଇ ସ୍ଥାନୀୟ କର୍ପୋରେଟର୍ ପୂଜା ମହାରଣା ୧୧୨କୁ ଫୋନ୍ କରି ଉଦ୍ଧାର କରିବାକୁ କହିଥିଲେ।
ଅଘଟଣ ଘଟିବା ପରେ ବିଏମ୍ସି ମେୟର ସୁଲୋଚନା ଦାସ, କମିସନର୍ ଚଞ୍ଚଳ ରଣା ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ୪ ନମ୍ବର ମୁଖ୍ୟ ନାଳ ନିକଟରେ ବିଡିଏ ପକ୍ଷରୁ ଏକ ଲେକ୍ ପ୍ରକଳ୍ପ କରାଯାଉଛି। ଏହା ସଂଲଗ୍ନ ଭୁବନେଶ୍ବରର ୪ ନମ୍ବର ମୁଖ୍ୟ ନାଳ ରହିଛି। ମାତ୍ର ଏହି ବିପଦପୂର୍ଣ୍ଣ ନାଳ ନିକଟକୁ ଅବାଧ ପ୍ରବେଶ ରୋକିବା ପାଇଁ ବିଏମ୍ସି ପକ୍ଷରୁ କୌଣସି ବାଡ଼ ବା ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ। ଯେଉଁଥିପାଇଁ ଆଜି ଏତେବଡ଼ ଅଘଟଣ ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହାକୁ ନେଇ ପଥରବନ୍ଧ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
ଏ ସମ୍ପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି, ନାଳରେ ଜଣେ ବ୍ୟକ୍ତି ଭାସିଯିବା ଅତ୍ୟନ୍ତ ଦୁଃଖଦ ଘଟଣା। ଯେଉଁ ନାଳରେ ସେ ଭାସିଯାଇଛନ୍ତି, ସେଠାରେ ବ୍ୟାରିକେଡିଂ କରାଯାଇଛି। ଲେକ୍ ଜୋନ୍ କାମ ବି ଚାଲିଛି। ତଥାପି ସଂପୃକ୍ତ ବ୍ୟକ୍ତି ବ୍ୟାରିକେଡ୍ ଡେଇଁ ନାଳପାଣିର ପ୍ରଖର ସ୍ରୋତରୁ ପ୍ଲାଷ୍ଟିକ୍ ବୋତଲ ଗୋଟାଉଥିଲେ। ପାଣି ସ୍ରୋତ, ପାହାଡ଼ ଭଳି ଆବର୍ଜନା ଭିତରେ ବୋତଲ ଗୋଟାଇବା କେତେ ବିପଦପୂର୍ଣ୍ଣ ସହଜରେ ଅନୁମେୟ। ତାଙ୍କ ସାଙ୍ଗରେ ଅନ୍ୟ ଜଣେ ଥିଲେ, ସୌଭାଗ୍ୟକୁ ସେ ବଞ୍ଚି ଯାଇଛନ୍ତି। ବର୍ଷା ବେଳେ ପ୍ରଖର ସ୍ରୋତରେ ପଶି ବୋତଲ ଆଦି ନ ଗୋଟାଇବାକୁ ସେ ପରାମର୍ଶ ଦେଇଛନ୍ତି।

4 weeks ago
14


