West Asia Conflict: ପାକିସ୍ତାନ ସହ ତୁଳନାକୁ ଭାରତର ପ୍ରତ୍ୟାଖ୍ୟାନ

4 weeks ago 14
ARTICLE AD BOX

ବେଜିଂ: ପଶ୍ଚିମ ଏସିଆ ସଙ୍କଟର ସମାଧାନ ପାଇଁ ମଧ୍ୟସ୍ଥତା କରିବା ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ କରାଯାଉଥିବା ତୁଳନାକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଏହା ସହିତ କୌଣସି ବିଶ୍ୱସ୍ତରୀୟ ବିବାଦରେ ମଧ୍ୟସ୍ଥତା କରିବା ନିଜର ରାଷ୍ଟ୍ରୀୟ ସ୍ୱାର୍ଥର ଅନୁକୂଳ କି ନୁହେଁ, ତାହା ପ୍ରତ୍ୟେକ ଦେଶ ନିଜେ ସ୍ଥିର କରିବା ଉଚିତ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଚୀନ୍‌ ସ୍ଥିତ ସିଙ୍ଘୁଆ ବିଶ୍ୱବିଦ୍ୟାଳୟ ଦ୍ୱାରା ବେଜିଂରେ ଆୟୋଜିତ ‘ୱାର୍ଲ୍ଡ ପିସ୍ ଫୋରମ୍’ (ବିଶ୍ୱ ଶାନ୍ତି ସମ୍ମିଳନୀ)ରେ ଯୋଗଦେଇ ଚୀନ୍‌ରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଦୋରାଇସ୍ୱାମୀ ଏହି କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।

ସମ୍ମିଳନୀ ଅବସରରେ ଜଣେ ଚୀନ୍ ସାମ୍ବାଦିକ ଇରାନ-ଆମେରିକା ବିବାଦରେ ପାକିସ୍ତାନର ମଧ୍ୟସ୍ଥତା ପ୍ରୟାସ ଏବଂ ବୈଶ୍ୱିକ ନେତୃତ୍ୱରେ ଭାରତର ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ। ଏହାର ସିଧାସଳଖ ଜବାବ ଦେଇ ଦୋରାଇସ୍ୱାମୀ କହିଛନ୍ତି, ଯଦି ମୁଁ ସ୍ପଷ୍ଟ ଭାବେ କହିବି, ତେବେ ମଧ୍ୟସ୍ଥତା ପ୍ରସଙ୍ଗରେ ପାକିସ୍ତାନ ସହ ଭାରତର ତୁଳନା କରିବା ସମ୍ପୂର୍ଣ୍ଣ ଅନ୍ୟାୟ। ଦୁଇ ଦେଶର ଅର୍ଥନୀତିର ସ୍ଥିତିକୁ ଦେଖିଲେ ହିଁ ଏହାର ପାର୍ଥକ୍ୟ ସ୍ପଷ୍ଟ ବାରି ହୋଇପଡ଼ିବ। ଯେକୌଣସି ଦେଶକୁ ବିଶ୍ୱ ବ୍ୟବସ୍ଥାରେ ସେମାନଙ୍କର ସ୍ଥାନ ଏବଂ ବାସ୍ତବିକ କାର୍ଯ୍ୟକଳାପ ଆଧାରରେ ହିଁ ବିଚାର କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

ଦୋରାଇସ୍ୱାମୀ କହିଛନ୍ତି ଯେ, ବର୍ତ୍ତମାନ ବିଶ୍ୱ ସମୁଦାୟ ସହ ଭାରତର ସମନ୍ୱୟ ଏବଂ ସମ୍ପର୍କ ଯେଉଁ ସ୍ତରରେ ପହଞ୍ଚିଛି, ତାହା ଅଧିକାଂଶ ଦେଶ ପାଇଁ ଅକଳ୍ପନୀୟ। ଏଥିରେ ୟୁରୋପୀୟ ତଥା ଏସୀୟ ଦେଶଗୁଡ଼ିକ ସହ ଭାରତର ସୁଦୃଢ଼ ଆର୍ଥିକ ସମନ୍ୱୟ ସାମିଲ ରହିଛି। ଭାରତ ସର୍ବଦା ବିଶ୍ୱରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପାଇଁ ଯୋଗଦାନ ଦେବାକୁ ପ୍ରସ୍ତୁତ ରହିଛି।

Sharif meets Vance: ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା

ମାତ୍ର ବର୍ତ୍ତମାନ ପଶ୍ଚିମ ଏସିଆର ଯେଉଁ ଜଟିଳ ପରିସ୍ଥିତି ରହିଛି, ସେଥିରେ ଅଯଥା ମଧ୍ୟସ୍ଥତା ମଇଦାନକୁ ଓହ୍ଲାଇବା ଦ୍ୱାରା ଭାରତର କୌଣସି ବିଶେଷ ଲାଭ ହେବ ନାହିଁ। ୟୁକ୍ରେନ ଏବଂ ଇରାନ ସଙ୍କଟ ସମ୍ପର୍କରେ ସୂଚନା ଦେଇ ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ, ପଶ୍ଚିମ ଏସିଆ କିମ୍ବା ପୂର୍ବ ୟୁରୋପରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ସଙ୍କଟ ଉପରେ ଭାରତର ଆଭିମୁଖ୍ୟ ବହୁ ପରିମାଣରେ ଚୀନ୍‌ ସହ ସମାନ ରହିଛି। ବର୍ତ୍ତମାନର ସ୍ଥିତିରେ ଉଭୟ ଭାରତ କିମ୍ବା ଚୀନ୍ ମଧ୍ୟରୁ କେହି ବି ସ୍ୱତଃପ୍ରବୃତ୍ତ ଭାବେ ଆଗକୁ ଆସି ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଉନାହାନ୍ତି। ବିଶ୍ୱ ଶାନ୍ତି ପ୍ରକ୍ରିୟାରେ ଭାରତ ନିଜର ସକ୍ରିୟ ସହଯୋଗ ଜାରି ରଖିବ, ମାତ୍ର କୂଟନୈତିକ ନିଷ୍ପତ୍ତି ସର୍ବଦା ଦେଶର ସାର୍ବଭୌମତ୍ୱ ଓ ରାଷ୍ଟ୍ରୀୟ ହିତକୁ ଆଧାର କରି ନିଆଯିବ ବୋଲି ଦୋରାଇସ୍ବାମୀ ଦୋହରାଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.