ARTICLE AD BOX
ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ରେ ତେଜିଥିବା ଛାତ୍ର ଆନ୍ଦୋଳନ ସାମୟିକ ପ୍ରଶମିତ ହୋଇଛି। ତେବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ଛାତ୍ରଛାତ୍ରୀମାନେ ସ୍ପଷ୍ଟ କରିଛନ୍ତି।
ବିଶୃଙ୍ଖଳା ପ୍ରତି ‘ଭିସୁଟ୍’ କର୍ତ୍ତୃପକ୍ଷ ଶୂନ୍ୟସହନଶୀଳ: ୬ ଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ
ବିଶ୍ବବିଦ୍ୟାଳୟରେ ଅନେକ ଦିନରୁ ଲାଗି ରହିଥିବା ନିମ୍ନମାନର ଖାଦ୍ୟ, ଛାତ୍ରାବାସରେ ଆନୁସଙ୍ଗିକ ସୁବିଧା ସୁଯୋଗର ଅଭାବ ସାଙ୍ଗକୁ ୟୁନିଫର୍ମ ବାଧ୍ୟତାମୂଳକ ନିୟମ ବିରୋଧରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଆଜି (ମଙ୍ଗଳବାର) ଦିନ ୧୧ଟାରୁ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟର ପ୍ରଶାସନିକ ବ୍ଲକ୍ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ। ଅପରାହ୍ଣ ୪ଟା ବେଳେ କୁଳପତି ପ୍ରଫେସର ଦୀପକ ସାହୁ ଆନ୍ଦୋଳନସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କ ଦାବି ଆସନ୍ତା ଶୁକ୍ରବାର ସୁଦ୍ଧା ଲିଖିତ ଆକାରରେ ପ୍ରଦାନ କଲେ ଶନିବାର ହେବାକୁ ଥିବା ବୋର୍ଡ ବୈଠକରେ ଏନେଇ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କୁଳପତି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଛାତ୍ରଛାତ୍ରୀମାନେ ବିକ୍ଷୋଭକୁ ସ୍ଥଗିତ ରଖିଛନ୍ତି।
ଛାତ୍ରୀ ଓ ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ: ଭିସୁଟ୍ର ଦୁଇ ପ୍ରଫେସର ନିଲମ୍ବିତ
ଆଜିର ଆନ୍ଦୋଳନ ସମୟରେ କିଛି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିଥିଲା। ଆଇନଶୃଙ୍ଖଳା ସ୍ଥିତିର ନିୟନ୍ତ୍ରଣ ପାଇଁ ବୁର୍ଲା ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ଭିସୁଟ୍ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ : ଜିନ୍ସ-ଦୁପଟ୍ଟା ମନା
ସୂଚନାଯୋଗ୍ୟ, ଗତବର୍ଷଠାରୁ ଭିସୁଟରେ ୟୁନିଫର୍ମ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଅର୍ଥାତ୍ ଗତବର୍ଷ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ୟୁନିଫର୍ମ ପିନ୍ଧିଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ସିଭିଲ୍ ଡ୍ରେସ୍ରେ କ୍ଲାସ କରୁଥିଲେ। ଉକ୍ତ ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଦ୍ବିତୀୟ ବର୍ଷରେ ପଦାର୍ପଣ କରିଥିଲେ ହେଁ କର୍ତ୍ତୃପକ୍ଷ ସେମାନଙ୍କୁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ। କିନ୍ତୁ ଗୋଟିଏ ୟୁନିଫର୍ମରେ ଦିନତମାମ ରହିବା ପରେ ବିନା ସଫାରେ ପରଦିନ ଉକ୍ତ ଡ୍ରେସ୍ ପିନ୍ଧି କ୍ଲାସକୁ ଯିବା ସମ୍ଭବ ହେଉନଥିବା ଦର୍ଶାଇ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ।
/filters:format(webp)/sambad/media/media_files/2026/07/21/vst-student-strike1-2026-07-21-21-00-58.jpeg)
ଏହାସହିତ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଡ୍ରେସକୋଡ୍ର ରଙ୍ଗରେ କେବଳ ପଲିଷ୍ଟର କପଡ଼ା ମିଳୁଥିବାରୁ ତାହା ଦିନତମାମ ପିନ୍ଧିବା ସମ୍ଭବ ହେଉନଥିବାରୁ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ବାଧ୍ୟତାମୂଳକ ନକରିବାକୁ ସେମାନେ ଦାବି କରିଥିଲେ। ଛାତ୍ରାବାସରେ ୱାସିଂମେସିନ ଚାଲୁନଥିବା ବେଳେ ସଫେଇ ଠିକରେ ହେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ହଷ୍ଟେଲ ଫି’ ବୃଦ୍ଧି ସତ୍ତ୍ବେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା, ପ୍ରତି ରୁମରେ ୩ ବଦଳରେ ୪ ଜଣ ଛାତ୍ରଛାତ୍ରୀଙ୍କୁ ରହିବାକୁ ବାଧ୍ୟ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

1 week ago
9


